ARTICLE AD BOX
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଦିମାଗୀ ନକ୍ସଲ’ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ମଧ୍ୟରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ମଙ୍ଗଳବାର ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଏବେ ‘ମାଓବାଦୀ ଓ ନକ୍ସଲଙ୍କ ଦଳ’ ଭଳି ହେବାକୁ ଯାଉଛି। ତେବେ ମୋଦୀଙ୍କ ‘ଦିମାଗୀ ନକ୍ସଲ’ ମନ୍ତବ୍ୟ କୌଣସି ନିର୍ଦ୍ଦିଷ୍ଟ ବିରୋଧୀ ଦଳକୁ ଲକ୍ଷ୍ୟ କରି ଦିଆଯାଇନଥିଲା ବୋଲି ରିଜିଜୁ ସ୍ପଷ୍ଟ କରିଛନ୍ତି।
ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରିବା ବେଳେ ମୋଦୀ କହିଥିଲେ ଯେ ଜଙ୍ଗଲରେ ସକ୍ରିୟ ଥିବା ସଶସ୍ତ୍ର ନକ୍ସଲମାନଙ୍କୁ ବହୁ ପରିମାଣରେ ହଟାଯାଇଛି। କିନ୍ତୁ ଦେଶର ବିଭିନ୍ନ ଅଞ୍ଚଳରେ ‘ଦିମାଗୀ ନକ୍ସଲ’ ରହିଛନ୍ତି ଏବଂ ସେମାନଙ୍କୁ ଚିହ୍ନଟ କରି ହଟାଯିବା ଆବଶ୍ୟକ। ଏହି ମନ୍ତବ୍ୟ ପରେ ବିରୋଧୀ ଦଳଗୁଡ଼ିକ ଆପତ୍ତି ଉଠାଇଥିଲେ। କଂଗ୍ରେସ ସାଂସଦ ପି. ଚିଦମ୍ବରମ୍ ‘ଦିମାଗୀ ନକ୍ସଲ’ ଶବ୍ଦକୁ ନେଇ ସାମାଜିକ ଗଣମାଧ୍ୟମରେ ‘ମୁଁ ବି ଜଣେ ଦିବାଗୀ ନକ୍ସଲ ଓ ମୁଁ ଏଥିପାଇଁ ଗର୍ବିତ’ ବୋଲି କହିଥିଲେ। ଏହାକୁ ନେଇ ରିଜିଜୁ ପ୍ରଶ୍ନ ଉଠାଇଛନ୍ତି। ଏଏନ୍ଆଇକୁ ଦେଇଥିବା ସାକ୍ଷାତ୍କାରରେ ସେ କହିଛନ୍ତି ଯେ ମୋଦୀଙ୍କ ମନ୍ତବ୍ୟ କୌଣସି ନିର୍ଦ୍ଦିଷ୍ଟ ବିରୋଧୀ ଦଳ ପାଇଁ ନଥିଲା, କିନ୍ତୁ କଂଗ୍ରେସ ନେତାମାନେ ଏହାକୁ ନିଜ ଉପରକୁ ନେଇଛନ୍ତି।
ରିଜିଜୁ ଅଭିଯୋଗ କରିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ସମୟର ଜାତୀୟ ପରାମର୍ଶଦାତା ପରିଷଦରେ ଏଭଳି ବିଚାରଧାରା ରଖୁଥିବା ଲୋକଙ୍କ ପ୍ରଭାବ ଥିଲା। ତାଙ୍କ ମତରେ, କଂଗ୍ରେସ ଏବେ ମାଓବାଦ ଆଡ଼କୁ ଆଗକୁ ବଢ଼ୁଛି। ରିଜିଜୁ ‘ବିଚାରଧାରାଗତ ନକ୍ସଲବାଦ’ର ଉଦାହରଣ ଦେଇ ବିଚ୍ଛିନ୍ନତାବାଦୀ ମନୋଭାବ, ଧାରା ୩୭୦ ପୁନଃସ୍ଥାପନ ଦାବି ଏବଂ ଉତ୍ତର-ପୂର୍ବ ଭାରତକୁ ଦେଶଠାରୁ ପୃଥକ୍ କରିବା ଭଳି ଦାବିକୁ ଉଲ୍ଲେଖ କରିଛନ୍ତି।
ରିଜିଜୁ ଏହି ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୨୦୦୬ର ଏକ ମନ୍ତବ୍ୟକୁ ମଧ୍ୟ ଉଦ୍ଧୃତ କରିଛନ୍ତି। ସେତେବେଳେ ମନମୋହନ ସିଂହ ନକ୍ସଲବାଦକୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସବୁଠାରୁ ବଡ଼ ଆହ୍ବାନ ବୋଲି କହିଥିଲେ। ଅନ୍ୟପକ୍ଷରେ, କଂଗ୍ରେସ ଓ ଚିଦମ୍ବରମ୍ ‘ଦିମାଗୀ ନକ୍ସଲ’ ଶବ୍ଦକୁ ରାଜନୈତିକ ଅପମାନ ବୋଲି ଅଭିହିତ କରିଛନ୍ତି। ବିଜେପି ପୂର୍ବରୁ ବିରୋଧୀଙ୍କ ପାଇଁ ‘ଅର୍ବାନ ନକ୍ସଲ’, ‘ଆନ୍ଦୋଳନଜୀବୀ’ ଓ ‘ଟୁକ୍ଡେ-ଟୁକ୍ଡେ ଗ୍ୟାଙ୍ଗ୍’ ଭଳି ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ କରି କଂଗ୍ରେସ ଏହି ନୂଆ ଶବ୍ଦକୁ ମଧ୍ୟ ସେହି ରାଜନୈତିକ କୌଶଳର ଅଂଶ ବୋଲି କହିଛି।

1 week ago
4


