ARTICLE AD BOX
ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ୍’ରୁ ବାଦ ପଡ଼ିବା ଘଟଣାକୁ ନେଇ ବିବାଦ ଏବେ ନୂଆ ମୋଡ଼ ନେଇଛି। ପୂର୍ବରୁ ଦୀପିକା ଫିଲ୍ମ ପାଇଁ ଦିନକୁ ୮ ଘଣ୍ଟାର ସୁଟିଂ ସିଫ୍ଟ ଏବଂ ଅଧିକ ପାରିଶ୍ରମିକ ଦାବି କରିଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଫିଲ୍ମର ପ୍ରଯୋଜକ ତଥା ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡି ବାଙ୍ଗାଙ୍କ ଭାଇ ପ୍ରଣୟ ରେଡ୍ଡି ବାଙ୍ଗା ଏହି ବିବାଦକୁ ନେଇ ଭିନ୍ନ ଦାବି କରିଛନ୍ତି। ପ୍ରଣୟଙ୍କ କହିବା ଅନୁସାରେ, ଦୀପିକାଙ୍କ ସହ ପ୍ରାୟ ଦେଢ଼ ବର୍ଷ ଧରି ଫିଲ୍ମକୁ ନେଇ ଆଲୋଚନା ଚାଲିଥିଲା। ତେବେ ପାରିଶ୍ରମିକ ବ୍ୟତୀତ ସେ ଫିଲ୍ମର ମୋଟ ଲାଭର ୧୦ ପ୍ରତିଶତ ଅଂଶ ଦାବି କରିଛନ୍ତି। ଫିଲ୍ମର ବଜେଟ୍ ଦୃଷ୍ଟିରୁ ଏହି ଦାବି ପୂରଣ କରିବା ସମ୍ଭବ ନଥିଲା ବୋଲି ପ୍ରଣୟ ଦାବି କରିଛନ୍ତି। ତାଙ୍କ ମତରେ, ଅଭିନେତା-ଅଭିନେତ୍ରୀ ନିଜ ଦାବି ରଖିପାରନ୍ତି, କିନ୍ତୁ ତାହା ଫିଲ୍ମର ବଜେଟ୍ ସହ ସମନ୍ୱୟ ରହିବା ନିହାତି ଆବଶ୍ୟକ।
ପ୍ରଣୟ ରେଡ୍ଡୀ ବାଙ୍ଗାଙ୍କ ବଡ଼ ଦାବି
ବିବାଦ ଏଠାରେ ଥମି ନଥିବା ଦାବି କରି ପ୍ରଣୟ କହିଛନ୍ତି,‘ ଦୀପିକାଙ୍କ ସହ ଫିଲ୍ମର କାହାଣୀ ଓ ତାଙ୍କ ଚରିତ୍ରକୁ ନେଇ ଦୀର୍ଘ ଦିନ ଧରି ଆଲୋଚନା ହୋଇଥିଲା। ଯେତେବେଳେ ଦୀପିକାଙ୍କ ସହ କଥାବାର୍ତ୍ତା ଆଗକୁ ବଢ଼ିଲା ନାହିଁ ଏବଂ ଟିମ୍ ଅନ୍ୟ ବିକଳ୍ପ ଖୋଜିବା ଆରମ୍ଭ କଲା, ସେତେବେଳେ ଫିଲ୍ମର କିଛି ଗୋପନୀୟ ତଥ୍ୟ ମିଡିଆରେ ଲିକ୍ ହୋଇଥିବା ସୂଚନା ମିଳିଥିଲା।’
ଅନ୍ୟପକ୍ଷରେ, ପୂର୍ବରୁ ଦୀପିକାଙ୍କ ‘ସ୍ପିରିଟ୍’ରୁ ବାହାରିବାର କାରଣ ଭାବେ ୮ ଘଣ୍ଟାର ସୁଟିଂ ସିଫ୍ଟ, ପାରିଶ୍ରମିକ ଓ ସପ୍ତାହରେ ପାଞ୍ଚ ଦିନ କାମ କରିବା ଭଳି ସର୍ତ୍ତକୁ ନେଇ ରିପୋର୍ଟ ପ୍ରକାଶ ପାଇଥିଲା। କିଛି ରିପୋର୍ଟରେ ସେ ୨୦ କୋଟି ଟଙ୍କା ପାରିଶ୍ରମିକ ଦାବି କରିଥିବା ଏବଂ ତେଲୁଗୁ ଭାଷାରେ ସଂଳାପ କହିବାକୁ ଅନିଚ୍ଛା ପ୍ରକାଶ କରିଥିବା ଦାବି ମଧ୍ୟ ହୋଇଥିଲା। ଦୀପିକାଙ୍କ ବଦଳରେ ପରେ ତୃପ୍ତି ଡିମରୀଙ୍କୁ ଫିଲ୍ମରେ ନିଆଯାଇଥିଲା।
‘ସ୍ପିରିଟ୍’କୁ ସନ୍ଦୀପ ରେଡ୍ଡି ବାଙ୍ଗା ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ପ୍ରଭାସ, ତୃପ୍ତି ଡିମରୀ ଓ ବିବେକ ଓବେରୟ ପ୍ରମୁଖ ଭୂମିକାରେ ରହିଛନ୍ତି। ‘ଆନିମଲ’ର ସଫଳତା ପରେ ସନ୍ଦୀପ ଓ ପ୍ରଭାସଙ୍କ ପ୍ରଥମ ସହଯୋଗ ହୋଇଥିବାରୁ ଏହି ଆକ୍ସନ୍ ଥ୍ରିଲର୍ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି। ଫିଲ୍ମଟି ୫ ମାର୍ଚ୍ଚ ୨୦୨୭ରେ ପ୍ରେକ୍ଷାଳୟକୁ ଆସିବାର ସମ୍ଭାବନା ରହିଛି।
IndiGo: ଇଣ୍ଡିଗୋ ୱେବସାଇଟ୍ରେ ପୁଣି ବିଭ୍ରାଟ, ବିମାନ ଟିକେଟ୍ ବୁକିଂ ପ୍ରଭାବିତ

6 days ago
3


