ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ): ମାସକ ତଳେ ଆସିଥିବା ବାତ୍ୟାରେ ଇନ୍ଦ୍ରାବତୀ ନଦୀକୁଳିଆ ଗ୍ରାମବାସୀ, ଚାଷୀ, ନବରଙ୍ଗପୁର ପୌରପାଳିକାର ୪ଟି ୱାର୍ଡର ବହୁ ଲୋକ ନିଜ ଅଣ୍ଟାକୁ ସଳଖି ପାରି ନାହାନ୍ତି। ଏଯାଏଁ ପ୍ରଶାସନ ମଧ୍ୟ ବାତ୍ୟାରେ ଧୋଇ ଯାଇଥିବା ରାସ୍ତା, କଲଭର୍ଟ, ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରର ଭାଙ୍ଗିଥିବା ପାଚେରୀ କାମ ବି ଆରମ୍ଭ ହୋଇନି। ପୁଣି ଆଉ ଗୋଟିଏ ବାତ୍ୟା ଆସିବାକୁ ଯାଉଛି।
ଗତ ଥରର ଅଭିଞତା ଓ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶରେ ଉପରଇନ୍ଦ୍ରାବତୀ କର୍ତ୍ତୃପକ୍ଷ ଏବେ ଇନ୍ଦ୍ରାବତୀ ଡ୍ୟାମର ୩ ଓ୬ନମ୍ବରୀ ସ୍ପିଲୱେ ଗେଟ୍ ଖୋଲିଛନ୍ତି। ଖୋଲିବା ପରେ ୧୩୩.୫୭୬କ୍ୟୁମେକ୍ସ ପାଣି ଗେଟରୁ ବାହାରି ଇନ୍ଦ୍ରାବତୀ ନଦୀରେ ଆସୁଛି। ଗତ ବାତ୍ୟା ପରେ ପୁଣି ମରିଯାଇଥିବା ଇନ୍ଦ୍ରାବତୀ ନଦୀ ପୁଣି ଜୀବିତ ହୋଇଛି। ଧୀରେ ଧୀରେ ନଦୀ ପୁଲିବା ସହ କୂଳ ଖାଇବା ଆରମ୍ଭ ହୋଇଛି। ମାସକ ପରେ ଏହାର ପ୍ରଭାବରେ ପ୍ରଭାବିତ ୧୬୭ଗାଁର ଗ୍ରାମବାସୀମାନେ ନିଜ ନିଜ ଘର ସହ ଜମିକୁ ସଜାଡିବା ଆରମ୍ଭ କରିଥିବା ବେଳେ ପୁଣି ବାତ୍ୟା ଓ ନଦୀରେ ପାଣି ଛାଡିବା ପରେ ଚିନ୍ତାରେ ପଡିଛନ୍ତି।
/filters:format(webp)/sambad/media/media_files/2026/10/26/ngp-indravati-river-and-paddy-2-2026-10-26-12-41-24.jpg)
ଚିନ୍ତାରେ ନଦୀକୂଳିଆ ଚାଷୀ
ବାତ୍ୟା ପ୍ରଭାବିତ ନବରଙ୍ଗପୁର ବ୍ଲକର ବଡମସିଗାଁ ପଂଚାୟତର ଡେବରାଗୁଡା, ଭାଟ୍ଟିଗୁଡା, ଆମ୍ବାଦୋଳା, ଗୁଡରୀଗୁଡା, ଡୂଡରିଗୁଡାର ଓ ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡା ପଂଚାୟତର ସାନ ଡାଇଭଟ୍ଟା, ବଡ ଡାଇଭଟ୍ଟା, କୋଷାଗୁମୁଡା ବ୍ଲକର ଘାଟବାସୁଲି, ଦାଢ଼ିଆଗୁଡା, ଘାଟଚୁରା ଓ ଆଳୁପଦର ଗ୍ରାମବାସୀ ମାନେ ନିଜ ଭୀଟାମାଟି ଛାଡିବାକୁ ପ୍ରସ୍ତୁତ ବୋଲି ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ଅବଗତ କରିଛନ୍ତି। ଅନ୍ୟ ନଦୀ କୂଳିଆ ଗ୍ରାମବାସୀ ବି ପ୍ରଶାସନକୁ ଗାଁ ଛାଡିବାକୁ ମୌଖିକ ଭାବେ କହିଥିବା ସୂଚନା ମିଳିଛି। ନବରଙ୍ଗପୁର ଜିଲ୍ଲାରେ ବିଳମ୍ବରେ ଅଗଷ୍ଠମାସରେ ଧାନ ରୁଆ ସରିଥିଲା। ବାତ୍ୟା ପାଣି ପଶିବା ଫଳରେ ପସଲ ନଷ୍ଟ ହୋଇଛି। ଏହା ବାଦେ ଧାନ ପାଚିବା ଅବସ୍ଥାକୁ ଆସି ଧାନ ଖେଣ୍ଡା ଠିଆ ହେଉଛି। ଏହି ସମୟରେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଯଦି ବାତ୍ୟା ଆସିବା ସହ ପ୍ରବଳ ବର୍ଷା, ପବନ ବୋହିବ ତେବେ ଧାନ, ମକା ଓ ଆଖୁ ଆଦି ପସଲ ନଷ୍ଟ ହେବା ସମ୍ଭାବନାକୁ ଏଡାଇ ହେବନି ବୋଲି ନଦୀକୂଳିଆ ଗାଁର ଚାଷୀମାନେ କହିଛନ୍ତି।
ବାତ୍ୟାରେ ନଷ୍ଟ ହୋଇଥିଲା କୃଷି ଯନ୍ତ୍ରପାତି
ସେଭଳି ହେଲେ ବ୍ୟାଙ୍କ, ଲ୍ୟାମ୍ପସ ଓ ହାତଉଧାରି କିଭଳି ସୁଝିବ ଚିନ୍ତାରେ ବୋଲି କହିଛନ୍ତି। ଗତ ବାତ୍ୟାରେ ଧାନ, ଚାଉଳ, ଲୁଗା, ପାଣିମୋଟର, ପାୱରଟିଲର, ଟ୍ରାକ୍ଟର ଆଦି ନଷ୍ଟ ହୋଇଥିବା ବେଳେ ଏବେ ବାତ୍ୟା ଯଦି ହେଲେ ଆମେ ଆତ୍ମହତ୍ୟା କରିବା ଛଡା ଅନ୍ୟ କିଛି ଉପାୟ ନାହିଁ ବୋଲି କହିଛନ୍ତି ସିନ୍ଦିଗାଁର ଚାଷୀ ମଦନ ମୁଦୁଲିଆ, ଡମ୍ବରୁ ଭତ୍ରା। ଜିଲ୍ଲାପାଳ ମଧୁମିତା ଗୁଗୁଲମିଟ ଜରିଆରେ ସବୁ ଜିଲ୍ଲାସ୍ତରୀୟ ଅଧିକାରୀ, ନୋଡାଲ ଅଧିକାରୀ, ବିଡିଓ, ତହସିଲଦାର, ଅଗ୍ନିଶମଅଧିକାରୀ, ପୁଲିସ ସହ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଥିଲେ। ସେହିପରି ରାଜ୍ୟସରକାର ନବରଙ୍ଗପୁର ଜିଲ୍ଲାପାଇଁ ପୂର୍ବତନ ଜିଲ୍ଲାପାଳ ତଥା ବରିଷ୍ଠ ଆଇଏଏସ୍ ଅଧିକାରୀ ଡ.ମହେଶ୍ବର ସ୍ବାଇଁଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଆସନ୍ତାକାଲି ଠାରୁ ସେ ନବରଙ୍ଗପୁର ଆସି ତଦାରଖ କରିବେ ବୋଲି ସୂଚନା ମିଳିଛି। ଗତ କାଲିରୁ ଖୋଲିଥିବା ୨ଟି ଗେଟ୍ ସେଭଳି ଖୋଲା ରହିଛି। ଏବେ ଜଳଭଣ୍ଡାରରେ ୬୩୯.୯୧୦ମିଟର ପାଣି ଗଚ୍ଛିତ ଅଛି। ୫୯୬.୭୨୯ମେଗାୱାଟ ଘଣ୍ଟା ବିଦ୍ୟୁତ ଉତ୍ପାଦନ ବି ଜାରି ରହିଛି।

1 day ago
4


