ARTICLE AD BOX
ସୁନ୍ଦରଗଡ଼: ପେସାରେ ଛାତ୍ର କିନ୍ତୁ କାମ ଲୁଟ୍। ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍ କରି ଫେରାର ମାରିବା ବେଳେ ପୋଲିସ ହାତରେ ଧରା ପଡିଲା କଲେଜ ପଢୁଆ ଛାତ୍ର । ହାତରେ ବହି-ଖାତା ବଦଳରେ ପିସ୍ତଲ, ଆଉ କଲେଜ କ୍ଲାସରୁମ୍ ବଦଳରେ ବ୍ୟାଙ୍କରେ ଡକାୟତି! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ। ପେଶାରେ ଛାତ୍ର ହେଲେ ବି କାମ ଥିଲା ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍ କରିବା। କନ୍ଦାବାହାଲ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ପୂର୍ବରୁ ଲକ୍ଷାଧିକ ଟଙ୍କା ଲୁଟି ଫେରାର ହୋଇଯାଇଥିବା ଏହି ଛାତ୍ର ଜଣକ ଦ୍ୱିତୀୟ ଥର ପାଇଁ ସମାନ ଢଙ୍ଗରେ ଲୁଟ୍ ଉଦ୍ୟମ କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। କାହିଁକି ଜଣେ କଲେଜ ଛାତ୍ର ବାଛିନେଲା ଅପରାଧର ରାସ୍ତା?
ଘଟଣାଟି ହେଉଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କନ୍ଦାବାହାଲ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର। ଦିନ ଦ୍ୱିପ୍ରହରରେ ବ୍ୟାଙ୍କ କର୍ମଚାରୀମାନେ ଭିତରେ ଟଙ୍କା ଗଣତି କରୁଥିବା ବେଳେ ପଛପଟ ଝରକା କାଚ ଭାଙ୍ଗି ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା ଜଣେ ଦୁର୍ବୃତ୍ତ। ହାତରେ ପିସ୍ତଲ ଦେଖାଇ କବାଟ ଖୋଲିବାକୁ କର୍ମଚାରୀମାନଙ୍କୁ ଦେଇଥିଲା ଜୀବନରୁ ମାରିଦେବାର ଧମକ। ମାତ୍ର ବ୍ୟାଙ୍କ ମ୍ୟାନେଜର ସ୍ମୃତିପ୍ରଭା ମହାରଣା ସାହସିକତା ଦେଖାଇ ତୁରନ୍ତ ସଦର ଥାନାକୁ ଖବର ଦେଇଥିଲେ। ଖବର ପାଇବା କ୍ଷଣି ଟାଉନ୍, ସଦର ଓ ଭସମା ଥାନାର ମିଳିତ ପୋଲିସ ଟିମ୍ ଘଟଣାସ୍ଥଳକୁ ଚାରିପଟୁ ଘେରାବନ୍ଦୀ କରି ମାତ୍ର ୧ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା। ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରିବା ପରେ ଯେଉଁ ସତ ସାମ୍ନାକୁ ଆସିଥିଲା, ତାହା ଶୁଣି ପୋଲିସ ମଧ୍ୟ ତାଜୁବ୍ ହୋଇଯାଇଥିଲା। ଧରାପଡ଼ିଥିବା ମୁଖ୍ୟ ଅଭିଯୁକ୍ତ ଜଣକ ହେଉଛି ଲେଫ୍ରିପଡ଼ା ଥାନା ଭୁର୍ସିଡାଣ୍ଡା ଗ୍ରାମର ୨୧ ବର୍ଷୀୟ ଗୌରବ ମାଝୀ, ଯିଏକି ଭେଡ଼ାବାହାଲ କଲେଜରେ ଯୁକ୍ତ ତିନି (+୩) ର ଛାତ୍ର! ପାଠ ପଢ଼ିବା ପାଇଁ ସେ କନ୍ଦାବାହାଲର ଏକ ଘରୋଇ ହଷ୍ଟେଲରେ ରହୁଥିଲା।
ଟଙ୍କା ଶୁଝିବା ତା' ପାଇଁ କାଠିକର ପାଠ ହୋଇପଡ଼ିଥିଲା
ସୂଚନା ଅନୁଯାୟୀ, ଗୌରବ ତା'ର ଜଣେ ସାଙ୍ଗଠାରୁ ଗୋଟିଏ କ୍ୟାମେରା ଆଣି ଅନ୍ୟ ଜଣକୁ ଭଡ଼ାରେ ଦେଇଥିଲା। କିନ୍ତୁ ସେହି ବ୍ୟକ୍ତି ଜଣକ କ୍ୟାମେରା ନ ଫେରାଇ ଫେରାର ହୋଇଯିବାରୁ କ୍ୟାମେରା ବାବଦ ୫୦ ହଜାର ଟଙ୍କା ଶୁଝିବା ତା' ପାଇଁ କାଠିକର ପାଠ ହୋଇପଡ଼ିଥିଲା। ​ଏହି ୫୦ ହଜାର ଟଙ୍କା ଭରଣା କରିବା ପାଇଁ ଗୌରବ ସିଧା ବ୍ୟାଙ୍କ ଲୁଟ୍ କରିବାକୁ ବାଛିନେଇଥିଲା। ସମ୍ବଲପୁର ରେଙ୍ଗାଲିର ଦୁଇ ବନ୍ଧୁ ଆକାଶ କିଷାନ ଓ ରବି କିଷାନଙ୍କ ସହ ମିଶି ସେ ଏକ ଦେଶୀ ପିସ୍ତଲ ଯୋଗାଡ଼ କରିଥିଲା। ଉକ୍ତ ପିସ୍ତଲ ମୁନରେ ଗତ ସେପ୍ଟେମ୍ବର ୭ ତାରିଖରେ ସେ ମୁହଁରେ ମାସ୍କ ବାନ୍ଧି ଏହି କନ୍ଦାବାହାଲ ଶାଖାରୁ ୨ ଲକ୍ଷ ୮୨ ହଜାର ୫୭୦ ଟଙ୍କା ଲୁଟି ନେଇଥିଲା। ଲୁଟ୍ ଟଙ୍କାର କିଛି ଅଂଶ ସେ ସହଯୋଗ କରିଥିବା ବନ୍ଧୁମାନଙ୍କୁ ମଧ୍ୟ ବାଣ୍ଟିଥିଲା। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଗୌରବ ସହ ତା'ର ଦୁଇ ସହଯୋଗୀ ଆକାଶ ଓ ରବିଙ୍କୁ ଗିରଫ କରିବା ସହ ଜଣେ ନାବାଳକକୁ ଅଟକ ରଖିଛି। ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ମୁହଁ ଢଙ୍କା ମାସ୍କ ଏବଂ ପୋଷାକ ଜବତ କରାଯାଇଛି।
EOW Raids: ନୁନୁଝରଣ କ୍ରସର ମାମଲା: ରାଜା ଚକ୍ର ଓ ସହଯୋଗୀଙ୍କ ଘରେ EOW ଚଢ଼ାଉ

54 minutes ago
2


