ARTICLE AD BOX
ଭଦ୍ରକ: ଭଦ୍ରକ ଜିଲ୍ଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ନଦୀବନ୍ଧ, ନଈପଠାରେ ଜବରଦଖଲ ବଢ଼ୁଛି। ଫଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେବା ସହ ପ୍ରତିବର୍ଷ ବନ୍ୟା ସ୍ଥିତି ଗମ୍ଭୀର ହେଉଛି। କେନ୍ଦୁଝର ଜିଲ୍ଲାର ହଦଗଡ଼ରୁ ଉତ୍ପତ୍ତି ଲାଭ କରିଥିବା ସାଳନ୍ଦୀ ଭଦ୍ରକ ସହର ଦେଇ ପ୍ରବାହିତ ହୋଇ ଚାନ୍ଦବାଲି ବ୍ଲକ୍ର ଆରଡ଼ି ନିକଟ ତିନିତର ଘାଟଠାରେ ବୈତରଣୀ ସହ ମିଶିଛି। ତେବେ, ଗତ ଦୁଇ ଦଶନ୍ଧି ହେବ ସାଳନ୍ଦୀ ନଦୀବନ୍ଧ ଓ ପଠାର ବିଭିନ୍ନ ସ୍ଥାନରେ ଜବରଦଖଲ ବଢ଼ିବାରେ ଲାଗିଛି। ବିଶେଷକରି ବନ୍ତ ବ୍ଲକ୍ର ବିଟିପୁର, ମହାନ୍ତିପଡ଼ା, ଗୋପୀନାଥପୁର, ଚାରିଗାଁ ଓ ଅଣିଜ, ଭଦ୍ରକ ବ୍ଲକ୍ର କାଉପୁର, ବଉଦପୁର, ଗବସାହି, ଜଗନ୍ନାଥପୁର, ସାହାପୁର, ଅସ୍ଥଳ, କୁଆଁସ, ସନ୍ଥିଆ, ଧନାଟୋଲା, ଭଦ୍ରକାଳୀ ସାହି, ଆହାରପଦା, ଉତ୍ତରବାହିନୀ, ଗୁଜିଦରଡ଼ା, ଅର୍ଣ୍ଣପାଳ ଓ ରାଜୁଆଳିବିନ୍ଧା, ତିହିଡ଼ି ବ୍ଲକ୍ର ବିଲଣା ଓ ତଳଗୋପବିନ୍ଧା ସହ ଚାନ୍ଦବାଲି ବ୍ଲକ୍ର ଆରଡ଼ି ଓ ଭୂଇଁବୃତିରେ ନଦୀପଠା ଜବରଦଖଲରେ ରହିଛି। ଜବରଦଖଲ ବଢ଼ୁଥିବାରୁ ନଦୀପଠା କ୍ରମଶଃ ସଙ୍କୁଚିତ ହେଉଛି।
Nepal flood: ନେପାଳକୁ ବିଶ୍ବରୁ ସହାୟତାର ହାତ ବଢ଼ିଲା
ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ପ୍ରତିବର୍ଷ ବନ୍ୟା ଆସି ବାସ ଓ ଚାଷ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଉଲ୍ଲେଖ ଥାଉ କି, ପୂର୍ବତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ସମୟରେ ସାଳନ୍ଦୀ ସଂସ୍କାର ପାଇଁ ପ୍ରାୟ ୧୦୦ କୋଟି ଟଙ୍କାରେ ନଦୀବନ୍ଧ ସୁଦୃଢ଼ୀକରଣ ଓ ସୌନ୍ଦର୍ଯ୍ୟୀକରଣ କାମ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଦେଢ଼ଶହ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଥିଲା। ସେହିପରି ଦେଢ଼ ବର୍ଷ ତଳେ ଜଳସମ୍ପଦ ବିଭାଗର ବିଧାନସଭା କମିଟି ବୈଠକରେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ନଦୀବନ୍ଧରୁ ଜବରଦଖଲ ହଟାଇବା ଓ ପୋତିଯାଇଥିବା ଅଂଶର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ରଖିଥିଲେ। ହେଲେ ଏଯାଏଁ ଏହାର ବାସ୍ତବ ରୂପାୟନ ହୋଇନାହିଁ। ସେହିପରି ବର୍ତ୍ତମାନ ୨୬ କୋଟିର ନଦୀବନ୍ଧ ସୌନ୍ଦର୍ଯ୍ୟୀକରଣ କାମ ଚାଲିଥିଲେ ମଧ୍ୟ ମଞ୍ଜୁର ଟଙ୍କା ପର୍ଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ ଆସିଛି। ସାଳନ୍ଦୀ ବଞ୍ଚାଅ ସମିତିର କର୍ମକର୍ତ୍ତାମାନେ କହିଛନ୍ତି, ସଳନ୍ଦୀର ପ୍ରକୃତ ପୁନରୁଦ୍ଧାର ପାଇଁ ଜବରଦଖଲ ଉଚ୍ଛେଦ, ପୋତି ଯାଇଥିବା ଅଂଶର ଖନନ ଓ ନଦୀବନ୍ଧର ସୁଦୃଢ଼ୀକରଣ ନିହାତି ଆବଶ୍ୟକ। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ।
Bank account: ପିଏମ୍ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା

1 hour ago
1


