ARTICLE AD BOX
ୱାସିଂଟନ୍: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ବଡ଼ ଝଟ୍କା ଲାଗିଛି। ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି ଉଭୟ ପ୍ରତିନିଧି ସଭା (ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍) ଓ ସିନେଟ୍ରେ ବହୁମତ ହାସଲ କରିଛି। ଏହାଦ୍ୱାରା ଟ୍ରମ୍ପଙ୍କ ଦ୍ୱିତୀୟ ପାଳିର ଶେଷ ଦୁଇବର୍ଷ ପାଇଁ ଆମେରିକା ଶାସନ ବ୍ୟବସ୍ଥାରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି।
ସିନେଟ୍ରେ ଡେମୋକ୍ରାଟ୍ଙ୍କ ଆସନ ସଂଖ୍ୟା ୫୪ରେ ପହଞ୍ଚିଛି। ଏହି ଦଳ ଟେକ୍ସାସ୍, କାନ୍ସାସ୍, ଆଇୱା, ଓହିଓ, ନର୍ଥ କରୋଲିନା ଓ ସାଉଥ୍ କରୋଲିନା ଭଳି ରିପବ୍ଲିକାନ୍ଙ୍କ ପ୍ରଭାବଶାଳୀ ରାଜ୍ୟରେ ବିଜୟୀ ହୋଇଛି। ଦୀର୍ଘ ୯୪ ବର୍ଷ ପରେ କାନ୍ସାସ୍ରେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଆଡାମ୍ ହାମିଲଟନ୍ ରିପବ୍ଲିକାନ୍ ସାଂସଦ ରୋଜର ମାର୍ଶାଲ୍ଙ୍କୁ ପରାସ୍ତ କରି ସିନେଟ୍ ଆସନ ହାତେଇଛନ୍ତି। ନର୍ଥ କରୋଲିନାରେ ରୟ କୁପର ଟ୍ରମ୍ପଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ହରାଇଥିବା ବେଳେ ଜର୍ଜିଆରେ ଜନ୍ ଓସଫ୍ ପୁନର୍ବାର ସିନେଟ୍କୁ ନିର୍ବାଚିତ ହୋଇଛନ୍ତି। ମେନ୍ ରାଜ୍ୟରେ ପାଞ୍ଚଥରର ସିନେଟର୍ ସୁଜାନ୍ କଲିନ୍ସ ଡେମୋକ୍ରାଟିକ୍ ପ୍ରାର୍ଥୀ ଟ୍ରୟ ଜ୍ୟାକ୍ସନ୍ଙ୍କଠାରୁ ପରାସ୍ତ ହୋଇଛନ୍ତି।
ନିୟନ୍ତ୍ରଣ ହାସଲ କରିଛି ଆମେରିକା କଂଗ୍ରେସ
ପ୍ରତିନିଧି ସଭାରେ ମଧ୍ୟ ଡେମୋକ୍ରାଟ୍ମାନେ ଦୁଇ ଡଜନରୁ ଅଧିକ ଆସନରେ ବିଜୟୀ ହୋଇ ବହୁମତ ହାସଲ କରିଛନ୍ତି। ଏହାଦ୍ୱାରା ୨୦୨୩ ପରେ ପ୍ରଥମଥର ପାଇଁ ଦଳ ପୁନର୍ବାର ଆମେରିକା କଂଗ୍ରେସର ଉଭୟ ସଦନ ଉପରେ ନିୟନ୍ତ୍ରଣ ହାସଲ କରିଛି। ନିର୍ବାଚନରେ ମୁଦ୍ରାସ୍ଫୀତି, ଜୀବନଯାପନର ବର୍ଦ୍ଧିତ ଖର୍ଚ୍ଚ, ଟ୍ରମ୍ପ ସରକାରଙ୍କ ନୀତି ଓ ଇରାନ୍ ସହ ଯୁଦ୍ଧକୁ ନେଇ ଜନଅସନ୍ତୋଷ ପ୍ରମୁଖ ପ୍ରସଙ୍ଗ ହୋଇଥିଲା। ଏହା ସହିତ ଆମଦାନୀ ଶୁଳ୍କ ନୀତି ଓ ସରକାରୀ ଦୁର୍ନୀତି ଅଭିଯୋଗ ମଧ୍ୟ ଭୋଟରଙ୍କ ମତକୁ ପ୍ରଭାବିତ କରିଥିବା ନିର୍ବାଚନ ପରବର୍ତ୍ତୀ ଆକଳନରୁ ଜଣାପଡ଼ିଛି।
Modi: ଜମ୍ମୁ-କାଶ୍ମୀର ରାଜକୁମାରଙ୍କ ରିସେପ୍ସନ୍ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ଡେମୋକ୍ରାଟ୍ଙ୍କ ବିଜୟ ପରେ ଦଳର ନେତା ହକିମ୍ ଜେଫ୍ରିଜ୍ କହିଛନ୍ତି, ଆମେରିକାରେ ଏକ ନୂଆ ରାଜନୈତିକ ପରିବର୍ତ୍ତନ ଆରମ୍ଭ ହୋଇଛି। ଆସନ୍ତା ଜାନୁଆରିରେ ନୂଆ କଂଗ୍ରେସ କାର୍ଯ୍ୟଭାର ଗ୍ରହଣ କରିବା ପରେ ଜେଫ୍ରିଜ୍ ପ୍ରତିନିଧି ସଭାର ବାଚସ୍ପତି ହେବାର ସମ୍ଭାବନା ରହିଛି। ସେହିପରି ଡେମୋକ୍ରାଟ୍ମାନେ ଟ୍ରମ୍ପ ପ୍ରଶାସନର କାର୍ଯ୍ୟକଳାପ, ଇରାନ୍ ଯୁଦ୍ଧ ଓ ଦୁର୍ନୀତି ଅଭିଯୋଗ ଉପରେ କଂଗ୍ରେସରେ ତଦନ୍ତ ଆରମ୍ଭ କରିବାକୁ ସଙ୍କେତ ଦେଇଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ ନିର୍ବାଚନ ଫଳାଫଳକୁ ନିଜର ପରାଜୟ ଭାବେ ଗ୍ରହଣ କରିବାକୁ ଅସ୍ୱୀକାର କରିଛନ୍ତି। ଡେମୋକ୍ରାଟ୍ଙ୍କ ଦ୍ୱାରା ଆଗତ ବିଲ୍କୁ ରାଷ୍ଟ୍ରପତି ଭାବେ ଭିଟୋ କରିବେ ବୋଲି ସେ ଚେତାବନୀ ଦେଇଛନ୍ତି। ତେଣୁ ଉଭୟ ଦଳ ମଧ୍ୟରେ ଆଗାମୀ ଦୁଇବର୍ଷ ଧରି ରାଜନୈତିକ ମୁହାଁମୁହିଁ ସ୍ଥିତି ଜାରି ରହିବାର ଆଶଙ୍କା ରହିଛି।

48 minutes ago
1


