ARTICLE AD BOX
ବୈଶିଙ୍ଗା(ଦୀପକ କୁମାର ସିଂହ): ରେଳ ଲାଇନ୍ ଯୋଗୁଁ ଯାତାୟାତରେ ସମସ୍ୟା ଭୋଗୁଥିବା ଛଅଟି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ଆଗେଇ ଆସିଛି ଆମ୍ବଗଡ଼ିଆ ବିକାଶ ପରିଷଦ। ଆମ୍ବଗଡ଼ିଆ ପଞ୍ଚାୟତ ଅଧୀନ ଭଗବାନପୁର ଗ୍ରାମ ନିକଟ ରେଳ ଲାଇନ୍ଠାରେ ଗଳାପୋଲ ନିର୍ମାଣ କିମ୍ବା ଭଗବାନପୁର ଗ୍ରାମଠାରୁ ଉତ୍ତର ପାର୍ଶ୍ୱରେ ଥିବା ବାମଡ଼ା ରେଳ ଗେଟ୍ ପର୍ଯ୍ୟନ୍ତ ଆପ୍ରୋଚ୍ ରୋଡ୍ ନିର୍ମାଣ ଦାବିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ପରିଷଦ ପକ୍ଷରୁ କୁହାଯାଇଛି ଯେ, ଏହି ସମସ୍ୟା ସମ୍ପର୍କରେ ରେଳ ବିଭାଗର ଅଧିକାରୀଙ୍କ ଠାରୁ ଆରମ୍ଭ କରି ରେଳମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅନେକଥର ଅବଗତ କରାଯାଇଛି। ତଥାପି ଏଯାଏଁ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।
ଭଗବାନପୁର ଗ୍ରାମ ଦେଇ ଆଖପାଖର ଛଅଟି ଗ୍ରାମର ଲୋକେ ନିତ୍ୟ ଯାତାୟାତ କରୁଥିବା ବେଳେ ରେଳ ବିଭାଗ ପକ୍ଷରୁ ରାସ୍ତା ଅବରୋଧ କରାଯିବା ଫଳରେ ଲୋକଙ୍କ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏପରିକି ଜରୁରୀ ସମୟରେ ଆମ୍ବୁଲାନ୍ସ, ଦମକଳ, ପୁଲିସ ଗାଡ଼ି ସମେତ ଅନ୍ୟାନ୍ୟ ଯାନବାହନ ମଧ୍ୟ ସହଜରେ ଯାତାୟାତ କରିପାରୁନଥିବା ଅଭିଯୋଗ ହୋଇଛି।
ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗଳାପୋଲ ନିର୍ମାଣ କିମ୍ବା ବାମଡ଼ା ରେଳ ଗେଟ୍ ପର୍ଯ୍ୟନ୍ତ ଆପ୍ରୋଚ୍ ରୋଡ୍ ନିର୍ମାଣ କରିବାକୁ ପରିଷଦ ଦାବି କରିଛି। ଆମ୍ବଗଡ଼ିଆ ବିକାଶ ପରିଷଦ ସଭାପତି ଅନ୍ତର୍ଯ୍ୟାମୀ ମହାପାତ୍ର, ଉପଦେଷ୍ଟା ଚକ୍ରଧର ଆଚାର୍ଯ୍ୟ, ରଘୁପୁର ମଣ୍ଡଳ ବିଜେପି ସଭାପତି ଶାନ୍ତନୁ ପଣ୍ଡା, ଆମ୍ବଗଡ଼ିଆ ପଞ୍ଚାୟତ ବିଜେପି ସଭାପତି ମନୋରଞ୍ଜନ ଉପାଧ୍ୟାୟ ପ୍ରମୁଖ ବେତନଟୀଠାରେ ସାଂସଦ ଓ ବିଧାୟକଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ।
Color of the car smoke: କାର୍ ଧୂଆଁର ରଙ୍ଗ କହିଦେବ ଇଞ୍ଜିନ୍ର ସମସ୍ୟା
ତେବେ ଦାବିପତ୍ର ପ୍ରଦାନ ପରେ ମଧ୍ୟ ସମସ୍ୟାର ସମାଧାନ ନେଇ ଏଯାଏଁ କୌଣସି ସ୍ପଷ୍ଟ ପ୍ରତିଶ୍ରୁତି ମିଳିନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ନିରାଶା ପ୍ରକାଶ ପାଇଛି। ଏହି ଗୁରୁତର ଯାତାୟାତ ସମସ୍ୟାର ଶୀଘ୍ର ସମାଧାନ ହୋଇ ଛଅଟି ଗ୍ରାମବାସୀଙ୍କ ପାଇଁ ସୁଗମ ଯୋଗାଯୋଗ ବ୍ୟବସ୍ଥା ସୃଷ୍ଟି ହେବ କି ନାହିଁ, ତାହା ଏବେ ଅଞ୍ଚଳବାସୀଙ୍କ ଅପେକ୍ଷା।

1 hour ago
2


