ARTICLE AD BOX
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ସେ ଇନ୍ଷ୍ଟାଗ୍ରାମରେ ନିଜର ପ୍ରଥମ ପୋଷ୍ଟରେ ଆତ୍ମଜୀବନୀ *‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’*ର ଝଲକ ସେୟାର କରିଛନ୍ତି। ଏହି ରିଲ୍ରେ ସେ ପ୍ରଥମ ଥର ପାଇଁ ବହିଟିକୁ ଖୋଲି ଦେଖାଉଛନ୍ତି। ଏହି ସମୟରେ ସେ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କୁ ବହି ଦେଖାଇ କହୁଛନ୍ତି, ଏଥିରେ ଅନେକ ଫଟୋ ରହିଛି, ପ୍ରିୟଙ୍କା। ବହିରେ ରାଜୀବ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଫଟୋ ରହିଛି। ରିଲ୍ରେ ସେ ମିଠା ଖୁଆଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି।
ସୋନିଆ ଗାନ୍ଧୀ ନିଜର ଇନ୍ଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, “ସମସ୍ତଙ୍କୁ ନମସ୍କାର। ଏହି ମୁହୂର୍ତ୍ତକୁ ଆପଣମାନଙ୍କ ସହ ବାଣ୍ଟି ମୁଁ ବହୁତ ଖୁସି। ଉପସ୍ଥାପନ କରୁଛି ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ର ପ୍ରଥମ ଝଲକ। ଏହା ହେଉଛି ପ୍ରେମ, କର୍ତ୍ତବ୍ୟ, କ୍ଷତି ଏବଂ ନିଜର ଆପଣାପଣ ଖୋଜିବାର ଏକ କାହାଣୀ। ଏହାକୁ ଆପଣ ସମସ୍ତଙ୍କ ସହ ସେୟାର କରିବାକୁ ମୁଁ ଉତ୍ସାହର ସହ ଅପେକ୍ଷା କରିଛି।”
ବହିକୁ ନେଇ ପୂର୍ବରୁ ହୋଇଥିଲା ବିବାଦ
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ନିଜ ପୋଷ୍ଟରେ ପୁଅ ରାହୁଲ ଗାନ୍ଧୀ, ଝିଅ ପ୍ରିୟଙ୍କା ଗାନ୍ଧୀ ଏବଂ ବହିର ପ୍ରକାଶକ ହାର୍ପରକଲିନ୍ସ ଇଣ୍ଡିଆଙ୍କୁ ଟ୍ୟାଗ୍ କରିଛନ୍ତି। ସେ ଇନ୍ଷ୍ଟାଗ୍ରାମରେ କଂଗ୍ରେସ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଫଲୋ କରୁଛନ୍ତି।
ତାଙ୍କ ଆତ୍ମଜୀବନୀକୁ ନେଇ ସେତେବେଳେ ବିବାଦ ଗଭୀର ହୋଇଥିଲା, ଯେତେବେଳେ ପେଙ୍ଗୁଇନ୍ ଇଣ୍ଡିଆ ଏହାକୁ ପ୍ରକାଶ କରିବାକୁ ମନା କରିଦେଇଥିଲା। ବହିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆର୍ଏସ୍ଏସ୍ ସହ ଜଡ଼ିତ କିଛି ଅଂଶକୁ ହଟାଇବା ପାଇଁ ପ୍ରକାଶକ କହିଥିଲେ। କିନ୍ତୁ ସୋନିଆ ଗାନ୍ଧୀ ଏଥିରେ ରାଜି ହୋଇ ନଥିଲେ। ପ୍ରାୟ ୭୯ ବର୍ଷୀୟା ସୋନିଆ ଗାନ୍ଧୀ ଏହା ପୂର୍ବରୁ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ ଓ ଏକ୍ସ ଭଳି କୌଣସି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନଥିଲେ। ଏବେ ଇନ୍ଷ୍ଟାଗ୍ରାମ ଜରିଆରେ ସେ ଏହାର ଶୁଭାରମ୍ଭ କରିଛନ୍ତି।
ନଭେମ୍ବର ୧୦ରେ ପ୍ରକାଶ ପାଇବ ବହି
ସୋନିଆ ଗାନ୍ଧୀଙ୍କ ଏହି ଆତ୍ମଜୀବନୀ ୧୦ ନଭେମ୍ବର ୨୦୨୬ରେ ପ୍ରକାଶ ପାଇବ। ଏଥିରେ ଇଟାଲୀରେ ବିତିଥିବା ତାଙ୍କ ପିଲାଦିନ, ରାଜୀବ ଗାନ୍ଧୀଙ୍କ ସହ ପ୍ରଥମ ସାକ୍ଷାତ, ବିବାହ ଏବଂ ଭାରତୀୟ ରାଜନୀତିରେ ତାଙ୍କର ପ୍ରବେଶ ସମ୍ପର୍କରେ ଉଲ୍ଲେଖ ରହିଛି।
ଜଙ୍ଗଲ ଭିତରେ ଘର କରିବା ହେଲା କାଳ, ହାତୀ ଦଳିଦେବାରୁ ବୃଦ୍ଧାଙ୍କର ମୃତ୍ୟୁ

5 days ago
4


