ARTICLE AD BOX
ନୂଆଦିଲ୍ଲୀ: ନା ଦରକାର ପାସପୋର୍ଟ, ନା ଭିସାର ଟେନସନ୍! ନା କେହି ଅଟକାଇବେ, ନା କେହି ପଚାରିବେ କେଉଁ ଦେଶରୁ ଆସିଛ? ଆକାଶ ହିଁ ରାସ୍ତା, ପବନ ହିଁ ସାଥୀ, ଆଉ ଗନ୍ତବ୍ୟସ୍ଥଳ ହେଉଛି ନିଜ ଘର! ହଜାର ହଜାର କିଲୋମିଟର ଆକାଶପଥରେ ଉଡ଼ି ୨୩ଟି ଦେଶ ବୁଲି ଶେଷରେ ଘରକୁ ଫେରିଛନ୍ତି ଦୁଇ ପକ୍ଷୀ। ସେମାନଙ୍କ ନାଁ ଅପାପାଙ୍ଗ ଓ ଆଲାଙ୍ଗ। ଦୁଇ ଅମୁର ଫାଲକନ୍। ଏମାନଙ୍କ ଯାତ୍ରା କାହାଣୀ ଯେତିକି ରୋମାଞ୍ଚକର, ସେତିକି ଆଶ୍ଚର୍ଯ୍ୟଜନକ। ୧୧ ଦିନର ଲଗାତାର ଉଡ଼ାଣ ପରେ ଚୀନ୍ରୁ ଆସି ମଣିପୁରରେ ପହଞ୍ଚିଛନ୍ତି ଏହି ଦୁଇ ପକ୍ଷୀ। ଏମାନଙ୍କ ଫେରିବା ଖବର ସାମ୍ନାକୁ ଆସିବା ପରେ ପକ୍ଷୀପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ। ଏବେ ପ୍ରଶ୍ନ, ଏତେ ବାଟ ଅତିକ୍ରମ କରି ଆସିଥିବା ଏହି ଦୁଇ ପକ୍ଷୀଙ୍କ ପରବର୍ତ୍ତୀ ଗନ୍ତବ୍ୟ କେଉଁଠି? କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଅପାପାଙ୍ଗ ଓ ଆଲାଙ୍ଗଙ୍କ ଫେରିବା ଖବର ସେୟାର କରି ସେମାନଙ୍କୁ ‘ଗ୍ଲୋବାଲ୍ ସିଟିଜେନ୍’ ବୋଲି କହିଛନ୍ତି।
ଏହି ଦୁଇ ପକ୍ଷୀଙ୍କ ଯାତ୍ରା ଉପରେ ବୈଜ୍ଞାନିକମାନେ ଦୀର୍ଘଦିନ ଧରି ନଜର ରଖିଛନ୍ତି। ୨୦୨୫ ନଭେମ୍ବରରେ ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଏମାନଙ୍କ ଦେହରେ ଟ୍ରାକିଂ ଡିଭାଇସ୍ ଲଗାଇଥିଲେ। ଏହାଦ୍ୱାରା ସେମାନଙ୍କ ଗତିପଥ ଓ ଦୀର୍ଘ ଯାତ୍ରା ବିଷୟରେ ତଥ୍ୟ ମିଳୁଛି। ଚୀନ୍ର ପ୍ରଜନନ କ୍ଷେତ୍ରରୁ ଉଡ଼ାଣ ଆରମ୍ଭ କରି ୨୩ଟି ଦେଶ ଦେଇ ଏମାନେ ପୁଣି ଭାରତର ମଣିପୁରରେ ପହଞ୍ଚିଛନ୍ତି। ଏହା କେବଳ ଘରବାହୁଡ଼ା ନୁହେଁ, ବରଂ ପକ୍ଷୀଙ୍କ ଅଦ୍ଭୁତ ଦିଗନିର୍ଣ୍ଣୟ କ୍ଷମତା ଓ ପ୍ରବାସୀ ଯାତ୍ରାର ଏକ ଚମତ୍କାର ଉଦାହରଣ। ଏବେ ଅପାପାଙ୍ଗ ଓ ଆଲାଙ୍ଗଙ୍କ ନୂଆ ଠିକଣା ହେବ ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲାର ପାହାଡ଼ିଆ ଅଞ୍ଚଳ। ଏଠାରେ ଦୁଇରୁ ତିନି ସପ୍ତାହ ପର୍ଯ୍ୟନ୍ତ ସେମାନେ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ରହିବେ। ପ୍ରତିବର୍ଷ ଏହି ପ୍ରବାସୀ ପକ୍ଷୀଙ୍କ ଆଗମନକୁ ସ୍ଥାନୀୟ ଲୋକେ ଅପେକ୍ଷା କରିଥାନ୍ତି।
Protest: ମହଙ୍ଗା ମାଡ଼ ଓ ସରକାରୀ ନୀତିକୁ ବିରୋଧ: ୟୁରୋପରେ ପ୍ରବଳ ହିଂସା
ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଲୋକେ ସଚେତନ ରହନ୍ତି। ଏଠାରେ ରହିବା ସମୟରେ ଅପାପାଙ୍ଗ ଓ ଆଲାଙ୍ଗ ଖାଦ୍ୟ ଖାଇ ଶରୀରରେ ଚର୍ବି ସଞ୍ଚୟ କରିବେ। କାରଣ ଆଗକୁ ରହିଛି ଆଉ ଏକ ଦୀର୍ଘ ଓ କଠିନ ଯାତ୍ରା। ତାମେଙ୍ଗଲଙ୍ଗରୁ ଏହି ଦୁଇ ପକ୍ଷୀଙ୍କ ପରବର୍ତ୍ତୀ ଗନ୍ତବ୍ୟ ହେବ ଆଫ୍ରିକାର ସୋମାଲିଆ। ପ୍ରାୟ ୬ ହଜାର କିଲୋମିଟରର ଏହି ଯାତ୍ରାରେ ସେମାନଙ୍କୁ ପ୍ରାୟ ୩ ହଜାର କିଲୋମିଟର ଆରବ ସାଗର ଉପରେ ଉଡ଼ିବାକୁ ପଡ଼ିବ। ଆକଳନ ଅନୁସାରେ, ଏହି ଯାତ୍ରା ପ୍ରାୟ ୬ ଦିନ ଧରି ନିରବଚ୍ଛିନ୍ନ ଭାବେ ଚାଲିପାରେ। ତେଣୁ ଏବେଠାରୁ ନିଜକୁ ପ୍ରସ୍ତୁତ କରୁଛନ୍ତି ଏହି ଦୁଇ ପରିନ୍ଦା। ଦେଶର ସୀମା ମଣିଷ ତିଆରି କରିଛି, ହେଲେ ପକ୍ଷୀଙ୍କ ପାଇଁ ଆକାଶ ହେଉଛି ମୁକ୍ତ ରାସ୍ତା। ୨୩ଟି ଦେଶ ବୁଲି ପୁଣି ଭାରତକୁ ଫେରିଥିବା ଅପାପାଙ୍ଗ ଓ ଆଲାଙ୍ଗଙ୍କ ଯାତ୍ରା ଏହି ବାର୍ତ୍ତା ହିଁ ଦେଉଛି। ଏବେ ସମସ୍ତଙ୍କ ଅପେକ୍ଷା, କେବେ ଆରମ୍ଭ ହେବ ଏମାନଙ୍କ ପରବର୍ତ୍ତୀ ଉଡ଼ାଣ, ଆଉ କେମିତି ଅତିକ୍ରମ କରିବେ ବିଶାଳ ଆରବ ସାଗର!

1 day ago
3


