ARTICLE AD BOX
ବୈଶିଙ୍ଗା (ଦୀପକ କୁମାର ସିଂହ):ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ଆମ୍ବଗଡ଼ିଆ ପଞ୍ଚାୟତର ଭଗବାନପୁର ବୈଠକ ବଙ୍ଗଳା ପରିସରରେ ବରିଷ୍ଠ ସମାଜସେବୀ, ଅନୁଷ୍ଠାନପ୍ରେମୀ ଓ ଜନନେତା ସ୍ୱର୍ଗତ ଭଗବାନ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଭାବଗମ୍ଭୀର ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମରଣିକା ‘ସଂଗ୍ରାମର ସ୍ଵର୍ଣ୍ଣାଧୟ’ର ଶୁଭ ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଭାରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ, ଜନପ୍ରତିନିଧି, ସାମ୍ବାଦିକ ଓ ଶୁଭେଚ୍ଛୁମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲା।
ଭଗବାନ ମହାପାତ୍ର ସ୍ମୃତି କମିଟିର ସଭାପତି ଅନନ୍ତ କୁମାର ସାହୁ ସଭାରେ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ପ୍ରଭାତ କୁମାର ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ। ସମ୍ପାଦକ ଅନ୍ତର୍ଯ୍ୟାମୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ‘ସମ୍ବାଦ ଗ୍ରୁପ୍ର ଅଧକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ ସ୍ୱର୍ଗତ ଭଗବାନ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ‘ସଂଗ୍ରାମର ସ୍ଵର୍ଣ୍ଣାଧୟ’ ସ୍ମରଣିକାକୁ ଉନ୍ମୋଚନ କରିଥିଲେ। ନିଜ ଅଭିଭାଷଣରେ ସେ ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଥିଲେ, ଭଗବାନ ମହାପାତ୍ର ମୋତେ କେବଳ ସାମ୍ବାଦିକତା ଶିଖାଇ ନଥିଲେ, ବରଂ ସମଗ୍ର ଓଡ଼ିଶାକୁ ଚିହ୍ନିବା, ଲୋକଙ୍କ ସହ ଯୋଡ଼ି ହେବା ଓ ସମାଜର ବାସ୍ତବତାକୁ ଅନୁଭବ କରିବାର ସୁଯୋଗ ଦେଇଥିଲେ। ସମଗ୍ର ଓଡ଼ିଶାର ଲୋକଙ୍କ ସହିତ ଯୋଡି ହେବାର ସେ ମୋର ପଥପ୍ରଦର୍ଶକ ଥିଲେ।
ମୁଁ ଯଦି ବିଦେଶୀ, ବଦ୍ରି ବାବୁ ଡରୁଛନ୍ତି କଣ ପାଇଁ? ସୌମ୍ୟରଞ୍ଜନ ପଟ୍ଟନାୟକ
ସେ ଆହୁରି କହିଥିଲେ ଯେ, ଆଜିର ଏହି ସଭା କେବଳ ଏକ ଶୋକ ସଭା ନୁହେଁ, ଏହା ଏକ ସତସଙ୍ଗ। ଏଠାରେ ଜଣେ ମହାନ ବ୍ୟକ୍ତିତ୍ୱଙ୍କ ଜୀବନ ଆଦର୍ଶ, ତ୍ୟାଗ ଓ ସମାଜ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରି ଆମେ ନୂଆ ପିଢ଼ିକୁ ପ୍ରେରଣା ଦେଉଛୁ। ସେ ଯୁବ ଯୁବପିଢ଼ିକୁ ସତ୍ୟନିଷ୍ଠା, ନିର୍ଭୀକତା ଓ ସମାଜ ପ୍ରତି ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।
/filters:format(webp)/sambad/media/media_files/2026/07/26/whatsapp-image-2026-07-26-19-17-13.jpeg)
ମୁଖ୍ୟବକ୍ତା ଭାବେ ମୟୂରଭଞ୍ଜ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଭାରତୀ ହାଁସଦା ଯୋଗଦେଇ ସ୍ୱର୍ଗତ ଭଗବାନ ମହାପାତ୍ରଙ୍କ ସମାଜସେବା, ସାମ୍ବାଦିକତା ଓ ଜନସାଧାରଣଙ୍କ ପାଇଁ ତାଙ୍କ ନିରନ୍ତର ସଂଗ୍ରାମକୁ ସ୍ମରଣ କରିଥିଲେ।
ସମ୍ମାନିତ ବସ୍ତା ବିଧାୟିକା ସୁବାସିନୀ ଜେନା, ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଜୀବନ ପ୍ରଦୀପ ଦାସ, ସମାଜସେବୀ ବରଦା ପ୍ରସନ୍ନ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟା ଧାନୀ କିସ୍କୁ, ଡ଼ଃ ରମାକାନ୍ତ ମହାନ୍ତ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ଶାନ୍ତନୁ କୁମାର ପଟ୍ଟନାୟକ, କିଶୋର ଚନ୍ଦ୍ର ମହାପାତ୍ର ଓ ଆଚାର୍ଯ୍ୟ ବିଜୟଜୀ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଭଗବାନ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ।
/filters:format(webp)/sambad/media/media_files/2026/07/26/whatsapp-image-2026-07-26-19-17-28.jpeg)
ଅତିଥିମାନଙ୍କୁ ସ୍ମୃତି କମିଟି ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ପରେ ସୁଶ୍ରୀ ତପସ୍ୱିନୀ ପତ୍ରୀ ସ୍ୱର୍ଗତ ଭଗବାନ ମହାପାତ୍ରଙ୍କୁ ଉତ୍ସର୍ଗୀକୃତ ଏକ ଭାବପୂର୍ଣ୍ଣ ଭଜନ ଓ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ଭାବବିହ୍ୱଳ କରିଥିଲେ। ଶେଷରେ ଗ୍ରାମର ପୁରୋହିତ ଚକ୍ରଧର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରି ସଭାର ସମାପ୍ତି ଘୋଷଣା କରିଥିଲେ। ସ୍ୱର୍ଗତ ଭଗବାନ ମହାପାତ୍ରଙ୍କ ଜୀବନ ସଂଗ୍ରାମ, ଅନୁଷ୍ଠାନ ପ୍ରେମୀ , ସାମାଜିକ ଦାୟିତ୍ୱବୋଧ ଓ ଲୋକସେବା ପ୍ରତି ତାଙ୍କର ଅବିସ୍ମରଣୀୟ ଅବଦାନ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

1 month ago
11


