ARTICLE AD BOX
ନୂଆଦିଲ୍ଲୀ: ନିଜ ଅତୀତ ଓ ଯୌବନ ସମ୍ପର୍କରେ ଯୋଗଗୁରୁ ସ୍ୱାମୀ ରାମଦେବ କରିଥିବା ମନ୍ତବ୍ୟକୁ ନେଇ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ କଡ଼ା ଜବାବ ଦେଇଛନ୍ତି। ରାମଦେବ ତାଙ୍କ ବ୍ୟକ୍ତିଗତ ଜୀବନ ଓ ଯୌବନ ସମ୍ପର୍କରେ କିପରି ଜାଣିଲେ ବୋଲି ପ୍ରଶ୍ନ କରି କଙ୍ଗନା କହିଛନ୍ତି, ସେ କ’ଣ ମୋ ଶୋଇବା ଘରେ ବାଦୁଡ଼ି ପରି ଓଲଟା ଝୁଲିଥିଲେ କି?
ସାମ୍ବାଦିକ ସୁଧୀର ଚୌଧୁରୀଙ୍କ ସହ ଏକ ସାକ୍ଷାତ୍କାରରେ କଙ୍ଗନାଙ୍କୁ ପଚରାଯାଇଥିଲା ଯେ, ସନାତନ ଚିନ୍ତାଧାରା ସହ ଜଡ଼ିତ ରାମଦେବ କାହିଁକି ତାଙ୍କୁ ବିରୋଧ କରୁଛନ୍ତି। ଏହାର ଉତ୍ତରରେ କଙ୍ଗନା କହିଥିଲେ, ରାମଦେବଙ୍କ ବ୍ୟବସାୟିକ ସ୍ୱାର୍ଥ ତାଙ୍କୁ ସନାତନ ଦର୍ଶନର ମୂଳ ନୀତିଠାରୁ ଦୂରେଇ ନେଇଛି। ସେ କହିଥିଲେ, ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ସମୟରେ ରାମଦେବଙ୍କୁ ସରକାର ମଧ୍ୟ ବହୁତ ପ୍ରୋତ୍ସାହନ ଦେଇଥିଲେ। କିନ୍ତୁ ସେ ଏବେ ଅତ୍ୟଧିକ ପୁଞ୍ଜିବାଦୀ ହୋଇପଡ଼ିଛନ୍ତି। ରାମଦେବଙ୍କ ବ୍ୟବସାୟକୁ ନେଇ ମଧ୍ୟ କଙ୍ଗନା କଟାକ୍ଷ କରିଥିଲେ। ଆୟୁର୍ବେଦ, ଔଷଧୀୟ ଉଦ୍ଭିଦ ଓ ଯୋଗକୁ ପ୍ରୋତ୍ସାହନ ଦେବାରୁ ଆରମ୍ଭ କରି ସେ ଏବେ ଅନ୍ତଃବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟବସାୟ ପର୍ଯ୍ୟନ୍ତ ବଢ଼ାଇଛନ୍ତି ବୋଲି କଙ୍ଗନା କହିଛନ୍ତି। ବ୍ୟବସାୟୀ ହେବାରେ କୌଣସି ଦୋଷ ନାହିଁ, କିନ୍ତୁ ଅନ୍ୟ କାହାରି ଚରିତ୍ରକୁ ନେଇ ଶିକ୍ଷା ଦେବା ଉଚିତ ନୁହେଁ ବୋଲି ସେ ମତ ଦେଇଥିଲେ।
୩ କୃଷି ଆଇନ ଫେରିବା ଚାହୁଛନ୍ତି କଙ୍ଗନା ରାଣାୱତ
‘ଜେନେରେସନ ଗଟର’ ମନ୍ତବ୍ୟକୁ ନେଇ ପୂର୍ବରୁ କଙ୍ଗନାଙ୍କୁ ରାମଦେବ ସମାଲୋଚନା କରିଥିଲେ। ଦିଲ୍ଲୀର ଯନ୍ତରମନ୍ତରରେ ଯୁବ ପ୍ରଦର୍ଶନକାରୀଙ୍କୁ ନେଇ କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ ପରେ ରାମଦେବ ତାଙ୍କ ଶୈଶବ, ଯୌବନ ଓ ଅତୀତ ଉପରେ ପ୍ରଶ୍ନ ଉଠାଇଥିଲେ। ଏହାକୁ ‘ବିକୃତ ମନର ଚିହ୍ନ’ ବୋଲି କହି ସେ କଙ୍ଗନାଙ୍କ ଦଳ ମଧ୍ୟ ଏହି ବିଷୟକୁ ଧ୍ୟାନ ଦେବା ଉଚିତ ବୋଲି ମତ ଦେଇଥିଲେ। ଏହାର ଜବାବରେ କଙ୍ଗନା କହିଛନ୍ତି, ରାମଦେବ ତାଙ୍କ ଯୌବନରେ କ’ଣ ଦେଖିଥିଲେ, ସେ କଥା ସ୍ପଷ୍ଟ କରନ୍ତୁ। ପୂର୍ବରୁ ସୋସିଆଲ ମିଡିଆରେ ମଧ୍ୟ ସେ ରାମଦେବଙ୍କୁ ତାଙ୍କ ଯୌବନ କିମ୍ବା ଶୋଇବା ଘରକୁ ନେଇ କଳ୍ପନା ନ କରିବାକୁ କହିଥିଲେ। ଏହି ବାକ୍ବିତଣ୍ଡା ସହ ରାମଦେବ ଓ ପତଞ୍ଜଳି ବିରୋଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମ୍କୋର୍ଟଙ୍କ ପଦକ୍ଷେପର ପ୍ରସଙ୍ଗ ମଧ୍ୟ କଙ୍ଗନା ଉଠାଇଥିଲେ।

3 hours ago
4


