ARTICLE AD BOX
ନୂଆଦିଲ୍ଲୀ: ପାହାଡ଼ ଫାଟିଲା... ହିମଶୈଳ ଭାଙ୍ଗିଲା... ଆଉ ମାତ୍ର କିଛି ମୁହୂର୍ତ୍ତରେ ସବୁକିଛିକୁ ଗିଳିଗଲା ଜଳର ଭୟଙ୍କର ସ୍ରୋତ। ନେପାଳରେ ପ୍ରକୃତିର ଏହି ତାଣ୍ଡବ ଛାଡ଼ିଯାଇଛି ମୃତ୍ୟୁ ଓ ବିନାଶର ଭୟଙ୍କର ଚିତ୍ର। ବନ୍ୟାରେ ଏପର୍ଯ୍ୟନ୍ତ ୩୯୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୫ ଶହ ଲୋକଙ୍କର କୌଣସି ଖୋଜଖବର ନାହିଁ। ଏହାରି ଭିତରେ ଆଉ ଏକ ନୂଆ ବିପଦ ସାମ୍ନାକୁ ଆସିଛି। ସୀମା ନିକଟରେ ସୃଷ୍ଟି ହୋଇଥିବା ଏକ ବିଶାଳ ବ୍ୟାରିୟର ଲେକ୍ ଯେକୌଣସି ସମୟରେ ଫାଟିପାରେ ବୋଲି ଚେତାବନୀ ମିଳିଛି। ନେପାଳ-ତିବ୍ଦତ ସୀମାରେ ହିମଶୈଳ ଭାଙ୍ଗିବା ପରେ ଆସିଥିବା ଭୟଙ୍କର ବନ୍ୟା ରସୁୱା, ନୁୱାକୋଟ, ଚିତୱନ ଓ ଧାଡିଙ୍ଗ ଅଞ୍ଚଳକୁ ଛାରଖାର କରିଦେଇଛି। ଭୋଟେ କୋଶୀ ଓ ତ୍ରିଶୂଳୀ ନଦୀରେ ଆସିଥିବା ପ୍ରଳୟଙ୍କରୀ ଜଳସ୍ରୋତ ଘର, ରାସ୍ତା, ପୋଲ ଓ ଜଳବିଦ୍ୟୁତ୍ ପ୍ରକଳ୍ପକୁ ଭସାଇ ନେଇଛି। ଅନେକ ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। କେଉଁଠି ଘର କାଦୁଅ ତଳେ ପୋତି ହୋଇଯାଇଛି ତ ଆଉ କେଉଁଠି ସମ୍ପୂର୍ଣ୍ଣ ବସ୍ତି ମାନଚିତ୍ରରୁ ଲିଭିଯାଇଛି।
Nepal floods: ନେପାଳ ବନ୍ୟା ବିଭୀଷିକା: ୧୫ ଶହରୁ ଅଧିକ ନିଖୋଜ, ମୃତ୍ୟୁସଂଖ୍ୟା ୩୬୦ ଛୁଇଁଲା, ୨୮୮ ଭାରତୀୟ ନିଖୋଜ
ଉଦ୍ଧାରକାରୀ ଦଳ ଦିନରାତି ଅଭିଯାନ ଚଳାଇଥିଲେ ମଧ୍ୟ ଅନେକ ସ୍ଥାନକୁ ପହଞ୍ଚିବା ସମ୍ଭବ ହୋଇନାହିଁ। ହେଲିକପ୍ଟର ସହାୟତାରେ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ନିଖୋଜଙ୍କ ସଂଖ୍ୟା ଲଗାତାର ବଢ଼ି ଚାଲିଛି। ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ୨୯୦ ଜଣ ଭାରତୀୟ ନାଗରିକଙ୍କ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଯିବା।
ପରିସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ସକ୍ରିୟ ହୋଇଉଠିଛନ୍ତି। ନିଖୋଜ ଭାରତୀୟଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ କୂଟନୈତିକ ଓ ମାନବିକ ସ୍ତରରେ ପ୍ରୟାସ ଜାରି ରହିଛି। ତେବେ ନୂଆ ହ୍ରଦ ଫାଟିବା ଆଶଙ୍କା ମଧ୍ୟରେ ନେପାଳରେ ଆହୁରି ବଡ଼ ବିପର୍ଯ୍ୟୟର ଭୟ ଘନୀଭୂତ ହେଉଛି।

1 hour ago
1


