ARTICLE AD BOX
ଗୌରଚନ୍ଦ୍ର ତ୍ରିପାଠୀ
ମହାନ ଦାର୍ଶନିକ ପ୍ଲାଟୋଙ୍କ ଦ୍ବାରା ପରିକଳ୍ପିତ ଭୂତଳ ଗୁମ୍ଫାରେ କିଛି ବନ୍ଦୀ ସାରା ଜୀବନ କାନ୍ଥ ଆଡ଼କୁ ମୁହଁ କରି ଶିକୁଳିରେ ବନ୍ଧାହୋଇ ଅଛନ୍ତି। ସେମାନଙ୍କ ପଛପଟେ ନିଆଁ ଜଳୁଛି ଏବଂ ମଝିରେ ଥାଇ ଜଣେ ଗୁମ୍ଫା କାନ୍ଥରେ ବିଭିନ୍ନ କଣ୍ଢେଇ ଓ ବସ୍ତୁର ଛାଇ ସୃଷ୍ଟି କରୁଛି। ତାହାକୁ ହିଁ ବନ୍ଦୀମାନେ ସମ୍ପୂର୍ଣ୍ଣ ଦୁନିଆ ଭାବୁଛନ୍ତି। ଏକଦା ଜଣେ ବନ୍ଦୀ ଶୃଙ୍ଖଳ ଭାଙ୍ଗି ବାହାରକୁ ବାହାରି ଦେଖୁଛି ଯେ କାନ୍ଥର ଛାଇ ତୁଳନାରେ ବାହାର ଦୁନିଆ କେତେ ବିଶାଳ, କେତେ ସୁନ୍ଦର! ଫେରି ଆସି ସେ ଅନ୍ୟ ବନ୍ଦୀମାନଙ୍କୁ ସେକଥା କହୁଛି। ହେଲେ ସେମାନେ କହୁଛନ୍ତି, “ମିଛୁଆ! ଆମ ଦୁନିଆ ବାହାରେ ଆଉ କିଛି ନାହିଁ!” ବାସ୍ତବରେ ସେମାନେ ଲୁହା ଶୃଙ୍ଖଳରେ ନୁହେଁ, ମନର ଶୃଙ୍ଖଳରେ ନିଜକୁ ବାନ୍ଧି ଦେଇଥାନ୍ତି।
ଆମ ଭାରତୀୟ ଦର୍ଶନରେ ଏହି ମାନସିକ ବନ୍ଧନର ଅନେକ ଉଦାହରଣ ରହିଛି। କଠୋପନିଷଦରେ ନଚିକେତା ଭୋଗବିଳାସ, ସମ୍ପତ୍ତି ଓ କ୍ଷମତା ଆଗରେ ଦାସ ହେବାକୁ ମନା କରିଥିଲେ। ଅପରପକ୍ଷରେ, ମହାଭାରତର କରୁଣ ପରିଣତିର ମୂଳ କାରଣ ଥିଲା ଧୃତରାଷ୍ଟ୍ରଙ୍କ ମୋହ, ଯାହା ତାଙ୍କୁ ସତ୍ୟ ଓ ନ୍ୟାୟ ଅନୁସାରେ ସ୍ୱାଧୀନ ଭାବେ କାର୍ଯ୍ୟ କରିବାରୁ ରୋକିଥିଲା। ସେହିଭଳି ରାମାୟଣରେ କୈକେୟୀଙ୍କ ଉପାଖ୍ୟାନ ଦର୍ଶାଏ ଯେ କେତେ ସହଜରେ ଜଣେ ଅନ୍ୟର ପ୍ରରୋଚନାରେ ମାନସିକ ଭାବେ ପ୍ରଭାବିତ ହୋଇଯାଏ। ଛାଇର ଭ୍ରମ ହେଉ ଅବା ଆସକ୍ତିର ବନ୍ଧନ- ଉଭୟ ମାନସିକ ଦାସତ୍ୱ ପଦବାଚ୍ୟ।
ବିଶ୍ବର ଅଧିକାଂଶ ସ୍ଥାନରେ ମାନସିକ ଦାସତ୍ୱ ଏବେ ବି ଜୀବିତ। ଏହାର ଶୃଙ୍ଖଳ ଗଢ଼ା ହୋଇଛି ଭୟ, ସାମାଜିକ ରୀତିନୀତି, ଆତ୍ମ-ସନ୍ଦେହ, ପକ୍ଷପାତିତା ଓ ଅନ୍ଧ ଆନୁଗତ୍ୟକୁ ନେଇ। ଜଣେ ବ୍ୟକ୍ତି ମୁକ୍ତ ହୋଇପାରେ, ତଥାପି କର୍ତ୍ତୃପକ୍ଷ, ସାମାଜିକ ସ୍ୱୀକୃତି, ଅର୍ଥ, ପରମ୍ପରା କିମ୍ବା ବିଚାରଧାରା ଉପରେ ନିର୍ଭରଶୀଳ ହୋଇ ରହିଥାଏ। ସମାଜବିଜ୍ଞାନୀ ସୟଦ ହୁସେନ ଆଲାତାସ ଏହାକୁ ‘ବନ୍ଦୀ ମନ’ କହିଛନ୍ତି, ଯେଉଁଠି ମଣିଷ ନିଜେ ଚିନ୍ତା କରିବା ବନ୍ଦ କରିଦିଏ ଏବଂ ଅନ୍ୟର ଚିନ୍ତାଧାରାକୁ ଅନୁସରଣ କରେ। ଏହାର ପରିଣାମରେ ଆମେ ଧୀରେଧୀରେ ସ୍ୱାଧୀନ ଚିନ୍ତା ଓ ପସନ୍ଦର କ୍ଷମତା ହରାଇ ବସୁ।
Raksha bandhan: ଭାଇଙ୍କୁ ନିଶାମୁକ୍ତ ରଖିବାକୁ ୧୨୦ ଭଉଣୀଙ୍କ ଅଭିନବ ସଂକଳ୍ପ
ମାନସିକ ଦାସତ୍ୱର ଆଉ ଏକ ରୂପ ହେଉଛି ଅହଂକାର ପ୍ରବୃତ୍ତି- “ମୁଁ ହିଁ ହର୍ତ୍ତା, କର୍ତ୍ତା ଓ ଭାଗ୍ୟବିଧାତା” ଭାବି ନିଜକୁ ପ୍ରଶ୍ନର ଊର୍ଦ୍ଧ୍ୱରେ ରଖିବାର ମାନସିକତା। ଯେତେବେଳେ ପ୍ରଶ୍ନ କରିବା ବନ୍ଦ ହୋଇଯାଏ ଏବଂ ‘ଆଜ୍ଞା, ହଁ’ କହିବା ଅଭ୍ୟାସରେ ପରିଣତ ହୁଏ, ସେତେବେଳେ ଉଭୟ ଅହଂକାର ଓ ଅନ୍ଧ ଆନୁଗତ୍ୟ ମାନସିକ ଦାସତ୍ୱର ରୂପ ନେଇପାରେ। ଯେତେବେଳେ ଆତ୍ମ-ପ୍ରଶଂସା ହିଁ ଏକମାତ୍ର ବିକଳ୍ପ ହୋଇଯାଏ, ଅହଂକାର ଆମ ପାଇଁ ମାନସିକ ଶୃଙ୍ଖଳରେ ପରିଣତ ହୁଏ। ଏହାର ପ୍ରଭାବ କେବଳ ବ୍ୟକ୍ତି ମଧ୍ୟରେ ସୀମିତ ରହେ ନାହିଁ; ପାରିବାରିକ ଓ ସାମାଜିକ ଜୀବନରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳେ। ରାଜନୈତିକ ଜୀବନରେ ଏହା ଆହୁରି ସ୍ପଷ୍ଟ। ରାଜନେତାଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା, ସାଧୁତା ଓ ନିଷ୍ଠାପରତା ବଦଳରେ ବ୍ୟକ୍ତିତ୍ୱ କିମ୍ବା ବିଚାରଧାରା ଆଧାରରେ ମୂଲ୍ୟାଙ୍କନ କରିବା, ବିନା ପ୍ରଶ୍ନରେ ସେମାନଙ୍କୁ ଅନୁସରଣ କରିବା ଭଳି ଅନ୍ଧ ଆନୁଗତ୍ୟ ବି ମାନସିକ ଦାସତ୍ୱର ଲକ୍ଷଣ। ନିଷ୍ଠା ଗଣତନ୍ତ୍ରର ଆବଶ୍ୟକତା; କିନ୍ତୁ ଅନ୍ଧ ନିଷ୍ଠା ନୁହେଁ।
ମାନସିକ ଦାସତ୍ୱର ଶୃଙ୍ଖଳ ଆମ ଚିନ୍ତା ଓ ଆଚରଣକୁ ଗ୍ରାସ କରେ। ଆମକୁ ଭୟର କବଳିତ କରି ଆଜ୍ଞାବହ ହେବା ଶିଖାଏ; ବ୍ୟବସ୍ଥାକୁ ଓ ରୀତିନୀତିକୁ ପ୍ରଶ୍ନ ନ କରିବାକୁ ଶିଖାଏ; ଅନ୍ୟାୟ ଓ ଅତ୍ୟାଚାରର ପ୍ରତିରୋଧ କରିବାରୁ ନିବୃତ୍ତ କରେ। ମାନସିକ ଦାସତ୍ୱ ପରିବାରରେ ବିବାଦ, ସମାଜରେ ବିଭେଦ ଓ ରାଜନୀତିରେ ହିଂସାର ବୀଜ ବପନ କରେ। ଫଳସ୍ବରୂପ ଦେଶର ଶାନ୍ତି ଓ ସଂହତି କ୍ଷୁଣ୍ଣ ହୁଏ।
Weather: ଚୀନର ସତର୍କ ସୂଚନା; ନେପାଳରେ ୩ ଦିନ ମଧ୍ୟରେ ପୁଣି ବନ୍ୟା ଆଶଙ୍କା
ସୌଭାଗ୍ୟକୁ ଆଜି ଯୁବପିଢ଼ିର ଉତ୍ଥାନ ଆମ ପାଇଁ ଆଶାର ଏକ ଆଲୋକବର୍ତ୍ତିକା ସାଜିଛି। ଏହି ପିଢ଼ି ପାରମ୍ପରିକ ଶୃଙ୍ଖଳା ଆଗରେ ନିରବ ରହିବାକୁ ପ୍ରସ୍ତୁତ ନୁହେଁ। ସେମାନେ ସ୍ପଷ୍ଟବାଦୀ, ଅଧୈର୍ଯ୍ୟ ଓ ପ୍ରଶ୍ନ କରିବାକୁ ତତ୍ପର। ତାଙ୍କର ଏହି ଆଭିମୁଖ୍ୟ ଭିତରେ ରହିଛି ଭୟକୁ ଉତ୍ତରାଧିକାର ସୂତ୍ରରେ ଗ୍ରହଣ ନ କରିବାର ସଂକଳ୍ପ। ସେମାନେ ଅଯୌକ୍ତିକ ବିଶ୍ୱାସକୁ ପ୍ରଶ୍ନ କରୁଛନ୍ତି, ସ୍ବେଚ୍ଛାଚାର ଓ ମନମୁଖୀ ଶାସନକୁ ଚ୍ୟାଲେଞ୍ଜ କରୁଛନ୍ତି ଏବଂ କେବଳ ବୟସ, ପଦ କିମ୍ବା ପରମ୍ପରା ଯୋଗୁଁ କୌଣସି ଚିନ୍ତାଧାରା ଯେ ଠିକ୍, ତାହା ଗ୍ରହଣ କରୁ ନାହାନ୍ତି। ଯୁବପିଢ଼ି ପ୍ଲାଟୋଙ୍କ ଗୁମ୍ଫାର ବନ୍ଦୀଙ୍କ ଭଳି ଛାଇକୁ ସତ୍ୟ ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ।
ବୁଝିବାକୁ ହେବ ଯେ ଶାସନ ବ୍ୟବସ୍ଥାକୁ ପ୍ରଶ୍ନ କରିବା ଦୁଃସାହସ ନୁହେଁ, ଏହା ଏକ ସ୍ୱାଧୀନ ସମାଜର ମୌଳିକ ଅଧିକାର। ପାଶ୍ଚାତ୍ୟ ଦାର୍ଶନିକ ଫିଲିପ୍ ପେଟିଟ୍ଙ୍କ ପ୍ରଶ୍ନ ଏଠାରେ ପ୍ରଣିଧାନଯୋଗ୍ୟ- ଆମେ କ’ଣ ବିନା ଭୟରେ କ୍ଷମତାସମ୍ପନ୍ନ ଓ ପ୍ରଭାବଶାଳୀ ଅଧିକାରୀଙ୍କ ଆଖିରେ ଆଖି ମିଶାଇ ଚାହିଁପାରିବା? ତେଣୁ ଆଜି ଆମେ ନିଜକୁ ନିଜେ ପଚାରିବା ଜରୁରି ଯେ ମାନସିକ ଦାସତ୍ୱରୁ ମୁକ୍ତ ହୋଇ ସ୍ୱାଧୀନ ଭାବେ ନିଜ ମତ ପ୍ରକାଶ କରିବାର ସାହସ ଆମର ଅଛି ତ? ଚାଲନ୍ତୁ, ପ୍ଲାଟୋଙ୍କ ଗୁମ୍ଫାର ବାହାରକୁ ଆସି ମାନସିକ ଦାସତ୍ୱର ଅଦୃଶ୍ୟ ଶୃଙ୍ଖଳଗୁଡ଼ିକୁ ଭାଙ୍ଗିବା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭

1 hour ago
1


