ARTICLE AD BOX
ମଲାନା! ଯେଉଁଠି ପାହାଡ଼ କହେ ପବନର କାହାଣୀ। ବାସିନ୍ଦା ବଖାଣନ୍ତି ନିଜ ସମୃଦ୍ଧ ଇତିହାସର ଇତିବୃତ୍ତ। ଅତୀତର ରୋମାଞ୍ଚ, ବର୍ତ୍ତମାନର ବାସ୍ତବତା ଓ ଭବିଷ୍ୟତର ସ୍ବପ୍ନ ବି ତୋଳିଧରନ୍ତି ସେମାନେ କଥାକାହାଣୀରେ। ପୌରାଣିକ କାହାଣୀ ଓ କିଂବଦନ୍ତି ଏବଂ ହିମାଳୟର ସାଂସ୍କୃତିକ ବିଭବ ବିଜଡ଼ିତ ମଲାନା ସବୁବେଳେ ସମସ୍ତଙ୍କ ପାଇଁ ରହସ୍ୟମୟ ହୋଇ ରହିଆସିଛି। ପ୍ରତିବର୍ଷ ବହୁ ଶ୍ରମ ସ୍ବୀକାର କରି ଏଠାକୁ ଛୁଟି ଆସନ୍ତି ହଜାର ହଜାର ପର୍ଯ୍ୟଟକ। ସେତିକି ନୁହେଁ, ପ୍ରାଚୀନ ପରମ୍ପରାକୁ ବକ୍ଷରେ ସାଇତି ମଲାନାର ଲୋକେ ନିଜ ପରିଚୟ ଓ ଅସ୍ତିତ୍ୱକୁ ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆ ମଧ୍ୟରେ ସଂରକ୍ଷିତ କରିଛନ୍ତି। ମଲାନା ଗାଁ’ର ନିଚ୍ଛକ ମାନବୀୟ କାହାଣୀ, ରହସ୍ୟରୁ ରୋମାଞ୍ଚ ଏବଂ ଅଭିଳାଷ ଓ ଅବସୋସକୁ ନେଇ ବିଭୂତି ପତିଙ୍କ ରିପୋର୍ଟ।
ମଲାନା କେଉଁଠି? ହିମାଚଳ ପ୍ରଦେଶର ପାର୍ବତ୍ୟ ଇଲାକାର କ୍ଷୁଦ୍ର ଗାଁ। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ମଲାନା କିନ୍ତୁ ବହୁ ଅଜବଗଜବ କାହାଣୀର ଅନ୍ତୁଡ଼ିଶାଳ। ପୁଣି ସେଠି ପ୍ରଚଳିତ ଅଛି ଶହ ଶହ ବର୍ଷ ପୁରୁଣା ଆଇନକାନୁନ। ସେସବୁ ନମାନିଲେ ଜରିମାନା ଦେବାକୁ ପଡ଼େ। ଅବଶିଷ୍ଟ ଭାରତଠାରୁ ତାହା ବହୁ ଭାବେ ଭିନ୍ନ କହିଲେ ଅତ୍ୟୁକ୍ତି ହେବନାହିଁ। ରାଜଧାନୀ ଦିଲ୍ଲୀରୁ ଏହାର ଦୂରତ୍ବ ପ୍ରାୟ ୫୪୦ କିଲୋମିଟର୍। ଦିଲ୍ଲୀରୁ ଭଲ୍ବୋ ବସ୍ରେ ଭୁନ୍ତର କିଂବା କାସାଲ୍ ଯାଇ ସେଠାରୁ ଟ୍ୟାକ୍ସି ଯୋଗେ ମଲାନା ଯିବାକୁ ପଡ଼େ। ତେବେ ମଲାନା ଗାଁରେ ପହଞ୍ଚିବା ଲାଗି କିଛି ବାଟ ପାହାଡ଼ ଚଢ଼ି ଅତିକ୍ରମ କରିବାକୁ ହୋଇଥାଏ। ହିମାଳୟ କୋଳରେ ଥିବା ଏହି ଛୋଟ ଗାଁରେ ପାଦ ରଖିବା ପରେ ଯାତ୍ରାର ସମସ୍ତ କ୍ଳାନ୍ତି କିନ୍ତୁ ନିମିଷକରେ ଦୂର ହୋଇଯାଏ।
/filters:format(webp)/sambad/media/media_files/2026/08/23/fshfhshfsfhs-2026-08-23-01-51-07.jpg)
କାହାକୁ ଛୁଇଁବେ ନାହିଁ!
ମଲାନାକୁ ନେଇ ଅନେକ କାହାଣୀ, ଅନେକ ରହସ୍ୟ ଏବଂ ଅସଂଖ୍ୟ ରୋମାଞ୍ଚକ ଜନଶ୍ରୁତି ପ୍ରଚଳିତ। କେହି ଏହାକୁ ବିଶ୍ୱର ପ୍ରାଚୀନତମ ଗଣତନ୍ତ୍ର କହନ୍ତି ତ କେହି ଆଲେକ୍ଜାଣ୍ଡର୍ଙ୍କ ସୈନିକଙ୍କ ବଂଶଧରମାନଙ୍କ ଗାଁ ବୋଲି ବିଶ୍ୱାସ କରନ୍ତି। ସେହିପରି, ବିଶ୍ୱସ୍ତରରେ ପ୍ରକୃତିଦତ୍ତ ସର୍ବୋତ୍କୃଷ୍ଟ, ଶୁଦ୍ଧ ଓ ବିଶେଷ ସୁଗନ୍ଧଯୁକ୍ତ ଗଞ୍ଜେଇ ମଲାନାରେ ମିଳିଥାଏ। ସେଥିରୁ ପ୍ରସ୍ତୁତ ନିଶାଦ୍ରବ୍ୟ ‘ମଲାନା କ୍ରିମ୍’ ଖୁବ୍ ପ୍ରସିଦ୍ଧ। ସକାଳୁ ସକାଳୁ ମଲାନାରେ ପହଞ୍ଚିବା ପରେ ଆମକୁ ସବୁଠାରୁ ଆଶ୍ଚର୍ଯ୍ୟ କରିଥିଲା ସେଠାକାର ଛୁଆଁଅଛୁଆଁ ପ୍ରଥା!
ପାହାଡ଼ିଆ ପଥରରେ ତିଆରି ସରୁ ରାସ୍ତା କଡ଼େ କଡ଼େ ମୁଣ୍ଡ ଟେକି ଛିଡ଼ା ହୋଇଥିଲେ ଶତାବ୍ଦୀ ଶତାବ୍ଦୀ ପୁରୁଣା କାଠଘର। ଛୋଟ ଛୋଟ ପିଲାମାନେ ଅଗଣାରେ ଖେଳୁଥିଲେ। ବୟସ୍କ ପୁରୁଷମାନେ ପାରମ୍ପରିକ ଉଲ୍ ପୋଷାକ ପିନ୍ଧି ଘର ଆଗରେ ବସିଥିଲେ। ମହିଳାମାନେ ମୁଣ୍ଡରେ ଜାଳେଣି କାଠର ବୋଝ ବୋହି ଗାଁ’ର ସରୁ ଗଳି ଦେଇ ବାଟ ଚାଲୁଥିଲେ। ଜୀବନ ସାଧାରଣ ଲାଗୁଥିଲେ ବି ତା’ ଭିତରେ ଲୁଚି ରହିଥିଲା ଏକ ଅଦୃଶ୍ୟ ସତର୍କବାଣୀ- “ଏଠି କାହାକୁ ଛୁଇଁବେ ନାହିଁ।” ମଲାନା ଅଭିମୁଖେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆମ ଗାଡ଼ି ଚାଳକ ଏକଥା ବାରମ୍ବାର ଦୋହରାଇଥିଲେ। ସେ କହିଥିଲେ,‘‘ମନେ ରଖିବେ- ସେଠି କାହାକୁ ଛୁଇଁବେ ନାହିଁ। କୌଣସି ଘରର କାନ୍ଥରେ ଆଉଜି କିଂବା ଭରା ଦେଇ ଛିଡ଼ା ହେବେନାହିଁ। ମନ୍ଦିର ଭିତରେ ପ୍ରବେଶ କରିବା କଥା ତ ଉଠୁନାହିଁ।”
/filters:format(webp)/sambad/media/media_files/2026/08/23/fshfhshfhffsrt-2026-08-23-01-51-18.jpg)
ଗାଁ’ରେ ପହଞ୍ଚି ଏହାର ସତ୍ୟତା ଆମେ ମର୍ମେ ମର୍ମେ ଅନୁଭବ କରିଥିଲୁ। ଘର ଓ ଦେବାଳୟ ସାମ୍ନାରେ ଲାଗିଥିବା ଇଂରାଜୀ ଓ ହିନ୍ଦୀର କାଠ ଫଳକଗୁଡ଼ିକ ପର୍ଯ୍ୟଟକମାନଙ୍କୁ ଦୂରତା ବଜାୟ ରଖିବାକୁ ସ୍ମରଣ କରାଉଥିଲା। ଏଠାରେ ଅଜାଣତରେ କୌଣସି କାନ୍ଥ, ମନ୍ଦିର କିମ୍ବା ଗାଁ’ର କୌଣସି ବ୍ୟକ୍ତିଙ୍କୁ ସ୍ପର୍ଶ କଲେ ଜରିମାନା ଦେବାକୁ ପଡ଼ିପାରେ! ଆମେ ରାସ୍ତାକଡ଼ର ଏକ ଛୋଟ ଦୋକାନରୁ ପାଣି ବୋତଲ କିଣିବା ବେଳେ ପରମ୍ପରା ଅନୁଯାୟୀ ଗୋଟିଏ କାଠ ପାତ୍ରରେ ଟଙ୍କା ରଖିଲୁ ଏବଂ ଦୋକାନୀ ସେହି ପାତ୍ରରେ ପାଣିବୋତଲ ରଖିଦେଇ ନେବାକୁ ସୂଚିତ କଲେ। ଏଠାରେ ଗ୍ରାହକଙ୍କ ହାତରୁ ଦୋକାନୀ ସିଧାସଳଖ ଟଙ୍କା ନିଅନ୍ତି ନାହିଁ। ତେଣୁ, ଏକ ଛୋଟ କାଠ ପାତ୍ର ଉପରେ ଟଙ୍କା ରଖାଯାଏ, ସେଠାରୁ ଦୋକାନୀ ତାହା ଉଠାନ୍ତି ଓ ସେହି ପାତ୍ରରେ ସାମଗ୍ରୀ ରଖି ଦିଅନ୍ତି।
ମଲାନାର ଅଙ୍କାବଙ୍କା ସରୁ ଗଳିରେ ବୁଲିବା ସମୟରେ ଆମେ ଗାଁଲୋକଙ୍କ ସହ କଥାବାର୍ତ୍ତା କରି ଅନୁଭବ କଲୁ ଯେ ଏହା ପର୍ଯ୍ୟଟନ ମାନଚିତ୍ରରେ ବର୍ଣ୍ଣିତ କୌଣସି ସ୍ୱର୍ଗ ନୁହେଁ, କିମ୍ବା ବାହାର ଲୋକଙ୍କ କଳ୍ପନାର ନିଷିଦ୍ଧ ରହସ୍ୟମୟ ଭୂମି ମଧ୍ୟ ନୁହେଁ। “ଆମ ଗାଁଗଣ୍ଡା କାହାଣୀ ପଛରେ ରହିଛି ଅନେକ ଆବେଗ ଓ ନିଷ୍ଠୁର ବାସ୍ତବତା।’’ ସମୁଦ୍ରପତନ ଠାରୁ ପ୍ରାୟ ୨,୬୫୦ ମିଟର ଉଚ୍ଚରେ ଅବସ୍ଥିତ ଏହି ଦୁର୍ଗମ ଗାଁ ପିଢ଼ି ପିଢ଼ି ଧରି ଭାରତର ସାଂସ୍କୃତିକ ମାନଚିତ୍ରରେ ବିଶେଷ ସ୍ଥାନ ଦଖଲ କରିଆସିଛି। ପ୍ରାଚୀନ ଗ୍ରାମ ପରିଷଦ, ରହସ୍ୟମୟ ‘କନାଶୀ’ ଭାଷା, ଆଲେକ୍ଜାଣ୍ଡାର୍ଙ୍କ ସହ ଜଡ଼ିତ କିଂବଦନ୍ତି ଏବଂ ବିବାଦୀୟ କିନ୍ତୁ ବିଶ୍ୱପ୍ରସିଦ୍ଧ ‘ମଲାନା କ୍ରିମ୍’ ଭଳି ସାମଗ୍ରୀକୁ ନେଇ ମଲାନା ସବୁବେଳେ ଚର୍ଚ୍ଚାରେ ରହିଛି। ହେଲେ ଏସବୁ କାହାଣୀ ଆଗନ୍ତୁକ ସାମ୍ବାଦିକ ଓ ଅତିଥିଙ୍କୁ ସର୍ବଦା ଆମୋଦିତ କରିଥାଏ।
ପ୍ରଥା ପଛର କଥା
ମଲାନା ଗ୍ରାମବାସୀ ବିଶ୍ବାସ କରନ୍ତି କି ବାହାର ଲୋକଙ୍କ ସ୍ପର୍ଶ ପାଇଲେ ବ୍ୟକ୍ତି, ଘର ଓ ପବିତ୍ର ସ୍ଥାନର ଆଚାରଗତ ପବିତ୍ରତା ପ୍ରଭାବିତ ହୋଇପାରେ। ସେଥିପାଇଁ ପର୍ଯ୍ୟଟକମାନଙ୍କୁ ଗାଁକୁ ଆସିବାକୁ ସ୍ୱାଗତ କରାଗଲେ ବି ଏହି ସାମାଜିକ ପ୍ରଥାକୁ ସମ୍ମାନ ଜଣାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଥାଏ। ଏହା ସେମାନଙ୍କୁ ପୂର୍ବପୁରୁଷଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ମିଳିଥିବା ସାମାଜିକ ଆଚରଣର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଭାରତୀୟ ସମ୍ବିଧାନ ସମାନତା, ସାମାଜିକ ସମ୍ପର୍କ ଏବଂ ସମାବେଶୀ ଚିନ୍ତାଧାରାକୁ ଗୁରୁତ୍ୱ ଦେଉଥିବା ବେଳେ, ମଲାନାେର ଛୁଅଁାଅଛୁଅଁା ପ୍ରଥା ଅନେକ ପ୍ରଶ୍ନ ସୃଷ୍ଟି କରେ। କିନ୍ତୁ, ଏହାକୁ ସମ୍ମାନ ଜଣାଇ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏଠାକୁ ଛୁଟି ଆସନ୍ତି ଏବଂ ନିର୍ଦ୍ଦିଷ୍ଟ ଦୂରତା ବଜାୟ ରଖି ମଲାନା ସେମାନଙ୍କୁ ସ୍ୱାଗତ କରେ। ପର୍ଯ୍ୟଟକମାନେ ଏଠାକୁ ଆସନ୍ତି ପ୍ରାଚୀନ ପରମ୍ପରା, ଦୁଃସାହସିକ ଅନୁଭୂତି ଏବଂ ରହସ୍ୟ ସନ୍ଧାନ କରିବାକୁ। ପର୍ଯ୍ୟଟକଙ୍କ ସହିତ ଆସେ ଏହି ଗାଁ ପାଇଁ ଅାର୍ଥିକ ପ୍ରଗତି। ବିସ୍ମୟର ବିଷୟ ହେଲା, ଏଠାରେ ସାମାଜିକ ଖୋଲାପଣ ଓ ରକ୍ଷଣଶୀଳତା ଏକାସାଙ୍ଗରେ ବଞ୍ଚିଛି। ଭାରତର ଅନ୍ୟକୌଣସି ଗାଁରେ ଏହି ବିପରୀତ ଚିତ୍ର ଏତେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳେନାହିଁ ବୋଲି ସ୍ଥାନୀୟ ଯୁବକ ନୁର୍ମାଙ୍ଗ ମନସି ଆମକୁ କହିଥିଲେ।
ଜମଲୁ ଦେବତାଙ୍କ ଗଣତନ୍ତ୍ର
ପାହାଡ଼ ହିଁ ମଲାନାର ପରିଚୟ ଓ ସୁରକ୍ଷା କବଚ। ମଲାନା ସଂସ୍କୃତି ଗଢ଼ିଉଠିବାରେ ଭୌଗୋଳିକ ଅବସ୍ଥିତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମୁଦ୍ର ପତ୍ତନଠାରୁ ୩୬୬୦ ମିଟର୍ ଉଚ୍ଚରେ ଅବସ୍ଥିତ ହିମାଳୟର ଚନ୍ଦ୍ରଖାନୀ ଓ ଦେଓ ତିବ୍ବା ସୁଉଚ୍ଚ ମନୋରମ ଗିରିଶୃଙ୍ଗ ଏବଂ ପାହାଡ଼ିଆ ବେଗବତୀ ମଲାନା ଝର ଦ୍ୱାରା ଘେରି ହୋଇଥିବା ଏହି ଗାଁ ଶତାବ୍ଦୀ ଶତାବ୍ଦୀ ଧରି ବାହ୍ୟ ଜଗତଠାରୁ ପ୍ରାୟ ବିଚ୍ଛିନ୍ନ ରହିଥିଲା। ନିକଟ ଅତୀତରେ ଏଠାରେ ପହଞ୍ଚିବାକୁ କଠିନ ପାହାଡ଼ିଆ ପଥରେ ପ୍ରାୟ ୪ଘଣ୍ଟା ପଦଯାତ୍ରା କରିବାକୁ ପଡୁଥିଲା। ଏହି ଦୁର୍ଗମ ଭୌଗୋଳିକ ଅବସ୍ଥିତି ମଲାନାକୁ ବାହ୍ୟ ପ୍ରଭାବରୁ ସୁରକ୍ଷା ଦେଇଥିଲା ଏବଂ ପିଢ଼ି ପରେ ପିଢ଼ି ତା’ର ପରମ୍ପରାକୁ ଅକ୍ଷୁଣ୍ଣ ରଖିବାରେ ସାହାଯ୍ୟ କରିଥିଲା। ଏହି ଭୌଗୋଳିକ ଅବସ୍ଥିତି ଗ୍ରାମର ସାମାଜିକ ପରମ୍ପରା ସହିତ ଗାଁର ପ୍ରଶାସନ ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରିଥିଲା।
ମଲାନାର ଲୋକମାନେ ଗର୍ବର ସହ କହନ୍ତି, ସେମାନଙ୍କ ଗାଁ ବିଶ୍ୱର ପ୍ରାଚୀନତମ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରୁ ଗୋଟିଏ। ଏଠାର ପାରମ୍ପରିକ ପ୍ରଶାସନ ଗ୍ରାମ ପରିଷଦକୁ କେନ୍ଦ୍ରକରି ଚାଲିଥାଏ, କିନ୍ତୁ ସର୍ବୋଚ୍ଚ କ୍ଷମତା ଗ୍ରାମର ଆରାଧ୍ୟ ଜମଲୁ ଦେବତାଙ୍କଠାରେ ନିହିତ। ‘ଗୁର୍’ ନାମଧାରୀ ପୂଜକଙ୍କ ଇଚ୍ଛା ଅନୁଯାୟୀ ଗ୍ରାମର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଏ। କୁହାଯାଏ, ପୂଜକ ହେଉଛନ୍ତି ଜମଲୁ ଦେବତାଙ୍କ ଦୈବବାଣୀ ବାହକ। ଏହାକୁ ବିଶ୍ୱର ପ୍ରାଚୀନତମ ଗଣତନ୍ତ୍ର ବୋଲି କୁହାଯାଇପାରିବ କି ନାହିଁ, ସେ ନେଇ ଇତିହାସ ବିଶାରଦମାନଙ୍କ ମଧ୍ୟରେ ମତଭେଦ ରହିଛି। କିନ୍ତୁ, ଏହା ନିଃସନ୍ଦେହ ଯେ ଶତାବ୍ଦୀ ଶତାବ୍ଦୀ ଧରି ମଲାନା ଏକ ଭିନ୍ନ ସାମୁଦାୟିକ ଶାସନ ବ୍ୟବସ୍ଥାକୁ ଜୀବନ୍ତ ରଖିଆସିଛି। ଆଜି ମଧ୍ୟ ଗ୍ରାମବାସୀଙ୍କ ମନରେ ଏହି ପରମ୍ପରା ପ୍ରତି ଗଭୀର ସମ୍ମାନ ରହିଛି। ତେବେ, ମଲାନା ସମ୍ପୂର୍ଣ୍ଣ ଭାବେ ଆଧୁନିକ ଭାରତଠାରୁ ବିଚ୍ଛିନ୍ନ ବୋଲି ରହିଥିବା ଧାରଣା ମଧ୍ୟ ଏକ ଭ୍ରାନ୍ତି। ଏଠାକୁ ସରକାରୀ ଅଧିକାରୀମାନେ ଆସନ୍ତି। ନିର୍ବାଚନ ହୁଏ। ସରକାରୀ ବିକାଶ ଯୋଜନାର ସୁବିଧା ଗ୍ରାମବାସୀଙ୍କ ପାଖରେ ପହଞ୍ଚେ। ଯୁବପିଢ଼ି ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି, ଇଣ୍ଟର୍ନେଟ୍ ସହ ଯୋଡ଼ିହୋଇ ରହନ୍ତି ଏବଂ ଜାତୀୟ ରାଜନୀତି ଉପରେ ମଧ୍ୟ ନଜର ରଖନ୍ତି ବୋଲି କହନ୍ତି କାମଲୀନ ମେଙ୍ଗଚା।
ଆଲେକ୍ଜାଣ୍ଡର୍ଙ୍କ ବଂଶଧର!
ପ୍ରଚଳିତ ଜନଶ୍ରୁତି ଅନୁଯାୟୀ, ଖ୍ରୀଷ୍ଟପୂର୍ବ ୩୨୬ରେ ଭାରତ ଅଭିଯାନ ସମୟରେ ଆଲେକ୍ଜାରଣ୍ଡର୍ଙ୍କ ସେନାବାହିନୀର କିଛି ସୈନିକ ଏଠାରେ ରହିଯାଇଥିଲେ ଏବଂ ଆଜିର ମଲାନାବାସୀ ସେମାନଙ୍କ ବଂଶଧର। ଏହି କାହାଣୀ ବହୁ ଭ୍ରମଣ ପୁସ୍ତକ, ବୃତ୍ତଚିତ୍ର ଓ ଅସଂଖ୍ୟ ଆଲୋଚନାରେ ସ୍ଥାନ ପାଇଛି। ଗ୍ରାମବାସୀଙ୍କ ଶାରୀରିକ ଗଠନ, ସେମାନଙ୍କର ବିଚ୍ଛିନ୍ନ ଜୀବନଶୈଳୀ ଏବଂ ଭିନ୍ନ ଭାଷାକୁ ଏହି ଦାବିର ସମର୍ଥନରେ ଉପସ୍ଥାପନ କରାଯାଇଛି। କିନ୍ତୁ, ଇତିହାସ ଏତେ ସରଳ ନୁହେଁ। ଏହାକୁ ନେଇ ଆଜିପର୍ଯ୍ୟନ୍ତ କୌଣସି ନିର୍ଭରଯୋଗ୍ୟ ପ୍ରତ୍ନତାତ୍ତ୍ୱିକ କିମ୍ବା ଆନୁବଂଶିକ ପ୍ରମାଣ ମିଳିନାହିଁ, ଯାହା ମଲାନା ଓ ଆଲେକ୍ଜାଣ୍ଡର୍ଙ୍କ ସେନାବାହିନୀ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରେ। ଅନେକ ସ୍ଥାନୀୟ ବାସିନ୍ଦା ମଧ୍ୟ ଏହି ତତ୍ତ୍ବକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି ବୋଲି ଗ୍ରାମର ଯୁବକ ମୋମିନ ଆନସି ମତ ଦେଇଥିଲେ। ଜଣେ ଗ୍ରାମବାସୀଙ୍କୁ ଆଲେକ୍ଜାଣ୍ଡର୍ଙ୍କ ସମ୍ପର୍କରେ ପଚାରିବାରୁ ସେ ହସି କହିଲେ, “ଏହି କାହାଣୀ ଆମେ ବର୍ଷ ବର୍ଷ ଧରି ଶୁଣୁଛୁ। କିନ୍ତୁ ଏହାର ଆରମ୍ଭ କେଉଁଠୁ ହୋଇଥିଲା, ତାହା ଆମେ ମଧ୍ୟ ଜାଣିନାହୁଁ।” ମାତ୍ର ତାଙ୍କ କଥାରେ ଗୋଟିଏ ଗଭୀର ସତ୍ୟ ଲୁଚିଥିଲା। ମଲାନାବାସୀଙ୍କ ପାଇଁ ସେମାନଙ୍କ ପରିଚୟ କୌଣସି ବିଦେଶୀ ବଂଶଧାରା ଉପରେ ନିର୍ଭର କରେନାହିଁ। ସେମାନେ ନିଜର ଅତୀତକୁ ବାହାରେ ଖୋଜନ୍ତି ନାହିଁ। ସେମାନେ ନିଜକୁ କେବଳ ମଲାନାବାସୀ ବୋଲି ପରିଚୟ ଦେବାରେ ଗର୍ବ ଓ ଗୌରବ ଅନୁଭବ କରନ୍ତି।
ପରିଚୟର ସ୍ୱର ‘କନାଶୀ’
ମଲାନା ଗ୍ରାମର ସବୁଠାରୁ ବଡ଼ ପରିଚୟ ସମ୍ଭବତଃ ତାଙ୍କର କିଂବଦନ୍ତି ନୁହେଁ, ବରଂ ନିଜସ୍ବ ଭାଷା ‘କନାଶୀ’। କନାଶୀ ଏମିତି ଏକ ଭାଷା, ଯାହା କେବଳ ଏହି ଗାଁ ଭିତରେ କୁହାଯାଏ ଏବଂ ଏହା ଭାରତେର ସବୁଠାରୁ କମ୍ ଅଧ୍ୟୟନ କରାଯାଇଥିବା ଭାଷାମାନଙ୍କ ମଧ୍ୟରୁ ଅନ୍ୟତମ। ଭାଷାବିତ୍ମାନେ ଏହାକୁ ସିନୋ-ତିବ୍ବତୀୟ ଭାଷା ପରିବାରର ଅନ୍ତର୍ଗତ ବୋଲି ମନେ କରନ୍ତି। ପାର୍ଶ୍ୱବର୍ତ୍ତୀ ହିମାଳୟ ଅଞ୍ଚଳର ଇଣ୍ଡୋ-ଆର୍ଯ୍ୟ ଭାଷାଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ଏହି ଭାଷା ପ୍ରାୟତଃ ମୌଖିକ ପରମ୍ପରାରେ ବଞ୍ଚିରହିଛି। ଗାଁ ବାହାରେ ଏହା ଶିକ୍ଷା ଦିଆଯାଏ ନାହିଁ କି, ଏହାର କୌଣସି ବ୍ୟାପକ ଲିଖିତ ପରମ୍ପରା ବି ନାହିଁ। ଗବେଷକଙ୍କ ପାଇଁ କନାଶୀ ପଶ୍ଚିମ ହିମାଳୟର ସାଂସ୍କୃତିକ ଇତିହାସ ବୁଝିବାର ଏକ ଅମୂଲ୍ୟ ମାଧ୍ୟମ। କିନ୍ତୁ ମଲାନାବାସୀଙ୍କ ପାଇଁ ଏହା କେବଳ ଭାଷା ନୁହେଁ, ଏହା ସେମାନଙ୍କ ଅସ୍ମିତା। ରହଣି ସମୟରେ ଆମେ ଦେଖିଲୁ ପର୍ଯ୍ୟଟକଙ୍କ ସହ କଥାବାର୍ତ୍ତା ବେଳେ ଗ୍ରାମବାସୀମାନେ ସହଜରେ ହିନ୍ଦୀ କହୁଥିଲେ, କିନ୍ତୁ ନିଜ ନିଜ ମଧ୍ୟରେ ଆଲୋଚନା କରିବାମାତ୍ରେ କନାଶୀ ଭାଷାରେ ହିଁ କଥା ହେଉଥିଲେ।
ତେବେ, ସରକାମନ (ନାମ ପରିବର୍ତ୍ତିତ) ନାମକ ଜଣେ ବାସିନ୍ଦା ଏ ସଂପର୍କରେ ଆମକୁ କହିଲେ, “ଲୋକେ ଭାବନ୍ତି ମଲାନାର ସବୁକିଛି ଅଲଗା ଓ ନିଖୁଣ। କିନ୍ତୁ ବାସ୍ତବତା ତାହାଠାରୁ ଭିନ୍ନ। କନାଶୀ ଭାଷା ମଧ୍ୟ ଅନ୍ୟ ସବୁ ଜୀବନ୍ତ ଭାଷା ପରି ପରିବର୍ତ୍ତନଶୀଳ, କଷ୍ଟକର ଏବଂ ସମୟ ସହ ବଦଳୁଥିବା ଏକ ଜାତିର ଭାଷା। ଏଥିରେ ବି କାଳକ୍ରମେ ପରିବର୍ତ୍ତନ ଆସିଛି। ତେବେ, ଅନେକ ଆମ ଭାଷା, ପରମ୍ପରା ଓ ଇତିହାସ ବଦଳରେ ‘ମଲାନା କ୍ରିମ୍’ର ପରିଚୟରେ ଆମକୁ ପରିଚିତ କରିବାକୁ ଚାହାନ୍ତି। ତାହା କିନ୍ତୁ ଆମେ ଗ୍ରହଣ କରିପାରୁନାହିଁ।’’ ତାଙ୍କର ଏହି ସରଳ ସ୍ୱୀକାରୋକ୍ତି ଆମ ନିକଟରେ ମଲାନା ଗାଁ ଓ ସ୍ଥାନୀୟ ବାସିନ୍ଦାଙ୍କ ମନୋଭାବର ପରିପ୍ରକାଶ ଥିଲା।
କ’ଣ ଏହି ମଲାନା କ୍ରିମ୍?
ସନ୍ଧ୍ୟା ଧୀରେ ଧୀରେ ହିମାଳୟର ପର୍ବତମାଳା ଉପରେ ଦୂରେଇ ଯାଉଥିଲା ଏବଂ ଅନ୍ଧାର ମାଡ଼ି ଆସୁଥିଲା। କୁହୁଡ଼ି ହିମାଳୟକୁ ଆଚ୍ଛାଦିତ କରିବା ସହ ସରକାମନଙ୍କ ସହିତ ଆମ ଆଲୋଚନା ‘ମଲାନା କ୍ରିମ୍’ ଆଡ଼କୁ ମୁହାଁଇଲା। ମଲାନା ପାଇଁ ଏହି ଦ୍ରବ୍ୟଟି ବିଶ୍ୱ ମାନଚିତ୍ରରେ ସର୍ବାଧିକ ପରିଚୟ ସୃଷ୍ଟି କରିଛି। ଦଶନ୍ଧି ପରେ ଦଶନ୍ଧି ଧରି ‘ମଲାନା କ୍ରିମ୍’ ପର୍ଯ୍ୟଟକଙ୍କ ମଧ୍ୟରେ ଏକ ଆକର୍ଷଣ ଓ ରହସ୍ୟ ପାଲଟିଯାଇଛି। ଅନେକଙ୍କ ମତରେ- ଏହି ଉପତ୍ୟକାର ଗଞ୍ଜେଇରୁ ହାତରେ ପ୍ରସ୍ତୁତ କରାଯାଉଥିବା ହାସିସ୍ ବିଶ୍ୱରେ ଉପଲବ୍ଧ ସର୍ବୋତ୍ତମ ହାସିସ୍ ମଧ୍ୟରୁ ଅନ୍ୟତମ। କେବଳ ହାସିସ୍ ନୁହେଁ, ଏହି ଦୁର୍ଗମ ନିର୍ଜନ ପାହାଡ଼ିଆ ଗାଁ’କୁ ବିଶ୍ୱବ୍ୟାପୀ ପରିଚୟ ପ୍ରଦାନ କରିଛି ଗ୍ରାମବାସୀମାନେ ହାତରେ ଗଞ୍ଜା ଓ ଗଞ୍ଜେଇରୁ ପ୍ରସ୍ତୁତ କରୁଥିବା ମାଦକଦ୍ରବ୍ୟ ‘ମଲାନା କ୍ରିମ୍’। କିନ୍ତୁ ଏହାକୁ ନେଇ ସରକାମନଙ୍କ ଦୃଷ୍ଟିକୋଣ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ସେ ଆମକୁ କହିଲେ, “ମୁଁ ନିଜେ ଗଞ୍ଜେଇ ଚାଷ କରେ। ସ୍ଥାନୀୟ ଗଞ୍ଜେଇର ଗୁଣବତ୍ତା ଉତ୍ତମ, କିନ୍ତୁ ଲୋକେ ଯେପରି ଏହାକୁ ଅଲୌକିକ ଜିନିଷ ଭାବନ୍ତି, ଏହା ସେମିତି କିଛି ନୁହେଁ। ପ୍ରତ୍ୟେକ ଅଞ୍ଚଳର ଲୋକ ନିଜ ଉତ୍ପାଦକୁ ସର୍ବୋତ୍ତମ ବୋଲି ଭାବନ୍ତି। ତେଣୁ, ମଲାନା କ୍ରିମ୍ ସଂକ୍ରାନ୍ତ ରହସ୍ୟ ଓ ରୋମାଞ୍ଚକର ଅନୁଭୂତିର ବହୁଳାଂଶ ପ୍ରଚଳିତ ପୂର୍ବଧାରଣା ଉପରେ ନିର୍ଭର କରେ। ବିଶ୍ୱର ସର୍ବୋତ୍ତମ ମାଦକଦ୍ରବ୍ୟର ଧାରଣା ଏହାକୁ ପ୍ରସିଦ୍ଧ କରିଦେଇଛି।”
ରହସ୍ୟ ସନ୍ଧାନର ଇତିକଥା
ଅନ୍ଧାର ଧୀରେ ଧୀରେ ମଲାନାର ପଥରବିଛା ଗଳିକୁ ଆବୋରି ବସୁଥିଲା। ଆମେ ଫେରିବା ବାଟ ଧରିଲୁ। ପଛକୁ ଚାହିଁ ଦେଖିଲୁ ହିମାଳୟ ଉପରେ ମୁଣ୍ଡ ଟେକିଥିବା କାଠଘର, ନିରବ ପାହାଡ଼, ଦୂରରେ ଜଳୁଥିବା ଦୀପର କ୍ଷୀଣ ଆଲୋକ ଏବଂ ସେହି ଅଛୁଆଁ ବାରୁଥିବା ମଣିଷମାନେ ସବୁ ଆମଠାରୁ ଦୂରେଇ ଯାଉଛନ୍ତି।
ମଲାନା ଗ୍ରାମକୁ ନେଇ ବର୍ଷ ବର୍ଷ ଧରି ଅସଂଖ୍ୟ କାହାଣୀ ଲେଖାଯାଇଛି। କେହି ଏହାକୁ ଆଲେକ୍ଜାଣ୍ଡର୍ଙ୍କ ବିଶ୍ବବିଜୟ ଅଭିଯାନ ବେଳର ଗ୍ରୀକ୍ ବସତି ବୋଲି କହିଛନ୍ତି, କେହି ବିଶ୍ୱର ପ୍ରାଚୀନତମ ଗଣତନ୍ତ୍ର, କେହି ନିଷିଦ୍ଧ ଗାଁ, ଆଉ କେହି ବିଶ୍ୱର ସର୍ବୋତ୍ତମ ହାସିସ୍ ‘ମଲାନା କ୍ରିମ୍’ର ପେଣ୍ଠସ୍ଥଳୀ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରତ୍ୟେକ ବର୍ଣ୍ଣନାରେ ହୁଏତ କିଛି ସତ୍ୟତା ଥାଇପାରେ, କିନ୍ତୁ ଏସବୁ କଦାପି ମଲାନାର ପରିଚୟ ହୋଇପାରେନା। ମଲାନାର ମଣିଷମାନେ ହିଁ ଏହାର ସର୍ବଶ୍ରେଷ୍ଠ ପରିଚୟ। ଏମାନେ ମେଳାପୀ, ସାହାଯ୍ୟକାରୀ ଓ ନିଷ୍କପଟ।
ଆଉ ସେମାନେ ନିଜର ସ୍ୱତନ୍ତ୍ର ପରିଚୟକୁ ନେଇ ଗର୍ବିତ। କିନ୍ତୁ ସମୟ ସହିତ ପରିବର୍ତ୍ତନ ଅନିବାର୍ଯ୍ୟ ବୋଲି ସେମାନଙ୍କର ନୂଆପିଢ଼ି ବୁଝିବାକୁ ଆରମ୍ଭ କରିଛି। ସତରେ କିଂବଦନ୍ତି, ଇତିହାସ, ପରମ୍ପରା ସଙ୍ଗକୁ ହିମାଳୟ ଶିଖରର ନିରବତାର ଆବରଣ ଭିତରେ ଲୁଚିରହି ମଲାନା ମଣିଷର ଅଭିଳାଷ ଓ ଅବସୋସର କାହାଣୀ ବଖାଣୁଛି। ମଲାନା ଓ ଅବଶିଷ୍ଟ ଭୂଖଣ୍ଡ ମଧ୍ୟରେ ଅସଲ ଦୂରତ୍ବ ଦୁର୍ଗମ ପାହାଡ଼ିଆ ପଥ ନୁହେଁ, ବରଂ ଆମର ଅବଧାରଣା ଓ କଳ୍ପନାବିଳାସିତା। ବର୍ଷ ବର୍ଷ ଧରି ଲୋକେ ମଲାନାକୁ ରହସ୍ୟ ସନ୍ଧାନରେ ଆସିଛନ୍ତି, ଏବେ ବି ଆସୁଛନ୍ତି। କିନ୍ତୁ, ଆମକୁ ଏ ଯାତ୍ରା ଶିକ୍ଷା ଦେଲା ଯେ ରହସ୍ୟର ସନ୍ଧାନ କରୁ କରୁ ହିଁ ଏହା ପଛର ଅସଲ କାରଣକୁ ଖୋଜି ପାଇହୁଏ।

4 days ago
3


