Rourkela Circuit House: ସର୍କିଟ ହାଉସ୍‌ରୁ ବନ୍ଧୁକ ମିଳିବା ଘଟଣା: ଉଠିବ ତ ପରଦା?

1 week ago 3
ARTICLE AD BOX

ରାଉରକେଲା (ଦେବବ୍ରତ ଗଡ଼ତିଆ): ଗତ ୧୪ ତାରିଖରେ ସର୍କିଟ୍‌ ହାଉସ୍‌ରୁ ବନ୍ଧୁକ, ଜୀବନ୍ତ ଗୁଳି ଓ ମ୍ୟାଗାଜିନ୍‌ ଜବତ ହୋଇଥିଲା। ଏହି ଘଟଣାକୁ ୫ ଦିନ ବିତିସାରିଲେ ସୁଦ୍ଧା, ପ୍ରକୃତ ତଥ୍ୟ ପଦାକୁ ଆସିପାରୁନି। ଦିନ ବିତୁଛି, କିନ୍ତୁ ସମଗ୍ର ଘଟଣାର ମୁଖ୍ୟ ଅଭିଯୁକ୍ତ ପାଖରେ ପୁଲିସ ତଦନ୍ତ ପହଞ୍ଚିପାରୁନି। ଜଣେ ଯୁବ ନେତାଙ୍କ ନାଁରେ ରୁମ୍‌ ବୁକ୍‌ ହୋଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ସମ୍ଭବତଃ ଏହି କାରଣରୁ ସଂପୃକ୍ତ ଯୁବନେତାଙ୍କ ନାଁ ପ୍ରଘଟ କରିବାକୁ ପ୍ରଶାସନ ସାହସ ଜୁଟାଇପାରୁନି।

୭ ଧରାପଡ଼ିଛନ୍ତି, ଅନ୍ୟମାନେ କେବେ?
ଏହି ଘଟଣାରେ ରଘୁନାଥପାଲି ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫକରିଛି। ସେମାନେ ହେଉଛନ୍ତି ବିକାଶ ଡୁଙ୍ଗୁରୀ, ନାରାୟଣ ସାହୁ, ସାଗର ସାହୁ, କରତାର ସିଂହ, ବିକି ଶର୍ମା, ରାଜେଶ ଶ୍ରୀବାସନ୍ତବ ଓ ରାଜେଶ ସାହୁ। ଅନ୍ୟତମ ଅଭିଯୁକ୍ତ ଜେଡି ଫେରାର୍‌ ହୋଇଯାଇଛି। ସର୍କିଟ୍‌ ହାଉସ୍‌ରେ ଚଢ଼ଉ ଦିନ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିଲା। ତାକୁ ଧରିବାକୁ ପୁଲିସ ଛାନ୍‌ଭିନ ଜାରି ରଖିଛି। ଏତଦ୍‌ବ୍ୟତୀତ ପୁଲିସ ସର୍କିଟ୍‌ ହାଉସ୍‌ର ନଥିପତ୍ର ଓ ସିସିଟିଭି ଫୁଟେଜ୍‌ ଯାଞ୍ଚ ପାଇଁ ଉପଜିଲ୍ଲାପାଳଙ୍କ ଅନୁମତି ଲୋଡ଼ିଛି। ଏକ ଚିଠି ମାଧ୍ୟମରେ ସିସିଟିଭ୍‌ ଫୁଟେଜ୍‌, ରୁମ୍‌ ବୁକ୍‌ କରିଥିବା ବ୍ୟକ୍ତିଙ୍କ ସବି‌ଶେଷ ତଥ୍ୟ ଦେବାକୁ ନିବେଦନ କରାଯାଇଛି।

କିଏ ସେହି ଯୁବନେତା?
ଜଣେ ପ୍ରଭାବଶାଳୀ ଯୁବନେତାଙ୍କ ନାଁରେ ଏହି ସର୍କିଟ ହାଉସର ଦୁଇଟି ରୁମ୍ ବୁକ୍ କରାଯାଇଥିବା ଚର୍ଚ୍ଚା ହେଉଛି।ତେବେ ଏନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଉନି। ପୁଲିସ୍‌ର ତଦନ୍ତ ମଧ୍ୟ ସଂପୃକ୍ତ ଯୁବନେତାଙ୍କ ପାଖରେ ପହଞ୍ଚିପାରିନି। ଫଳରେ ପୁଲିସ ଓ ଜିଲ୍ଲା ପ୍ରଶାସନର ସୁରକ୍ଷା ଦେଉଥିବା ଅଭିଯୋଗ ହୁଏ। ତେବେ ପୁଙ୍ଖାନୁପୁଙ୍ଖ ତଦନ୍ତହେଲେ ପ୍ରକୃତ ସତ ପଦାକୁ ଆସିବ। ତେବେ ଏ ଧରଣର କୁଖ୍ୟାତ ଅପରାଧୀ ସର୍କିଟ୍‌ ହାଉସ୍‌ରେ ୨୦ ଦିନ ଧରି ରହି ଅପରାଧ ପାଇଁ ଯୋଜନା କରିବା, ରାଜନୈତିକ ବ୍ୟକ୍ତିବିଶେଷଙ୍କ ଆଶୀର୍ବାଦ ବିନା ଅସମ୍ଭବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

Mega Project Reviewed ଏସ୍‌ସିବି ମେଡିକାଲ  ଓ ରାଉରକେଲା ହନୁମାନ ବାଟିକା ପ୍ରକଳ୍ପ ପୁନଃବିକାଶ ସମୀକ୍ଷା

ଉପଜିଲ୍ଲାପାଳଙ୍କ ଉପରେ ସମସ୍ତଙ୍କ ନଜର
ସମଗ୍ର ଘଟଣାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ। ସର୍କିଟ୍‌ ହାଉସ୍‌ ପରିଚାଳନା ଦାୟିତ୍ବରେ ଥିବା ଉପଜିଲ୍ଲାପାଳଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସାଧାରଣତଃ ସର୍କିଟ୍‌ ହାଉସ୍‌ରେ ରହିବା ପାଇଁ ଏକାଧିକ ନିୟମକାନୁନ ରହିଛି। କିନ୍ତୁ ଏହି ଅପରାଧୀମାନେ କିଭଳି ସର୍କିଟ୍‌ ହାଉସ୍‌ ପହଞ୍ଚିଲେ, ତାହା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଯଦି ସଂପୃକ୍ତ ଯୁବନେତାଙ୍କ ମାର୍ଫତ୍‌ରେ ରୁମ୍‌ ବୁକ୍‌ କରାଯାଇଥିଲା, ତା’ହେଲେ ତାଙ୍କ ନାଁ ସାର୍ବଜନୀନ କରାଯାଉନି କାହିଁକି? ଦୀର୍ଘ ୨୦ ଦିନ ଧରି ଅପରାଧୀଙ୍କ ରହଣି ବିଷୟରେ କର୍ତ୍ତୃପକ୍ଷ କୌଣସି ସୂଚନା ପାଇଲେନି କେମିତି?

ସର୍କିଟ ହାଉସ୍‌ରେ ଅପରାଧୀଙ୍କ ଆଡା
ସହରର ସବୁଠାରୁ ସୁରକ୍ଷିତ କୁହାଯାଉଥିବା ପାନପୋଷସ୍ଥ ସର୍କିଟ ହାଉସରୁ ବନ୍ଧୁକଧାରୀ ଅପରାଧୀ ଗିରଫ ହେବା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ରଘୁନାଥପାଲି ପୁଲିସ ଚଢ଼ଉ କରି ଏହି ହାଇ-ପ୍ରୋଫାଇଲ୍ ସରକାରୀ ଅତିଥି ଭବନରୁ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ଭିଆଇପି, ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ଏହି ସର୍କିଟ ହାଉସରେ ଅପରାଧୀମାନେ ପ୍ରାୟ ୨୦ ଦିନରୁ ଅଧିକ ସମୟ ଧରି ବେଆଇନ ଭାବେ ରହି ଆସୁଥିଲେ। ଏମିତିକି ଏହି ସୁରକ୍ଷିତ ସରକାରୀ ଗୃହରେ ରହି ଅପରାଧୀମାନେ ସାମାଜିକ ଗଣମାଧ୍ୟମରେ ଭିଡିଓ ଅପଲୋଡ୍ କରି ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଧମକ ଦେଉଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ସାତଜଣଙ୍କୁ ଗିରଫ କରାଯାଇଥିବା ବେଳେ ପୁଲିସ ଓ ସର୍କିଟ ହାଉସ କର୍ମଚାରୀଙ୍କ ଭୂମିକା ଉପରେ ମଧ୍ୟ ତଦନ୍ତ ଚାଲିଛି। ଏହି ଘଟଣା ସ୍ଥାନୀୟ ପ୍ରଶାସନର କଡ଼ା ନିରୀକ୍ଷଣ ଓ ନିରାପତ୍ତା ବ୍ୟବସ୍ଥାର ବଡ଼ ବିଫଳତାକୁ ପଦାରେ ପକାଇଛି।

କେମିତି ହେଲା ପର୍ଦ୍ଦାଫାସ?
କିଛିଦିନ ପୂର୍ବେ ଲେବର୍‌ ଟେନାମେଣ୍ଟ୍‌ର ଜଣେ ଯୁବକଙ୍କୁ ଏହି ଅଭିଯୁକ୍ତମାନେ ନୁର୍ଧୁମ ମାଡ଼ ମାରିବା ସହ ଲହୁଲୁହାଣ କରିଦେଇଥିଲେ। ଏନେଇ ଥାନାରେ ଏତଲା ହେବାପରେ ରଘୁନାଥପାଲି ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଗତ ୧୪ ତାରିଖ ରାତିରେ ଅଭିଯୁକ୍ତମାନେ ସର୍କିଟ୍‌ ହାଉସ୍‌ରେ ଥିବା ନେଇ ପୁଲିସ ଗୁପ୍ତ ସୂଚନା ପାଇଥିଲା। ସୂଚନାକୁ ଭିତ୍ତିକରି ପୁଲିସ ସଦଳବଳ ଅତର୍କିତ ଚଢ଼ାଉ କରିଥିଲା। ସର୍କିଟ୍‌ ହାଉସ୍‌ର ରୁମ୍‌ ନଂ ୧୦୭ରୁ ମୁଖ୍ୟ ଅଭିଯୁକ୍ତ ବିକାଶ ଓ ଅନ୍ୟଜଣଙ୍କୁ ପୁଲିସ କାବୁ କରିନେଇଥିଲା। ତେବେ ଅନ୍ୟତମ ଅଭିଯୁକ୍ତ ଜେଡି ଓ ତା’ର ସହଯୋଗୀ ଫେରାର ହୋଇଯାଇଥିଲେ। ଅନ୍ୟତମ ଅଭିଯୁକ୍ତ କରତାର୍‌ ସିଂହ ଅଭିଯୁକ୍ତମାନଙ୍କୁ ଫେରାର କରିବାରେ ସହଯୋଗ କରିଥିଲା। ପୂର୍ବରୁ ରାଉରକେଲାରେ ରହୁଥିବା ତଥା ଏବେ ଗଞ୍ଜାମ ପୋଲସରା ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ସାଗର ସାହୁର ଉପସ୍ଥିତି, ଘଟଣାକୁ ଆହୁରି ରହସ୍ୟମୟ କରିଦେଇଥିଲା। ବିକାଶ, ରାଜେଶ, ସାଗର ନାଁରେ ରାଉରକେଲାର ବିଭିନ୍ନ ଥାନାରେ ମାମଲା ଥିବା ପୁଲିସ ସୂଚନାରୁ ପ୍ରକାଶ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.