Rice Procurement: ଚାଉଳ ସଂଗ୍ରହରେ ମନ୍ଥରତା: କାମରୁ ବଞ୍ଚିତ ୧୨ ହଜାର ଶ୍ରମିକ

1 hour ago 1
ARTICLE AD BOX

ସୁଶାନ୍ତ ମହାପାତ୍ର

କେସିଙ୍ଗା: ଚାଉଳ ଅଛି, ଧାନ ଅଛି, ମିଲ୍‌ ମଧ୍ୟ ଅଛି; ହେଲେ ଚାଉଳ ସଂଗ୍ରହରେ ମନ୍ଥରତା ଯୋଗୁଁ ଠପ୍‌ ହୋଇଯାଉଛି ଉତ୍ପାଦନ ଓ ରୋଜଗାର। ମାସକୁ ମାତ୍ର ୧୦ ଦିନ ଚାଲୁଛି ରାଇସ୍‌ ମିଲ୍‌, ବାକି ୨୦ ଦିନ ବନ୍ଦ। ଏହାର ସିଧାସଳଖ ପ୍ରଭାବ ପଡ଼ିଛି କଳାହାଣ୍ଡି ଜିଲ୍ଲାର ପ୍ରାୟ ୧୨ ହଜାର ଶ୍ରମିକଙ୍କ ଜୀବିକା ଉପରେ। ଅନ୍ୟପକ୍ଷରେ ପୂର୍ବ ଋତୁର ଚାଉଳ ସଂଗ୍ରହ ଶେଷ ହୋଇ ନଥିବାରୁ ଆଗାମୀ ଖରିଫ ଧାନକିଣା ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି।

Neglect: ବିଧାୟକ ପାଣ୍ଠି ଖର୍ଚ୍ଚରେ ମନ୍ଥରତା: ବଳକା ପଡ଼ିଛି ୯.୬୭କୋଟି

କଳାହାଣ୍ଡି ଜିଲ୍ଲାରେ ମୋଟ ୧୦୧ଟି ରାଇସ୍‌ ମିଲ୍‌ ରହିଛି। ମିଲିଂ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଲେ ପ୍ରତ୍ୟେକ ମିଲ୍‌ରେ ପ୍ରାୟ ୧୦୦ ଜଣ ଶ୍ରମିକ କାମ କରିଥାନ୍ତି। କିନ୍ତୁ ଆବଶ୍ୟକ ଅନୁଯାୟୀ ଚାଉଳ ସଂଗ୍ରହ ହେଉନଥିବାରୁ ମିଲ୍‌ଗୁଡ଼ିକୁ ନିୟମିତ ଚଳାଇବା ସମ୍ଭବ ହେଉନାହିଁ। ଫଳରେ ମିଲ୍‌ରେ କାର୍ଯ୍ୟରତ ପ୍ରାୟ ୮ ହଜାର ଶ୍ରମିକ ନିୟମିତ କାମ ପାଇପାରୁନାହାନ୍ତି। ରୋଜଗାର କମିଯିବାରୁ ସେମାନଙ୍କ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। କେବଳ ମିଲ୍‌ ଶ୍ରମିକ ନୁହନ୍ତି, ଚାଉଳ ପରିବହନରେ ନିୟୋଜିତ ଟ୍ରକ୍‌ ଚାଳକ, ଏଫ୍‌ସିଆଇ ସମେତ ରାଜ୍ୟ ଓ କେନ୍ଦ୍ରୀୟ ଗୋଦାମରେ ଚାଉଳ ଲୋଡିଂ  ଏବଂ ଅନ୍‌ଲୋଡିଂ କରୁଥିବା ପ୍ରାୟ ୪ ହଜାର ଶ୍ରମିକ ମଧ୍ୟ କାମ ଅଭାବରୁ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ନିୟମିତ ରୋଜଗାର ନ ମିଳିବାରୁ କିଛି ଶ୍ରମିକ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଛନ୍ତି। ତଥ୍ୟ ଅନୁଯାୟୀ, ଗତ ଖରିଫ ଓ ରବି ଋତୁରେ କଳାହାଣ୍ଡି ଜିଲ୍ଲାରୁ ୯୬ ଲକ୍ଷ ୯୦ ହଜାର ୨୬୯ କ୍ୱିଣ୍ଟାଲ ଧାନ କିଣାଯାଇଥିଲା। ଏହା ବଦଳରେ ୬୫ ଲକ୍ଷ ୮୯ ହଜାର ୩୮୩ କ୍ୱିଣ୍ଟାଲ ଚାଉଳ ସଂଗ୍ରହ ହେବା କଥା। କିନ୍ତୁ ଚଳିତ ଖରିଫ ଋତୁର ଧାନକିଣା ପ୍ରକ୍ରିୟା ଶେଷ ହେବାକୁ ମାତ୍ର ଗୋଟିଏ ମାସ ବାକି ଥିବାବେଳେ ଏପର୍ଯ୍ୟନ୍ତ ମାତ୍ର ୪୯ ପ୍ରତିଶତ ଚାଉଳ ସଂଗ୍ରହ ହୋଇଛି। ଏପରିକି ରବି ଋତୁର ଚାଉଳ ସଂଗ୍ରହ ପ୍ରକ୍ରିୟା ଏଯାଏଁ ଆରମ୍ଭ ହୋଇନାହିଁ।

ମାସକୁ ୨୦ ଦିନ ବନ୍ଦ ରହୁଛି ରାଇସ୍‌ ମିଲ୍‌
ଆଗାମୀ ଖରିଫ ଧାନକିଣା ପ୍ରକ୍ରିୟା ବାଧାପ୍ରାପ୍ତ ଆଶଙ୍କା

Accident: ବିଚାରପତିଙ୍କୁ ଗିରଫଦାରିରୁ ଅନ୍ତରୀଣ ସୁରକ୍ଷା

ଚାଉଳ ସଂଗ୍ରହରେ ଏହି ଅହେତୁକ ବିଳମ୍ବ ଯୋଗୁଁ ମିଲ୍‌ଗୁଡ଼ିକରେ ମହଜୁଦ ଧାନର ମିଲିଂ ହୋଇ ପାରୁନାହିଁ। ପୂର୍ବ ଋତୁର ଚାଉଳ ସଂଗ୍ରହ ଶେଷ ନହେଲେ ଆଗାମୀ ଖରିଫ ଋତୁରେ ଧାନକିଣା ପାଇଁ ସ୍ଥାନ ଓ ବ୍ୟବସ୍ଥାର ଅଭାବ ଦେଖାଦେଇପାରେ। ଏହାର ପରିଣାମ ଚାଷୀଙ୍କ ଉପରେ ମଧ୍ୟ ପଡ଼ିବା ଆଶଙ୍କା ରହିଛି। ଠିକ୍‌ ସମୟରେ ଧାନକିଣା ନ ହେଲେ ଚାଷୀଙ୍କୁ ଧାନବିକ୍ରି ପାଇଁ ଅପେକ୍ଷା କରିବାକୁ ପଡ଼ିବା ସହ ସମଗ୍ର ସଂଗ୍ରହ ବ୍ୟବସ୍ଥାରେ ଅବ୍ୟବସ୍ଥା ସୃଷ୍ଟି ହୋଇପାରେ। ଏହି ସ୍ଥିତିର ପ୍ରଭାବ ମିଲ୍‌ ଶିଳ୍ପର ଆର୍ଥିକ କାରବାର ସହ ବିଦ୍ୟୁତ୍‌ ରାଜସ୍ୱ ଉପରେ ମଧ୍ୟ ପଡ଼ୁଛି। ଗୋଟିଏ ରାଇସ୍‌ ମିଲ୍‌ ପୂରା ମାସ ଚାଲିଲେ ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କାର ବିଦ୍ୟୁତ୍‌ ବିଲ୍‌ ହୋଇଥାଏ। ହେଲେ ମାସକୁ ମାତ୍ର ୧୦ ଦିନ ମିଲ୍‌ ଚାଲୁଥିବାରୁ ଏହି ଖର୍ଚ୍ଚ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କାକୁ ଖସିଆସୁଛି। ମିଲ୍‌ ବନ୍ଦ ରହିଲେ ମଧ୍ୟ ମାଲିକମାନଙ୍କୁ ସ୍ଥାୟୀ ବିଦ୍ୟୁତ୍‌ ଦେୟ ଦେବାକୁ ପଡ଼ୁଛି। ଚାଉଳ ସଂଗ୍ରହ ପ୍ରକ୍ରିୟା ସହ ଚାଷୀଙ୍କଠାରୁ ଆରମ୍ଭ କରି ମିଲ୍‌ ମାଲିକ, ଶ୍ରମିକ, ଟ୍ରକ୍‌ ଚାଳକ ଓ ଗୋଦାମ କର୍ମଚାରୀଙ୍କ ଜୀବିକା ଜଡ଼ିତ। ଏତେ ବଡ଼ ଅର୍ଥନୈତିକ ଶୃଙ୍ଖଳ ଚାଉଳ ସଂଗ୍ରହରେ ବିଳମ୍ବ ଯୋଗୁଁ ପ୍ରଭାବିତ ହେଉଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନାହିଁ। ଚାଉଳ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ମିଲ୍‌ଗୁଡ଼ିକରେ ମିଲିଂ କାର୍ଯ୍ୟ ସ୍ୱାଭାବିକ କରିବା ସହ ଶ୍ରମିକଙ୍କ ରୋଜଗାର ଓ ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବା ଜରୁରି ହୋଇପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.