Sambad-Kanak News: ‘ସମ୍ବାଦ-କନକ ନ୍ୟୁଜ୍‌’ ରାଜ୍ୟସ୍ତରୀୟ ବିତର୍କ: ଅଭିଳାଷ ପ୍ରଥମ, ଓମ୍‌ ଅଭିଶିକ୍ଷା ଦ୍ବିତୀୟ ଓ ଶୁଭସ୍ମିତା ତୃତୀୟ

3 weeks ago 7
ARTICLE AD BOX

ଭୁବନେଶ୍ବର: ସାଂପ୍ରତିକ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ସୁଦୃଢ଼ କରିବା ପରିବର୍ତ୍ତେ ଏହାର ମୂଳଦୁଆକୁ ଦୁର୍ବଳ କରୁଛି। ଏହାର ସବୁଠାରୁ ବଡ଼ ନକାରାତ୍ମକ ଦିଗ ହେଉଛି ମିଥ୍ୟା ଖବର ଓ ଗୁଜବର ଦ୍ରୁତ ପ୍ରସାର। ସୋସିଆଲ ମିଡିଆର ଅପବ୍ୟବହାର କରାଯାଉଛି। ସତ୍ୟ ଅପେକ୍ଷା ବିବାଦୀୟ ଓ ଉତ୍ତେଜନାପୂର୍ଣ୍ଣ ତଥ୍ୟ ଅଧିକ ଲୋକଙ୍କ ପାଖରେ ଶୀଘ୍ର ପହଞ୍ଚୁଛି। ଏହା ଦ୍ୱାରା ସମାଜରେ ସାମ୍ପ୍ରଦାୟିକ ଅଶାନ୍ତି ଓ ହିଂସା ବୃଦ୍ଧି ପାଉଛି, ଯାହା ଏକ ସୁସ୍ଥ ଗଣତାନ୍ତ୍ରିକ ସମାଜ ପାଇଁ ମାରାତ୍ମକ। ଅନୁରୂପ ଭାବେ ନିର୍ବାଚନ ପ୍ରକ୍ରିୟାରେ ଅସାଧୁ ହସ୍ତକ୍ଷେପ କରିବା ପାଇଁ ଏହି ପ୍ଲାଟଫର୍ମଗୁଡ଼ିକର ବ୍ୟାପକ ଅପବ୍ୟବହାର କରାଯାଉଛି। 

Durga puja: ୭୨ ଦେବୀପୀଠକୁ ଯିବ ଦଶହରା ନିମନ୍ତ୍ରଣ; ଆଜ୍ଞାମାଳ ଗ୍ରହଣ କଲେ ଦଶହରା ପୂଜା କମିଟି ଅଧ୍ୟକ୍ଷ

ରାଜନୈତିକ ଦଳ ଓ କିଛି ଗୋଷ୍ଠୀ ଏହାର ଦୁରୁପଯୋଗ କରି କୃତ୍ରିମ ଜନମତ ସୃଷ୍ଟି କରୁଛନ୍ତି। ବିରୋଧୀଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ତଥା ଚରିତ୍ର ସଂହାର କରିବା ଆଜିର ରାଜନୀତିରେ ଏକ ମୁଖ୍ୟ ଅସ୍ତ୍ର ସାଜିଛି। ମୁକ୍ତ ଚିନ୍ତାଧାରା ଓ ପରସ୍ପର ପ୍ରତି ସମ୍ମାନ ହିଁ ଗଣତନ୍ତ୍ରର ପ୍ରାଣ। କିନ୍ତୁ ସାମାଜିକ ଗଣମାଧ୍ୟମ ଏହି ମୂଲ୍ୟବୋଧକୁ ନଷ୍ଟ କରୁଥିବାରୁ ଏହା ଗଣତନ୍ତ୍ର ପାଇଁ ଲାଭ କମ୍ ଏବଂ କ୍ଷତି ଅଧିକ ଆଣୁଛି। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ବାର୍ଷିକ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ‘ସାମାଜିକ ଗଣମାଧ୍ୟମ: ଗଣତନ୍ତ୍ର ପାଇଁ ଲାଭ କମ୍‌, କ୍ଷତି ଅଧିକ’ ଶୀର୍ଷକ ପ୍ରସଙ୍ଗରେ ଅଧିକାଂଶ ପ୍ରତିଯୋଗୀ ଏଭଳି ମତ ଦେଇଛନ୍ତି। ଜୟଦେବ ଭବନରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜୋନ୍‌ସ୍ତରରୁ ମନୋନୀତ ହୋଇଥିବା ୨୫ଜଣ ପ୍ରତିଯୋଗୀ ବିତର୍କରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣ ପ୍ରସଙ୍ଗ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ।

ବିଷୟବସ୍ତୁ ବିପକ୍ଷରେ ମତ ରଖିଥିବା ପ୍ରତିଯୋଗୀଙ୍କ ଯୁକ୍ତି ଥିଲା, ପୂର୍ବରୁ ସାଧାରଣ ଲୋକଙ୍କୁ ନିଜସ୍ବ ମତ ଉପସ୍ଥାପନ ପାଇଁ କୌଣସି ବଡ଼ ମଞ୍ଚ ନଥିଲା। ଆଜି ସମାଜର ଶେଷ ଧାଡ଼ିରେ ଥିବା ନାଗରିକଙ୍କୁ ମଧ୍ୟ ସାମାଜିକ ଗଣମାଧ୍ୟମ ନିଜର ଅଧିକାର ଓ ମତପ୍ରକାଶ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଦେଇଛି, ଯାହା ଗଣତନ୍ତ୍ରର ପ୍ରକୃତ ଆତ୍ମା। ରାଜନୈତିକ ସଚେତନତା ବୃଦ୍ଧି, ଶାସନରେ ସ୍ୱଚ୍ଛତା, ନାଗରିକ ସାମ୍ବାଦିକତାର ବିକାଶ, ତୃଣମୂଳସ୍ତରରେ ଜନଆନ୍ଦୋଳନ ଆଦି କ୍ଷେତ୍ରଗୁଡ଼ିକରେ ସୁଧାର ଆସିଛି। ତେଣୁ ସାମାଜିକ ଗଣମାଧ୍ୟମର କିଛି ଅପବ୍ୟବହାର ଥିଲେ ମଧ୍ୟ ଗଣତନ୍ତ୍ରକୁ ଅଧିକ ବ୍ୟାପକ ଏବଂ ଲୋକାଭିମୁଖୀ କରିବାରେ ଏହାର ଅବଦାନ ଅତୁଳନୀୟ ବୋଲି ପ୍ରତିଯୋଗୀମାନେ ମତ ଦେଇଥିଲେ।    
ଏହି ପ୍ରତିଯୋଗିତାରେ ଭୁବନେଶ୍ବର ଓୟୁଏଟିର ଛାତ୍ର ଅଭିଳାଷ ପଣ୍ଡା ପ୍ରଥମ, ପୁରୀ ଏସ୍‌ସିଏସ୍‌ କଲେଜର ଛାତ୍ରୀ ଓମ୍‌ ଅଭିଶିକ୍ଷା ଦାସ ଦ୍ବିତୀୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରୀ ଶୁଭସ୍ମିତା ବାରିକ ତୃତୀୟ ହୋଇଥିଲେ। ବିଚାରକ ଭାବେ ଯୋଗ ଦେଇ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କହିଲେ, ସାମାଜିକ ଗଣମାଧ୍ୟମର ବ୍ୟବହାର ଦ୍ବାରା ଆମ ଜୀବନଶୈଳୀରେ ବିରାଟ ପରିବର୍ତ୍ତନ ଆସିଛି। ସାମାଜିକ ଗଣମାଧ୍ୟମର ସଦୁପଯୋଗ ଦ୍ବାରା ଗଣତନ୍ତ୍ର ତଥା ନାଗରିକ ସମାଜରେ ସୁଧାର ଅଣାଯାଇପାରିବ। ଆଜି ପ୍ରତିଯୋଗୀମାନେ ଏଭଳି ପ୍ରସଙ୍ଗରେ ଅନେକ ଯୁଗପୋଯୋଗୀ ଯୁକ୍ତି ଉପସ୍ଥାପନ କରି ନିଜ ଭାବନାର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ଏହି ବିତର୍କ ପ୍ରତିଯୋଗିତାକୁ ଅନୁଧ୍ୟାନ କଲେ, ବର୍ତ୍ତମାନ ପିଢ଼ିର ଭବିଷ୍ୟତ ଖୁବ୍‌ ଉଜ୍ଜ୍ବଳ ବୋଲି ‌ସେ କହିଥିଲେ। ବିଚାରକ ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ କହିଲେ, ଆଜିର ପ୍ରସଙ୍ଗ ଉପରେ ପିଲାମାନେ ତଥ୍ୟଭିତ୍ତିକ ଆଲୋଚନା କରିଛନ୍ତି।

Vaccination: ବିନା ଅନୁମତିରେ ବୈଠକରେ ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ସୁସ୍ଥ ଗଣତନ୍ତ୍ର ନିର୍ମାଣ ପାଇଁ ଏଭଳି ଆଲୋଚନାର ଆବଶ୍ୟକତା ରହିଛି। ପୂର୍ବ ପିଢ଼ି ଅପେକ୍ଷା ବର୍ତ୍ତମାନର ପିଢ଼ିଙ୍କ ଭାବନା ଅଧିକ ଶାଣିତ ହୋଇପାରିଛି। ବିଚାରକ ବରିଷ୍ଠ ବିଜେପି ନେତା ସତ୍ୟବ୍ରତ ପଣ୍ଡା କହିଲେ, ସାଧାରଣ ଲୋକେ ସାମାଜିକ ଗଣମାଧ୍ୟମର ଉପଯୋଗ କରିବାକୁ ବ୍ୟାପକ ସ୍ବାଧୀନତା ପାଉଛନ୍ତି। ଅନୁରୂପ ଭାବେ ଗଣମାଧ୍ୟମମାନେ ସ୍ବାଧୀନଚେତା ହେବା ଜରୁରି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ଯୁକ୍ତି ଶକ୍ତିଶାଳୀ ରହିଥିଲା ବୋଲି ସେ କହିଥିଲେ। ବିଚାରକ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କହିଲେ, ବର୍ତ୍ତମାନ ପିଢ଼ିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନ ପଚାରିବାର ଉତ୍କଣ୍ଠା ଦେଖି ଖୁସି ଲାଗୁଛି। ସୁସ୍ଥ ଗଣତନ୍ତ୍ର ପାଇଁ ଏହା ଅପରିହାର୍ଯ୍ୟ। ଏହାଦ୍ବାରା ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ହେବା ସହିତ ଆତ୍ମବିଶ୍ବାସ ବଢ଼ିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଆଜିର ଛାତ୍ରଛାତ୍ରୀମାନଙ୍କର ଓଡ଼ିଆ ଭାଷା ଉପରେ ଦଖଲ ବହୁତ ବଢ଼ିଛି। ବିତର୍କ ପ୍ରତିଯୋଗିତା ଜିତିବା ପାଇଁ ନୁହେଁ, ବରଂ ନିଜର ଅନ୍ତରାତ୍ମା ଯେଉଁ କଥାକୁ ଗ୍ରହଣ କରୁଛି ତାହା ସପକ୍ଷରେ କହିଲେ ବକ୍ତବ୍ୟ ଅଧିକ ପ୍ରଭାବଶାଳୀ ହେବ। ପ୍ରତିଯୋଗୀମାନେ ବିଭିନ୍ନ ତଥ୍ୟକୁ ଆଧାର କରି ପ୍ରସଙ୍ଗ ସପକ୍ଷ ଓ ବିପକ୍ଷରେ ମତ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ଓ ମୋବାଇଲ୍ ସେମାନଙ୍କର ଏବଂ ଗଣତନ୍ତ୍ରର କ୍ଷତି କରୁଛି ବୋଲି ଆଜିର ଯୁବପିଢ଼ି କହୁଛନ୍ତି, କିନ୍ତୁ ପ୍ରକୃତ ଜୀବନରେ ସେମାନେ ମୋବାଇଲ୍‌କୁ ଛାଡ଼ି ରହିପାରୁ ନାହାନ୍ତି। ଏହା ଏକ ବଡ଼ ବିରୋଧାଭାସ। ସାମାଜିକ ଗଣମାଧ୍ୟମ ନଥିଲେ ଅନେକ ତଥ୍ୟ ପାଇବା ସମ୍ଭବ ହୋଇପାରିବ ନାହିଁ। ଶବ୍ଦ ଚୟନ, ସ୍ପଷ୍ଟତା ଓ ଉପସ୍ଥାପନା ଶୈଳୀ ପାଇଁ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ‘ସମ୍ବାଦ’ର ରାଜ୍ୟ ବ୍ୟୁରୋ ମୁଖ୍ୟ ଚୌଧୁରୀ ଅମିତାଭ ଦାସ ପ୍ରତିଯୋଗିତାକୁ ସଂଯୋଜନା କରିଥିଲେ। 

ସାମାଜିକ ଗଣମାଧ୍ୟମଠାରୁ ଦୂରେଇ ରହିବା ଅସମ୍ଭବ
ପ୍ରସଙ୍ଗ ବିପକ୍ଷରେ ମତ ଦେଇଥିଲି। ୬୬ ପ୍ରତିଶତ ଭାରତୀୟ ସାମାଜିକ ଗଣମାଧ୍ୟମର ପ୍ରଶଂସା କରିଥାନ୍ତି ଏବଂ ୭୪ ପ୍ରତିଶତ ଭାରତୀୟ ସ୍ବୀକାର କରନ୍ତି ଯେ ସେମାନେ ସାମାଜିକ ଗଣମାଧ୍ୟମ ଦ୍ବାରା ନିଜର ସ୍ବର ଉତ୍ତୋଳନ କରିବାକୁ ସ୍ବାଧୀନତା ପାଇଥାନ୍ତି। ଏଭଳି ସ୍ଥିତିରେ ସାମାଜିକ ଗଣମାଧ୍ୟମଠାରୁ ଦୂରେଇ ରହିବା ଅସମ୍ଭବ। ତେଣୁ ଏହାର ସଦୁପଯୋଗ ପ୍ରତି ଆମେ ସମସ୍ତେ ଯତ୍ନବାନ ହେବା ଜରୁରି। ‘ସମ୍ବାଦ’ର ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ହାସଲ କରିଥିବାରୁ ମୁଁ ବହୁତ ଆନନ୍ଦିତ। ‘ସମ୍ବାଦ’କୁ ଅଶେଷ ଧନ୍ୟବାଦ।
ଅଭିଳାଷ ପଣ୍ଡା, ଓୟୁଏଟି, ଭୁବନେଶ୍ବର

ସାମାଜିକ ଗଣମାଧ୍ୟମ ପାଇଁ ଆମ ଗଣତନ୍ତ୍ର ଅଧିକ କ୍ଷତି ସହୁଛି
ଗଣତନ୍ତ୍ରରେ ସାମାଜିକ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ଖୁବ୍‌ଶୀଘ୍ର ବ୍ୟାପୁଛି। ନାଗରିକ ସମାଜ ହିଂସା ଓ ଭେଦଭାବ ଦ୍ବାରା ପୀଡ଼ିତ ହେଉଛନ୍ତି। ଯାହା ଆମ ଗଣତନ୍ତ୍ରର ଭ୍ରାତୃଭାବ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଏହି ନିଶ୍ଚିତ ଯେ ସାମାଜିକ ଗଣମାଧ୍ୟମ ପାଇଁ ଆମ ଗଣତନ୍ତ୍ର ଅଧିକ କ୍ଷତି ସହୁଛି। ପ୍ରସଙ୍ଗ ସପକ୍ଷରେ ମତ ରଖିଥିଲି। ପ୍ରତିଯୋଗିତାରେ ଦ୍ବିତୀୟ ହୋଇଥିବାରୁ ଖୁସି ଲାଗୁଛି। ‘ସମ୍ବାଦ’ ପକ୍ଷରୁ ଏଭଳି ପ୍ରତିଯୋଗିତା ନୂଆ ପିଢ଼ିର ମାନସିକତାକୁ ସମାଜ ସମ୍ମୁଖକୁ ଆଣିବାରେ ସହାୟକ ହୋଇଛି।
ଓମ୍‌ ଅଭିଶିକ୍ଷା ଦାସ, ଏସ୍‌ସିଏସ୍‌ କଲେଜ, ପୁରୀ

ସାମାଜିକ ଗଣମାଧ୍ୟମ ଗଣତନ୍ତ୍ରକୁ ବ୍ୟାପକ କରିବାକୁ ସକ୍ଷମ ସାମାଜିକ ଗଣମାଧ୍ୟମ ଆମକୁ ସମାଜରେ ଘଟୁଥିବା ସମ୍ପର୍କରେ ସୂଚନା ଦେଇଥାଏ। ଏକ ରିପୋର୍ଟ ଅନୁଯାୟୀ ସାମାଜିକ ଗଣମାଧ୍ୟମ ଗଣତନ୍ତ୍ରକୁ ବ୍ୟାପକ କରିବାକୁ ସକ୍ଷମ ହୋଇପାରିଛି। ସାଂପ୍ରତିକ ପରିସ୍ଥିତି ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ସାମାଜିକ ଗଣମାଧ୍ୟମର ଭୂମିକାକୁ ଏଡ଼ାଇ ହେବନାହିଁ। ଆମେ ସାମାଜିକ ଗଣମାଧ୍ୟମ ବିନା ବଞ୍ଚି ପାରିବା ନାହିଁ। ଏହାକୁ କିଭଳି ବ୍ୟବହାର କରାଯିବ, ତାହା ଆମ ଉପରେ ନିର୍ଭର କରେ। ବିତର୍କ ପ୍ରସଙ୍ଗର ବିପକ୍ଷରେ ମତ ଦେଇଥିଲି। ଏଭଳି ପ୍ରତିଯୋଗିତା ପାଇଁ ‘ସମ୍ବାଦ’ର ପ୍ରୟାସକୁ ଧନ୍ୟବାଦ।
ଶୁଭସ୍ମିତା ବାରିକ, ରେଭେନ୍ସା ବିଶ୍ବବିଦ୍ୟାଳୟ, କଟକ

‘ସମ୍ବାଦ-ରେଡିଓ ଚକ୍‌ଲେଟ୍‌’ ରାଜ୍ୟସ୍ତରୀୟ ସାରେଗାମା: ରୋନକ ପ୍ରଥମ, ବିଭାସ ଦ୍ୱିତୀୟ, ଶୁଭ୍ରାଂଶ ଶୁଭ୍ରଶେଖର ତୃତୀୟ

ଭୁବନେଶ୍ୱର, ୩/୧୦ (ଇମିସ): ସଙ୍ଗୀତର ସାତ ସୁରକୁ ନେଇ ଚାଲିଥିଲା ସମର। କିଏ ଚିର ସବୁଜ ଗୀତରେ ତଲ୍ଲୀନ କରୁଥିଲା ତ କିଏ ଆଧୁନିକ ଗୀତରେ ମତୁଆଲା କରୁଥିଲା। ଅର୍ଦ୍ଧଶାସ୍ତ୍ରୀୟ, ଭଜନ, ମଧୁର ସଙ୍ଗୀତରେ ମନ୍ତ୍ରମୁଗ୍ଧ ହେଉଥିଲେ ଶ୍ରୋତାସମୂହ। ରାଗ, ତାଳ ଓ ସ୍ବରର ମହାସଂଗ୍ରାମରେ ଜଣେ ଜଣକୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିବା ପାଇଁ ଚାଲିଥିଲା କଡ଼ା ପ୍ରତିଯୋଗିତା। ଅବସର ଥିଲା ‘ସମ୍ବାଦ’ର ୪୩ତମ ଜନ୍ମ ବାର୍ଷିକ ଅବସରରେ ‘ସମ୍ବାଦ’ ଓ ‘ରେଡିଓ ଚକ୍‌ଲେଟ୍‌’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତା ‘ସାରେଗାମା’ର ସ୍ମରଣୀୟ ମୁହୂର୍ତ୍ତ।
ଶନିବାର ଜୟଦେବ ଭବନରେ ଅପରାହ୍ଣ ୨ଟାରୁ ଆରମ୍ଭ ହୋଇଥିବା ସ୍ୱର ଓ ତାଳର ଏହି ମହାସମରରେ ବିଜୟ ମୁକୁଟ ପାଇଁ ପ୍ରତିଯୋଗୀମାନେ ଜୋରଦାର୍‌ ଲଢ଼େଇ ଆରମ୍ଭ କରିଦେଇଥିଲେ। ଜୟଦେବ ଭବନ ପରିସର ଶାସ୍ତ୍ରୀୟ ଲଘୁ ସଙ୍ଗୀତ ମହୋତ୍ସବରେ ପରିଣତ ହୋଇଥିଲା; 

ଗୋଟିଏ ପରେ ଗୋଟିଏ କାଳଜୟୀ ଗୀତରେ ବିଭୋର ହୋଇଥିଲେ ଶ୍ରୋତା ଓ ବିଚାରକ। ପ୍ରତିଯୋଗିତା ଏତେ କଡ଼ା ଥିଲା ଯେ ବିଚାରକମାନେ ମଧ୍ୟ ଦ୍ବନ୍ଦ୍ବରେ ପଡ଼ିଥିଲେ। ଶେଷରେ ସମସ୍ତଙ୍କୁ ପଛରେ ପକାଇ ବଲାଙ୍ଗୀର ସରକାରୀ ପଲିଟେକନିକ୍‌ ଡିପ୍ଲୋମାର ଶେଷବର୍ଷ ଛାତ୍ର ରୋନକ ମହାନ୍ତି ପ୍ରଥମ, ଜିଏଚ୍‌କେବି କଲେଜ ଅଫ୍‌ ଆର୍ଟସ ଆଣ୍ଡ ସାଇନ୍ସର ପ୍ରଦର୍ଶନ କଳା ସ୍ନାତକ ବିଭାଗର ଶେଷ ବର୍ଷର ବିଭାସ ରଞ୍ଜନ ରାଉତରାୟ ଦ୍ୱିତୀୟ, ଆଇଟିଇଆର୍‌ କଲେଜ ଏମ୍‌ସିଏ ଦ୍ୱିତୀୟ ବର୍ଷର ଛାତ୍ର ଶୁଭ୍ରାଂଶ ଶୁଭ୍ରଶେଖର ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଜୋନ୍‌ସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ୨୮ ପ୍ରତିଯୋଗୀ ଆଜି ଏହି ରାଜ୍ୟସ୍ତରୀୟ ସାରେଗାମା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ଆସନ୍ତାକାଲି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ଷିକୋତ୍ସବରେ ପୁରସ୍କୃତ କରାଯିବ। ପ୍ରତିଯୋଗିତାରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ସୁଦତ୍ତା ପଟ୍ଟନାୟକ ଯୋଗ ଦେଇ ପ୍ରତିଯୋଗୀମାନଙ୍କର ପ୍ରତିଭାକୁ ପ୍ରଶଂସା କରିବା ସହ ନିୟମିତ ସାଧନା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।
ବିଚାରକ ଭାବେ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଓମ୍‌ପ୍ରକାଶ ମହାନ୍ତି, କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ଶ୍ରୀଚରଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀମାନଙ୍କୁ ସହଯୋଗ କରିଥିଲେ ଅଜୟ ଚୌଧୁରୀ, ଶିବନାରାୟଣ ମହାନ୍ତି ଓ ଚିତ୍ତରଞ୍ଜନ ପ୍ରଧାନ। ଆର୍‌ଜେ ଅନିଲ୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପ୍ରତିଯୋଗିତା ଶେଷରେ ବିଚାରକ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ ‘ନୀଳାଚଳ ଧାମ ଯାଇ ମୁଁ ପାରୁନି’ ଶ୍ରୋତାଙ୍କୁ ଜଗନ୍ନାଥ ପ୍ରେମରେ ନିମଗ୍ନ କରିଦେଇଥିଲା। କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ରଙ୍କ କଣ୍ଠରେ ‘ତୁ ମତେ ଭଲ ପାଉଛୁ ବୋଧେ..’ ସଙ୍ଗୀତ ଫଳାଫଳ ପାଇଁ ବହୁସମୟ ଧରି ଅପେକ୍ଷା କରିଥିବା କଣ୍ଠଶିଳ୍ପୀଙ୍କୁ ଉତ୍ସାହିତ କରିଥିଲା। ସେହିପରି ପ୍ରଶାନ୍ତ ପାଢ଼ୀଙ୍କ କଣ୍ଠରେ ‘ମୋ ଆଖିରେ ତୁ ପଲକ’ ସଙ୍ଗୀତରେ ଶ୍ରୋତାମାନେ ବିଭୋର ହୋଇଥିଲେ।

------------------ 
ଲୁକ୍କାୟିତ ପ୍ରତିଭାଙ୍କୁ ସାମନାକୁ ଆଣୁଛି ‘ସମ୍ବାଦ’
କିଛି ବର୍ଷର ନିରନ୍ତର ସଂଗୀତ ସାଧନା ପାଇଁ ଆଜି ଏ ସଫଳତା ପାଇଛି। ପ୍ରତିଯୋଗିତାରେ ମୁଁ ପ୍ରଥମ ସ୍ଥାନ ହାସଲ କରିଛି। ଆଗାମୀ ଦିନରେ ଆହୁରି ଅଧିକ ପରିଶ୍ରମ କରି ସଫଳତାର ଶିଖର ଛୁଇଁବାକୁ ଚେଷ୍ଟା କରିବି। ‘ସମ୍ବାଦ’ ଦ୍ବାରା ହିଁ ମୋ ଭଳି ଅନେକ ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇପାରୁଛନ୍ତି। ‘ସମ୍ବାଦ’ର ଏ ମହତ ପ୍ରୟାସ ଜାରି ରହୁ। 
-ରୋନକ ମହାନ୍ତି, ବଲାଙ୍ଗୀର ସରକାରୀ ପଲିଟେକନିକ୍‌
---------------------

ପୁରସ୍କାର ମୋ ପାଇଁ ପ୍ରେରଣା
ମୁଁ ସବୁବେଳେ କେମିତି ଭଲ କରିପାରିବି, ତା’ ଉପରେ ବେଶୀ ଧ୍ୟାନ ଦେଉଥିଲି। କେବେ ବି ପୁରସ୍କାରର ଲୋଭ ନଥିଲା କି ଏବେ ମଧ୍ୟ ନାହିଁ। ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ବହୁତ ଖୁସି। ଏହି ପୁରସ୍କାର ମତେ ଆଗକୁ ପ୍ରେରଣା ଦେବ। 
-ବିଭାସ ରଞ୍ଜନ ରାଉତରାୟ, ଜିଏଚ୍‌କେବି କଲେଜ ଅଫ୍‌ ଆର୍ଟସ ଆଣ୍ଡ ସାଇନ୍ସ
----------------------
ଆଗକୁ ଆହୁରି ଭଲ ଗାଇବି
ଏଭଳି ପ୍ରତିଯୋଗିତାରେ ତଥା ମଞ୍ଚରେ ଆମ ଭଳି ପିଲାଙ୍କୁ ସୁଯୋଗ ଦେଇଥିବାରୁ ‘ସମ୍ବାଦ’ ଗ୍ରୁପ୍‌କୁ ଅନ୍ତରରୁ ଧନ୍ୟବାଦ। ତୃତୀୟ ସ୍ଥାନ ଅଧିକାର କରି ମୁଁ ବହୁତ ଖୁସି। ଆଜିର ପ୍ରତିଯୋଗିତା ବହୁତ କଥା ଶିଖାଇଛି। ଆଗାମୀ ଦିନରେ ଆହୁରି ଭଲ ଗାଇବା ପାଇଁ ଚେଷ୍ଟା କରିବି। ଗୀତ ଗାଇବା ଏକ ସାଧନା, ଏହାକୁ ଜାରି ରଖିବି। 
-ଶୁଭ୍ରାଂଶ ଶୁଭ୍ରଶେଖର ମିଶ୍ର, ଆଇଟିଇଆର୍‌ କଲେଜ, ଭୁବନେଶ୍ବର

Read Entire Article
LEFT SIDEBAR AD

Hidden in mobile, Best for skyscrapers.