ARTICLE AD BOX
ଜୟପୁର (ଦେବାଶିଷ ସାହୁ): ବହୁପ୍ରତୀକ୍ଷିତ ଜୟପୁର-ନବରଙ୍ଗପୁର ବ୍ରଡ଼ଗେଜ୍ ରେଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି। ଏହି କ୍ରମରେ ଆଜି ଜୟପୁର ତହସିଲ ଅଧୀନ ଆମ୍ବାଗୁଡ଼ା ଗ୍ରାମର ପ୍ରାୟ ୨୬.୬୬ ଏକର ଜମିର ଅଧିଗ୍ରହଣ କାର୍ଯ୍ୟ ଶେଷ ହେବା ପରେ ଏହାକୁ ଆନୁଷ୍ଠାନିକ ଭାବେ ରେଳ ବିଭାଗ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି।
ଜୟପୁର ତହସିଲଦାର ସବ୍ୟସାଚ୍ଚୀ ଜେନା କ୍ଷେତ୍ର ପରିଦର୍ଶନ କରିବା ସହ ଉପସ୍ଥିତ ରେଳବାଇ ଅଧିକାରୀମାନଙ୍କୁ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କରି ଜମି ହସ୍ତାନ୍ତର କରିଛନ୍ତି। ତହସିଲଦାର ଶ୍ରୀ ଜେନା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ଅଧୀନରେ ଜୟପୁର ତହସିଲର ମୋଟ ୮ଟି ଗ୍ରାମ ଅନ୍ତର୍ଭୁକ୍ତ ରହିଛି। ପୂର୍ବରୁ ପ୍ରଶାସନ ପକ୍ଷରୁ ୫ଟି ଗ୍ରାମର ଜମି ଅଧିଗ୍ରହଣ ଶେଷ କରାଯାଇ ରେଳବାଇକୁ ହସ୍ତାନ୍ତର କରାଯାଇ ସାରିଥିଲା।
Indian Railways: ଭାରତୀୟ ରେଳବାଇ ପାର୍ସଲ ପଠାଇବା ପ୍ରକ୍ରିୟାକୁ ସହଜ କରିବାକୁ କରୁଛି ଯୋଜନା
ଆଜି ଷଷ୍ଠ ଗ୍ରାମ ଭାବେ ଆମ୍ବାଗୁଡ଼ାର ପ୍ରାୟ ୨୬.୬୬ ଏକର ଜମିର ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ରେଳ ବିଭାଗକୁ ସମର୍ପଣ କରାଯାଇଛି। ଅବଶିଷ୍ଟ ୨ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଖୁବ୍ଶୀଘ୍ର ଶେଷ କରାଯାଇ ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ବଢ଼ାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହି ଜମି ହସ୍ତାନ୍ତର ସମୟରେ ତହସିଲ କାର୍ଯ୍ୟାଳୟର ରାଜସ୍ୱ କର୍ମଚାରୀ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପ୍ରକ୍ରିୟା ଶେଷ ହେବା ଫଳରେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ରେଳ ଚଳାଚଳ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ଆଗେଇଛି।

1 hour ago
2


