ARTICLE AD BOX
ଭୁବନେଶ୍ବର: ଦେଶରେ ମ୍ୟୁଚୁଆଲ୍ ଫଣ୍ଡ୍ ଏକ ପସନ୍ଦର ନିବେଶ ମାଧ୍ୟମ ଭାବେ ଉଭା ହୋଇଛି। ବ୍ୟାଙ୍କ ଜମାଠାରୁ ଅଧିକ ରିଟର୍ଣ୍ଣ ପାଇବାକୁ ଆଶା କରୁଥିବା ଲୋକମାନେ ଏଥିରେ ନିବେଶ କରୁଛନ୍ତି। ଆଉ ଉକ୍ତ ନିବେଶରେ ମହିଳାମାନେ ପଛରେ ନାହାନ୍ତି। ପୁରୁଷଙ୍କ ଭଳି ସେମାନେ ମଧ୍ୟ ନୟମିତ ଭାବେ ମ୍ୟୁଚୁଆଲ୍ ଫଣ୍ଡ୍ରେ ନିବେଶ କରୁଛନ୍ତି। ମ୍ୟୁଚୁଆଲ୍ ଫଣ୍ଡ୍ରେ ମହିଳାଙ୍କ ଅଂଶଗ୍ରହଣ ହାର ଓଡ଼ିଶାରେ ସର୍ବାଧିକ ୪୦ ପ୍ରତିଶତ ରହିଛି। ଓଡ଼ିଶା ବ୍ୟତୀତ ଅପେକ୍ଷାକୃତ ଛୋଟ ରାଜ୍ୟ ମିଜୋରାମରେ ମଧ୍ୟ ସେହି ହାର ୪୦ ପ୍ରତିଶତ ରହିଛି। ଏହା ସର୍ବଭାରତୀୟ ହାର ୨୬.୪ ପ୍ରତିଶତଠାରୁ ଯଥେଷ୍ଟ ଅଧିକ।
Nepal flood: ନେପାଳକୁ ବିଶ୍ବରୁ ସହାୟତାର ହାତ ବଢ଼ିଲା
ଆସୋସିଏସନ୍ ଅଫ୍ ମ୍ୟୁଚୁଆଲ୍ ଫଣ୍ଡ୍ ଇନ୍ ଇଣ୍ଡିଆ (ଏଏମ୍ଏଫ୍ଆଇ)-କ୍ରିସିଲ୍ ଫ୍ୟାକ୍ଟବୁକ୍ ୨୦୨୬ ରିପୋର୍ଟ ଅନୁସାରେ ୨୫ ବର୍ଷରୁ କମ୍ ବୟସ ବର୍ଗରେ ଓଡ଼ିଶାର ନିବେଶକମାନେ ମ୍ୟୁଚୁଆଲ୍ ଫଣ୍ଡ୍ରେ ନିବେଶ କରିବାରେ ସବୁଠୁ ଆଗରେ ରହିଛନ୍ତି। ଏହା ପଛକୁ ଚଣ୍ଡିଗଡ଼ ଓ ପଞ୍ଜାବ ରହିଛନ୍ତି। ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତର ତଥ୍ୟ ଅନୁସାରେ ଓଡ଼ିଶାର ମ୍ୟୁଚୁଆଲ୍ ଫଣ୍ଡ୍ ପାଣ୍ଠିର ୫୮.୭ ପ୍ରତିଶତ ଇକ୍ବିଟି, ୧୩.୯ ପ୍ରତିଶତ ଡେଟ୍, ୧୯.୧ ପ୍ରତିଶତ ହାଇବ୍ରିଡ୍, ୬.୨ ପ୍ରତିଶତ ପାସିଭ୍ ଓ ୨.୨ ପ୍ରତିଶତ ରାଶିକୁ ଅନ୍ୟାନ୍ୟ ଫଣ୍ଡ୍ରେ ନିବେଶ କରାଯାଇଛି। ଓଡ଼ିଶାରେ ବିଭିନ୍ନ ବୟସ ବର୍ଗର ନିବେଶକମାନଙ୍କ ମଧ୍ୟରେ ୨୫ରୁ ୪୪ ବୟସ ନିବେଶକଙ୍କ ଅବଦାନ ୩୨.୭ ପ୍ରତିଶତ, ୨୫ ବର୍ଷରୁ କମ୍ ବୟସର ନିବେଶକଙ୍କ ଅବଦାନ ୧୨.୯ ପ୍ରତିଶତ, ୪୫-୫୮ ବର୍ଷ ବୟସର ନିବେଶକଙ୍କ ଅବଦାନ ୧୭.୬ ପ୍ରତିଶତ ଓ ୫୮ ବର୍ଷରୁ ଅଧିକ ବୟସ ବର୍ଗର ନିବେଶକଙ୍କ ଅବଦାନ ୧୪.୪ ପ୍ରତିଶତ ରହିଛି।
ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶର ଶୀର୍ଷ ୩୦ଟି ସହର ତୁଳନାରେ ତା’ବାହାରେ ଥିବା ୩୦ଟି ସହରରେ ମ୍ୟୁଚୁଆଲ୍ ଫଣ୍ଡ୍ରେ ମହିଳାଙ୍କ ଅଂଶଗ୍ରହଣ ହାର ଅଧିକ ରହିଛି। ଦିଲ୍ଲୀ, ମୁମ୍ବାଇ ଓ କର୍ଣ୍ଣାଟକ ଭଳି ଅଧିକ ସହରାଞ୍ଚଳ ଥିବା ରାଜ୍ୟରେ ମହିଳାଙ୍କ ଅଂଶଗ୍ରହଣ ହାର ଯଥାକ୍ରମେ ୩୬ ପ୍ରତିଶତ, ୩୭ ପ୍ରତିଶତ ଓ ୩୪ ପ୍ରତିଶତ ଭଳି ନିମ୍ନ ସ୍ତରରେ ରହିଛି। ତେବେ ମ୍ୟୁଚୁଆଲ୍ ଫଣ୍ଡର ପରିଚାଳନା ଅଧୀନ ସମ୍ପତ୍ତି (ଏୟୁଏମ୍)ରେ ଶୀର୍ଷ ପାଞ୍ଚଟି ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର (୩୭.୦୬ ପ୍ରତିଶତ), ଦିଲ୍ଲୀ (୧୪.୨୨ ପ୍ରତିଶତ), କର୍ଣ୍ଣାଟକ (୭.୧୨ ପ୍ରତିଶତ), ଗୁଜରାଟ (୬.୮୮ ପ୍ରତିଶତ) ଓ ପଶ୍ଚିମବଙ୍ଗ (୪.୯୫ ପ୍ରତିଶତ) ରହିଛନ୍ତି। ମିଳିତ ଭାବେ ଏହି ୫ ରାଜ୍ୟରେ ମୋଟ୍ ଏୟୁଏମ୍ର ୭୦.୨୩ ଭାଗ ରହିଛି।
Bank account: ପିଏମ୍ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା
ଏ ସମ୍ପର୍କରେ ‘ୱାଲେଟ୍୪ୱେଲ୍ଥ’ର ପରିଚାଳନା ନିର୍ଦ୍ଦେଶକ ତ୍ରିନାଥ ଲେଙ୍କା କହିଛନ୍ତି, ଓଡ଼ିଶାରେ ଆର୍ଥିକ ସାକ୍ଷରତା ଯଥେଷ୍ଟ ବଢ଼ିଛି। ନିୟମିତ ବ୍ୟବଧାନରେ ବିଭିନ୍ନ ସଂସ୍ଥା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସେଥିରେ ମହିଳାମାନଙ୍କୁ ବୁଝାଇବା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ସେଥିପାଇଁ ମ୍ୟୁଚୁଆଲ୍ ଫଣ୍ଡ୍ ଜରିଆରେ ଷ୍ଟକ୍ ବଜାରରେ ରାଜ୍ୟରୁ ନିବେଶ ବୃଦ୍ଧି ପାଇଛି। ଜଣେ ମହିଳା ମ୍ୟୁଚୁଆଲ୍ ଫଣ୍ଡ୍ରେ ନିବେଶ କରି ଉପକୃତ ହେବା ପରେ ସେ ଅନ୍ୟମାନଙ୍କୁ କହୁଛନ୍ତି। ସେମାନେ ସେଥିରେ ଅନୁପ୍ରାଣିତ ହୋଇ ନିବେଶ କରିବାକୁ ଆଗେଇ ଆସୁଛନ୍ତି।

1 hour ago
1


