ARTICLE AD BOX
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଏବେ ଆନ୍ଧ୍ରପ୍ରଦେଶମୁହାଁ ହୋଇଥିଲେ ହେଁ ଏହା ସ୍ଥଳଭାଗ ଛୁଇଁବା ପରେ ଦକ୍ଷିଣ ଓଡ଼ିଶାରେ ବର୍ଷା, ପବନ ବଢ଼ିପାରେ। ଏହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୮ଟି ଜିଲ୍ଲାଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡିରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଏହି ୮ଟି ଜିଲ୍ଲାରେ ଯେପରି ବାତ୍ୟା ମୁକାବିଲାରେ କୌଣସି ପ୍ରକାରର ଅବହେଳା ହେବନି ସେଥିପାଇଁ ୧୯କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି।
Cyclone Arnab: ଆରମ୍ଭ ହେଲା ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା, ଜାରି ରହିବ ବର୍ଷା
ଆଜି ରାଜୀବ ଭବନସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏସ୍ଆର୍ସି ଓ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ବାତ୍ୟା ମୁକାବିଲା ନେଇ କ୍ଷେତ୍ରସ୍ତରୀୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାପରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ସମସ୍ତ ଆଶ୍ରୟସ୍ଥଳୀକୁ ତୁରନ୍ତ ସୁବ୍ୟବସ୍ଥିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ କୌଣସି ବି ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ଜନସାଧାରଣ କେବଳ ସରକାରୀ ସୂଚନାକୁ ବିଶ୍ବାସ କରିବା ସହ ପ୍ରଶାସନକୁ ସହଯୋଗ କରି ସମ୍ପୂର୍ଣ୍ଣ ସୁରକ୍ଷିତ ରୁହନ୍ତୁ। ବାତ୍ୟାରେ ଯେପରି କୌଣସି ଜୀବନହାନି ଘଟିବନି ସେନେଇ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି।
ସ୍ଥିତି ଦେଖି ସ୍ଥାନାନ୍ତର ହେବେ ୪୮ହଜାର ଲୋକ
ଜଳଭଣ୍ଡାର ସ୍ଥିତି ଉପରେ ନଜର ରଖିବାକୁ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ
ସେହିପରି ବାତ୍ୟାର ପ୍ରକୋପ ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ। ୮ଟି ଜିଲ୍ଲାର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରୁ ମୋଟ୍ ୪୮,୦୧୦ ଜଣ ବ୍ୟକ୍ତିଙ୍କୁ ସ୍ଥାନାନ୍ତର ପାଇଁ ଚିହ୍ନଟ କରାଯାଇଛି। ଏଥିସହ ସେମାନଙ୍କ ରହଣି ପାଇଁ ମୋଟ ୪୬୬ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ସ୍ଥାନାନ୍ତର ପାଇଁ ନବରଙ୍ଗପୁରରେ ୧୧,୨୭୦ ଜଣ, ଗଜପତିରେ ୧୧,୦୦୦ ଜଣ, ମାଲକାନଗିରିରେ ୯,୮୫୦ ଜଣ, ଗଞ୍ଜାମରେ ୬,୫୦୦ ଜଣ, କୋରାପୁଟରେ ୫,୦୦୦ ଜଣ, କଳାହାଣ୍ଡିରେ ୨,୪୧୫ ଜଣ, ନୂଆପଡ଼ାରେ ୧,୬୭୫ ଜଣ ଏବଂ ରାୟଗଡ଼ାରେ ୩୦୦ ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ତ୍ବରିତ ସହାୟତା ଯୋଗାଇ ଦେବା ପାଇଁ ଗଞ୍ଜାମ ଜିଲ୍ଲାରେ ୯ଟି ଓଡ୍ରାଫ୍, ୨ଟି ଏନ୍ଡିଆର୍ଏଫ୍ ଓ ୨୪ଟି ଅଗ୍ନିଶମ ବାହିନୀ ଟିମ୍ ମୁତୟନ େହାଇଛନ୍ତି। ଗଜପତି ଜିଲ୍ଲାରେ ୬ଟି ଓଡ୍ରାଫ୍, ୧ଟି ଏନ୍ଡିଆର୍ଏଫ୍ ଓ ୮ଟି ଅଗ୍ନିଶମ ବାହିନୀ ଟିମ୍, ରାୟଗଡ଼ାରେ ୩ଟି ଓଡ୍ରାଫ୍, ଗୋଟିଏ ଏନ୍ଡିଆର୍ଏଫ୍ ଓ ୧୧ଟି ଅଗ୍ନିଶମ ବାହିନୀ ଟିମ୍, କୋରାପୁଟରେ ୩ଟି ଓଡ୍ରାଫ୍, ୧ଟି ଏନ୍ଡିଆର୍ଏଫ୍ ଓ ୧୪ଟି ଅଗ୍ନିଶମ ବାହିନୀ ଟିମ୍, ମାଲକାନଗିରିରେ ୩ଟି ଓଡ୍ରାଫ୍, ୧ଟି ଏନ୍ଡିଆର୍ଏଫ୍ ଓ ୯ଟି ଅଗ୍ନିଶମ ବାହିନୀ ଟିମ୍, ନବରଙ୍ଗପୁରରେ ୩ଟି ଓଡ୍ରାଫ ଓ ୧୨ଟି ଅଗ୍ନିଶମ ବାହିନୀ ଟିମ୍, ନୂଆପଡ଼ା ଓ କଳାହାଣ୍ଡିରେ ମଧ୍ୟ ଅଗ୍ନିଶମ ବାହିନୀ ଟିମ୍ ମୁତୟନ ହୋଇଛନ୍ତି।
Cyclone: ବଙ୍ଗୋପସାଗରରେ ବାରମ୍ବାର କାହିଁକି ସୃଷ୍ଟି ହୁଏ ଶକ୍ତିଶାଳୀ ବାତ୍ୟା
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଏଥି ପାଇଁ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲୀପ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ଭାବ୍ୟ ବର୍ଷାର ପୂର୍ବାନୁମାନ, ଜଳଭଣ୍ଡାରଗୁଡ଼ିକର ସ୍ଥିତି, ଜଳ ପ୍ରବେଶ ଓ ନିଷ୍କାସନ ଏବଂ କ୍ଷେତ୍ରସ୍ତରୀୟ ଯନ୍ତ୍ରୀମାନଙ୍କ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବିଶେଷ କରି କୋଲାବ, ବାଲିମେଳା, ଭଞ୍ଜନଗର, ହରଭଙ୍ଗୀ ଓ ଭାସ୍କେଲ ଭଳି ପ୍ରମୁଖ ଓ ମଧ୍ୟମ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ନିୟମିତ ନଜର ରଖିବାକୁ କୁହାଯାଇଥିଲା। ସମ୍ଭାବ୍ୟ ପରିସ୍ଥିତିର ନିୟମିତ ଆକଳନ କରିବା, ନିଜ ନିଜ ଅଞ୍ଚଳରେ ସତର୍କ ରହିବା ଏବଂ ଆବଶ୍ୟକତା ଅନୁଯାୟୀ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।

46 minutes ago
3


