Possibilities of creativity: ସୃଜନଶୀଳତାର ସୀମା ଓ ସମ୍ଭାବନା

1 hour ago 1
ARTICLE AD BOX

ଗୌରହରି ଦାସ

ସୃଜନଶୀଳତା ବ୍ୟକ୍ତିର ସ୍ବଭାବସୁଲଭ, ନା ଆହରଣ କରାଯାଇଥିବା ସାମର୍ଥ୍ୟ? ଗ୍ରିକ ଦାର୍ଶନିକ ସକ୍ରେଟିସ ସୃଜନଶୀଳ କବିମାନଙ୍କ ସମ୍ବନ୍ଧରେ କହିଥିଲେ, ଏହା ଏକ ଦିବ୍ୟ ପ୍ରତିଭା। କେବଳ ଜ୍ଞାନ କି କୌଶଳ ଦ୍ବାରା ସଫଳ କବିତା ସୃଷ୍ଟି ଅସମ୍ଭବ, ଏହା ବାକ୍‌ଦେବୀ ପ୍ରେରଣାରୁ ସୃଷ୍ଟ। ମାତ୍ର ଆରିଷ୍ଟୋଟଲ ଅନ୍ୟଭାବେ ସୃଜନଶୀଳତାର ବ୍ୟାଖ୍ୟା କରିଛନ୍ତି। ତାଙ୍କ ବିଚାରରେ, କବିକର୍ମ ହେଉଛି ଅଭିଳଷିତ ଲକ୍ଷ୍ୟ ହାସଲ ଦିଗରେ ଏକ ସଚେତନ ଉଦ୍ୟମ ଏବଂ ସେଥିରେ ସଫଳ ହେବାପାଇଁ ସେ ପ୍ରସଙ୍ଗ ଓ ଚରିତ୍ର ମାନଙ୍କର ସହାୟତା ଲୋଡ଼ିଥାନ୍ତି। ଇମାନୁଏଲ କାଣ୍ଟ (୧୭୨୪-୧୮୦୪) ସକ୍ରେଟିସଙ୍କ ମତବାଦର ସମର୍ଥକ। ସିଏ କହନ୍ତି ସୃଜନଶୀଳତା ଧରାବନ୍ଧା ନିୟମ ଭିତରେ ବାନ୍ଧିହୋଇ ରହେ ନାହିଁ, ତାହା ମୁକ୍ତ ଚିନ୍ତନର ଚାରଣଭୂମି। ଏହା କାହାକୁ ଶିଖାଯାଇ ପାରିବ ନାହିଁ। ସେ ପ୍ରଭାବଟି କ’ଣ ତାହା ନିଜେ ସ୍ରଷ୍ଟା ମଧ୍ୟ ଜାଣିପାରନ୍ତି ନାହିଁ। ଫ୍ରେଡରିକ ନିତ୍‌ସେ (୧୮୪୪-୧୯୦୦) ସୃଜନଶୀଳତାକୁ ‘ଉଚ୍ଛନ୍ନ ତନ୍ମୟ ଭାବ ଓ ସତର୍କ ସଂଯମର ସମନ୍ବିତ ରୂପ ଭାବେ ଅବହିତ କରନ୍ତି। 

Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍‌ ସହାୟତା ଗ୍ରହଣ କରିବ

ସୃଜନଶୀଳ ମଣିଷ ପାଖରେ ସାହିତ୍ୟ ସୃଷ୍ଟି ପାଇଁ ଦୁଇଟି ଆୟୁଧ- କଳ୍ପନା ଓ ଶବ୍ଦ। ଗୋଟିଏ ଅଦୃଶ୍ୟ, ଅମିତ ପ୍ରଭାବଶାଳୀ। ଅନ୍ୟଟି ସୀମିତ ଅଥଚ ଶକ୍ତିଶାଳୀ। କଳ୍ପନା ଓ ଶବ୍ଦ ସାଙ୍ଗକୁ ଆଉ ଯେଉଁ ଗୁଣଟି ଲେଖକକୁ ସୃଜନଶୀଳ କରେ ତାହା ହେଉଛି ପ୍ରେରଣା। ସେ ପ୍ରେରଣାର ସ୍ରୋତ ପ୍ରକୃତି, ସମାଜ, ପ୍ରେମ, ବିଭୁଚେତନା ଓ କରୁଣା- ଇତ୍ୟାଦି।
ସୃଜନଶୀଳତା ନିର୍ଦ୍ଦିଷ୍ଟ ଚରିତ୍ର, ଘଟଣା ଓ ଅନୁଭବକୁ ହଜାରେ ପ୍ରକାର ଲେଖିବାର ଅବକାଶ ସୃଷ୍ଟି କରେ। ସୃଜନଶୀଳ ଲେଖକର କଳ୍ପନା ହିଁ ସ୍ବର୍ଗ, ମର୍ତ୍ତ୍ୟ ଓ ପାତାଳ ପରି ତିନିଟି ଭୂଗୋଳରେ ଭାଗ ଭାଗ କରିଦେଇଛି ଏହି ବ୍ରହ୍ମାଣ୍ଡ। ସ୍ବର୍ଗରେ ଦେବତା ରହନ୍ତି, ଯେଉଁମାନେ ଅମର। ନର୍କରେ ରାକ୍ଷସମାନେ ରହନ୍ତି ଯେଉଁମାନଙ୍କ ପାଖେ ଦେବତାମାନଙ୍କୁ ପରାଜିତ କରିବାର ସ୍ପର୍ଦ୍ଧା ଓ ସାମର୍ଥ୍ୟ ରହିଥିବା ସତ୍ତ୍ବେ ନିଜର ତାମସିକ ଗୁଣ ଏବଂ ଆତ୍ମକୈନ୍ଦ୍ରିକତା ଯୋଗୁଁ ସେମାନେ ସର୍ବଦା ଅଭିଶପ୍ତ। ମଝିରେ ବା ମର୍ତ୍ତ୍ୟରେ ଆମେ ମଣିଷ, ମରଣଶୀଳ, ଯାହା ଭିତରେ ଉଭୟ ଦେବତା ଓ ଦାନବ ପାଲଟି ଯିବାର ସମ୍ଭାବନା-ଆଶଙ୍କା ରହିଛି। ଆମ ଲୋକକଥା ଓ ପରୀ କାହାଣୀର ଚରିତ୍ରମାନେ ସୃଜନଶୀଳତାର ଅନନ୍ତ ସମ୍ଭାବନା କଥା ଆମକୁ କହିଥାଆନ୍ତି। ସାତତାଳ ପାଣି, ସାତତାଳ ପଙ୍କ, ତା’ ଭିତରେ ସୁନା ଫରୁଆ, ଅଗନାଅଗନି ବନସ୍ତ, ତାଳଗଛ ପରି ଲମ୍ବା ପାଦ, ଗୋଟାକୁ ଗୋଟା ବରଗଛ ଉପାଡ଼ି ଦିଏ ସେ ନିମିଷକରେ- ଏ ପ୍ରକାର ଉଦାହରଣ ସୀମା ନାହିଁ। ଆମର ପରୀ କାହାଣୀ ଆମ ଆଗରେ କୁହୁକ ବିସ୍ମୟର ପୃଥିବୀ ଉନ୍ମୋଚିତ କରିଦିଏ। ଏଠାରେ ଗଛ, ଚଢ଼େଇ, ପଶୁ, କୀଟ ପତଙ୍ଗ ସମସ୍ତେ କଥା କହନ୍ତି ଏବଂ ସମସ୍ତେ ପରସ୍ପରର କଥା ବୁଝିପାରନ୍ତି। ସେମାନେ ଏଇ ପୃଥିବୀରେ ରହିଲେ ମଧ୍ୟ ସ୍ବର୍ଗ ଓ ନର୍କ ଭିତରେ ତାଙ୍କର ଯାତାୟାତ ହୋଇଥାଏ। ମତ୍ସ୍ୟକନ୍ୟା ଆମକୁ ମହାସାଗରର ଅତଳ ପାଣି ତଳେ ଥିବା ସୁନ୍ଦର ପ୍ରାସାଦକୁ ଡାକିନେଇଯାଏ। ଏହା ପରେ ପୁରାଣ। ପରୀ କାହାଣୀ ଓ ପୁରାଣ ଭିତରେ ପାର୍ଥକ୍ୟ- ଏଥିରେ ଧର୍ମ, ନୀତି ଓ ପାପ ପୁଣ୍ୟ ପ୍ରସଙ୍ଗ ମିଳେ। ପରୀ କାହାଣୀରେ ନିର୍ମଳ ବିସ୍ମୟ ଓ କୌତୁକ ରହିଥିଲା, ପାପ-ପୁଣ୍ୟ ବିଚାର ଥିଲା ଗୌଣ। ଆମର ପୁରାଣଗୁଡ଼ିକ ସୃଜନଶୀଳତାର ବିସ୍ମୟଜନକ ଉଦାହରଣ। ଗୋଟିଏ ଲଂଫ‌ରେ ହନୁମାନ ଲଙ୍କାରେ ପହଞ୍ଚିଯିବା, ଦଶମୁଣ୍ଡ ଥିବା ରାବଣ ଯୋଗୀ ପାଲଟିଯିବା, ରାକ୍ଷସମାନେ ଇଚ୍ଛା ମୁତାବକ ହରିଣ କି ପକ୍ଷୀ ପାଲଟିଯିବା ଇତ୍ୟାଦି ସବୁ କଥା ଆମେ ପୁରାଣରେ ଭେଟିଛୁ। ଏଠି ଅଭିଶାପରେ ମଣିଷ ସାପ, ପଥର ଓ ଗଛ ପାଲଟିଯାଏ, ପୁଣି ପଥର, ଗଛ ଓ ସାପ ମଣିଷ ପାଲଟି ଯାଆନ୍ତି। ପୁରାଣ ବା ‘ମିଥ୍’କୁ କିଛି ଲେଖକ ‘ମିଥ୍ୟା’ ବୋଲି ମଧ୍ୟ କହିଛନ୍ତି, ମାତ୍ର ହଜାର ହଜାର ବର୍ଷ ଧରି ସେସବୁ ଆମର ସାମୂହିକ ଚେତନାକୁ ନିର୍ମିତ କରିଆସିଛି। 
ଅବିଶ୍ବାସ୍ୟ ବିସ୍ମୟ ସାଙ୍ଗକୁ ଚରିତ୍ରମାନଙ୍କର ସଂପ୍ରସାରଣ ସୃଜନଶୀଳତାରେ ନୂଆ ଦିଗ ଉନ୍ମୋଚନ କରିଥାଏ। ଉଦାହରଣ ସ୍ବରୂପ ଶାରଳା ଦାସଙ୍କ ମହାଭାରତରେ ଆମେ ନୂଆ ନୂଆ କଥା ପାଉ। ଯେମିତି ଶାନ୍ତନୁଙ୍କ ସହ ଗଙ୍ଗାଙ୍କ ବିବାହ, ଦ୍ରୌପଦୀ-ହିଡ଼ିମ୍ବିକା କଳି, ସତ୍ୟାମ୍ବ ଗଳ୍ପ ଓ କଳି ଅବତରଣ ପ୍ରସଙ୍ଗ ଇତ୍ୟାଦି। ସାରଳା ଦାସ ତାଙ୍କ ମହାଭାରତରେ ଏପରି ସୃଜନଶୀଳତାର ପରିଚୟ ଦେଇଛନ୍ତି ଯାହାକୁ ଅନୁଭବ କରି ମାୟାଧର ମାନସିଂହ ଲେଖିଛନ୍ତି, ‘‘ମୂଳ ମହାଭାରତର ଆଦ୍ୟ ଓ ଶେଷ ବିନ୍ଦୁ ଦୁଇଟି ଅପରିବର୍ତ୍ତିତ ରଖି ମଝିତକରେ ଓଡ଼ିଆ କବି ପୂରା ସ୍ବାଧୀନ ହୋଇଉଠିଛନ୍ତି। ଏହା ଫଳରେ ଆମେ ହୁଏତ ମୂଳ ମହାଭାରତର କିଛି ଗପ ହରେଇଛୁ, ମାତ୍ର ପାଇଛୁ ଅନେକ ନୂତନ ଗଳ୍ପ ଓ ଚରିତ୍ର।’’ ଏହାର ଦୁଃଶାସନ ଓ ଦୁର୍ଯୋଧନ ଚରିତ୍ର ସଂସ୍କୃତ ମହାଭାରତର ଚରିତ୍ର ଦ୍ବୟଠାରୁ କେତେକାଂଶରେ ଭିନ୍ନ। ପାଣ୍ଡବ ଜିଣନ୍ତି ଓ କୌରବ ହାରନ୍ତି- ଏଇ ପରିଣତି ଭିନ୍ନ ଅଲଗା ଅଲଗା ଭାଷାର ମହାଭାରତ ବା ରାମାୟଣ ଏହାର ଚରିତ୍ରମାନଙ୍କୁ ଭିନ୍ନ ଭିନ୍ନ ଭାବରେ ସଜାଇଛନ୍ତି। ଓଡ଼ିଶାର କବି ମହାଭାରତର ଚରିତ୍ରମାନଙ୍କୁ ଯାଜପୁର‌ରେ ଆଣି ବୁଲେଇ ନେଇଥିବା ବେଳେ ମଧ୍ୟଭାରତର ଏକ ସଂପ୍ରଦାୟର ରାମାୟଣ, ଚରିତ୍ର ପରୀକ୍ଷା ପାଇଁ ଲକ୍ଷ୍ମଣଙ୍କର ଅଗ୍ନି ପରୀକ୍ଷା ପ୍ରସଙ୍ଗ ସଂଯୋଜନା କରିଛନ୍ତି। ପ୍ରେମ ନିବେଦନ କରି ବିଫଳ ହେବାପରେ ସୂର୍ପଣଖା ଲକ୍ଷ୍ମଣଙ୍କୁ ଶାସ୍ତିଦେବା ଅଭିପ୍ରାୟରେ ଏକ ଉପାୟ ଚିନ୍ତା କରିଛି। ଲକ୍ଷ୍ମଣଙ୍କ କୁଡ଼ିଆରେ ସେ କିଛି ନାରୀର ଭୂଷଣ ଚୂଡ଼ି, କାନଫୁଲ ଇତ୍ୟାଦି ପକେଇଦେବା ବ୍ୟବସ୍ଥା କରିଛି। ସେତେବେ‌ଳେ ରାମ, ଲକ୍ଷ୍ମଣ, ସୀତା ମଧ୍ୟଭାରତର ଏକ ପଲ୍ଲୀରେ ରହୁଥିଲେ। ସକାଳକୁ ଚର୍ଚ୍ଚା ହେଲା, ଲକ୍ଷ୍ମଣଙ୍କ କୁଡ଼ିଆକୁ ଏସବୁ ଆସିଲା କିପରି? ସେ ଗାଁର ସବୁ ଯୁବତୀଙ୍କ ଗହଣା ସାଙ୍ଗରେ ଏ ଗହଣାକୁ ମିଳାଗଲା। କାହା ହାତକୁ ସେହି ଚୂଡ଼ି ଖାପିଲା ନାହିଁ। ଶେଷକୁ ସୀତାଙ୍କ ହାତକୁ ଖାପିଲା। ଏହା ତ ବିପଦଜନକ କଥା! ରାମଚନ୍ଦ୍ର ହୁଏତ ସୀତାଙ୍କର ଅଗ୍ନିପରୀକ୍ଷା କରାଇଥାନ୍ତେ। ମାତ୍ର ସେ ପଲ୍ଲୀର ସର୍ଦ୍ଦାର କହିଲେ, ଆମ ଗାଁରେ ନାରୀକୁ ନୁହେଁ, ପୁରୁଷକୁ ଅଗ୍ନି ପରୀକ୍ଷା ଦେବାକୁ ହୁଏ। ତଦନୁସାରେ ଲକ୍ଷ୍ମଣ ଅଗ୍ନିପରୀକ୍ଷା ଦେଲେ ଓ ତହିଁରେ ଉତ୍ତୀର୍ଣ୍ଣ ହେଲେ। 

Nepal flood: ନେପାଳ-ତିବ୍ବତ ବନ୍ୟା ପରେ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ସି ଜିନପିଙ୍ଗ

ଦ୍ବିତୀୟ ପ୍ରସଙ୍ଗ ହେଉଛି ଚରିତ୍ରମାନଙ୍କର ଉଦ୍‌ଭାସନ। ମରାଠୀ ଲେଖକ ଭି. ଏସ. ଖଣ୍ଡେକରଙ୍କ ‘ଯଯାତି’ ଏହି ପର୍ଯ୍ୟାୟର ଏକ ଉଦାହରଣ। ‘ଯଯାତି’ ଉପନ୍ୟାସର କାହାଣୀକୁ ବହୁ ‌ଲେଖକ ଭିନ୍ନ ଭିନ୍ନ ଭାବେ ଲେଖିଛନ୍ତି। ଏବେ ପୁରାଣ କାହାଣୀ ଆଶ୍ରିତ ଉପନ୍ୟାସର ଧାରା ବହୁ ପରିମାଣରେ ବଢ଼ିଛି। ଆମେ ପଢ଼ି ନଥିବା ବା ମୂଳ ପୁରାଣରେ ନଥିବା ଚରିତ୍ରମାନଙ୍କୁ ନେଇ ଉପନ୍ୟାସ, ଗଳ୍ପ ଲେଖାଯାଉଛି ତ କ୍ଷୁଦ୍ର, ଗୁରୁତ୍ବହୀନ ଚରିତ୍ରମାନଙ୍କୁ ମହିମାନ୍ବିତ କରି ଉପନ୍ୟାସମାନ ରଚନା କରାଯାଉଛି। ରାମାୟଣ‌ର କବି ଅହଲ୍ୟାଙ୍କୁ ଶାପମୁକ୍ତ କରିଥିବା ଯୋଗୁଁ ଶ୍ରୀରାମଙ୍କୁ ପ୍ରଶଂସା କରିଥିବାବେଳେ ଆଧୁନିକ କବି ଏକଥା କହି ସମାଲୋଚନା କରିଛନ୍ତି ଯେ- ଜଣେ ପୁରୁଷର ଅଭିଶାପରେ ପଥର ପାଲଟିଥିବା ନାରୀଟିଏକୁ ରାମଚନ୍ଦ୍ର ହାତରେ ସ୍ପର୍ଶ କଲେ ନାହିଁ। ‘ବାହୁବଳୀ’ ଉପନ୍ୟାସରେ ଲେଖକ ମାହିଷ୍ମତୀ‌ପୁର ନାମରେ ସଂପୂର୍ଣ୍ଣ ନୂଆ ରାଜ୍ୟ ସୃଷ୍ଟି କରିଦେଇଛନ୍ତି, ସତେ କି ଏହା ଏକ ଐତିହାସିକ ଭୂଖଣ୍ଡ। ଆନନ୍ଦ ନୀଳକଣ୍ଠନ ତାଙ୍କ ‘ବାନର’ ବହିରେ ବାନରର ଭିନ୍ନ ପରିଭାଷା ଦେଇଛନ୍ତି। ଆମେ ହନୁମାନ, ବାଳୀ, ସୁଗ୍ରୀବ ଓ ଅଙ୍ଗଦଙ୍କୁ ବାନର ବା ମାଙ୍କଡ଼ ବୋଲି କହିଥାଉ। ତାଙ୍କ ପରିଭାଷାରେ ବାନର ମାଙ୍କଡ଼ ନୁହନ୍ତି, ବନରେ ରହୁଥିବା ନର ବା ଆଧୁନିକ ଭାଷାରେ ଆଦିବାସୀ। 
ରହସ୍ୟ ରୋମାଞ୍ଚ ଓ ବିଜ୍ଞାନ ଉପନ୍ୟାସ କାହାଣୀ କ୍ଷେତ୍ର‌ରେ ସୃଜନଶୀଳତାର ଚରମ ପରୀକ୍ଷା ଦେଖିବାକୁ ମିଳିଥାଏ। ବିଖ୍ୟାତ ରହସ୍ୟ ଉପନ୍ୟାସ ଡ୍ରାକୁଲା ସିରିଜ୍‌ର ଲେଖକ ଆବ୍ରାହାମ ‘ବ୍ରାମ’ ଷ୍ଟୋକର ଜଣାଇଥିଲେ ‌ଯେ ଦିନେ ସେ ସ୍ବପ୍ନଟିଏ ଦେଖିଲେ- କବରରେ ଶୁଆଇଦେଇ ଆସିଥିବା ମଣିଷଟି କଫିନ ଭିତରୁ ଉଠି ପୁଣି ଚାଲିବାକୁ ଆରମ୍ଭ କରୁଛି। ସେଇଠୁ ଏହି ସିରିଜ୍‌ର ଆରମ୍ଭ ହୋଇଥିଲା। କାଫ୍‌କାଙ୍କ ପ୍ରସିଦ୍ଧ ‘ଦି ମେଟାମର୍ଫୋସିସ’ ଉପନ୍ୟାସ ତ ସୃଜନଶୀଳତାର ଏକ ଆଦର୍ଶ ଉଦାହରଣ। ମାର୍କ୍ବେଜଙ୍କର କୁହୁକ ବିସ୍ମୟଧର୍ମୀ ଉପନ୍ୟାସ ଏହି ଧାରାର ଏକ ଏକ ଦୃଷ୍ଟାନ୍ତ। 
ବହୁ କବି ଲେଖକ କହିଛନ୍ତି, ସେମାନଙ୍କ ଭାବପ୍ରକାଶ ପାଇଁ ଶବ୍ଦମାନେ ଅସମର୍ଥ। ଦ୍ବିତୀୟ କଥା, ଜଣେ କବି-ଲେଖକ ସବୁ କଥା ଭାବିପାରେ, ମାତ୍ର ଲେଖିପାରିବ ନାହିଁ। ପ୍ରତ୍ୟେକଙ୍କର ସଂସ୍କାର, ଧର୍ମୀୟ ବିଶ୍ବାସ ଓ ସାମାଜିକ ଅବବୋଧ ଭିନ୍ନ ଭିନ୍ନ। ଭାରତୀୟ ସମାଜ ଏକ ରକ୍ଷଣଶୀଳ ସମାଜ। ତୃତୀୟ କଥା ହେଲା, କାଳେ ଆମର ରଚନା ସମାଜ, ଧର୍ମାନୁଷ୍ଠାନ, ସରକାର ବା ବ୍ୟବସ୍ଥାକୁ କ୍ଷୁବ୍ଧ କରିବ ଏନେଇ ଆଶଙ୍କା। 

Raksha bandhan: ପ୍ରତିବର୍ଷ ସହିଦ ବୀରମାନଙ୍କ ପ୍ରତିମୂର୍ତ୍ତିରେ ରାଖୀ ବାନ୍ଧିଥାଏ ଭଉଣୀ

ସୃଜନଶୀଳତାକୁ ଜଣେ ସମାଲୋଚକ ‘ଚେସ୍‌’ ଖେଳ ସହ ତୁଳନା କରିଛନ୍ତି। ଚେସ୍ ବୋର୍ଡର ଘର ଚଉଷଠି ଓ ଗୋଟି ଷୋଅଳ। ଏହା ସତ୍ତ୍ବେ ସମର୍ଥ ଖେଳାଳି ଅସଂଖ୍ୟ ପ୍ରକାର ‘ଚାଲ୍’ ଖେଳିଥାଆନ୍ତି। ସେହିପରି ଗୋଟିଏ ଭାଷାର ବର୍ଣ୍ଣମାଳା ସୀମିତ। ମାତ୍ର ଏହି ସୀମିତ ବର୍ଣ୍ଣମାଳା ସାହାଯ୍ୟରେ କବି ଲେଖକ ହଜାର ହଜାର କାଳଜୟୀ ରଚନା ସୃଷ୍ଟି କରିଯାଇଛନ୍ତି। 
ସୃଜନଶୀଳତାର ଅୟୁତ ସମ୍ଭାବନା। ଗୋଟେ ଜହ୍ନରାତିର ମୋହାଚ୍ଛନ୍ନ ରୂପ, ବର୍ଷାପଖଳା ଶ୍ରାବଣ ରାତିର ସାନ୍ଦ୍ରତା, ଉଛୁଳା ନଈର ପାଣି ଉପରେ କେଶବତୀ କନ୍ୟାର କେଶ ପରି ନୋଇଁ ପଡ଼ିଥିବା କାଶତଣ୍ଡୀର ଚଅଁର, ବୈଶାଖ ମଧ୍ୟାହ୍ନରେ ଦୂର ଅରଣ୍ୟରେ ପଳାଶର ଉଲ୍ଲାସଉତ୍ସବ, ଯୁଦ୍ଧ ଭୂଇଁରେ ପୁଅ ହରେଇଥିବା ଜନନୀ ଲୁହର ଗଭୀରତା ଏବଂ ଆଉ ଭେଟିବାର ସମ୍ଭାବନା ନଥିବା ସଂପର୍କକୁ ଝୁରିବାର ବିକଳପଣକୁ ଭାଷାରେ ପ୍ରକାଶ କରିବା କଷ୍ଟ। ଏଥିପାଇଁ କବି-ଲେଖକ ଶବ୍ଦ ପରେ ଶବ୍ଦ ଗଢ଼ୁଥାନ୍ତି ଏବଂ ଏହି ପ୍ରକ୍ରିୟାରେ ରାଶି ରାଶି ରଚନା କରିଚାଲିଥାନ୍ତି। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୭୭୨୮୮

Read Entire Article
LEFT SIDEBAR AD

Hidden in mobile, Best for skyscrapers.