ARTICLE AD BOX
ଜଗତସିଂହପୁର: ପାରାଦୀପରୁ ଲୁହାପଥର ନେଇ ଚୀନ ଯାଉଥିବା ପଣ୍ୟବାହୀ ଜାହାଜ ‘ଓସେନ୍ ୱିନର୍’ ସମୁଦ୍ରରେ ନିଖୋଜ ହୋଇଯାଇଛି। ଜାହାଜ ସହ ଯୋଗାଯୋଗ ସମ୍ଭବ ହୋଇ ପାରୁନଥିବା ବେଳେ ଏହା କୌଣସି ଦୁର୍ଘଟଣାର ଶିକାର ହୋଇ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ ପାଖାପାଖି ୭୫ ହଜାର ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏହି ଜାହାଜ ୨୦ ତାରିଖ ରାତି ପ୍ରାୟ ସାଢ଼େ ଦଶଟା ବେଳେ ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚୀନ ଅଭିମୁଖେ ବାହାରି ଥିଲା। ପାନାମା ପତାକା ଥିବା ଏହି ଜାହାଜରେ ୨୦ ଜଣ ଚୀନ ନାଗରିକ, ଜଣେ ବାଂଲାଦେଶୀ ଓ ୩ ଜଣ ମ୍ୟାମାର୍ ନାଗରିକଙ୍କୁ ମିଶାଇ ମୋଟ ୨୪ ଜଣ କର୍ମଚାରୀ ଥିବା କୁହାଯାଉଛି। ଜାହାଜଟି ଓଡ଼ିଶା ଉପକୂଳ ପାରାଦୀପରୁ ୨୪୦ ନଟିକାଲ୍ ମାଇଲ୍ (ପାଖାପାଖି ୩୭୦ କିଲୋମିଟର) ଅତିକ୍ରମ କରିବା ପରେ ଗତକାଲି ରାତି ୧୨ଟା ୧୮ ପରଠାରୁ ଆଉ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିଲା। ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ପାଖାପାଖି କୌଣସି ସ୍ଥାନରେ ଏହା ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଛି।
Weekly Horoscope 2026 August 23 to August 29: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
୨୦ ତାରିଖ ରାତିରେ ଛାଡ଼ିଥିଲା ପାରାଦୀପ ବନ୍ଦର
ଅଗଷ୍ଟ ୫ ତାରିଖରେ ଏହି ଜାହାଜଟି ପାରାଦୀପ ବନ୍ଦରକୁ ଆସିଥିଲା। କିନ୍ତୁ ବର୍ଥରେ ସ୍ଥାନ ନ ଥିବାରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରେ ଜାହାଜକୁ ଅପେକ୍ଷା କରିବାକୁ ପଡ଼ିଥିଲା। ଅଗଷ୍ଟ ୨୦ ତାରିଖରେ ଲୁହାପଥର ବୋଝେଇ କରି ଜାହାଜଟି ପାରାଦୀପ ବନ୍ଦର ଛାଡ଼ିଥିଲା। ଭୁବନେଶ୍ବରରୁ କୋଷ୍ଟଗାର୍ଡ ଟିମ୍ ଓ ହେଲିକପ୍ଟର ଘଟଣାସ୍ଥଳକୁ ଯାଇଛି। ଜାହାଜକୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ ହୋଇଥିବା ବେଳେ ବିଶାଖାପାଟଣା ପଟୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି।
ମିଳିଥିବା ସୂଚନା ମୁତାବକ ଲୁହାପଥର ବୋଝେଇ ଜାହାଜଟି ୧୦.୫ ନଟ୍ ବେଗରେ ଆଗକୁ ବଢ଼ୁଥିଲା। ପ୍ରଚୁର ମାଲ୍ ବୋଝେଇ ହୋଇଥିବାରୁ ପାଣି ଭିତରେ ୧୪.୨ ମିଟର ପର୍ଯ୍ୟନ୍ତ ବୁଡ଼ି ରହିଥିଲା। ଅଗଷ୍ଟ ୨୭ ତାରିଖ ସକାଳ ୭.୩୦ ସୁଦ୍ଧା ଜାହାଜଟି ସିଙ୍ଗାପୁର ବନ୍ଦରରେ ପହଞ୍ଚିବାର ଥିଲା। ତେବେ ୨୧ ତାରିଖ ରାତିରୁ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
୨୦୦୯ରେ ବୁଡ଼ି ଯାଇଥିଲା ‘ବ୍ଲାକ୍ ରୋଜ୍’
କଟକ: ୨୦୦୯ ସେପ୍ଟେମ୍ବର ୯ରେ ପାରାଦୀପ ବନ୍ଦରରୁ ମାତ୍ର ୫ କିଲୋମିଟର ଯିବା ପରେ ସମୁଦ୍ରରେ ବୁଡ଼ି ଯାଇଥିଲା ମଙ୍ଗୋଲୀୟ ଜାହାଜ ‘ଏମ୍ଭି ବ୍ଲାକ୍ ରୋଜ୍’। ଏହି ଜାହାଜଟି ୨୩ ହଜାର ୮୪୭ ମେଟ୍ରିକ୍ ଟନ୍ ଲୁହାପଥର ଓ ୯୨୦ ମେଟ୍ରିକ୍ ଟନ୍ ଫର୍ଣ୍ଣେସ ଅଏଲ୍ ନେଇ ଚୀନ ଯାଉଥିଲା। ଏହି ଜାହାଜରେ ୨୭ ଜଣ କର୍ମଚାରୀ ଥିବା ବେଳେ ୨୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଜାହାଜର ମୁଖ୍ୟ ଯନ୍ତ୍ରୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ବ୍ଲାକ୍ ରୋଜ୍ ବୁଡ଼ିବା
ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା।
Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ
କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଘଟଣାର ସିବିଆଇ ତଦନ୍ତ ପାଇଁ ପରାମର୍ଶ ଦେଇଥିଲେ ବି ସେତେବେଳେ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇ ନଥିଲେ। ଏ ସଂକ୍ରାନ୍ତରେ ଏକ ମାମଲା ମଧ୍ୟ ହାଇକୋର୍ଟରେ ଗଡ଼ୁଛି। ଜାହାଜରେ ବେଆଇନ ମାଲ ପରିବହନ ହେଉଥିବାର ଅଭିଯୋଗ କରି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ସିବିଆଇ ତଦନ୍ତ ସପକ୍ଷରେ ଏହି ମାମଲା ଦାୟର କରିଛନ୍ତି। ବ୍ଲାକ୍ ରୋଜ୍ ପାରାଦୀପ ଉପକୂଳରୁ ମାତ୍ର ୫ କିଲୋମିଟର ସମୁଦ୍ର ଭିତରେ ପଡ଼ି ରହିଥିବାରୁ ବୋଟ୍ ଓ ଜାହାଜ ଚଳାଚଳରେ ସମସ୍ୟା ସହ ତେଲ ଲିକ୍ ହୋଇ ସମୁଦ୍ରରେ ମିଶିବା ଯୋଗୁଁ ପରିବେଶ ପ୍ରଦୂଷଣ ସଂକ୍ରାନ୍ତରେ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସିଛି।

5 days ago
4


