River: ଅସ୍ତିତ୍ୱ ସଙ୍କଟରେ ୩ ଆନ୍ତଃରାଜ୍ୟ ନଦୀ: ୩୦ ବର୍ଷରେ କଳାହାଣ୍ଡିର ୩୦%ରୁ ଅଧିକ ଜଙ୍ଗଲ ନଷ୍ଟ

3 days ago 4
ARTICLE AD BOX

ଭବାନୀପାଟଣା (ଦେବେନ୍ଦ୍ର କୁମାର ବିଶି): ଦିନେ ଘଞ୍ଚ ଜଙ୍ଗଲ ଓ ପ୍ରଚୁର ବର୍ଷା ପାଇଁ ପରିଚିତ ଥିଲା କଳାହାଣ୍ଡିର ପାହାଡ଼ିଆ ଅଞ୍ଚଳ। ଏବେ ଜଙ୍ଗଲ କ୍ଷୟ, ପୋଡ଼ୁ ଚାଷ ଓ ଖଣି ଖନନ ଏହାର ପ୍ରାକୃତିକ ସନ୍ତୁଳନକୁ ବିଗାଡ଼ିବାରେ ଲାଗିଛି। ଏହାର ପ୍ରଭାବରେ ଜିଲ୍ଲାରୁ ଉତ୍ପତ୍ତି ହୋଇଥିବା ଇନ୍ଦ୍ରାବତୀ, ବଂଶଧାରା ଓ ନାଗାବଳୀ ଭଳି ତିନିଟି ଆନ୍ତଃରାଜ୍ୟ ନଦୀ ଏବେ ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ। ଅନିୟମିତ ବର୍ଷା ଯୋଗୁଁ କେଉଁଠି ବନ୍ୟା ତ ଆଉ କେଉଁଠି ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି। ଉପରମୁଣ୍ଡରୁ ଧୋଇ ଆସୁଥିବା ମାଟି ନଦୀଗର୍ଭରେ ଜମା ହୋଇ ଜଳଧାରଣ କ୍ଷମତାକୁ ପ୍ରଭାବିତ କରୁଥିବା ବେଳେ ନଦୀଗୁଡ଼ିକର ଭବିଷ୍ୟତକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି।

Judgement: ଗୁରୁତର ଅପରାଧୀଙ୍କୁ ପ୍ରୋବେସନ୍‌ରେ ଛାଡ଼ିବା ନେଇ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକ୍‌ ଏହି ତିନି ନଦୀର ଉତ୍ପତ୍ତି ସହ ଜଡ଼ିତ। ଥୁଆମୂଳ ରାମପୁର ବ୍ଲକ୍‌ରୁ ଇନ୍ଦ୍ରାବତୀ ଓ ନାଗାବଳୀ ନଦୀ ବାହାରିଥିବା ବେଳେ ଲାଞ୍ଜିଗଡ଼ ବ୍ଲକ୍‌ରୁ ବଂଶଧାରାର ଉତ୍ପତ୍ତି। ଏହି ଦୁଇ ବ୍ଲକ୍‌ରେ ୨୦୨୧ରୁ ୨୦୨୩ ମଧ୍ୟରେ ପ୍ରାୟ ୨.୫୪ ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇଛି। ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାରେ ଗତ ୩୦ ବର୍ଷ ମଧ୍ୟରେ ୩୦ ପ୍ରତିଶତରୁ ଅଧିକ ଜଙ୍ଗଲ ନଷ୍ଟ ହୋଇ ସାରିଥିବା ତଥ୍ୟରୁ ଜଣାପଡ଼ିଛି। ବର୍ତ୍ତମାନ ଜଙ୍ଗଲକ୍ଷୟ ହାର ଆହୁରି ବଢ଼ିଥିବା କୁହାଯାଉଛି। ଏହାର ସିଧାସଳଖ ପ୍ରଭାବ ପରିବେଶ ଓ ନଦୀର ପ୍ରାକୃତିକ ପ୍ରବାହ ଉପରେ ପଡ଼ୁଛି। ଥୁଆମୂଳ ରାମପୁର ବ୍ଲକ୍‌ର ମରଡ଼ିଗୁଡ଼ାରୁ ଇନ୍ଦ୍ରାବତୀ ନଦୀର ଉତ୍ପତ୍ତି। ପ୍ରାୟ ୫୩୫ କିଲୋମିଟର ଦୀର୍ଘ ଏହି ନଦୀ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟଜିଲ୍ଲା ଦେଇ ପ୍ରବାହିତ ହେବା ପରେ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ଅତିକ୍ରମ କରି ଶିରୋଞ୍ଚା ନିକଟସ୍ଥ ଭଦ୍ରକାଳୀ-ସୋମନୁର ସଙ୍ଗମରେ ଗୋଦାବରୀ ନଦୀ ସହ ମିଶିଛି।

୩୦ ବର୍ଷରେ କଳାହାଣ୍ଡିର ୩୦%ରୁ ଅଧିକ ଜଙ୍ଗଲ ନଷ୍ଟ
ପୋଡ଼ୁ ଚାଷ ଓ ଖଣି ଖନନର ପ୍ରଭାବ, ପଟୁମାଟିରେ ପୋତି ହେଉଛି ନଦୀ

ସେହିପରି ନାଗାବଳୀ ନଦୀ ଥୁଆମୂଳ ରାମପୁର ବ୍ଲକ୍‌ର ଗୁଣପୁର ନିକଟସ୍ଥ ଲାଖବାହାଲ ଅଞ୍ଚଳରୁ ବାହାରିଛି। ପ୍ରାୟ ୨୫୬ କିଲୋମିଟର ପ୍ରବାହିତ ହେବା ପରେ ଏହା କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ଅତିକ୍ରମ କରି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟସ୍ଥ କଲ୍ଲିପାଲିଠାରେ ବଙ୍ଗୋପସାଗରରେ ମିଶିଛି। ଅନ୍ୟପଟେ, ଲାଞ୍ଜିଗଡ଼ ବ୍ଲକ୍‌ର ଦୁର୍ଗାକଙ୍ଗେର ପାହାଡ଼ ନିକଟରୁ ବଂଶଧାରା ନଦୀର ଉତ୍ପତ୍ତି। ପ୍ରାୟ ୨୬୫ କିଲୋମିଟର ଦୀର୍ଘ ଏହି ନଦୀ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ଦେଇ ପ୍ରବାହିତ ହୋଇ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କଳିଙ୍ଗପଟନମଠାରେ ବଙ୍ଗୋପସାଗରରେ ମିଶିଛି। ଦିନେ ଥୁଆମୂଳ ରାମପୁର ବ୍ଲକ୍‌ର ଗୁଣପୁର ଅଞ୍ଚଳକୁ ‘କଳାହାଣ୍ଡିର ଚେରାପୁଞ୍ଜି’ ବୋଲି କୁହାଯାଉଥିଲା। ମାତ୍ର ଏବେ ଅନିୟମିତ ବର୍ଷା ଯୋଗୁଁ ସେହି ଅଞ୍ଚଳରେ କେତେବେଳେ ବନ୍ୟା ତ ଆଉ କେତେବେଳେ ମରୁଡ଼ି ଦେଖାଦେଉଛି। ବନ୍ୟା ସମୟରେ ନଦୀକୂଳ ଖାଇବା ସହ ଉପରମୁଣ୍ଡରୁ ବହୁ ପରିମାଣର ମାଟି ଓ ପଟୁମାଟି ଭାସି ଆସି ନଦୀ ଗର୍ଭରେ ଜମା ହେଉଛି। ଏହା ଫଳରେ ନଦୀ ପୋତି ହେବା ସହ ପ୍ରାକୃତିକ ପରିବେଶ ମଧ୍ୟ ପ୍ରଭାବିତ ହେଉଛି।

Amitabh Bachchan: ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଝଙ୍କ କନସର୍ଟକୁ ଟାର୍ଗେଟ୍‌

ପରିବେଶ ସମୀକ୍ଷକ ଅଶୋକ କୁମାର ପଟ୍ଟନାୟକଙ୍କ ମତରେ, ପୋଡ଼ୁ ଚାଷ ଯୋଗୁଁ ଶହ ଶହ ହେକ୍ଟର ଜଙ୍ଗଲ ନଷ୍ଟ ହେବାକୁ ବସିଛି। ଏଥିସହ ଉପରମୁଣ୍ଡରେ ଖଣି ଖନନ ଓ ଗଛକଟା ଯୋଗୁଁ ବର୍ଷା ଜଳ ସହ ମାଟି ଧୋଇ ଆସି ନଦୀରେ ଜମା ହେଉଛି। ଫଳରେ ନଦୀଗୁଡ଼ିକ କ୍ରମଶଃ ପୋତି ହେବାରେ ଲାଗିଛି। ଅନିୟମିତ ବର୍ଷା ଏହି ସମସ୍ୟାକୁ ଆହୁରି ଜଟିଳ କରୁଛି। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଅଜୟ ମିଶ୍ର ମଧ୍ୟ ନଦୀଗୁଡ଼ିକର ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ନଦୀକୂଳରେ ଆବଶ୍ୟକ ବୃକ୍ଷରୋପଣ ହେଉ ନଥିବାରୁ ମାଟି କ୍ଷୟ ଓ ପଟୁମାଟି ଜମା ହେବା ସମସ୍ୟା ବଢ଼ୁଛି। ବୃକ୍ଷରୋପଣ ଯୋଜନା କେବଳ କାଗଜକଲମରେ ସୀମିତ ରହିବା ଫଳରେ ନଦୀଗୁଡ଼ିକର ସ୍ଥିତି ଦୁର୍ବଳ ହେଉଛି। ତେଣୁ ରାଜ୍ୟ ସରକାର ନଦୀକୂଳରେ ବ୍ୟାପକ ବୃକ୍ଷରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ଓ ମାଟି କ୍ଷୟ ରୋକିବା ପାଇଁ ଠୋସ୍‌ ପଦକ୍ଷେପ ନେବା ଆବଶ୍ୟକ। ଅନ୍ୟଥା ଏହି ଆନ୍ତଃରାଜ୍ୟ ନଦୀଗୁଡ଼ିକର ଭବିଷ୍ୟତ ଦିନେ ଇତିହାସର ପୃଷ୍ଠାରେ ସୀମିତ ହୋଇଯିବ ବୋଲି ସେ ଚେତାଇ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.