Nepal flood: ଭୂକମ୍ପ ନୁହେଁ, ଗ୍ଲେସିୟର ଧସିବାରୁ ଆସିଲା ନେପାଳର ପ୍ରଳୟଙ୍କରୀ ବନ୍ୟା

2 hours ago 6
ARTICLE AD BOX

କାଠମାଣ୍ଡୁ: ନେପାଳ-ତିବ୍ଦତ ସୀମାବର୍ତ୍ତୀ ରସୁୱା ଅଞ୍ଚଳରେ ୨୬ ଅଗଷ୍ଟରେ ଘଟିଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ପଛରେ ପ୍ରକୃତ କାରଣ ଭୂକମ୍ପ ନୁହେଁ, ବରଂ ଏକ ବିଶାଳ ଗ୍ଲେସିୟର ଓ ପଥରଖଣ୍ଡ ଧସିବାରୁ ସୃଷ୍ଟି ହୋଇଥିବା ମହାଭୂସ୍ଖଳନ ବୋଲି ସ୍ପଷ୍ଟ ହୋଇଛି। ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ୟୁଏସ୍‌ଜିଏସ୍‌ ପ୍ରଥମେ ଏହି ଘଟଣାର କାରଣ ୪.୪ ତୀବ୍ରତାର ଭୂକମ୍ପ ବୋଲି ଦର୍ଶାଇଥିଲେ ମଧ୍ୟ ପରବର୍ତ୍ତୀ ତଦନ୍ତରେ ତାହା ଭୂସ୍ଖଳନଜନିତ କମ୍ପନ ବୋଲି ଜଣାପଡ଼ିଛି।

୨୬ ଅଗଷ୍ଟ ସକାଳେ ରସୁୱା ଅଞ୍ଚଳରେ ପ୍ରବଳ ବର୍ଷାର କୌଣସି ସୂଚନା ନଥିଲା। ତଥାପି ସକାଳ ପ୍ରାୟ ୯ଟାରେ ଭୋଟେ କୋଶୀ ନଦୀର ଜଳସ୍ତର ହଠାତ୍‌ ବଢ଼ିବାକୁ ଲାଗିଥିଲା। ପାଣି ସହ ମାଟି, ପଥର ଓ ବରଫର ବିଶାଳ ସ୍ରୋତ ତଳମୁହାଁ ହୋଇ ଆସିଥିଲା। ଏହା ପୂର୍ବରୁ ସକାଳ ୮ଟା ୩୭ରେ ନେପାଳ-ଚୀନ୍‌ ସୀମା ନିକଟରେ ଭୂକମ୍ପ ପରି ତୀବ୍ର କମ୍ପନ ଅନୁଭୂତ ହୋଇଥିଲା। ପରେ ଜଣାପଡ଼ିଥିଲା ଯେ, ଉଚ୍ଚ ପାର୍ବତ୍ୟ ଅଞ୍ଚଳରୁ ବରଫ ଓ ପଥରର ଏକ ବିଶାଳ ଅଂଶ ଖସି ଲେହନ୍ଦେ ଖୋଲା ନଦୀରେ ପଡ଼ିଥିଲା। ଏହି ଭୂସ୍ଖଳନ ଏତେ ଶକ୍ତିଶାଳୀ ଥିଲା ଯେ, ଏଥିରୁ ପ୍ରାୟ ୫.୨ ତୀବ୍ରତାର ଭୂକମ୍ପ ସହ ସମାନ କମ୍ପନ ସୃଷ୍ଟି ହୋଇଥିଲା। ଲେହନ୍ଦେ ଖୋଲା ଭୋଟେକୋଶୀ ନଦୀର ଏକ ଉପନଦୀ ଏବଂ ଚୀନ୍‌ରୁ ପ୍ରବାହିତ ହୋଇ ନେପାଳରେ ପ୍ରବେଶ କରିଛି।

ସାଟେଲାଇଟ୍‌ ଚିତ୍ରର ପ୍ରାରମ୍ଭିକ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ରସୁୱାଗଡ଼ୀ ସୀମାର ପ୍ରାୟ ୨୦ କିଲୋମିଟର ଉତ୍ତର-ପୂର୍ବରେ ଏହି ଭୂସ୍ଖଳନ ହୋଇଥିଲା। ବରଫ, ପଥର ଓ ମାଟିର ବିଶାଳ ଆବର୍ଜନା ଗଦା ନଦୀର ପ୍ରବାହକୁ ଅଟକାଇ ଦେଇଥିଲା। ଫଳରେ ସେଠାରେ ସାମୟିକ ଭାବେ ଏକ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଥିଲା। କିଛି ସମୟ ପରେ ମଲବାରେ ତିଆରି ହୋଇଥିବା ଏହି ଅସ୍ଥାୟୀ ବନ୍ଧ ଭାଙ୍ଗିଯିବାରୁ ବିପୁଳ ପରିମାଣର ପାଣି, କାଦୁଅ, ପଥର ଓ ବରଫ ପ୍ରଚଣ୍ଡ ବେଗରେ ତଳକୁ ମାଡ଼ିଆସିଥିଲା।

Heavy Rain: ଆକସ୍ମିକ ବନ୍ୟାରେ ୧୪ ଘର ଓ ଗୁହାଳ ଭାସିଗଲା

ହିମାଳୟର ପାହାଡ଼ ଓ ସଂକୀର୍ଣ୍ଣ ଉପତ୍ୟକା ଏହି ବିପର୍ଯ୍ୟୟର ତୀବ୍ରତାକୁ ଆହୁରି ବଢ଼ାଇଥିଲା। ଭୋଟେକୋଶୀରୁ ତ୍ରିଶୂଳୀ ନଦୀକୁ ପାଣି ପହଞ୍ଚିବା ପରେ କେତେକ ସ୍ଥାନରେ ମାତ୍ର ୩୦ ମିନିଟ୍‌ ମଧ୍ୟରେ ଜଳସ୍ତର ପ୍ରାୟ ୯ ମିଟର ବଢ଼ିଥିଲା। ଏହି ଭୟଙ୍କର ବନ୍ୟାରେ ପ୍ରାୟ ୩୫୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ହଜାରେରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଅନେକ ଅଞ୍ଚଳର ସଡ଼କ ଓ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସହ ୧୩ଟି ଜଳବିଦ୍ୟୁତ୍ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ତେବେ ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳିନାହିଁ। ନଦୀର ଉପରମୁଣ୍ଡରେ ଏବେ ମଧ୍ୟ ବିପୁଳ ପରିମାଣର ଆବର୍ଜନା ଜମି ରହିଥିବାରୁ ପୁଣି ପାଣି ଜମାହୋଇ ତାହା ଭାଙ୍ଗିଲେ ଦ୍ୱିତୀୟ ଦଫା ବନ୍ୟା ଆସିବାର ଆଶଙ୍କା ରହିଛି। ନେପାଳ ଓ ଚୀନ୍‌ର ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସାଟେଲାଇଟ୍‌ ଚିତ୍ର, ନଦୀର ଜଳସ୍ତର ଓ ଭୂକମ୍ପୀୟ ତଥ୍ୟ ମାଧ୍ୟମରେ ପରିସ୍ଥିତି ଉପରେ ନଜର ରଖିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.