ARTICLE AD BOX
ନ୍ୟୁୟର୍କ: ବିଶ୍ୱର ଅଧାରୁ ଅଧିକ ମୃତ୍ତିକା ଖରାପ ଅବସ୍ଥାରେ ଅଛି। ଫଳରେ ଏହା ବିଶ୍ୱର ଖାଦ୍ୟ ଯୋଗାଣ ଏବଂ ବିବିଧ ଉଦ୍ଭିଦ ଏବଂ ପ୍ରାଣୀ ପ୍ରଜାତିର ବଞ୍ଚିବା ପାଇଁ ବିପଦ ସୃଷ୍ଟି କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୃତ୍ତିକାକୁ ଉନ୍ନତ କରିବାର ପଦ୍ଧତିଗୁଡ଼ିକ ପୂର୍ବରୁ ଜଣାଥିଲେ ମଧ୍ୟ ସେସବୁକୁ ଗ୍ରହଣ କରାଯାଉ ନାହିଁ ବୋଲି ଜାତିସଂଘ (ୟୁଏନ)ର ଏକ ରିପୋର୍ଟରେ କୁହାଯାଇଛି। ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ) ସତର୍କ କରାଇ ଦେଇଛି, ବିଶ୍ୱକୁ ମୃତ୍ତିକାର ବ୍ୟବହାର ନେଇ ଯତ୍ନବାନ ହେବା ଉଚିତ୍। ବିଶେଷଜ୍ଞମାନଙ୍କ ଅନୁସାରେ ମୃତ୍ତିକାରୁ ଖାଦ୍ୟର ୯୫% ଉତ୍ପାଦନ ହୋଇଥାଏ। ବିଶ୍ୱର ପ୍ରାୟ ୫୯% ଉଦ୍ଭିଦ ଏବଂ ପ୍ରାଣୀ ଖାଦ୍ୟ ପାଇଁ ମୃତ୍ତିକା ଉପରେ ନିର୍ଭର କରିଥାନ୍ତି। ସମୁଦ୍ର ପରେ ମୃତ୍ତିକା ମଧ୍ୟ ବିଶ୍ୱର ଦ୍ୱିତୀୟ ବୃହତ୍ତମ କାର୍ବନ ଶୋଷକ। ଏହା ସତ୍ତ୍ୱେ, ମାଟିର ଅବସ୍ଥା ବହୁତ ଦ୍ରୁତ ଗତିରେ ଖରାପ ହେବାରେ ଲାଗିଛି।ରିପୋର୍ଟ ଅନୁଯାୟୀ, ବିଶ୍ୱର ୫୨.୫% ଅଞ୍ଚଳରେ ମୃତ୍ତିକା ପରିଚାଳନା ଖରାପ କିମ୍ବା ଅତି ଖରାପ ରହିଛି। ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳରେ ମୃତ୍ତିକା ପରିଚାଳନା ହାରାହାରି ଭଲ ରହିଛି। ଅପରପକ୍ଷରେ କେବଳ ୧୪% ଅଞ୍ଚଳରେ ମୃତ୍ତିକା ପରିଚାଳନା ଅତି ଭଲ ଭାବେ କରାଯାଉଛି।
ମୃତ୍ତିକା କ୍ଷୟ ହେଉଛି ସବୁଠାରୁ ବଡ଼ ବିପଦ
ବିଶ୍ୱର ମୃତ୍ତିକା ଉପରେ ଏଫଏଓର ଏହା ଦ୍ୱିତୀୟ ରିପୋର୍ଟ। ପ୍ରଥମ ରିପୋର୍ଟ ୨୦୧୫ରେ ପ୍ରକାଶିତ ହୋଇଥିଲା। ଏଫଏଓ ରିପୋର୍ଟ ଅନୁସାରେ ୨୦୧୫ ପରଠାରୁ ବିଶ୍ୱର ଜନସଂଖ୍ୟା ୮୦ କୋଟି ବୃଦ୍ଧି ପାଇଛି। ପ୍ରାୟ ୮ କୋଟି ହେକ୍ଟରରୁ ଅଧିକ ଜମି ଚାଷ ପାଇଁ ବ୍ୟବହୃତ ହେଉଛି। ଚାଷ ଜମିର କ୍ଷେତ୍ରଫଳ ଫ୍ରାନ୍ସ ଏବଂ ଜର୍ମାନୀର ମିଳିତ ଆକାର ସହିତ ସମାନ ରହିଛି। ବିଶେଷଜ୍ଞଙ୍କ ମତରେ,ସବୁଠାରୁ ବଡ଼ ବିପଦ ହେଉଛି ମୃତ୍ତିକା କ୍ଷୟ। ଦୁର୍ବଳ ଏବଂ ଅନୁପଯୁକ୍ତ ମୃତ୍ତିକା ପରିଚାଳନା ପଦ୍ଧତି ପାଣି ଦ୍ୱାରା ମାଟିକୁ ଧୋଇ ନେଇପାରେ କିମ୍ବା ପବନ ଦ୍ୱାରା ଉଡ଼ିଯାଇପାରେ। ମୃତ୍ତିକା ପାଇଁ ଅନ୍ୟାନ୍ୟ ବିପଦ ମଧ୍ୟରେ ଜୈବ ପଦାର୍ଥର ହ୍ରାସ, ପୁଷ୍ଟିକର ପଦାର୍ଥର ଅନୁପଯୁକ୍ତ ବ୍ୟବହାର, ଉଦ୍ଭିଦ ଏବଂ ଜୀବାଣୁ ସଂଖ୍ୟାରେ ହ୍ରାସ, ଲୁଣ ଜମା, ପ୍ରଦୂଷଣ ଏବଂ ସହରାଞ୍ଚଳ ବଢ଼ିବା ଆଦି ମାନବୀୟ କାର୍ଯ୍ୟ ରହିଛି। ଜଳବାୟୁ ପରିବର୍ତ୍ତନ ଏହି ସମସ୍ୟାକୁ ଆହୁରି ବଢ଼ାଇଛି। ମୃତ୍ତିକାର ଅବକ୍ଷୟ ମଧ୍ୟ ଜଳବାୟୁ ପରିବର୍ତ୍ତନକୁ ସଙ୍କଟ ଜନକ କରୁଛି। ମୃତ୍ତିକାର ସ୍ଥିତିରେ ଉନ୍ନତି ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କମାଇ ବିଶ୍ୱ ତାପନ ହ୍ରାସ କରିବାରେ ମଧ୍ୟ ସହାୟକ ହେବ।
ମୃତ୍ତିକା କ୍ଷୟକୁ ରୋକିବାର ଏକ ପ୍ରମୁଖ ଉପାୟ ହେଉଛି ଚାଷ କମାଇବା ଅବା ସମ୍ପୂର୍ଣ୍ଣ ବନ୍ଦ କରିବା। ଚାଷ ଯୋଗୁଁ ମୃତ୍ତିକାରେ ଥିବା ଅଣୁଜୀବ ଏବଂ ଜୈବିକ ଉପାଦନକୁ କ୍ଷତି ପହଞ୍ଚିଥାଏ। ମୃତ୍ତିକାକୁ ଢିଲା କରିବା ଦ୍ୱାରା ଏହା ଜଳ ପ୍ରବାହ ଏବଂ ପବନ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାଏ।
ମୃତ୍ତିକାକୁ ସୁରକ୍ଷା ଏବଂ ଉନ୍ନତି କରିବାର ଅନ୍ୟାନ୍ୟ ପଦ୍ଧତି ମଧ୍ୟରେ ଡାଲି ଏବଂ ସୋରିଷ ଭଳି ଫସଲ କରିବା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏସବୁ ଫସଲ ମୃତ୍ତିକାର ଉର୍ବରତା ବଜାୟ ରଖିବାରେ ସାହାଯ୍ୟ କରିଥାଏ। ଅନ୍ୟ ଏକ ପଦ୍ଧତି ହେଉଛି କୃଷି ବନୀକରଣ ଆଗ୍ରୋଫରେଷ୍ଟ୍ରି। ଏଥିରେ କୃଷି ଜମି ପାଖରେ ଗଛ ଲଗାଯାଇଥାଏ। ମୃତ୍ତିକା ସଂରକ୍ଷଣ ପାଇଁ ପ୍ରାକୃତିକ ଏବଂ ରାସାୟନିକ ସାରର ଉପଯୁକ୍ତ ବ୍ୟବହାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତି। ତେବେ ସାର ନିଜେ ମଧ୍ୟ ପ୍ରଦୂଷଣ ସୃଷ୍ଟି କରିପାରେ। ଏଫଏଓ କହିଛି, କୃଷକମାନଙ୍କ ପାଖରେ ସୂଚନାର ଅଭାବ ମୁଖ୍ୟ ସମସ୍ୟା ନୁହେଁ। ବଡ଼ ସମସ୍ୟା ହେଉଛି ସେମାନଙ୍କ ପାଖରେ ଆବଶ୍ୟକୀୟ ସମ୍ବଳର ଅଭାବ। କାରଣ ଏହି ପଦ୍ଧତିଗୁଡ଼ିକୁ ଗ୍ରହଣ କରିବା ପାଇଁ ଯଥେଷ୍ଟ ପ୍ରାରମ୍ଭିକ ବିନିଯୋଗର ଆବଶ୍ୟକତା ରହିଥାଏ।

8 hours ago
4


