ଭତ୍ତା ନ ମିଳିବାରୁ ବୃଦ୍ଧଙ୍କ ଆତ୍ମହତ୍ୟା!

2 days ago 5
ARTICLE AD BOX

ପର୍ଜଙ୍ଗ: ଭତ୍ତା ବାବଦ ଟଙ୍କା ନ ମିଳିବାରୁ ମାନସିକ ଚାପରେ ପଡ଼ି ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ବ୍ଲକ୍‌ ରୋଡ଼ ଗାଁର ଘନଶ୍ୟାମ ସାହୁ (୬୯) ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ଶୁକ୍ରବାର ସନ୍ଧ୍ୟାଠାରୁ ସେ ନିଖୋଜ ଥିଲେ। ଶନିବାର ସକାଳେ ଗାଁଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ଶ୍ମଶାନ ଅଞ୍ଚଳରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଜ୍ଞାତିକୁଟୁମ୍ବ ତାଙ୍କ ଝୁଲନ୍ତା ଶବ ଉଦ୍ଧାର କରିବା ପରେ ପୁଲିସକୁ ନ ଜଣାଇ ତରବରିଆ ଭାବେ ଶବଦାହ କରିଦେଇଥିବା କେତେକ ଗ୍ରାମବାସୀ କହିଛନ୍ତି।

ସୂଚନା ଅନୁସାରେ, ମୃତ ଘନଶ୍ୟାମଙ୍କ କେହି ପିଲାଛୁଆ ନ ଥିଲେ। ୪ ବର୍ଷ ତଳେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା। ସେ ନିଜ ସଂପର୍କୀୟ ଭାଇ ନାଗାର୍ଜୁନ ସାହୁଙ୍କ ଘରେ ରହି ଖିଆପିଆ କରୁଥିଲେ। ସେ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ଅନେକ ସମୟରେ ମାନସିକ ଚାପରେ ବି ରହୁଥିବା ଗ୍ରାମବାସୀ କହିଛନ୍ତି। କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଘନଶ୍ୟାମଙ୍କୁ ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ସେ ଚାପରେ ଆସି ଆତ୍ମହତ୍ୟା କରିଛନ୍ତି। ଏ ସଂକ୍ରାନ୍ତରେ ପର୍ଜଙ୍ଗ ବିଡିଓ ସୌଭାଗ୍ୟ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଘନଶ୍ୟାମଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ଡିବିଟି ମାଧ୍ୟମରେ ଭତ୍ତା ଯାଇଥାଏ। ଏପ୍ରିଲ୍‌ ଓ ମେ ୨ ମାସର ୨ ହଜାର ଭତ୍ତା ଟଙ୍କା ଜୁନ୍‌ ମାସରେ ତାଙ୍କ ଆକାଉଣ୍ଟକୁ ଯାଇଛି। ସେହିପରି ଜୁନ୍‌ ଓ ଜୁଲାଇ ମାସର ୨ ହଜାର ଭତ୍ତା ଟଙ୍କା ଜୁଲାଇ ମାସରେ ଯାଇଛି। ତେବେ ଭତ୍ତା ସମ୍ପର୍କିତ ସରକାରୀ ପୋର୍ଟାଲ ଖୋଲୁ ନ ଥିବାରୁ ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ମାସର ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି କି ନାହିଁ, ତାହା ଜଣାପଡ଼ିନାହିଁ। ଏପଟେ ଘନଶ୍ୟାମଙ୍କ ଆତ୍ମହତ୍ୟାକୁ ନେଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ବିତର୍କ ଜାରି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.