ARTICLE AD BOX
ଭୁବନେଶ୍ବର: ରବିବାର କଳିଙ୍ଗ ଷ୍ଟାଡିୟମ୍ରେ ବିଶ୍ବ ଦୌଡ଼କୁଦ ମହାଦେଶୀୟ ଯାତ୍ରାର ସିଲଭର୍ ସଂସ୍କରଣ ସଫଳତାର ସହ ସମ୍ପନ୍ନ ହୋଇଛି। ଭାରତୀୟ ଖେଳାଳିମାନେ ପଦକ ଅମଳରେ ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ଆୟୋଜକ ଓଡ଼ିଶା ଖେଳାଳିମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଗତବର୍ଷର ଏହି ପ୍ରତିଯୋଗିତାର ବ୍ରୋଞ୍ଜ୍ ସଂସ୍କରଣ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବା ପରେ ଏଥର ସିଲଭର୍ ସଂସ୍କରର ଆୟୋଜିତ ହେବା ଭାରତୀୟ ଦୌଡ଼କୁଦ ଦୁନିଆରେ ନୂଆ ଫର୍ଦ ଯୋଡ଼ିଛି। କିନ୍ତୁ ଓଡ଼ିଶାରୁ ଭାଗ ନେଇଥିବା ୬ ଜଣ ନିଜ ନିଜ ଇଭେଣ୍ଟ୍ ପୋଡିୟମ୍ର ଶୀର୍ଷ ୩ ଭିତରେ ନ ରହିବା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
Education: ‘ଏନ୍ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ
ଯୁବ ତାରକା ବାପି ହାଁସଦା ୮୦୦ ମିଟର୍ ପୁରୁଷ ଦୌଡ଼ର ଅଧାରୁ ଓହରିଯିବା ଏବଂ ଏସୀୟ କ୍ରୀଡ଼ା ପଦକ ବିଜେତା ଜାଭଲିନ୍ ତାରକା କିଶୋର ଜେନା ଶେଷ ମୁହୂର୍ତ୍ତରେ ଭାଗ ନନେବା ଭଳି ଅପ୍ରୀତିକର ପରିସ୍ଥିତି ମଧ୍ୟ ଘରୋଇ ପ୍ରଶଂସକଙ୍କୁ ନିରାଶ କରିଥିଲା। ପ୍ରଜ୍ଞା ପ୍ରଶାନ୍ତି ସାହୁ (ମହିଳା ୧୦୦ ମିଟର ବାଧାଦୌଡ଼), ଶ୍ରାବଣୀ ନନ୍ଦ (ମହିଳା ୧୦୦ ମିଟର୍), ଅନିମେଷ କୁଜୁର (ପୁରୁଷ ୧୦୦ ମିଟର୍), ସ୍ବାଧୀନ କୁମାର ମାଝୀ (ପୁରୁଷ ହାଇଜମ୍ପ୍) ବିଫଳ ହୋଇଥିଲେ। ପ୍ରଶାନ୍ତି ଚତୁର୍ଥରେ, ଶ୍ରାବଣୀ ଓ ଅନିମେଷ ଷଷ୍ଠରେ, ସ୍ବାଧୀନ ସପ୍ତମରେ ରହିଥିଲେ। ମୋଟ ୧୮ ଇଭେଣ୍ଟ୍ରୁ କିନ୍ତୁ ଭାରତୀୟମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଭାରତୀୟଙ୍କ ମଧ୍ୟରୁ ଆନସୀ ସୋଜନ, ଶୈଳୀ ସିଂହ, ଶ୍ରୀଶଙ୍କର ମୁରଲୀ, ରୋହିତ ଯାଦବ ଆଶାଜନକ ପ୍ରଦର୍ଶନ କରିଥିଲେ। ରୋହିତ ୮୭.୬୯ ମିଟର୍ ଜାଭିଲିନ୍ ଫିଙ୍ଗି ପୁରୁଷ ବର୍ଗର ଶ୍ରେଷ୍ଠ ସମ୍ମାନ ବି ଅର୍ଜନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କିଂବଦନ୍ତି ଆଥ୍ଲେଟ୍ ଅଞ୍ଜୁ ବବି ଜର୍ଜ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
କିଟ୍ ଛାତ୍ରଛାତ୍ରୀଙ୍କୁ ୧୧ ପଦକ
ଓଡ଼ିଶା ଖେଳାଳି କି ଓଡ଼ିଆ ଖେଳାଳି ପଦକଟିଏ ଜିତି ନପାରିବା କଳିଙ୍ଗରେ ଭରପୁର ସ୍କୁଲ ଛାତ୍ରଛାତ୍ରୀ ଓ ପ୍ରଶଂସକମାନଙ୍କୁ ନିରାଶ କରିଥିଲା। କିନ୍ତୁ କିଟ୍ରେ ପଢ଼ୁଥିବା ୧୧ ଜଣ ଛାତ୍ରଛାତ୍ରୀ ପଦକ ଜିତିବା ରାଜ୍ୟର ଗୌରବ ବଜାୟ ରଖିଥିଲା। ୪ ସ୍ବର୍ଣ୍ଣ, ୨ ରୌପ୍ୟ, ୫ କାଂସ୍ୟ ସହ ମୋଟ ୧୧ ପଦକ ଜିତିଥିଲେ କିଟ୍ ଛାତ୍ରୀଛାତ୍ର। ପୂଜା (ମହିଳା ୧୫୦୦ ମିଟର୍), ଆନସୀ ସୋଜନ (ମହିଳା ଲଙ୍ଗ ଜମ୍ପ୍), ରୋହିତ ଯାଦବ (ଜାଭଲିନ୍), ମୁରଲୀ ଶ୍ରୀଶଙ୍କର (ପୁୁରୁଷ ଲଙ୍ଗ୍ ଜମ୍ପ୍) ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ପ୍ରାଚୀ (ମହିଳା ୪୦୦ ମିଟର୍), ୟାଶବୀର ସିଂହ (ପୁରୁଷ ଜାଭଲିନ୍) ରୌପ୍ୟ ପଦକ ହାସଲ କରିଥିଲେ। ଜ୍ୟୋତି ୟାରାଜୀ (ମହିଳା ୧୦୦ ମିଟର ବାଧାଦୌଡ଼) କରଣବୀର ସିଂହ (ପୁରୁଷ ସଟ୍ପୁଟ୍), ଅନୁ ରାଣୀ (ମହିଳା ଜାଭଲିନ୍), ପୂଭାମା (ମହିଳା ୪୦୦ ମିଟର୍), ଡେଭିଡ୍ ପି (ପୁରୁଷ ଲଙ୍ଗ୍ ଜମ୍ପ୍) କାଂସ୍ୟ ପଦକ ଜିତିଥିଲେ।
୧୧ ଓଡ଼ିଆ ବୈଷୟିକ ଅଧିକାରୀ
ଓଡ଼ିଶା ଦୌଡ଼କୁଦ ଦୁନିଆ ପାଇଁ କିନ୍ତୁ ଖୁସିର କଥା ଥିଲା ରାଜ୍ୟର ୧୧ ଜଣ ଖେଳାଳି ଓ ପ୍ରଶିକ୍ଷକ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାର ଅଫିସିଆଲ୍ ଭୂମିକାରେ ରହିଥିଲେ। ମିଡିଆ ଟ୍ରିବ୍ୟୁନ୍ ଆଗରେ ରହି ଏହି ବୈଷୟିକ ଅଧିକାରୀମାନେ ମାନ୍ୟୁଆଲ୍ ସ୍କୋରିଂ କରୁଥିଲେ। ମୁଖ୍ୟ ଟାଇମ୍ କିପର ନୀପନ ଦାସ, ମୁଖ୍ୟ ଜଜ୍ ଫିନିସର ରୟ ଜନଙ୍କ ଅଧିନରେ ୧୦ ଜଣ ଓଡ଼ିଆ ବ୍ୟକ୍ତିତ୍ବ ଏହି ଗୁରୁ ଦାୟିତ୍ବ ସମ୍ଭାଳିଥିଲେ। ଅବସରପ୍ରାପ୍ତ ପ୍ରଶିକ୍ଷକ ରୂପନ୍ବିତା ପଣ୍ଡା, ଜାତୀୟ ପଦକ ବିଜୟିନୀ ଖେଳାଳି ଶୁଭସ୍ମିତା ରଥଙ୍କ ସହିତ ବିମଳ ଚନ୍ଦ୍ର ସେଠୀ, ପତ୍ରପୁଷ୍ପା ମହାନ୍ତି, ରମେଶ କୁମାର ମିଶ୍ର, ଲକ୍ଷ୍ମୀଧର ମହାନ୍ତି, ଶୁଭାରାଣୀ ଡୋରା, ଅମ୍ବିକା ପ୍ରସାଦ ରଥ, ସୌମ୍ୟକାନ୍ତ ସାହୁ, ରାମଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ।
Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ
ଅନିମେଷ ବି ଆଣ୍ଠେଇଲେ
ଧାବକ ଅନିମେଷ କୁଜୁରଙ୍କଠାରୁ ବଡ଼ ଆଶା ଥିଲା। ୧୦୦ ମିଟର ପୁରୁଷ ଦୌଡ଼ରେ ଓଡ଼ିଶା ସରକାରଙ୍କ ଏହି ଛତିଶଗଡ଼ ଆମଦାନୀ ପୁଅ ପଞ୍ଚମରେ ଅଭିଯାନ ଶେଷ କରିଥିଲେ। ବିଶ୍ବସ୍ତରୀୟ ପ୍ରତିଯୋଗିତା ପାଇଁ ସେ ଯେ ବହୁ ପଛରେ ଅଛନ୍ତି ପୁଣି ଥରେ ପ୍ରାମାଣିତ ହୋଇଯାଇଥିଲା। କେବଳ ଅନିମେଷ ନୁହନ୍ତି ଅନ୍ୟତମ ଅଗ୍ରଣୀ ଭାରତୀୟ ଧାବକ ଗୁରିନ୍ଦରବୀର ସିଂହ ମଧ୍ୟ ପୋଡିୟମ୍ ଫିନିସ୍ରେ ବିଫଳ ହୋଇଥିଲେ। ଅନିମେଷ ୧୦.୩୨ ସେକେଣ୍ଡ୍ ଏବଂ ଗୁରିନ୍ଦରବୀର ୧୦.୩୯ ସେକେଣ୍ଡ୍ ସମୟ ସହ ପଦକ ବାହାରେ ରହିଥିଲେ।
ବାପି ହାଁସଦା ଅଧାରୁ ଓହରିଗଲେ
କ୍ରମାଗତ ଭାବେ ଦ୍ବିତୀୟ ଇଭେଣ୍ଟ୍ରେ ଓଡ଼ିଶା ପ୍ରଶଂସକ ନିରାଶ ହୋଇଥିଲେ। ପୁରୁଷ ୮୦୦ ମିଟର୍ ଦୌଡ଼ରେ ଯୁବ ପ୍ରତିଭା ହାପି ହାଁସଦା ଅଧାରୁ ଓହରିଯିବା ଅନେକଙ୍କୁ ବିସ୍ମିତ କରିଥିଲା। ପ୍ରଥମ ୪୦୦ ମିଟର୍ ପର୍ଯ୍ୟନ୍ତ ଆଗରେ ରହିଥିଲେ ମଧ୍ୟ ସେ ଓହରିଯାଇଥିଲେ। ଫଳରେ ଏହି ଉଦୀୟମାନ ପ୍ରତିଭାଙ୍କଠାରୁ ଆଶାଜନକ ପ୍ରଦର୍ଶନ ମିଳିନଥିଲା। ଆହତଜନିତ ସମସ୍ୟାରେ ଥିବାରୁ ମାଂଶପେଶୀ ଟାଣି ହେବା ପୂର୍ବରୁ ସେ ଓହରିଯାଇଥିବା ବିଶ୍ବାସ କରାଯାଉଛି। ବାପିଙ୍କ ବିଫଳତା ଭିତରେ କିନ୍ତୁ ଦୁଇ ଭାରତୀୟ ପୋଡିୟମ୍ ଫିନିସ୍ କରିବା କିଛିଟା ସାନ୍ତ୍ବନା ଆଣି ଦେଇଥିଲା।
ପ୍ରଥମରୁ ପ୍ରଶାନ୍ତି ଅଶାନ୍ତି
ବିଶ୍ବ ଆଥଲେଟିକ୍ସର ମହାଦେଶୀୟ ରୌପ୍ୟ ଲଢ଼େଇରେ ଓଡ଼ିଶାର ଅଭିଯାନ ଆରମ୍ଭ ହୋଇଥିଲା ମହିଳା ୧୦୦ ମିଟର୍ ବାଧାଦୌଡ଼ରୁ। ଗୁଳଗୁଳି ପରିବେଶ ଭିତରେ ଦୌଡ଼ିଥିବା ଓଡ଼ିଆ ଝିଅ ପ୍ରଜ୍ଞା ପ୍ରଶାନ୍ତି ସାହୁ ଅଳ୍ପକେ ପୋଡ଼ିୟମ୍ ଫିନିସରୁ ବଞ୍ଚିତ ହୋଇଥିଲେ। ପ୍ରଜ୍ଞା ୧୩.୪୩ ସେକେଣ୍ଡ୍ ସମୟ ନେଇ .୨୦ ସେକେଣ୍ଡ୍ ପାଇଁ ତୃତୀୟ ସ୍ଥାନରେ ରହିପାରିନଥିଲେ। ବାହାମାସର ଚରିସ୍ମା ଟେଲର (୧୨.୯୬), ଜାପାନର ୟୁନି ଟନାକା (୧୩.୦୪) ଏବଂ ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରାଜୀ (୧୩.୨୪) ପ୍ରଥମ ୩ ସ୍ଥାନ ଦଖଲ କରି ନେଇଥିଲେ। ପ୍ରଜ୍ଞା ନିଜ ଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ (୧୩.୧୫ ସେକେଣ୍ଡ୍, ୨୦୨୪)ଠାରୁ ଢ଼େର ଦୂରରେ ରହିଥିଲେ।

6 days ago
4


