ARTICLE AD BOX
ଏକ ଦେଶର ଜନସଂଖ୍ୟା ସ୍ଥିର ରହିବା ପାଇଁ ଆବଶ୍ୟକ ‘ଟିଏଫ୍ଆର୍’ ହେଉଛି- ୨.୧; ‘ଟିଏଫ୍ଆର୍’ ଏହାଠାରୁ କମ୍ ହେଲେ ଦେଶର ମୋଟ ଜନସଂଖ୍ୟାରେ ହ୍ରାସ ଘଟିଥାଏ ଓ ଜନସଂଖ୍ୟାରେ ଅନୁତ୍ପାଦକ ବୃଦ୍ଧବୃଦ୍ଧାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥାଏ। ଏପରି ଘଟିଲେ ପରିସ୍ଥିତି କିପରି ଅସମ୍ଭାଳ ହୋଇଥାଏ, ତାହା ବର୍ତ୍ତମାନ ଚୀନରେ ଦେଖିବାକୁ ମିଳୁଛି। ସେଠାରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଗୋଟିଏ ସନ୍ତାନ ନିୟମ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ ହୋଇ ସେଠାରେ ଟିଏଫ୍ଆର୍ ବର୍ତ୍ତମାନ ୦.୯୩ରେ ପହଞ୍ଚିଯାଇ ସୃଷ୍ଟି କରିଥିବା ଆତଙ୍କର ପ୍ରଭାବରେ ସେ କଟକଣାର ଉଚ୍ଛେଦ ଘଟି ଏକାଧିକ ସନ୍ତାନ ଜନ୍ମ ନିମିତ୍ତ ପ୍ରୋତ୍ସାହନ ପ୍ରଦାନ କରାଯାଉଥିଲେ ମଧ୍ୟ ଚୀନା ଯୁବକଯୁବତୀମାନେ ସେଥିପ୍ରତି ଆଉ କର୍ଣ୍ଣପାତ କରୁନାହାନ୍ତି।
ମାଧ୍ୟାକର୍ଷଣର ପ୍ରଭାବ ବୁଝାଇବାକୁ ଯାଇ ସାର୍ ଆଇଜାକ ନିଉଟନ କୁଆଡ଼େ କହିଥିଲେ: ‘‘ଯାହା ଉପରକୁ ଉଠିଯାଏ, ତାହା ପୁଣି ତଳକୁ ଖସିବାକୁ ବାଧ୍ୟ ହୋଇଥାଏ’’ (‘‘ହ୍ବାଟ୍ ଗୋଜ୍ ଅପ୍ ମଷ୍ଟ କମ୍ ଡାଉନ୍’’)। ପୃଥିବୀରେ କେହିହେଲେ ଯେ ଏଇ ନିୟମର ଊର୍ଦ୍ଧ୍ବରେ ନୁହନ୍ତି, ଏପରିକି ଭାରତର ସର୍ବୋଚ୍ଚ ଅଦାଲତ ସୁପ୍ରିମ କୋର୍ଟ ମଧ୍ୟ, ୪ ନଭେମ୍ବରରେ ଏଇ ଅଦାଲତ ଗ୍ରହଣ କରିଥିବା ଏକ ପଦକ୍ଷେପ ଓ ପ୍ରକାଶ କରିଥିବା ଆଭିମୁଖ୍ୟ ତାହାର ଏକ ସ୍ବୀକାରୋକ୍ତି ପରି ମନେ ହୋଇଥାଏ। ସେଦିନ ଏଇ ସର୍ବୋଚ୍ଚ ଅଦାଲତର ଏକ ଦୁଇଜଣିଆ ବେଞ୍ଚ ଏଇ ଅଦାଲତ ୨୦୦୩ରେ ‘ଜାଭେଦ ବନାମ ଷ୍ଟେଟ୍ ଅଫ୍ ହରିଆଣା’ ମାମଲାରେ ପ୍ରଦାନ କରିଥିବା ରାୟର ପୁନର୍ବିଚାରର ସମୟ ଉପସ୍ଥିତ ବୋଲି ଦେଇଥିବା ଆହ୍ବାନ ହେଉଛି ଏଇ ସ୍ବୀକାରୋକ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଯେଉଁ ଊର୍ଦ୍ଧ୍ବଗାମୀ ସତ୍ତା ବର୍ତ୍ତମାନ ନିମ୍ନଗାମୀ ହେବାର ଲକ୍ଷଣ ପ୍ରକାଶ ପାଇଲାଣି ବୋଲି ସର୍ବୋଚ୍ଚ ଅଦାଲତ ସ୍ବୀକାର କରିଛନ୍ତି, ତାହା ହେଲା- ଭାରତର ଜନସଂଖ୍ୟାର ବୃଦ୍ଧି। ୨୦୦୩ର ରାୟ ଏଇ ବୃଦ୍ଧିର ଊର୍ଦ୍ଧ୍ବଗତିକୁ ନିୟନ୍ତ୍ରଣ କରିବାକୁ ଉଦ୍ଦିଷ୍ଟ ଥିବାବେଳେ, ବର୍ତ୍ତମାନ ସେଥିରେ ଦେଖାଦେଇଥିବା ଚିନ୍ତାଜନକ ନିମ୍ନଗତିକୁ ପ୍ରତିହତ କରିବା ପାଇଁ ପୂର୍ବର ସେଇ ରାୟରେ ପରିବର୍ତ୍ତନ ଆବଶ୍ୟକ ବୋଲି ସୁପ୍ରିମ କୋର୍ଟ ମତ ପ୍ରକାଶ କରିଛନ୍ତି।
୨୦୦୩ର ରାୟରେ ସୁପ୍ରିମ କୋର୍ଟ ହରିଆଣାର ଯେଉଁ ଆଇନର ସାଂବିଧାନିକ ବୈଧତାକୁ ସ୍ବୀକୃତି ପ୍ରଦାନ କରିଥିଲେ, ତାହା ହେଲା ‘ହରିଆଣା ପଞ୍ଚାୟତିରାଜ ଆକ୍ଟ, ୧୯୯୪’ର ଦୁଇଟି ଧାରା, ଯାହା ଅନୁସାରେ ଦୁଇଟିରୁ ଅଧିକ ସଂଖ୍ୟକ ସନ୍ତାନସନ୍ତତିଙ୍କର ଅଧିକାରୀ ହୋଇଥିବା କୌଣସି ବ୍ୟକ୍ତି କୌଣସି ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି କିମ୍ବା ଜିଲ୍ଲା ପରିଷଦ ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ, ଏବଂ ଯଦି ଏପରି କୌଣସି ଅନୁଷ୍ଠାନରେ ସେ ପଦାଧିକାରୀ ଥିବା ଅବସରରେ ଦୁଇରୁ ଅଧିକ ସନ୍ତାନସନ୍ତତିଙ୍କର ମାତୃତ୍ବ କିମ୍ବା ପିତୃତ୍ବର ଅଧିକାରୀ ହୁଅନ୍ତି, ତେବେ ତାଙ୍କୁ ତୁରନ୍ତ ପଦ ତ୍ୟାଗ କରିବାକୁ ହେବ।
ହରିଆଣାର ଏଇ ଜନ୍ମ ନିୟନ୍ତ୍ରଣକାରୀ ଆଇନ ସଂବିଧାନର ଧାରା- ୧୪, ୨୧, କିମ୍ବା ୨୫ ଅନ୍ତର୍ଗତ ବ୍ୟକ୍ତିର କୌଣସି ମୌଳିକ ଅଧିକାର (ଯଥାକ୍ରମେ ସମାନତାର ଅଧିକାର, ବଞ୍ଚିବାର ଓ ବ୍ୟକ୍ତିଗତ ସ୍ବାଧୀନତାର ଅଧିକାର ଓ ଧର୍ମୀୟ ସ୍ବାଧୀନତାର ଅଧିକାର) ଉଲ୍ଲଂଘନ କରି ନ ଥାଏ ବୋଲି ସେତେବେଳେ ସୁପ୍ରିମ କୋର୍ଟର ଏକ ତିନିଜଣିଆ ବେଞ୍ଚ ତାଙ୍କର ରାୟରେ ଘୋଷଣା କରିଥିଲେ। ଏଇ ରାୟର ଯଥାର୍ଥତା ପ୍ରତିପାଦନ ସ୍ବରୂପ ମାନ୍ୟବର ବେଞ୍ଚ ଯେଉଁ ସମସ୍ତ କାରଣମାନ ଉଲ୍ଲେଖ କରିଥିଲେ, ସେଥିମଧ୍ୟରୁ ଅନ୍ୟତମ ଥିଲା- ଏଇ ଆଇନ ପରିବାର ନିୟୋଜନ ଉଦ୍ୟମକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍ ୨୦୦୩ରେ ସର୍ବୋଚ୍ଚ ଅଦାଲତ ପରିବାର ନିୟୋଜନ ଏବଂ ଜନସଂଖ୍ୟା ନିୟନ୍ତ୍ରଣକୁ ଦେଶର ମଙ୍ଗଳ ପାଇଁ ଅନୁସୃତ ଏକ ଆଦର୍ଶ ନୀତି ରୂପେ ବିଚାର କରୁଥିଲେ।
ସୁପ୍ରିମ କୋର୍ଟଙ୍କର ଏଇ ଦୁଇଜଣିଆ ବେଞ୍ଚ ବର୍ତ୍ତମାନ ୨୦୦୩ର ସେଇ ରାୟର ପୁନର୍ବିଚାର ପାଇଁ ଏକ ବୃହତ୍ତର ବେଞ୍ଚକୁ ରେଫର୍ କରିଦେଇଛନ୍ତି। ଏଭଳି ପଦକ୍ଷେପର କାରଣ ସ୍ବରୂପ ନ୍ୟାୟମୂର୍ତ୍ତିଦ୍ବୟ କହିଛନ୍ତି ଯେ ସେଇ ରାୟଟି ବର୍ତ୍ତମାନ ସମୟରେ ତା’ର ପ୍ରାସଙ୍ଗିକତା ହରାଇ ସାରିଲାଣି। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶର ଜନସଂଖ୍ୟା ଚିତ୍ରରେ ଘଟିଥିବା କେଉଁ ପରିବର୍ତ୍ତନ ଯୋଗୁଁ ଉପରୋକ୍ତ ରାୟ ତା’ର ପ୍ରାସଙ୍ଗିକତା ହରାଇଲାଣି, ତାହା କାହାରିକୁ ଅବିଦିତ ନୁହେଁ। ସ୍ବାଧୀନତା ପରଠାରୁ ଏକ ଦ୍ରୁତବର୍ଦ୍ଧିଷ୍ଣୁ ତଥା ବିଶାଳ ଜନସଂଖ୍ୟାକୁ ଭାରତର ଅର୍ଥନୈତିକ ବିକାଶ ପଥରେ ଦଣ୍ଡାୟମାନ ଏକ ପ୍ରମୁଖ ପ୍ରତିବନ୍ଧକ ରୂପେ ବିବେଚନା କରାଯାଉଥିଲା। ସରକାରୀ ନୀତି ତେଣୁ ସ୍ବାଭାବିକ ଭାବରେ ପରିବାର ନିୟୋଜନ ବା ଜନ୍ମ ନିୟନ୍ତ୍ରଣ ମାଧ୍ୟମରେ ଜନସଂଖ୍ୟା ନିୟନ୍ତ୍ରଣକୁ ପ୍ରାଥମିକତା ପ୍ରଦାନ କରିବା ଦେଖାଯାଉଥିଲା।
ଭାରତ ବର୍ତ୍ତମାନ କିନ୍ତୁ ଯେଉଁ ଜନସଂଖ୍ୟା ଚିତ୍ରର ସମ୍ମୁଖୀନ, ତାହା ହେଉଛି ଏକ ଜଟିଳ ଚିତ୍ର। ଏଇ ଚିତ୍ର ହେଲା: ସନ୍ତାନ ପ୍ରସବ ହାରରେ ତୀକ୍ଷ୍ଣ ସ୍ଖଳନ, ଜନସଂଖ୍ୟାରେ ଜରାଗ୍ରସ୍ତ ଅନୁପାତରେ ତୀକ୍ଷ୍ଣ ବୃଦ୍ଧି, ତେଣୁ ଶ୍ରମ ଶକ୍ତିରେ ତୀକ୍ଷ୍ଣ ସଂକୋଚନ ଘଟିବାର ସମ୍ଭାବନା। ଉଦାହରଣ ସ୍ବରୂପ ୨୦୦୩ରେ ନାରୀମାନେ ତାଙ୍କର ଜୀବନକାଳରେ ଜନ୍ମଦାନ କରୁଥିବା ମୁଣ୍ଡପିଛା ହାରାହାରି ସନ୍ତାନ ସଂଖ୍ୟା ବା ‘ଟିଏଫ୍ଆର୍’ (‘ଟୋଟାଲ ଫର୍ଟିଲିଟି ରେଟ୍’) ଥିଲା ୩। ବର୍ତ୍ତମାନ ସମଗ୍ର ଦେଶ ପାଇଁ ‘ଟିଏଫ୍ଆର୍’ ୧.୯କୁ ହ୍ରାସ ପାଇଥିବାବେଳେ, ଅନେକ ରାଜ୍ୟରେ ତାହା ଆହୁରି ନୀଚା ହୋଇସାରିଲାଣି (ଯେମିତି, ଓଡ଼ିଶା- ୧.୭, ଦିଲ୍ଲୀ- ୧.୨, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ପ୍ରତ୍ୟେକ- ୧.୩)।
ଏଠାରେ ସୂଚନାଯୋଗ୍ୟ ଯେ ଏକ ଦେଶର ଜନସଂଖ୍ୟା ସ୍ଥିର ରହିବା ପାଇଁ ଆବଶ୍ୟକ ‘ଟିଏଫ୍ଆର୍’ ହେଉଛି- ୨.୧; ‘ଟିଏଫ୍ଆର୍’ ଏହାଠାରୁ କମ୍ ହେଲେ ଦେଶର ମୋଟ ଜନସଂଖ୍ୟାରେ ହ୍ରାସ ଘଟିଥାଏ ଓ ଜନସଂଖ୍ୟାରେ ଅନୁତ୍ପାଦକ ବୃଦ୍ଧବୃଦ୍ଧାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥାଏ। ଏପରି ଘଟିଲେ ପରିସ୍ଥିତି କିପରି ଅସମ୍ଭାଳ ହୋଇଥାଏ, ତାହା ବର୍ତ୍ତମାନ ଚୀନରେ ଦେଖିବାକୁ ମିଳୁଛି। ସେଠାରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଗୋଟିଏ ସନ୍ତାନ ନିୟମ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ ହୋଇ ସେଠାରେ ଟିଏଫ୍ଆର୍ ବର୍ତ୍ତମାନ ୦.୯୩ରେ ପହଞ୍ଚିଯାଇ ସୃଷ୍ଟି କରିଥିବା ଆତଙ୍କର ପ୍ରଭାବରେ ସେ କଟକଣାର ଉଚ୍ଛେଦ ଘଟି ଏକାଧିକ ସନ୍ତାନ ଜନ୍ମ ନିମିତ୍ତ ପ୍ରୋତ୍ସାହନ ପ୍ରଦାନ କରାଯାଉଥିଲେ ମଧ୍ୟ ଚୀନା ଯୁବକଯୁବତୀମାନେ ସେଥିପ୍ରତି ଆଉ କର୍ଣ୍ଣପାତ କରୁନାହାନ୍ତି। ଆମ ଦେଶରେ ମଧ୍ୟ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଅଧିକ ସଂଖ୍ୟକ ସନ୍ତାନ-ସନ୍ତତି ଜନ୍ମ କରିବା ପାଇଁ ଦଂପତିମାନଙ୍କୁ ଆକର୍ଷଣୀୟ ପ୍ରୋତ୍ସାହନ ପ୍ରଦାନ କରିବା ଆରମ୍ଭ କଲେଣି।
ଏଇ ପରିବର୍ତ୍ତିତ ପୃଷ୍ଠଭୂମିରେ ତେଣୁ ସୁପ୍ରିମ କୋର୍ଟର ଦୁଇଜଣିଆ ବେଞ୍ଚ ୨୦୦୩ରେ ଯେଉଁ ଯୁକ୍ତି ବଳରେ ହରିଆଣାର ପଞ୍ଚାୟତିରାଜ ଆଇନ ଲାଗୁ କରିଥିବା ଉପରୋକ୍ତ କଟକଣା (ଓଡ଼ିଶାରେ ମଧ୍ୟ ଅନୁରୂପ କଟକଣା ବଳବତ୍ତର ଅଛି) ଯଥାର୍ଥ ସାବ୍ୟସ୍ତ ହୋଇଥିଲା, ବର୍ତ୍ତମାନ ସେଇ ଯୁକ୍ତିର ପ୍ରୟୋଗ କେତେଦୂର ସମୀଚୀନ ହେବ, ତାହା ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି।
ତେବେ ଏ ବିତର୍କର ଘନଘଟା ଭିତରେ ସୁପ୍ରିମ କୋର୍ଟର ବୃହତ୍ତର ବେଞ୍ଚ ଏହା ଗୁରୁତର ଭାବରେ ପ୍ରଭାବିତ କରୁଥିବା ସମାଜର ଏକ ନିର୍ଦ୍ଦିଷ୍ଟ ତଥା ବିଶେଷ ବର୍ଗର ସ୍ବାଧୀନତା ଓ ସ୍ବାର୍ଥ ଯେପରି ସୁରକ୍ଷିତ ରହେ, ତାହା ନିଶ୍ଚିତ କରିବା ଜରୁରି। ସେମାନେ େହଉଛନ୍ତି ଭାରତର ନାରୀମାନେ, ଯେଉଁମାନଙ୍କୁ ହିଁ ସନ୍ତାନସନ୍ତତିଙ୍କର ଜନ୍ମ ଓ ଲାଳନପାଳନର ସମଗ୍ର ଦାୟିତ୍ବ ବହନ କରିବାକୁ ହୋଇଥାଏ। ୨୦୦୩ର ରାୟ ସେମାନଙ୍କ ମଧ୍ୟରୁ କେତେକଙ୍କ ପାଇଁ ଏଇ ଲିଙ୍ଗଗତ ବୋଝ ସାମାନ୍ୟ ଉଶ୍ବାସ କରିଥିଲା; ସଂଶୋଧିତ ରାୟ ଯେପରି ସେମାନଙ୍କ ଉପରେ ପୁଣି ସେଇ ବୋଝ ଲଦି ନ ଦିଏ, ସର୍ବୋଚ୍ଚ ଅଦାଲତ ସେଥିପ୍ରତି ଯତ୍ନବାନ ହେବା ଆଶା କରାଯାଏ।

1 hour ago
3

