ARTICLE AD BOX
ନୂଆଦିଲ୍ଲୀ: କୁହାଯାଏ, ସମ୍ପର୍କ ଯଦି ହୃଦୟର ହୋଇଥାଏ, ତେବେ ସମୟର ଦୂରତା କିମ୍ବା ବାଟର ଅନ୍ଧାର କେବେବି ବାଧା ସାଜିପାରେ ନାହିଁ। କେବଳ ମଣିଷ ନୁହେଁ, ବରଂ ପଶୁପକ୍ଷୀ ମଧ୍ୟ ନିଜର ଆତ୍ମୀୟଙ୍କୁ କେବେ ଭୁଲନ୍ତି ନାହିଁ। ଯେତେବେଳେ ୯ ବର୍ଷର ଏକ ଲମ୍ବା ଅପେକ୍ଷାର ଅନ୍ତ ଘଟେ ଏବଂ ଚୋରି ହୋଇଯାଇଥିବା ଏକ ପ୍ରିୟ ପୋଷା ଜୀବ ପୁଣିଥରେ ନିଜ ମାଲିକଙ୍କ ବାହୁଛାୟାକୁ ଫେରିଆସେ, ସେତେବେଳେ ସମୟ ଯେମିତି କିଛି କ୍ଷଣ ପାଇଁ ଅଟକିଯାଏ। ଏହା କୌଣସି ଚଳଚ୍ଚିତ୍ରର କାହାଣୀ ନୁହେଁ, ବରଂ ବ୍ରିଟେନରୁ ଆସିଥିବା ଏକ ସତ୍ୟ ଘଟଣା, ଯାହା ଆଜି ହଜାର ହଜାର ଲୋକଙ୍କ ଆଖିରେ ଲୁହ ଆଣିଦେଇଛି । ଘଟଣାଟି ଆରମ୍ଭ ହୋଇଥିଲା ୨୦୧୭ ମସିହାରେ। ବ୍ରିଟେନର ବ୍ରାଡଫୋର୍ଡର ବାସିନ୍ଦା ରବର୍ଟ ମର୍ଟିମରଙ୍କ ପାଖରେ 'ବାର୍ଣ୍ଣି' ନାମକ ଏକ ସୁନ୍ଦର ଶୁଆ ଥିଲା।
Forest department: ଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ ଟିମ୍: ୧୦୯ ଶୁଆ ଉଦ୍ଧାର, ଜଣେ ଗିରଫ
ବାର୍ଣ୍ଣି କେବଳ ଏକ ପକ୍ଷୀ ନଥିଲା, ବରଂ ରବର୍ଟଙ୍କ ପାଇଁ ତାଙ୍କ ପରିବାରର ଏକ ସଦସ୍ୟ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ସେହି ବର୍ଷ ରବର୍ଟଙ୍କ ଘରୁ ବାର୍ଣ୍ଣି ଚୋରି ହୋଇଗଲା। ରବର୍ଟ ତାଙ୍କୁ ଖୋଜିବା ପାଇଁ ଆକାଶ ପାତାଳ ଏକ କରିଦେଇଥିଲେ। ସେ ସ୍ଥାନୀୟ ଅଞ୍ଚଳରେ ଘୋଷଣା କଲେ, ଲୋକଙ୍କୁ ପଚାରିଲେ, କିନ୍ତୁ ବାର୍ଣ୍ଣିର କୌଣସି ସୁରାକ ମିଳିଲା ନାହିଁ। ସମୟ ବିତିବା ସହିତ ରବର୍ଟଙ୍କ ଆଶା ଧୀରେ ଧୀରେ ମଉଳିବାକୁ ଲାଗିଲା। ସେ ଭାବିନେଲେ ଯେ ବୋଧେ ବାର୍ଣ୍ଣି ଆଉ କେବେ ଫେରିବ ନାହିଁ। ଦୀର୍ଘ ୯ ବର୍ଷ ବିତିଗଲା। ରବର୍ଟ ନିଜ ଜୀବନରେ ଆଗକୁ ବଢ଼ିଯାଇଥିଲେ, କିନ୍ତୁ ବାର୍ଣ୍ଣିର ସ୍ମୃତି ତାଙ୍କ ମନର କୋଣରେ କେଉଁଠି ଲୁଚି ରହିଥିଲା। ହଠାତ୍ ଦିନେ ତାଙ୍କ ପାଖକୁ ପୋଲିସର ଏକ ଫୋନ୍ କଲ୍ ଆସିଲା। ପୋଲିସ କହିଲା, "ଆମକୁ ଆପଣଙ୍କ ବାର୍ଣ୍ଣି ମିଳିଯାଇଛି।" ରବର୍ଟଙ୍କ ପାଇଁ ଏହା ବିଶ୍ୱାସ କରିବା କଷ୍ଟକର ଥିଲା। ୯ ବର୍ଷ ପରେ କେହି ଜୀବନ୍ତ ଫେରିବା କ'ଣ ସମ୍ଭବ? ସେ ପୁଣି ଗୋଟିଏ ପୋଷା ଶୁଆ.. ସେ ଭାବିଲେ ବୋଧେ କେହି ମଜାକ କରୁଛି। କିନ୍ତୁ ସେହି ଖବରଟି ସତ ଥିଲା।
ବାର୍ଣ୍ଣି ତା'ର ପୁରୁଣା ଘରୁ ପ୍ରାୟ ୨୦ ମାଇଲ ଦୂରରେ ଥିବା ଏକ ଶୋ'ରୁମ୍ର ପାର୍କିଂ ଏରିଆରେ ଏକାକୀ ବୁଲୁଥିଲା। ଜଣେ ପଶୁ ଉଦ୍ଧାରକାରୀ ତାକୁ ଦେଖି ସୁରକ୍ଷିତ ଭାବେ ରେସକ୍ୟୁ କଲେ। ଯେତେବେଳେ ତା'ର ଶରୀରରେ ଥିବା ମାଇକ୍ରୋଚିପ୍ ସ୍କାନ କରାଗଲା, ସେଥିରୁ ରବର୍ଟଙ୍କ ସୂଚନା ମିଳିଲା। ଚିପ୍ରେ ଥିବା ଫୋନ୍ ନମ୍ବର ବନ୍ଦ ଥିଲେ ମଧ୍ୟ ରେସକ୍ୟୁ ଟିମ୍ର ଜେମା ଡମ୍ବିଲ୍ ଆଶା ଛାଡିନଥିଲେ। ସେ ଇଣ୍ଟରନେଟ୍ରେ ପୁରୁଣା ରେକର୍ଡ ଖୋଜି ରବର୍ଟଙ୍କ ପାଖରେ ପହଞ୍ଚିଥିଲେ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଥିଲା, ଯେତେବେଳେ ଜେମା ରେସକ୍ୟୁ ସେଣ୍ଟରରେ ଶୁଆଟିକୁ ତା' ନାଁରେ ଡାକିଲେ। ସେ କହିଲେ, "Hi Barney!" ଶୁଆଟି ସାଙ୍ଗେ ସାଙ୍ଗେ ଏମିତି ପ୍ରତିକ୍ରିୟା ଦେଲା, ଯେମିତି ସେ ୯ ବର୍ଷ ପରେ ପୁଣି ନିଜର ପରିଚୟ ଖୋଜି ପାଇଛି। ଏହି ଏକ ସେକେଣ୍ଡର ଦୃଶ୍ୟ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଭାବୁକ କରିଦେଇଥିଲା। ବାର୍ଣ୍ଣି କେବେବି ନିଜ ମାଲିକଙ୍କ ଦିଆଯାଇଥିବା ନାଁକୁ ଭୁଲିନଥିଲା।
ଅନେକ ଲୋକ ବାର୍ଣ୍ଣିକୁ ନିଜର ବୋଲି ଦାବି କରିଥିଲେ, କିନ୍ତୁ ମାଇକ୍ରୋଚିପ୍ ରବର୍ଟଙ୍କୁ ତାଙ୍କର ପ୍ରିୟ ବନ୍ଧୁ ଫେରାଇଦେଲା। ଆଜି ବାର୍ଣ୍ଣି ରବର୍ଟଙ୍କ ନୂଆ ଘରେ ଖୁସିରେ ଅଛି। ସୋସିଆଲ ମିଡିଆରେ ଲୋକମାନେ କହୁଛନ୍ତି, "ସତ ପ୍ରେମ କେବେବି ରାସ୍ତା ଭୁଲେନାହିଁ।" ୯ ବର୍ଷର ଏହି ବିଚ୍ଛେଦ ଆଜି ଏକ ସୁନ୍ଦର ମିଳନରେ ପରିଣତ ହୋଇଛି। ରବର୍ଟଙ୍କ ଆଖିରେ ଆଜି ଖୁସିର ଲୁହ, କାରଣ ତାଙ୍କ ପରିବାରର ସେହି ହଜିଯାଇଥିବା ସଦସ୍ୟ ପୁଣିଥରେ ଘରକୁ ଫେରିଆସିଛି।
ଏହି କାହାଣୀ ଶିଖାଏ ଯେ, ଦୁନିଆରେ ଯେତେ ବଡ଼ ବାଧାବିଘ୍ନ ଆସିଲେ ମଧ୍ୟ, ଭଲପାଇବା ଏବଂ ବିଶ୍ୱାସର ଜୟ ସବୁବେଳେ ହୋଇଥାଏ।

2 days ago
4


