ARTICLE AD BOX
ଭୁବନେଶ୍ବର: ଆଜି ଭୁବନେଶ୍ବରର ଜଳଉତ୍ସ ସବୁ ବିଷାକ୍ତ ହେଲାଣି। ପାଣି ଏମିତି ଗନ୍ଧଉଛି ଯେ ଏହାକୁ ଛୁଇଁବାକୁ ଲୋକେ ଡରୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ପୋଖରୀ(ଜଳ ଉତ୍ସ)କୁ ପୂର୍ବଭଳି ରଖିବା ସହ ଏହାର ଚତୁଃପାର୍ଶ୍ବକୁ ଯେତେ ମନଲାଖି କଲେ ବି ସଚେତନତାର ଅଭାବ ଆଜି ସବୁକୁ ବିଗାଡ଼ି ସାରିଲାଣି। ଯାହା ବି ଜଳ ଉତ୍ସ ରହିଛି, ସେସବୁ ଖରାଦିନରେ ତ’ ଶୁଖିଲା ପଡ଼ୁଛି, କିନ୍ତୁ ଯେଉଁଦିନରେ ଏଠାରେ ଭରପୂର ପାଣି ରହୁଛି, ସେଠି ଆଖପାଖ ଅଞ୍ଚଳବାସୀଙ୍କ ଘରୋଇ ଓ ବ୍ୟାବସାୟିକ ଆବର୍ଜନା ଏହାର ପାଣିକୁ ଦୂଷିତ କରୁଛି। ସେପଟେ ପୂର୍ବ ସରକାର ପୋଖରୀ ସବୁର ପ୍ରାକୃତିକ ଓ ଜୈବିକ ଉପାୟରେ ପୁନରୁଦ୍ଧାର କରିବାକୁ ଯୋଜନା କରିଥିଲେ। ତାହା ବି ଭେଳିକି ପାଲଟିଛି। ଆଜି ଅନେକ ପୋଖରୀ ଅସଂପୂର୍ଣ୍ଣ ଅବସ୍ଥାରେ ପଡ଼ିଛି। ପୁନରୁଦ୍ଧାର ହୋଇଥିବା ପୋଖରୀ ବି କଲିକତି ଦଳ ଓ ଅନ୍ୟାନ୍ୟ ଆବର୍ଜନାରେ ଭରିରହିଛି।
Education: ନିସ୍ ଇନଷ୍ଟିଚ୍ୟୁଟ୍ର ସ୍ବାଗତ ଉତ୍ସବ
ଅଧା ରହିଗଲା ‘ଆମ ପୋଖରୀ’
୨୦୨୩ ମସିହାରେ ରାଜ୍ୟ ସରକାର ସାରା ରାଜ୍ୟର ସବୁ ସହରାଞ୍ଚଳର ୨ହଜାର ପୋଖରୀ ପୁନରୁଦ୍ଧାର ଯୋଜନା କରିଥିଲେ। ପ୍ରାୟ ୧୨୦ କୋଟି ଟଙ୍କା ରାଜ୍ୟ ସରକାର ଏଥିପାଇଁ ମଞ୍ଜୁର କରିଥିଲେ। ଯେଉଁଥିରେ ଭୁବନେଶ୍ବରର ୮୫ ପୋଖରୀ ଅନ୍ତର୍ଭୁକ୍ତ ରହିଥିଲା। ଆମ ପୋଖରୀ ଯୋଜନାରେ ଏହାର ପୁନରୁଦ୍ଧାର ହେବ ବୋଲି ଘୋଷଣା ହେଲା। ମୁକ୍ତାରୁ ଏହି ଅର୍ଥ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହେଲା। ୨୦୨୩ ଜୁଲାଇରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ପୋଖରୀ ଯୋଜନାର ଶୁଭାରମ୍ଭ କରିଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ଜରିଆରେ ଏହି କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା। ୭୫ରୁ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ ଅନୁମୋଦନ ହେଲା। ଘୋଷଣାକୁ ୪ ବର୍ଷ ବିତିଲାଣି, କିନ୍ତୁ ଅଦ୍ୟାବଧି ଲକ୍ଷ୍ୟ ପୂରଣ ହୋଇପାରିନି। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଥିବା ୮୫ ପୋଖରୀରୁ ଆମ ପୋଖରୀ ଯୋଜନାରେ ମାତ୍ର ୫୬ଟି ପୋଖରୀ ପୁନରୁଦ୍ଧାର କରାଯାଇଛି। ସେଥିରେ ବି ଅନେକ ଅଧପନ୍ତରିଆ।
ପୋଖରୀକୁ ମାଛ ଚାଷ ପାଇଁ ନିଲାମ ଦିଆଯିବ: ମେୟର
ବିଏମ୍ସି ମେୟର ସୁଲୋଚନା ଦାସ କହିଛନ୍ତି, ଆମେ ପୋଖରୀରୁ ପଙ୍କ କାଢ଼ୁଛୁ, ସୌନ୍ଦର୍ଯ୍ୟୀକରଣ କାମ କରୁଛୁ। କିନ୍ତୁ ଲୋକେ ସଚେତନ ହେଉନାହାନ୍ତି। ଯେତେ ବାଗେଇଲେ ବି ଏହା ଭିତରେ ଅଳିଆ ଆଣି ଫିଙ୍ଗୁଛନ୍ତି। ଏ ଦିଗରେ ଆମେକ’ଣ କରିପାରିବୁ? ଲୋକେ ଯେତେ ପର୍ଯ୍ୟନ୍ତ ସଚେତନ ହୋଇ ନଥିବେ, ନିଜ ଅଞ୍ଚଳ ଓ ପୋଖରୀ ଆଦିକୁ ସଫାସୁତରା ରଖିବେନି, ସେ ପର୍ଯ୍ୟନ୍ତ ସରକାର ଯେତେ ଚେଷ୍ଟା କଲେ ବି କିଛି ସଫଳ ହେବନି। ତଥାପି ପୋଖରୀକୁ ସଫାସୁତରା ରଖିବାକୁ ଆମେ ଅଭିନବ ପଦକ୍ଷେପ ଆରମ୍ଭ କରିଛୁ। ବିଏମ୍ସି ଅଧୀନ ପୋଖରୀ ସବୁ ମାଛ ଚାଷ ପାଇଁ ନିଲାମ ଦିଆଯିବ। ବାର୍ଷିକ ଏକର ପିଛା ୪୦ହଜାର ଟଙ୍କାରେ ନିଲାମ ଦିଆଯିବ। ରସାୟନିକ ପଦାର୍ଥ ବ୍ୟବହାର ନକରି ମାଛ ଚାଷ କରିବାକୁ ସର୍ତ୍ତ ରଖାଯାଉଛି। ଯେଉଁମାନେ ନିଲାମ ନେବେ, ପୋଖରୀ ସଫା ସେମାନଙ୍କ ଦାୟିତ୍ବ ରହିବ। ଶ୍ରାଦ୍ଧ ଓ ଅନ୍ୟାନ୍ୟ ପୂଜା କାର୍ଯ୍ୟ ପାଇଁ ଅଞ୍ଚଳବାସୀଙ୍କୁ ପ୍ରବେଶରେ କୌଣସି କଟକଣା ରହିବନି ବୋଲି ମେୟର କହିଛନ୍ତି।
୬ କୋଟିରେ ୧୯ ପୋଖରୀର ହେବ ପୁନରୁଦ୍ଧାର
ବିଏମ୍ସି ଆଉ ୧୯ଟି ପୋଖରୀର ପୁନରୁଦ୍ଧାର କାମ ହାତକୁ ନେଇଛି। ବିଏମ୍ସି ଡ୍ରେନେଜ୍ ବିଭାଗ ଏହି କାମ କରିବ। ଡ୍ରେନେଜ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରିୟବ୍ରତ ବେହେରା କହିଛନ୍ତି, ପୂର୍ବରୁ ପୋଖରୀ କାମ ମୁକ୍ତା ଅଧୀନ ‘ଆମ ପୋଖରୀ’ ଯୋଜନାରେ ହେଉଥିଲା। ଏବେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ହେବ। ଗତବର୍ଷ ଡ୍ରେନେଜ୍ ବିଭାଗ ଅଧୀନକୁ ପୋଖରୀ ପୁନରୁଦ୍ଧାର କାମ ଆସିଛି। ଏବେ ୧୯ଟି ପୋଖରୀର ପୁନରୁଦ୍ଧାର ଟେଣ୍ଡର ସରିଛି। କାମ ବି ଆରମ୍ଭ ହୋଇଛି। ଏ ବାବଦରେ ୬ କୋଟି ଟଙ୍କା ମଞ୍ଜୁର ହୋଇଛି। ବାକି ପୋଖରୀ ୨୦୨୭ ମାର୍ଚ୍ଚ ପୂର୍ବରୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
Women entrepreneurs Odisha: ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’
ଜାଗମରା ଝରପୋଖରୀରେ ଦଳ ଭର୍ତ୍ତି
ଖଣ୍ଡଗିରି: ୬୩ ନମ୍ବର ୱାର୍ଡର ଜାଗମରାସ୍ଥିତ ଝର ପୋଖରୀ ବର୍ତ୍ତମାନ ଦଳରେ ଭର୍ତ୍ତିହେବାକୁ ବସିଛି। ହାତଗଣତି ସ୍ଥାନୀୟ ଲୋକଙ୍କୁ ବାଦ୍ ଦେଲେ ଏହାକୁ ବ୍ୟବହାର କରିବାକୁ କେହି ସୁରକ୍ଷିତ ମଣୁନାହାନ୍ତି। ୮୩ଲକ୍ଷ ଟଙ୍କା ବ୍ୟୟରେ ୧୦ ବର୍ଷ ତଳେ ଏହାର ପୁନରୁଦ୍ଧାର ପ୍ରକଳ୍ପ ଆରମ୍ଭ ହୋଇଥିଲା। କାମ ଶେଷ ମଧ୍ୟ ହେଲା। ମାତ୍ର ପୁନରୁଦ୍ଧାରର କୌଣସି ଚିହ୍ନବର୍ଣ୍ଣ ନାହିଁ। ପୋଖରୀର ଚାରିପାଖରେ ଥିବା ଗାର୍ଡୱାଲ୍ରେ ଫାଟ ସୃଷ୍ଟି ହୋଇଥିବା ବେଳେ ଏହାର ଚାରିପାଖେ ବୁଲିବାକୁ ବାଟ ନାହିଁ। ସେହିପରି ପୋଖରୀକୁ ଲାଗି ନିର୍ମିତ ହୋଇଥିବା କଂକ୍ରିଟ୍ ବେଞ୍ଚଗୁଡ଼ିକ ଭାଙ୍ଗିରୁଜି ଗଲାଣି।
୨୦୧୬ ମସିହାରେ ବିଏମ୍ସି ତରଫରୁ ଏହି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। କାମ ଶେଷ ପରେ ପୋଖରୀ ଚକାଚକ୍ ଦିଶିଲା। ମାତ୍ର ରକ୍ଷଣାବକ୍ଷଣ ଅଭାବରୁ ବର୍ଷ କେତେଟାରେ ସବୁ ନଷ୍ଟ ହୋଇଗଲା। ଏ ସମ୍ପର୍କରେ ପୂର୍ବତନ କର୍ପୋରେଟର୍ ରଘୁନାଥ ମହାନ୍ତି କହିଛନ୍ତି, ପୋଖରୀ ପୁନରୁଦ୍ଧାର ପରେ ଏହାର ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦିଆଯାଇନାହିଁ। ପୋଖରୀର ରକ୍ଷଣାବେକ୍ଷଣ ଲାଗି ବିଏମ୍ସି ପକ୍ଷରୁ ଟଙ୍କା ଆସୁଛି, ମାତ୍ର ଏହାକୁ ଖର୍ଚ୍ଚ କରାଯାଉନାହିଁ। ବ୍ୟବହାର ଉପଯୋଗୀ ନହେବା କାରଣରୁ ଗ୍ରାମବାସୀ ଧୀରେଧୀରେ ପୋଖରୀର ବ୍ୟବହାର କମ୍ କରିଦେଲେଣି। ପୋଖରୀ ଚାରିପଟେ ଥିବା ରାସ୍ତା ଧୋଇଗଲାଣି। ଏଥିପ୍ରତି ବିଏମ୍ସି କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଦରକାର ବୋଲି ସେ କହିଛନ୍ତି।
‘ଯୋକ ପୋଖରୀ’ ପ୍ଲାଷ୍ଟିକମୟ
ବିଏମ୍ସିର ୪୩ ନମ୍ବର ୱାର୍ଡ ଲକ୍ଷ୍ମୀସାଗର ନିକଟ ମେହେରପଲ୍ଲୀରେ ରହିଛି ଜୋକ ପୋଖରୀ। ପ୍ରାୟ ଅଧଏକର ବ୍ୟାପ୍ତ ଏହି ପୋଖରୀ ଲକ୍ଷ୍ମୀସାଗର ଓ ଆଖପାଖ ଅଞ୍ଚଳବାସୀଙ୍କ ଆବଶ୍ୟକତା ପୂରଣ କରୁଥିଲା। ଏଣୁ ରାଜ୍ୟ ସରକାର ‘ଆମ ପୋଖରୀ’ ଯୋଜନାରେ ୪୭.୬୯ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହାର ପୁନରୁଦ୍ଧାର କରିଥିଲେ। ଦଶାହକର୍ମ ଗୃହ, ପୋଷାକ ବଦଳା ଗୃହ, ପୋଖରୀ ପାହାଚ, ଚାରିପାଖ ପାଦଚଲା ରାସ୍ତା, ପ୍ରାଚୀର ଆଦି ନିର୍ମାଣ ହୋଇଥିଲା। ପରବର୍ତ୍ତୀ ସମୟରେ ପୋଖରୀର ଆଲୋକୀକରଣ, ବୃକ୍ଷରୋପଣ, ବସିବା ଜାଗା ଆଦି ପାଇଁ ପ୍ରାୟ ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କାମ ବି ହେଲା। କିନ୍ତୁ ପୋଖରୀ ପାଣିର ସ୍ଥିତି ବଦଳିପାରିନି। ପାଣି ପଚି ଗନ୍ଧେଇଲାଣି। ପୋଖରୀ ଭିତର ଓ ଚାରିପାଖ ଫୁଲ, ପ୍ଲାଷ୍ଟିକ୍ ଆବର୍ଜନାରେ ଭର୍ତ୍ତି। ପାଣି ଭରିବା ପାଇଁ ଜଳସଂପଦ ବିଭାଗ ପକ୍ଷରୁ ଅରୁଆ ଯୋଜନାରେ ଭୂତଳ ଜଳ ପୁନଃଭରଣ କୂପ ମଧ୍ୟ ଅଚଳ ଅବସ୍ଥାରେ।
ତେଲହଳଦୀ ପୋଖରୀକୁ ବାଟ ନାହିଁ
ଖଣ୍ଡଗିରି: ୪୯ ନମ୍ବର ୱାର୍ଡ ଫୁଲେଶ୍ବରୀମନ୍ଦିର ନିକଟ ତେଲହଳଦୀ ପୋଖରୀ ନାନା ଅବ୍ୟବସ୍ଥାରେ ପଡ଼ିରହିଛି। ପୋଖରୀକୁ ଯିବାକୁ ରାସ୍ତା ନାହିଁ। ଲୋକେ ହିଡ଼ରେ ପୋଖରୀକୁ ଯା’ଆସ କରୁଛନ୍ତି। ଚାରିପଟ ବିଲ ଓ ଅନାବନା ଜଙ୍ଗଲରେ ପରିପୂର୍ଣ୍ଣ ହୋଇରହିଛି। ୫ବର୍ଷ ତଳେ ପୋତି ହୋଇଯାଇଥିବା ଏହି ପୋଖରୀର ପୁନରୁଦ୍ଧାର କରାଯାଇଥିଲା। ପୋଖରୀରେ ପାଣିଥିଲେ ମଧ୍ୟ ଏଠାକୁ ଯିବାକୁ ରାସ୍ତା ନଥିବାରୁ ଖୁବ୍ କମ୍ ଲୋକ ଏହାକୁ ବ୍ୟବହାର କରୁଛନ୍ତି। ସୂଚନା ମୁତାବକ, ଶଙ୍କରପୁର ଅଞ୍ଚଳର ମୂଳବାସିନ୍ଦାମାନେ ଚାଷବାଷ କାମ ପାଇଁ ଏହି ପୋଖରୀ ଖୋଳାଇଥିଲେ। ଏହି ପୋଖରୀ ପ୍ରାୟ ୩ଶହ ବର୍ଷ ପୁରୁଣା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ବର୍ତ୍ତମାନ ଏଠାରେ ଫୁଲେଶ୍ବରୀବସ୍ତି ବାସିନ୍ଦା ଓ ଶଙ୍କରପୁର ଅଞ୍ଚଳର କିଛି ଲୋକେ ବ୍ୟବହାର କରୁଛନ୍ତି। ନିକଟରେ ଫୁଲେଶ୍ବରୀ ମନ୍ଦିର ରହିଛି। ଏଠାକୁ ବହୁ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି। ଶ୍ରାଦ୍ଧ ଆଦି କର୍ମ ସମୟରେ ଲୋକେ ଏହାର ବ୍ୟବହାର କରୁଛନ୍ତି। ମାତ୍ର ବର୍ତ୍ତମାନ ଏଠାକୁ ରାସ୍ତା ନଥିବା କାରଣରୁ ଏହା ବ୍ୟବହାରରେ ଆସୁନାହିଁ। ଏ ସମ୍ପର୍କରେ ସ୍ଥାନୀୟ କର୍ପୋରେଟର୍ ସଂଯୁକ୍ତା ସୁନ୍ଦରାୟ କହିଛନ୍ତି, ୫ ବର୍ଷ ତଳେ ପୋତି ହୋଇଥିବା ଏହି ପୋଖରୀର ପୁନରୁଦ୍ଧାର କରାଯାଇଥିଲା। ପୋଖରୀ ଚାରିପାଖରେ ଘରୋଇ ପ୍ଲଟ୍ ରହିଥିବାରୁ ଏହାର ଉନ୍ନତୀକରଣ ହୋଇପାରୁନାହିଁ। ବର୍ତ୍ତମାନ ପାତ୍ରପଡ଼ା ଶନିମନ୍ଦିର ନିକଟରୁ ଘାଟିକିଆ ପର୍ଯ୍ୟନ୍ତ ୧୦୦ଫୁଟିଆ ରାସ୍ତା ସମ୍ପ୍ରସାରଣ ଏହି ପୋଖରୀ କଡ଼ଦେଇ ଯିବାକୁ ଯୋଜନା ରହିଛି। ଜମି ଅଧିଗ୍ରହଣ ପରେ ପୋଖରୀକୁ ରାସ୍ତା ଫିଟିବ ବୋଲି ଶ୍ରୀମତୀ ସୁନ୍ଦରାୟ କହିଛନ୍ତି।
କାନ୍ଦୁଛି ‘ଗୋଡ଼ି ପୋଖରୀ’
ପୁନରୁଦ୍ଧାର ନହେବାରୁ ଐତହ୍ୟସଂପନ୍ନ ଗୋଡ଼ିପୋଖରୀ ଦଳରେ ଭରି ରହିଛି। ୫୧.୨୪ ମିଟର ଲମ୍ୱ ଓ ୩୬.୭୪ ମିଟର ଓସାର ଏହି ପୁଷ୍କରିଣୀ ୧୦ବର୍ଷରୁ ଅଧିକ ସମୟ ହେଲାଣି ଦଳରେ ଭରି ରହିଛି। ପରମ୍ପରା ଅନୁଯାୟୀ, ପବିତ୍ର ଦୁର୍ଗାଷ୍ଟମୀରେ ଶ୍ରୀଲିଙ୍ଗରାଜ ମନ୍ଦିରରୁ ମା’ ଦୁର୍ଗା ଏହି ପୁଷ୍କରିଣୀ ନିକଟକୁ ଆସିଥାନ୍ତି। ଏହି ସମୟରେ ପୁଷ୍କରିଣୀ ପାଣି ବ୍ୟବହାର କରାଯାଏ। କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ପୁଷ୍କରିଣୀର ଜଳ ନଷ୍ଟ ହୋଇ ଦୁର୍ଗନ୍ଧ ବାହାରୁଛି। ଅଳିଆ ଅବର୍ଜନା ସହ ବିଭିନ୍ନ ଅନାବନା ଗଛ ଯୋଗୁଁ ସ୍ଥାନୀୟ ଲୋକେ ଏହା ପାଖ ମାଡ଼ୁନାହାନ୍ତି । ବିଷାକ୍ତ ସରୀସୃପ ଏଠାରେ ରହୁଛନ୍ତି।
କଲିକତି ଦଳ ଭର୍ତ୍ତି
ଟୁବି ଓ ଗୋପାଳୁଣୀ ପୋଖରୀ
ବିଏମ୍ସିର ୪୪ ନମ୍ବର ୱାର୍ଡ ବଡ଼ଗଡ଼ରେ ରହିଛି ଟୁବି ପୋଖରୀ ଓ ଗୋପାଳୁଣୀ ପୋଖରୀ। ଗୋପାଳୁଣୀ ପୋଖରୀ ବ୍ୟାପ୍ତି ଅଧଏକରରୁ ଅଧିକ ହୋଇଥିବା ବେଳେ ଟୁବି ପୋଖରୀ ବ୍ୟାପ୍ତି ପ୍ରାୟ ୧୮ ଡେସିମିଲ୍। ବର୍ଷା ପୂର୍ବରୁ ଶୁଖିଲା ପଡ଼ିଥିବା ଦୁଇପୋଖରୀ ଏବେ ପାଣିରେ ଭରିଛି। କିନ୍ତୁ କଲିକତି ଦଳ ଏଠାରେ ସମସ୍ୟା କରୁଛି। କଲିକତି ଦଳ ସଂପୂର୍ଣ୍ଣ ପୋଖରୀ ଆବୋରି ନେଲାଣି। ଏଣୁ ଲୋକେ ଏହି ପାଣିକୁ ବ୍ୟବହାର କରୁନାହାନ୍ତି। ସେପଟେ ଲୋକେ ବି ଏହାର ତୁଠ ଓ ଚତୁଃପାର୍ଶ୍ବରେ ଆବର୍ଜନା ପକାଉଥିବାରୁ ପାଣି ଦୂଷିତ ହେଉଛି।

5 days ago
3


