ARTICLE AD BOX
ନୂଆଦିଲ୍ଲୀ: ମଣିଷ କରୁଥିବା କାମକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ କରୁଥିବା କମ୍ପାନିଗୁଡ଼ିକ ଉପରେ ସ୍ବତନ୍ତ୍ର ଏଆଇ ଟିକସ ଲଗାଇବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପ୍ରସ୍ତାବ ଦେଇଛନ୍ତି। ଏକ ନିବନ୍ଧରେ ସେ ଲେଖିଛନ୍ତି ଯେ ଏଆଇ ବ୍ୟବହାର କରି କର୍ମଚାରୀ ଛଟେଇ କରୁଥିବା କମ୍ପାନିଗୁଡ଼ିକ ଉପରେ ଟିକସ ଲଗାଯାଉ ଏବଂ ଯେଉଁ ସଂସ୍ଥାଗୁଡ଼ିକ ନିଜ ପୁରୁଣା କର୍ମଚାରୀଙ୍କୁ ରଖିବାକୁ ଚାହୁଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେଉ।ରାଜନ କହିଛନ୍ତି ଯେ ବିଭିନ୍ନ ଦେଶ ଏଆଇ ଉପରେ ପ୍ରଥମେ ଅଳ୍ପ ପରିମାଣର ଟିକସରୁ ଆରମ୍ଭ କରିପାରିବେ। ନିଜ ଦେଶରେ ନିଯୁକ୍ତିକୁ ଏଆଇ କିଭଳି ପ୍ରଭାବିତ କରୁଛି ତାହା ଭଲ ଭାବେ ବୁଝିଯିବା ପରେ ସେହି ଅନୁସାରେ ଟିକସ ବଢ଼ାଇପାରିବେ। ବିଦେଶୀ ଏଆଇ କମ୍ପାନିଗୁଡ଼ିକୁ ଟିକସ ବ୍ୟବସ୍ଥାରେ ସାମିଲ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ରାଜନ କହିଛନ୍ତି ଯେ ଏଆଇ ପାଇଁ ଲୋକମାନେ ଚାକିରି ହରାଇବା ନିଶ୍ଚିତ। କିନ୍ତୁ ତାହା କେତେ ଶୀଘ୍ର ଓ କେତେ ପରିମାଣରେ ହେବ ତାହା କେହି ଜାଣିନାହାନ୍ତି। କେଉଁ କ୍ଷେତ୍ରକୁ ତାହା ସର୍ବାଧିକ ପ୍ରଭାବିତ କରିବ ତାହା ମଧ୍ୟ ଜଣାନାହିଁ। ସଂସ୍ଥାଗୁଡ଼ିକ ଯେଉଁ ଗତିରେ ଏଆଇ ବ୍ୟବହାର କରିବେ, ସେହି ଅନୁସାରେ ନିଯୁକ୍ତି ବଜାର ଉପରେ ତାହାର ପ୍ରଭାବ ରହିବ ବୋଲି ସେ କହିଛନ୍ତି।
ରାଜନ ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ରସ୍ତାବର ଉଦ୍ଦେଶ୍ୟ ଏଆଇ ବ୍ୟବହାରକୁ ଅଟକାଇବା ନୁହେଁ। ବର୍ତ୍ତମାନ ସମୟରେ ଟିକସ ରାଜସ୍ବ ସଂଗ୍ରହ କରିବା ବିଭିନ୍ନ ଦେଶର ସରକାରମାନଙ୍କ ଲାଗି କଷ୍ଟକର ହୋଇପଡ଼ିଛି। ଏଆଇ ଉପରେ ଟିକସ ଲଗାଇ ସେମାନେ ନିଜ ରାଜକୋଷ ଭର୍ତ୍ତି କରିପାରିବେ। ଏହି ଟିକସ ପଛରେ ରାଜନଙ୍କ ଯୁକ୍ତି ହେଉଛି ଯେତେବେଳେ ଏକ ସଂସ୍ଥା ଜଣେ ବ୍ୟକ୍ତିଙ୍କୁ ଚାକିରି ଦିଏ ତାହା ତାଙ୍କର ସମ୍ପୂର୍ଣ୍ଣ ଦାୟିତ୍ବ ନେଇଥାଏ। ସାମାଜିକ ସୁରକ୍ଷାଠାରୁ ଆରମ୍ଭ କରି ଅନ୍ୟାନ୍ୟ ନିଯୁକ୍ତି ସମ୍ପର୍କିତ ଖର୍ଚ୍ଚ ଭରଣା କରିଥାଏ। କିନ୍ତୁ ଯେତେବେଳେ ସେହି ସଂସ୍ଥା ଏଆଇ ବ୍ୟବହାର କରୁଛି, ତାହା ସେଭଳି କୌଣସି ଅର୍ଥ ଖର୍ଚ୍ଚ କରୁନାହିଁ।
ଆମେରିକାର ଏକ ଅଧ୍ୟୟନ ଉପରେ ଆଲୋକପାତ କରି ରାଜନ କହିଛନ୍ତି ଯେ ୨୦ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ମାତ୍ର ୨୦ ପ୍ରତିଶତ ସଂସ୍ଥା ଏଆଇ ବ୍ୟବହାର କରୁଛନ୍ତି। ଅତିକମ୍ରେ ୨୫୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ମାତ୍ର ୩୭ ପ୍ରତିଶତ ସଂସ୍ଥା ଏଆଇ ମୂତୟନ କରିଛନ୍ତି। ଅଧିକାଂଶ ସଂସ୍ଥା ଏଆଇ ଜନିତ ଲାଭର ପରୀକ୍ଷଣ କରୁଛନ୍ତି। ତାହା ମୂତୟନ କଲେ କେତେ ଖର୍ଚ୍ଚ ହେବ ଓ କଣ ଲାଭ ମିଳିବ ତାହାକୁ ସେମାନେ ପରଖୁଛନ୍ତି।
ପୁଲିସର ନିର୍ଯାତନା ଓ ବଳପ୍ରୟୋଗ ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟଙ୍କ ୫-ଜଣିଆ କମିଟି ଗଠନ

1 week ago
5


