ARTICLE AD BOX
ପୁରୀ: ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ସହ ମାର୍କଣ୍ଡ ପୁଷ୍କରିଣୀରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ ଠାକୁର ଶ୍ରୀବଳଭଦ୍ର ୨ଟି ଲେଖାଏଁ ରାଖୀ ଏବଂ ୨ଟି ଲେଖାଏଁ ଗୁଆମାଳ ପରିଧାନ କରିଥିଲେ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଭୋଗମଣ୍ଡପ ସରି ତିନିବାଡ଼ରେ ମଇଲମ ହୋଇ ମହାସ୍ନାନ ହୋଇଥିଲା। ତିନିବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତଙ୍କ ଦ୍ବାରା ସର୍ବାଙ୍ଗ ନୀତି ସମ୍ପନ୍ନ କରିବା ପରେ ବୋଇରାଣୀ ପତନି ନୂଆଲୁଗା ଓ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇ ଧୂପବେଶ ବଢ଼ିଥିଲା। ତିନିଖଣ୍ଡ ଆଜ୍ଞାମାଳ ମଧ୍ୟରୁ ଦୁଇ ଠାକୁରଙ୍କ ଦକ୍ଷିଣ ଭୂଜରେ ଗୋଟିଏ ଏବଂ ବାମ ଭୂଜରେ ଦୁଇଟି ଲାଗି କରାଯାଇଥିଲା।
Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍ ସହାୟତା ଗ୍ରହଣ କରିବ
ପାଟରା ବିଷୋୟୀ ରାଖୀ ପ୍ରସ୍ତୁତ କରି ଯୋଗାଇ ଦେଇଥିବା ବେଳେ ଏହାକୁ ମହାପ୍ରଭୁଙ୍କ ଶ୍ରୀହସ୍ତରେ ପୁଷ୍ପାଳକ ସେବକମାନେ ବାନ୍ଧିଥିଲେ। ଗହ୍ମାପୂର୍ଣ୍ଣିମା ତିଥିରେ ଶ୍ରୀବଳଭଦ୍ର ଜନ୍ମଗ୍ରହଣ କରିଥିବାରୁ ବଡ଼ ଠାକୁରଙ୍କ ସମ୍ମୁଖରେ ସିଂହାସନ ତଳେ ଅପରାହ୍ଣରେ ଷଷ୍ଠୀ ମାର୍କଣ୍ଡି ଓ ବରୁଣ ପୂଜାବିଧି ହୋଇଥିଲା। ଶ୍ରୀମଦନମୋହନ ରତ୍ନ ସିଂହାସନକୁ ବିଜେ କରିଥିଲେ। ଆଜ୍ଞାମାଳ ପାଇ ଶ୍ରୀଦେବୀ, ଭୂଦେବୀ ଓ ଶ୍ରୀମଦନମୋହନ ଝୁଲଣ ମଣ୍ଡପକୁ ବିଜେ କରିଥିଲେ। ପରେ ଦଇତାପତି ସେବକମାନେ ଭିତରକୁ ପ୍ରବେଶ କରିଥିଲେ। ମହାପ୍ରଭୁଙ୍କ ନିକଟରୁ ଏକ ଆଜ୍ଞାମାଳ ଶ୍ରୀସୁଦର୍ଶନଙ୍କୁ ପ୍ରଦାନ କରାଯାଇଥିଲା। ଦଇତାପତିମାନେ ସୁଦର୍ଶନକୁ ଜଗମୋହନସ୍ଥିତ ଚଉଦୋଳକୁ ବିଜେ କରାଇଥିଲେ। ସେଠାରେ ପତନି ଓ ମାଳଚୂଳ ଲାଗି ହେବା ପରେ ଝୁଲଣ ମଣ୍ଡପ ନିକଟରେ ସୁବର୍ଣ୍ଣ ଓଡ଼ିଆଣି ଓ ହରଡ଼ମାଳି ଲାଗି ହୋଇଥିଲେ।
Raksha bandhan: ପ୍ରତିବର୍ଷ ସହିଦ ବୀରମାନଙ୍କ ପ୍ରତିମୂର୍ତ୍ତିରେ ରାଖୀ ବାନ୍ଧିଥାଏ ଭଉଣୀ
ବିମାନବଡୁ ସେବକମାନେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ମାର୍କଣ୍ଡ ପୁଷ୍କରିଣୀକୁ ବିଜେ କରାଇଥିଲେ। କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟିରେ ଶୁଦ୍ଧସୁଆର ଶ୍ରୀବଳଭଦ୍ରଙ୍କ ପ୍ରତୀକ ମୂର୍ତ୍ତି ତିଆରି କରିଥିଲେ। ପୂଜାପଣ୍ଡା ମାମନ୍ତ ଜୀବନ୍ୟାସ ଦେଇ ଜାତ କର୍ମ ସମ୍ପନ୍ନ କରିଥିଲେ। ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ସାମନ୍ତ ପଞ୍ଚ ଉପଚରରେ ଶୀତଳ ଭୋଗ କରିଥିଲେ। ବନ୍ଦାପନା ନୀତି ସମ୍ପନ୍ନ ପରେ ପ୍ରତିମୂର୍ତ୍ତିକୁ ଜଳରେ ବିସର୍ଜନ କରାଯାଇଥିଲା। ନୀତି ସମ୍ପନ୍ନ ହେବା ପରେ ଶ୍ରୀସୁଦର୍ଶନ ଚାରି ଆଶ୍ରମ (ମାର୍କେଣ୍ଡୟ , ଭୃଗୁ , ଅଙ୍ଗିରା ଓ ପଣ୍ଡୁ ) ସହ ନଗର ପରିକ୍ରମା କରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ। ସିଂହଦ୍ବାର ନିକଟରେ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥିଲା। ରତ୍ନ ସିଂହାସନକୁ ସୁଦର୍ଶନ ବିଜେ କରିଥିଲେ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ମହାସ୍ନାନ ନୀତି ହେବା ସହ ଅନ୍ୟ ନୀତି ବଢ଼ିଥିଲା। ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଧୂପ ସମ୍ପନ୍ନ ହେବା ପରେ ସୁର୍ଦଶନଙ୍କ ବାଡ଼ରେ ବନ୍ଦାପନା ଅନୁଷ୍ଠିତ ହୋଇଥିଲା। ମୁଦିରସ୍ତ ସୁଦର୍ଶନଙ୍କୁ ପ୍ରସାଦ ଲାଗି କରିଥିଲେ।

1 hour ago
2


