ARTICLE AD BOX
ନୂଆଦିଲ୍ଲୀ:ଟାଟା ଗ୍ରୁପ୍ଦର ମୂଳ କମ୍ପାନି ଟାଟା ସନ୍ସକୁ ନେଇ ଚାଲିଥିବା ପରିଚାଳନାଗତ ବିବାଦ ଉପରେ ଦେଶର ପୁଞ୍ଜି ବଜାର ନିୟାମକ ସଂସ୍ଥା ସେବି (ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ) ନଜର ରଖିଛି। ଶନିବାର କୋଲକାତାରେ ଭାରତ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେବି ଅଧ୍ୟକ୍ଷ ତୁହିନ କାନ୍ତ ପାଣ୍ଡେ ଏହି ସୂଚନା ଦେଇଛନ୍ତି।
ଟାଟା ସନ୍ସ ଏକ ଅଣତାଲିକାଭୁକ୍ତ କମ୍ପାନି ହୋଇଥିଲେ ମଧ୍ୟ ଏହା ଅଧୀନରେ ଥିବା ତାଲିକାଭୁକ୍ତ କମ୍ପାନିଗୁଡ଼ିକ ସେବିର ସମସ୍ତ ନିୟମ ପାଳନ କରିବାକୁ ବାଧ୍ୟ। ବିଶେଷକରି କମ୍ପାନିର ଆର୍ଥିକ ଓ ପରିଚାଳନାଗତ ତଥ୍ୟ ପ୍ରକାଶ କରିବା ସହ କର୍ପୋରେଟ୍ ପରିଚାଳନା ସମ୍ପର୍କିତ ନିୟମ ପାଳନ ଉପରେ ସେବି ନଜର ରଖିଛି।
ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି
ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି ଏବଂ କମ୍ପାନିକୁ ଷ୍ଟକ୍ ଏକ୍ସଚେଞ୍ଜ୍ରେ ତାଲିକାଭୁକ୍ତ କରିବା ପ୍ରସଙ୍ଗକୁ ନେଇ ମତଭେଦ ଦେଖାଦେଇଛି। ଟାଟା ଟ୍ରଷ୍ଟସ୍ ଓ ଟାଟା ସନ୍ସର ପରିଚାଳନା ମଧ୍ୟରେ ଏହି ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସେବି ଅଧ୍ୟକ୍ଷ କହିଛନ୍ତି ଯେ, ଟାଟା ଗ୍ରୁପ୍ର ତାଲିକାଭୁକ୍ତ କମ୍ପାନି ଏବଂ ସେଗୁଡ଼ିକର ପ୍ରମୋଟରମାନେ ନିୟାମକ ସଂସ୍ଥାର ନିୟମ ପରିସରଭୁକ୍ତ। ତେବେ ଏହି ବିବାଦ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଅନିୟମିତତା କିମ୍ବା ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ବିଷୟରେ ସେ କିଛି କହିନାହାନ୍ତି।
ସୂଚନାଯୋଗ୍ୟ, ଟାଟା ସନ୍ସରେ ଟାଟା ଟ୍ରଷ୍ଟସ୍ର ପ୍ରାୟ ୬୬ ପ୍ରତିଶତ ଅଂଶଧନ ରହିଥିବାବେଳେ ସାପୁରଜୀ ପାଲୋଞ୍ଜୀ ଗ୍ରୁପ୍ର ପ୍ରାୟ ୧୮.୪ ପ୍ରତିଶତ ଅଂଶଧନ ରହିଛି।

59 minutes ago
2


