ARTICLE AD BOX
କୋମନା (ସରୋଜ କୁମାର ଦାସ): ହାଇଦ୍ରାବାଦ କରିମନଗରରେ ଶ୍ରମିକ ଭାବେ କାମ କରୁଥିବା କୁରେଶ୍ୱର ପଞ୍ଚାୟତ ଜନ୍ଧ୍ରମୁଣ୍ଡା ଗାଁର ଡୋଲାମଣି ମାଝୀ (୩୦)ଙ୍କ ମୃତ୍ୟୁ ଘଟିଥିଲା। ଆଜି ତାଙ୍କର ଶବ ଆମ୍ବୁଲାନ୍ସ ଯୋଗେ ଗାଁକୁ ଆସିବା ପରେ କୋମନା ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ସୂଚନାନୁସାରେ, ନ୍ୟାୟ ଦାବିରେ ମୃତକଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ ଭେଲାଠାରେ ବିଜୁ ଏକ୍ସପ୍ରେସୱେକୁ ଅବରୋଧ କରିଥିଲେ। ଡୋଲାମଣିଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ନ୍ୟାୟଦାବିରେ ଅଡ଼ିବସିଥିଲେ। ଖବର ପାଇ ଘଟଣାସ୍ଥଳରେ କୋମନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।
କୋମନା ତହସିଲଦାର ସର୍ବେଶ୍ଵର ଜାଲ, ନୂଆପଡା ଏସଡିପିଓ ସ୍ଵାଧୀନ ମିଶ୍ର, କୋମନା ଆଇଆଇସି ରଶ୍ମିତା ପ୍ରଧାନ ଘଟଣା ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ନଗଦ ୧୦ ହଜାର ଟଙ୍କା ଦେଇଥିଲେ ଓ ନିୟମ ଅନୁସାରେ ସରକାରୀ ସହାୟତା ଯୋଗାଇ ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।
ଅପରପକ୍ଷରେ, ଶ୍ରମିକ ଚାଲାଣରେ କୋମନା ଥାନା ସେମେଲପାଲି ଗାଁର ସର୍ଦ୍ଦାର ଲତିଫ ଖାନର ହାତ ଥିବା ବେଳେ, ଘଟଣା ପରଠାରୁ ସେ ଫେରାର୍ ଅଛି। ଯାହାକୁ ନେଇ ସନ୍ଦେହ ଆହୁରି ଦୃଢ଼ ହୋଇଛି।

1 month ago
15


