Snake bite: ସାପ କାମୁଡ଼ାରେ ଆଖି ବୁଜିଲା ୭ ବର୍ଷ ଶିଶୁପୁତ୍ର

1 week ago 6
ARTICLE AD BOX

ବାଲିପାଟଣା (ବସନ୍ତ ପଣ୍ଡା): ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଚଣାହଟ୍ଟା ମଠସାହି ଗ୍ରାମର ନବ କିଶୋର ଭୋଇଙ୍କ ନାତି ରୁଦ୍ର ଭୋଇ (୭)ଙ୍କ ବିଷାକ୍ତ ସାପ କାମୁଡ଼ାରେ ଆଜି ମୃତ୍ୟୁ ହୋଇଛି। ଭାଇ, ଭଉଣୀଙ୍କ ସାଙ୍ଗରେ ଖେଳୁଥିବା ସମୟରେ ପୂର୍ବରୁ ଘର ଭିତରେ ଛପି ରହିଥିବା ସାପ ତାଙ୍କୁ ଚୋଟ ମାରିଥିଲା। ପରିବାର ଲୋକେ ଉଦ୍ଧାର କରି ହସ୍ପିଟାଲ ନେବା ବାଟରେ ଶିଶୁ ପୁତ୍ରର ଅକାଳ ବିୟୋଗ ଘଟିଛି। 

ସାପକୁ ଧରି ଏକ ପ୍ଲାଷ୍ଟିକ ଜାର ଭିତରେ ରଖିଥିଲେ। ଗତ ମାସରେ ନବ କିଶୋରଙ୍କ ଏକମାତ୍ର ପୁଅର ବୁଦ୍ଧନାଥଙ୍କ ଷଣ୍ଢ ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ଠିକ ଗୋଟିଏ ମାସ ଅନ୍ତରରେ ଆଜି ସାପ ଦଂଶନରେ ନାତିର ମୃତ୍ୟୁ ସ୍ଥାନୀୟ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ଚଣାହଟ୍ଟା ମଠସାହି ଗ୍ରାମର ନବ କିଶୋର ଭୋଇଙ୍କ ପୁଅ ବୁଦ୍ଧନାଥ ଗତମାସ ଏକ କାଦୁଅ ବିଲରୁ ଆହତ ଷଣ୍ଢକୁ ଉଦ୍ଧାର କରି ଆଣୁଥିବା ବେଳେ ଷଣ୍ଢ ଲାତ ମାଡ଼ରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ଗତ ମାସ ୧୮ରେ ବୁଦ୍ଧନାଥ (୩୫)ଙ୍କ ମୃତ୍ୟୁ ଘଟିଥିଲା। ଭାଇର ମୃତ୍ୟୁ ଖବର ଶୁଣି ଭୁବନେଶ୍ୱର ଏୟାରଫିଲଡ଼ ଥାନା ଅଧୀନ ବୋତଣ୍ଡା ଅଞ୍ଚଳରେ ବିବାହିତା ଭଉଣୀ ସସ୍ମିତା ଭୋଇ ଏବଂ ଜ୍ୱାଇଁ ଦୀପକ ରଞ୍ଜନ ଭୋଇ ପୁଅ ଏବଂ ଝିଅଙ୍କୁ ସାଙ୍ଗରେ ଆଣି ଚଣାହଟ୍ଟା ଗ୍ରାମକୁ ଭାଇର ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିଲେ। ସେହି ଦିନୁ ସସ୍ମିତା ବାପ ଘରେ ରହୁଥିଲେ। ଚାଷ ବାସରେ ବାପାଙ୍କୁ ଝିଅ ଏବଂ ଜ୍ୱାଇଁ ସହଯୋଗ କରୁଥିଲେ। 

ଆଜି ସକାଳୁ ପରିବାର ଲୋକେ ବିଲ ବାଡ଼ି କାମକୁ ଯାଇଥିଲେ। ଘରେ ପିଲାମାନେ ଲୁଚାଲୁଚି ଖେଳରେ ମାତି ଯାଇଥିଲେ। ରୁଦ୍ର ଘର ଭିତରେ ଗଦା ହୋଇଥିବା ଭଙ୍ଗା ଇଟା ଗଦା ଉପରେ ଚଢି ଯାଇଥିଲା। ଇଟା ଗଦା ଭିତରୁ ବିଷାକ୍ତ ସାପଟି ରୁଦ୍ରର ଗୋଡ଼କୁ ଲଗାତାର ୨ଟି ଚୋଟ ମାରିଥିଲା। ଛୋଟ ପିଲାଟି ଅଗଣାକୁ ବାହାରି ଆସି ପଡ଼ୋଶୀଙ୍କୁ ସାପ କାମୁଡ଼ିଥିବା କହିଥିଲା। ପ୍ରଥମେ ଛୋଟ ପିଲା କଥାକୁ ଅନ୍ୟମାନେ ଗୁରୁତ୍ୱ ଦେଇ ନ ଥିଲେ। 

Snake Bite: ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ

ସାପକୁ ଖୋଜାଖୋଜି କରି ପାଇ ନଥିଲେ। କିଛି କ୍ଷଣ ଭିତରେ ରୁଦ୍ର ଗୁରୁତର ହେବା ରୁ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲ ପଠା ଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ। ମାମୁଁ ମୃତ୍ୟୁର ମାସକ ପରେ ଭଣଜା ମୃତ୍ୟୁର ଅକାଳ ମୃତ୍ୟୁ ଆଲୋଡନ ଖେଳାଇ ଦେଇଛି। ଗରିବ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.