Student Death: ବି.ଏଡ୍‌ ପଢ଼ିବା ସ୍ୱପ୍ନ ଅଧୁରା: ଗୋଆରେ ଦାଦନ ଖଟୁଥିବା ଛାତ୍ରଙ୍କ ମୃତ୍ୟୁ

1 month ago 10
ARTICLE AD BOX

ପାରଳାଖେମୁଣ୍ଡି: ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଘର ଛାଡ଼ି ଗୋଆକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ବି.ଏଡ୍‌ରେ ନାମ ଲେଖାଇ ଶିକ୍ଷକ ହେବାର ସ୍ୱପ୍ନ ଦେଖିଥିବା ଏହି ଯୁବକଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଭଳି ଦୁଃଖଦ ଘଟଣା ଗଜପତିଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡେଙ୍ଗେସଖାଲ ଗାଁରେ ଘଟିଛି। ମୃତ ଯୁବକ ହେଲେ ଡେଙ୍ଗେସଖାଲ ଗାଁର ମୁନା ନାୟକ। ସେ ବି.ଏ. ପାସ୍ କରିବା ପରେ ବି.ଏଡ୍‌ରେ ଆଡମିସନ୍ ନେଇ ଶିକ୍ଷକ ହେବାକୁ ଇଚ୍ଛା ରଖିଥିଲେ। କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଆଡମିସନ୍ ପାଇଁ ଆବଶ୍ୟକ ଅର୍ଥ ସଂଗ୍ରହ କରିବା ଉଦ୍ଦେଶ୍ୟରେ ସେ ଗୋଆକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ।

ମୃତଦେହ ଘରକୁ ଆଣିବାକୁ ମଧ୍ୟ ଅସହାୟ ପରିବାର

ମୁନାଙ୍କ ବାପାଙ୍କର ପ୍ରାୟ ୧୩ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିଲା। ଏହା ପରଠାରୁ ତାଙ୍କ ମା' ଅନେକ କଷ୍ଟରେ ତିନି ପୁଅ ଓ ଜଣେ ଝିଅଙ୍କୁ ପାଳନପୋଷଣ କରିବା ସହ ପାଠ ପଢ଼ାଇ ଆସୁଥିଲେ। ପରିବାରର ବଡ଼ ପୁଅ ହୋଇଥିବାରୁ ମୁନା ନିଜ ପାଠପଢ଼ା ସହ ପରିବାରର ଦାୟିତ୍ୱ ମଧ୍ୟ ବୁଝୁଥିଲେ। ସେଥିପାଇଁ ନିଜ ସ୍ୱପ୍ନ ସାକାର କରିବା ଆଶାରେ ବାହାର ରାଜ୍ୟକୁ ଯାଇଥିଲେ। ହେଲେ ଗୋଆରେ ତାଙ୍କର ମୃତ୍ୟୁ ଖବର ଆସିବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଅନ୍ୟପକ୍ଷରେ, ଗରିବ ପରିବାର ହୋଇଥିବାରୁ ଗୋଆରୁ ମୁନାଙ୍କ ମୃତଦେହକୁ ଜନ୍ମମାଟିକୁ ଆଣିବା ପାଇଁ ପରିବାର ପାଖରେ ଆର୍ଥିକ ସମ୍ବଳ ନାହିଁ। ତେଣୁ ସରକାର ଓ ପ୍ରଶାସନ ତୁରନ୍ତ ସହାୟତା କରି ମୃତଦେହକୁ ଗାଁକୁ ଆଣିବାର ବ୍ୟବସ୍ଥା କରିବାକୁ ପରିବାର ସଦସ୍ୟମାନେ ନିବେଦନ କରିଛନ୍ତି। ଏହି ଘଟଣା ପୁଣିଥରେ ଦାରିଦ୍ର୍ୟ, ଉଚ୍ଚଶିକ୍ଷା ପାଇଁ ଆର୍ଥିକ ବାଧା ଏବଂ ଦାଦନ ସମସ୍ୟାର କରୁଣ ଚିତ୍ରକୁ ସାମ୍ନାକୁ ଆଣିଛି।

Roads Flooded: ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷାରେ ଉବୁଟୁବୁ ରାସ୍ତାଘାଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.