ARTICLE AD BOX
ଫୁଲବାଣୀ (ରଂଜନ ପ୍ରଧାନ): ଆଜି ଫୁଲବାଣୀ ଟାଉନ ପୁଲିସକୁ ବଡ଼ ସଫଳତା ମିଳିଛି। ଫୁଲବାଣୀ ସହରର ବହୁ ଚର୍ଚ୍ଚିତ ଅଶୋକ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମୃତ ଅଶୋକ ସାହୁଙ୍କ ନିଜ ଭାଇ ଅରୁଣ ସାହୁକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସୂଚନାଯୋଗ୍ୟ, ଗତମାସ ୨୬ ତାରିଖ ଦିନ ଫୁଲବାଣୀ ଟାଉନ୍ ଥାନା ଅନ୍ତର୍ଗତ ଢିପାସାହି ନିବାସୀ ଅଶୋକ ସାହୁଙ୍କୁ ନିଜ ଭାଇ ଅରୁଣ ସାହୁ ହତ୍ୟା କରିଥିଲେ। ନିଜର ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା।
ତେବେ ଏହି ଜମିଜମା ବିବାଦରୁ ଅରୁଣ ସାହୁ ଉତ୍ତ୍ୟକ୍ତ ହୋଇ ନିଜ ଭାଇ ଅଶୋକ ସାହୁଙ୍କୁ ବାଡ଼ିରେ ପିଟି ପିଟି ମାରି ପକାଇଥିଲେ। ମୃତ ଅଶୋକ ସାହୁ ଫୁଲବାଣୀ ସହରର ପ୍ରଗତିମାର୍ଗ ଅନ୍ତର୍ଗତ ‘ସ୍ମିତା ଭବନ’ରେ ଘର ଭଡ଼ାରେ ରହୁଥିଲେ। ଘଟଣା ଦିନ ସାନ ଭାଇ ଅରୁଣ ସାହୁ ମଦ ପିଇ ମାତାଲ ଅବସ୍ଥାରେ ବଡ଼ ଭାଇ ଅଶୋକ ରହୁଥିବା ଭଡ଼ାଘରକୁ ଯାଇ ଏକ ଠେଙ୍ଗାରେ ପିଟିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଘଟଣା ସ୍ଥଳରେ ଅଶୋକଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଫୁଲବାଣୀ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ଟାଉନ ଥାନାଧିକାରୀ ପ୍ରଜ୍ଞା ଋତମ୍ଭରା କର ସୂଚନା ଦେଇଛନ୍ତି।

3 weeks ago
9


