ARTICLE AD BOX
କର୍ଣ୍ଣାଟକ: ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଗାଡ଼ି ପଙ୍କଚର୍ ହୋଇଗଲେ ଚାଳକଙ୍କ ଚିନ୍ତା ବଢ଼ିଯାଏ। ଆଖପାଖରେ ପଙ୍କଚର ଦୋକାନ ଖୋଜିବା କିମ୍ବା ଗାଡ଼ିକୁ ଠେଲି ଠେଲି ମେକାନିକ୍ ପାଖକୁ ନେବାକୁ ପଡ଼େ। ହେଲେ ଏବେ ଏହି ସମସ୍ୟାର ଏକ ନିଆରା ସମାଧାନ ବାହାର କରିଛନ୍ତି କର୍ଣ୍ଣାଟକର ମଙ୍ଗଳୁରୁ ସହରର ଜଣେ ଯୁବକ। ସେ ପଙ୍କଚର୍ ଦୋକାନ ଖୋଲିବା ପରିବର୍ତ୍ତେ ନିଜ ବାଇକ୍କୁ ହିଁ ଏକ ଚଳନ୍ତା ପଙ୍କଚର୍ ମରାମତି କେନ୍ଦ୍ରରେ ପରିଣତ କରିଛନ୍ତି। ଏହି ନିଆରା ବ୍ୟବସାୟ ଶୈଳୀର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଛି।
ଏହି ଯୁବକଙ୍କ ବାଇକ୍କୁ ଦେଖିଲେ ଲାଗିବ ଯେପରି ଏକ ଛୋଟ ମରାମତି ଦୋକାନ ରାସ୍ତାରେ ଚାଲୁଛି। ବାଇକ୍ରେ ଖଞ୍ଜାଯାଇଛି ଏୟାର କମ୍ପ୍ରେସର, ପଙ୍କଚର୍ ମରାମତି ପାଇଁ ଆବଶ୍ୟକ ସାମଗ୍ରୀ, ବିଭିନ୍ନ ଉପକରଣ ଏବଂ ଆଲୋକ ବ୍ୟବସ୍ଥା। ଅର୍ଥାତ୍ ପଙ୍କଚର ମରାମତି ପାଇଁ ଯାହା ଯାହା ଦରକାର, ସେସବୁ ତାଙ୍କ ବାଇକ୍ରେ ଉପଲବ୍ଧ। କୌଣସି ଗାଡ଼ି ଚାଳକଙ୍କ ଟାୟାର ପଙ୍କଚର୍ ହୋଇଗଲେ ଏହି ମେକାନିକ୍ ଫୋନ୍ କଲ୍ ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ସେବା ଯୋଗାଇ ଦେଉଛନ୍ତି। ଫଳରେ ଗାଡ଼ିକୁ ଦୂର ପର୍ଯ୍ୟନ୍ତ ଟାଣି ଟାଣି ନେବାର ଆବଶ୍ୟକତା ପଡ଼ୁନାହିଁ।
ରୋଜଗାରର ନୂଆ ବାଟ
ଏହି ନିଆରା ବ୍ୟବସାୟ ମଡେଲ୍କୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଆକାଶ ଗୁପ୍ତା। ତାଙ୍କ ପୋଷ୍ଟରେ ଏହି ସେବାକୁ ଅନ୍ୟ ସହରରେ ଆରମ୍ଭ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଦିଲ୍ଲୀ-ଏନ୍ସିଆର୍, ବେଙ୍ଗାଲୁରୁ, ମୁମ୍ବାଇ, ହାଇଦ୍ରାବାଦ ଓ ଜୟପୁର ଭଳି ସହରରେ ଏହି ବ୍ୟବସାୟ ଆରମ୍ଭ କରିବାକୁ ଆଗ୍ରହୀ ବ୍ୟକ୍ତିଙ୍କୁ ବିନା ବାଇକ୍ ନିବେଶରେ ସ୍କୁଟର ଯୋଗାଇଦେବାର ପ୍ରସ୍ତାବ ରହିଛି।
Cyclone Murasu: ବାତ୍ୟା ମୁରସୁ ନାମର ଅର୍ଥ କ’ଣ? ଜାଣନ୍ତୁ ପ୍ରାଚୀନ ତାମିଲ ପରମ୍ପରା ସହ ଏହାର ସମ୍ପର୍କ...
ଏହି ଭିଡିଓ ଭାଇରାଲ୍ ହେବା ପରେ ଲୋକେ ଯୁବକଙ୍କ ଚିନ୍ତାଧାରା ଓ ଉଦ୍ୟମକୁ ପ୍ରଶଂସା କରୁଛନ୍ତି। ବିଶେଷକରି ରାତି ସମୟରେ କିମ୍ବା ଜନଶୂନ୍ୟ ରାସ୍ତାରେ ଗାଡ଼ି ପଙ୍କଚର ହେଲେ ଏଭଳି ସେବା ବେଶ୍ ଉପଯୋଗୀ ହୋଇପାରିବ ବୋଲି ଅନେକ ମତ ଦେଉଛନ୍ତି। ନିଜ ପାଖରେ ଥିବା ସାଧନକୁ ବ୍ୟବହାର କରି ଲୋକଙ୍କ ସମସ୍ୟାର ସମାଧାନ ସହ ରୋଜଗାରର ନୂଆ ବାଟ ଖୋଜିବାର ଏହି ପ୍ରୟାସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

59 minutes ago
2


