ARTICLE AD BOX
ମୁମ୍ବାଇ: ‘ରାମାୟଣମ୍’ ସିନେମାରେ ସୀତା ଭୂମିକାରେ ଅଭିନୟ କରି ସାଇ ପଲ୍ଲବୀ ଏବେ ଚର୍ଚ୍ଚାରେ। ତାଙ୍କ ଲାଳନପାଳନ ତାମିଲନାଡୁର କୋଏମ୍ବାଟୁରରେ ହୋଇଥିଲା। ସେ ଅଭିଲା କନଭେଣ୍ଟ ସ୍କୁଲରୁ ନିଜର ସ୍କୁଲ ଶିକ୍ଷା ଶେଷ କରିଥିଲେ। ଏହାପରେ ସେ ଡାକ୍ତରୀ ପାଠପଢ଼ା କରିବାକୁ ନିଷ୍ପତ୍ତି ନେଇ ଜର୍ଜିଆର ତିବିଲିସି ଷ୍ଟେଟ୍ ମେଡିକାଲ ୟୁନିଭର୍ସିଟିରେ ନାମ ଲେଖାଇଥିଲେ। ସେଠାରୁ ୨୦୧୬ରେ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ।
ବିଦେଶରେ ଡାକ୍ତରୀ ପାଠପଢ଼ା ଶେଷ କରିବା ପରେ ସାଇ ପଲ୍ଲବୀ ଭାରତରେ ନିଜ ଡିଗ୍ରୀର ମାନ୍ୟତା ପାଇଁ ଆବଶ୍ୟକ ପ୍ରକ୍ରିୟା ମଧ୍ୟ ପୂରଣ କରିଥିଲେ। ସେ ୨୦୨୦ ଅଗଷ୍ଟ ୩୧ ତାରିଖରେ ତ୍ରିଚିରେ ଆୟୋଜିତ ଫରେନ୍ ମେଡିକାଲ ଗ୍ରାଜୁଏଟ୍ ଏକ୍ଜାମିନେସନ୍ (FMGE) ଦେଇଥିଲେ ଏବଂ ଏଥିରେ ଉତ୍ତୀର୍ଣ୍ଣ ହୋଇଥିଲେ। ଡାକ୍ତରୀ ଶିକ୍ଷା ଶେଷ କରିଥିଲେ ମଧ୍ୟ ସେ ଡାକ୍ତର ଭାବେ ପଞ୍ଜୀକରଣ କରାଇନଥିଲେ। ଏହା ପରିବର୍ତ୍ତେ ଅଭିନୟ ଓ ସିନେମା ଜଗତରେ କ୍ୟାରିୟର ଗଢ଼ିବାକୁ ବାଛିଥିଲେ।
‘କୌନ୍ ବନେଗା କରୋଡ଼ପତି ୧୮’ର ସାମ୍ନାକୁ ଆସିଥିବା ପ୍ରୋମୋରେ ଅମିତାଭ ବଚ୍ଚନ ସାଇ ପଲ୍ଲବୀଙ୍କ ସହ ତାଙ୍କ କ୍ୟାରିୟର ବିଷୟରେ କଥା ହେଉଥିବା ଦେଖିବାକୁ ମିଳିଛି। ବିଗ୍ ବି ତାଙ୍କୁ ପଚାରୁଛନ୍ତି, “ଆପଣ MBBS ଡାକ୍ତର ହେବା ପାଇଁ ପାଠ ପଢ଼ିଥିଲେ। ଆଉ ଏଠାକୁ ଆସିଗଲେ। କେମିତି?”
ଭାଗ୍ୟରେ ଅଭିନେତ୍ରୀ ହେବା ଲେଖାଥିଲା
ଏହାର ଉତ୍ତରରେ ସାଇ ପଲ୍ଲବୀ ବିନମ୍ରତାର ସହ କହିଛନ୍ତି ଯେ ବୋଧହୁଏ ତାଙ୍କ ଭାଗ୍ୟରେ ଅଭିନେତ୍ରୀ ହେବା ଲେଖାଥିଲା। ସେ କହିଛନ୍ତି, “ଭଗବାନ ଏମିତି ଲେଖିଥିଲେ ଯେ ଅଭିନୟ କର।” ସାଇ ପଲ୍ଲବୀଙ୍କ ଏହି ଉତ୍ତର ଶୁଣି ସେଠାରେ ଉପସ୍ଥିତ ଦର୍ଶକମାନେ କରତାଳି ଦେଇଥିଲେ। ଏହି ସମୟରେ ରଣବୀର କପୁର ମଧ୍ୟ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ଦେଇଥିଲେ, ଯାହାର ଭିଡିଓ ଏବେ ଚର୍ଚ୍ଚାରେ ରହିଛି।
ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘ରାମାୟଣମ୍’ରେ ରଣବୀର କପୁର ଭଗବାନ ଶ୍ରୀରାମ, ସାଇ ପଲ୍ଲବୀ ମାତା ସୀତା ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ନଜର ଆସିବେ।
ନଭେମ୍ବର ୫ ତାରିଖରେ ସିନେମା ହଲ୍ରେ ମୁକ୍ତିଲାଭ କରିବ
ରଣବୀର କପୁର, ସାଇ ପଲ୍ଲବୀ ଓ ରବି ଦୁବେ ଖୁବ୍ଶୀଘ୍ର ଅମିତାଭ ବଚ୍ଚନଙ୍କ କୁଇଜ୍ ଶୋ’ ‘କୌନ୍ ବନେଗା କରୋଡ଼ପତି ୧୮’ର ଆଗାମୀ ଏପିସୋଡ୍ଗୁଡ଼ିକରେ ନଜର ଆସିବେ। ନିଜ ଆଗାମୀ ଫିଲ୍ମ ‘ରାମାୟଣମ୍’ର ପ୍ରଚାର ପାଇଁ ତିନିଜଣ ଏହି ଶୋ’ର ହଟ୍ ସିଟ୍ରେ ବସିବେ। ଏହି ବିଶେଷ ଏପିସୋଡ୍ ଅକ୍ଟୋବର ୨୯ ଓ ୩୦ ତାରିଖରେ ‘ସୋନି ଟିଭି’ରେ ପ୍ରସାରିତ ହେବ। ଅନ୍ୟପକ୍ଷରେ, ଫିଲ୍ମଟି ୨୦୨୬ ନଭେମ୍ବର ୫ ତାରିଖରେ ସିନେମା ହଲ୍ରେ ମୁକ୍ତିଲାଭ କରିବାକୁ ଯାଉଛି।

1 hour ago
2


