World's Wealth: ପୃଥିବୀର କୋଠ ସଂପଦକୁ ବିପଦ

23 minutes ago 2
ARTICLE AD BOX

ଜିତଶତ୍ରୁ ମହାନ୍ତି

ଭୌ‌େଗାଳିକ ଅବସ୍ଥିତିକୁ ନେଇ ସ୍ଥାନୀୟ, ଆଂଚଳିକ, ଦେଶୀୟ ଓ ମହାଦେଶୀୟ ଭୂମଣ୍ଡଳରେ ବିଭାଜିତ ପୃଥିବୀରେ ଏମିତି କେତେକ ପ୍ରାକୃତିକ ପରିସଂସ୍ଥା ଅଛି, ଯାହା ଅବିଭାଜ୍ୟ ଓ ଯାହାକୁ ପୃଥିବୀର କୋଠ ସଂପଦ ବୋଲି କୁହାଯାଇପାରେ। ସେଗୁଡ଼ିକ ହେଉଛନ୍ତି ମହାସାଗର, ବାୟୁମଣ୍ଡଳ, ଅନ୍ତରୀକ୍ଷ ଓ ଜନବସତି ବିହୀନ ଭୂଖଣ୍ଡ ଆଣ୍ଟାର୍ଟିକା। ଏହାର ରକ୍ଷଣାବେକ୍ଷଣ ଓ ସୁରକ୍ଷାର ଦାୟିତ୍ୱ ସବୁ ରାଷ୍ଟ୍ର ଓ ଅନେକ ଅଂଶରେ ମିଳିତ ଜାତିସଂଘ ଉପରେ ନ୍ୟସ୍ତ। କିନ୍ତୁ, ବଡ଼ ପ୍ରଶ୍ନ ହେଲା ସେ ସବୁ ଦାୟିତ୍ବର ନିର୍ବହନ ଠିକ୍‌ ଭାବେ ହୋଇ ପାରୁଛି କି?
ମହାସାଗର ସଂଦର୍ଭରେ ଜାତିସଂଘର ସାମୁଦ୍ରିକ ଆଇନ, ୧୯୫୮, ଅନୁସାରେ କୌଣସି ରାଷ୍ଟ୍ରର ତଟରୁ ୨୦୦ ‘ନଟିକାଲ ମାଇଲ’ ଅର୍ଥାତ୍ ୩୭୦ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଅଭ୍ୟନ୍ତରସ୍ଥ ଜଳରାଶି ସେହି ରାଷ୍ଟ୍ରର ଅଧିକାର ପରିସରଭୁକ୍ତ। ଏକ ହିସାବ ଅନୁସାରେ ସମୁଦ୍ର ତଟବର୍ତ୍ତୀ ରାଷ୍ଟ୍ରଗୁଡ଼ିକର ଅଧୀନରେ ଥିବା ସମୁଦ୍ରର ଅଂଶ ହେଉଛି ମୋଟ ଜଳରାଶିର ଦୁଇ-ତୃତୀୟାଂଶ। କିନ୍ତୁ ଦୁଃଖର ବିଷୟ ଯେ ସମୁଦ୍ରର ଏହି ଅଂଶ ମନୁଷ୍ୟର ହସ୍ତକ୍ଷେପ ଓ ଅପବ୍ୟବହାର ଦ୍ବାରା ଏଭଳି ପ୍ରଦୂଷିତ ଓ ବିଷାକ୍ତ ଯେ ସମଗ୍ର ମହୋଦଧିର ସ୍ବାସ୍ଥ୍ୟ ଏବେ ବିପଦରେ। ପ୍ରକାଶ ଥାଉ କି ବର୍ଷକୁ ପ୍ରାୟ ୧ କୋଟି ଟନ ଓଜନର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ର ଗର୍ଭକୁ ପ୍ରବେଶ କରୁଛି ଏବଂ ବିଶେଷଜ୍ଞମାନଙ୍କ ହିସାବ ଅନୁସାରେ କେବଳ ପ୍ରଶାନ୍ତ ମହାସାଗରରେ ଜମା ବର୍ଜ୍ୟରୁ ମାତ୍ର ୧% ସଫା କରିବା ପାଇଁ ୬୭ଟି ବଡ଼ ଜାହାଜକୁ ପ୍ରାୟ ଏକ ବର୍ଷ ସମୟ ଲାଗି ଯାଇପାରେ। ୨୦୨୩ରେ, ଜାତିସଂଘ ଦ୍ବାରା ପ୍ରସ୍ତାବିତ ସୀମା ବହିର୍ଭୂତ ଜୈବ-ବିବିଧତା ଚୁକ୍ତିନାମାରେ, ସର୍ବନିମ୍ନ ଆବଶ୍ୟକ, ୬୦ଟି ରାଷ୍ଟ୍ରଙ୍କ ସ୍ବାକ୍ଷର ମିଳିବାରେ ବିଳମ୍ବ ହେତୁ ତାହା ୩ ବର୍ଷ ପରେ, ଅର୍ଥାତ୍ ଚଳିତ ବର୍ଷ କାର୍ଯ୍ୟକାରୀ ହୋଇଛି। କିନ୍ତୁ ଏହାର ଫଳପ୍ରଦତା ନେଇ ଘୋର ସନ୍ଦେହ ରହିଛି।
ସେମିତି ପୃଥିବୀ ପୃଷ୍ଠରୁ ୧୨ କିଲୋମିଟର ପର୍ଯ୍ୟନ୍ତ ରହିଥିବା ବାୟୁମଣ୍ଡଳର ପ୍ରଦୂଷଣ ନେଇ କାହାକୁ ବୁଝାଇ କହିବାର ଆବଶ୍ୟକତା ନାହିଁ। ସମସ୍ତେ ଜାଣନ୍ତି ଯେ ବିକାଶ ଓ ବିଳାସ ହେଉଛି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ, କିନ୍ତୁ ତହିଁରୁ ନିବୃତ୍ତିର କୌଣସି ସୂଚନା ମାନବ ଜାତି ଏ ଯାବତ୍‌ ଦେଖାଇ ନାହିଁ। ଏହି କାରଣରୁ ୯୦%ରୁ ଅଧିକ ପୃଥିବୀବାସୀ ବିଶୁଦ୍ଧ ବାୟୁ ସେବନରୁ ବଂଚିତ ଏବଂ ପ୍ରଦୂଷିତ ବାୟୁକୁ ପ୍ରଶ୍ବାସରେ ନେଇ ବର୍ଷକୁ ପ୍ରାୟ ୮୦ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି। ୧୯୭୯ ମସିହାରେ ୫୧ ଦେଶ (ଇଉରୋପ, ଉତର ଆମେରିକା ଓ ସୋଭିଏତ ରୁଷିଆ) ଦ୍ବାରା ପ୍ରଣୀତ ଚୁକ୍ତିରୁ ନେଇ ୧୯୮୭ର ମଣ୍ଟ୍ରିଲ ପ୍ରୋଟୋକଲ୍ (୧୯୭ଟି ଦେଶ), ୧୯୮୫ର ଭିଏନା ଚୁକ୍ତି ଓ ୨୦୦୨ର ଆସିଆନ ରାଜିନାମା ପର୍ଯ୍ୟନ୍ତ ଅନେକ ବହୁଦେଶୀୟ ସମ୍ମତି ସଂବଳିତ ନିୟମ ଥିଲେ ମଧ୍ୟ ସେ ସବୁର କାର୍ଯ୍ୟକାରିତା ଦାରୁଣ ଭାବେ ବିଫଳ ହୋଇଛି। 
 ଦକ୍ଷିଣ ମେରୁସ୍ଥିତ, ଜନବସତି ବିହୀନ ୧୪.୨ କୋଟି ବର୍ଗକିଲୋମିଟର ପରିବ୍ୟାପ୍ତ, ବିଶାଳ ବରଫାବୃତ ଭୂଖଣ୍ଡ ଆଣ୍ଟାର୍ଟିକା ମଧ୍ୟ ଏବେ ବିପଦରେ। ଏହି ଭୂଖଣ୍ଡ ହେଉଛି, ୧୯୫୯ ମସିହାର ଆଣ୍ଟାର୍ଟିକା ଚୁକ୍ତି ଅନ୍ତର୍ଗତ ୨୯ଟି ଦେଶ ଦ୍ବାରା ମିଳିତ ପରିଚାଳନାଧୀନ ଅଞ୍ଚଳ। ହେଲେ, ଅସଂଖ୍ୟ ଗବେଷଣାଗାର ପ୍ରତିଷ୍ଠା, ଜୀବାଶ୍ମତୈଳ, ପ୍ରାକୃତିକ ଗ୍ୟାସ ଓ ବିରଳ ଧାତୁ ଆଦିର ଅନୁସଂଧାନ ଇତ୍ୟାଦି ଭଳି ମନୁଷ୍ୟଗତ ହସ୍ତକ୍ଷେପ ହେତୁ ଏହି ଭୂଖଣ୍ଡର ଅସ୍ତିତ୍ବ ଏବେ ବିପଦରେ। ଏହି ଅଞ୍ଚଳରେ ଦ୍ରୁତ ଗତିରେ ବରଫ ତରଳୁଥିବା କାରଣରୁ ଏହାର ଆୟତନ କମିବାରେ ଲାଗିଛି। ଇତିମଧ୍ୟରେ ପ୍ରାୟ ଏହା ୧୦ ଲକ୍ଷ ବର୍ଗକିଲୋମିଟର କମିଗଲାଣି। ଏକ ହିସାବ ଅନୁସାରେ ବର୍ଷକୁ ପ୍ରାୟ ୨୭ ହଜାର ୩୦୦ କୋଟି ଟନ୍ ବରଫ ତରଳୁଛି। ତେଣୁ ପରିବେଶବିତ୍‌ମାନଙ୍କ ସକାଶେ ଏହା ଘୋର ଚିନ୍ତାର କାରଣ ହୋଇଛି। 
ସେମିତି ଅସଂଖ୍ୟ ଉପଗ୍ରହ ଓ ମହାକାଶ ପରୀକ୍ଷା କେନ୍ଦ୍ର ଆଦି ହେତୁ ଅସୀମ ଅନ୍ତରୀକ୍ଷ ମଧ୍ୟ ଆବର୍ଜନା ଦ୍ବାରା ପ୍ରଦୂଷିତ ହେଉଛି। ଖରାପ ବା ନଷ୍ଟ ହୋଇଯାଇଥିବା ଉପଗ୍ରହଗୁଡ଼ିକ ବା ତା’ର ଭଗ୍ନାବଶେଷ ମହାକାଶରେ ଘୂରି ବୁଲିବାରେ ଲାଗିଛନ୍ତି। କେବଳ ସେତିକି ନୁହେଁ, ‘‌େସ୍ପସ ଏକ୍‌ସ’ ଭଳି ଘରୋଇ ମହାକାଶ ଯାନର ଚଳାଚଳ ଏବଂ ମହାକାଶ ପର୍ଯ୍ୟଟନ ଭଳି ବ୍ୟବସ୍ଥାର ପରିକଳ୍ପନା ହେତୁ ଅନ୍ତରୀକ୍ଷ ଭବିଷ୍ୟତରେ ଆହୁରି ପ୍ରଦୂଷଣ ଓ ଅପବ୍ୟବହାରର ଶିକାର ହେବ। ପ୍ରକାଶ ଥାଉ କି ଅନ୍ତରୀକ୍ଷର ହିତ ସକାଶେ ୧୯୬୮, ୧୯୭୨, ୧୯୬୭, ୧୯୭୯ ମସିହାରେ କେତେକ ପ୍ରସ୍ତବ ଓ ଚୁକ୍ତି ଜାତିସଂଘ ଆନୁକୂଲ୍ୟରେ ପାରିତ ହୋଇଥିଲେ ହେଁ ଏହାର ଅନୁପାଳନ ଅଦୃଶ୍ୟ।
ଏ ସବୁ ଆଲୋଚନାରେ ଯାହା ସ୍ପଷ୍ଟ ହୁଏ, ତାହା ହେଲା ଜାତିସଂଘ ଦ୍ବାରା ଗୃହୀତ ନିୟମମାନ କେବଳ ପରାମର୍ଶ ଭଳି ହୋଇଥାଏ, ଯାହାର ଉଲ୍ଲଂଘନରେ ଦଣ୍ଡ ବିଧାନ କରାଯାଇପାରିବ ନାହିଁ। ଏବଂ ଆଉ ଏକ ବାସ୍ତବତା ହେଲା, ସବୁ କ୍ଷମତାଶାଳୀ ଧନୀ ରାଷ୍ଟ୍ରଗୁଡ଼ିକ ପ୍ରମୁଖ ନିୟମ ଉଲ୍ଲଂଘନକାରୀ ହୋଇଥିବାରୁ ଜାତିସଂଘ ଦ୍ବାରା ଦଣ୍ଡ ବିଧାନ ମଧ୍ୟ ଏକ ଅସମ୍ଭବ ବ୍ୟାପାର। ତେଣୁ, ପୃଥିବୀକୁ ନିରାପଦ ରଖିବା ଲାଗି ସମସ୍ତଙ୍କ ମଧ୍ୟରେ ବିବେକ ଓ ବେଚନାବୋଧର ସ୍ଫୁରଣ ନିତାନ୍ତ ଆବଶ୍ୟକ, ଯାହା କିନ୍ତୁ ସୁଦୂର ପରାହତ ଭଳି ମନେ ହୋଇଥାଏ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୦୨୩୩

Read Entire Article
LEFT SIDEBAR AD

Hidden in mobile, Best for skyscrapers.