Editorial: ସନାତନର ସ୍ବଗତୋକ୍ତି: ଯୁଦ୍ଧ ନିରନ୍ତର

59 minutes ago 1
ARTICLE AD BOX

ଦାଶ ବେନହୁର

ଜୀବ ମାତ୍ରେ ଯୁଦ୍ଧ। ଯୁଦ୍ଧର କେତେକେତେ ନାଅଁା। ଲଢ଼େଇ, ସଂଗ୍ରାମ, ବିଦ୍ରୋହ, ବିପ୍ଳବ। ମଞ୍ଜିଟିଏ ସଂଗ୍ରାମ ନ କଲେ ଖୋଳପା ଫଟେଇ ଅଙ୍କୁରୋଦ୍‌ଗମ ସମ୍ଭବ ହୁଏନା। କୋଷାରୁ ପ୍ରଜାପତି ବାହାରିଲାବେଳେ ତାକୁ ଆବରଣ ସହ ଲଢ଼େଇ କରି ବାହାରିବାକୁ ପଡ଼େ। ପରିଣତ ଅବସ୍ଥାକୁ ଆସିଯାଇଥିବା ଶାବକଟି ଜଠର ଭିତରେ ବିଦ୍ରୋହ ନ କଲେ ବାହାରିବ କେମିତି? 
ଅତଏବ ଯୁଦ୍ଧ ନ ଥିଲେ ଜୀବନ ନାହିଁ।
ତେବେ ତାହା କେଉଁ ଯୁଦ୍ଧ? ଶୋଷଣର ଯୁଦ୍ଧ ନା ପୋଷଣର ଯୁଦ୍ଧ?
ଜୀବ ଯେ କୋଷା, ଅଣ୍ଡା, ଜଠର ବା ବୀଜରୁ ବାହାରେ ତାହା କୌଣସି ଶୋଷଣ ପାଇଁ ନୁହେଁ। ବୀଜ ସହ ଜୀବ କଥାଟି ଖୁବ୍ ନିବିଡ଼ ଭାବରେ ସଂପୃକ୍ତ। ସବୁ ଜୀବନ ମୂଳରେ ବୀଜଟିଏ ଅବଶ୍ୟମ୍ଭାବୀ। ଯେମିିତି ସବୁ ଉଦ୍ଭାବନ ମୂଳରେ ଥାଏ କୂଟାଭାଷ, ଗୋଟିଏ ଆପାତ ବୀଜ-ପ୍ରଶ୍ନ। ପ୍ରଶ୍ନ ନାହିଁ ତ ଅନ୍ବେଷା ନାହିଁ, ଅନ୍ବେଷା ନାହିଁ ତ ସଂଗ୍ରାମ ନାହିଁ। ପରିଣତି ନାହିଁ।
ସ୍ବୀକାର କରିବାକୁ ପଡ଼ିବ ଯେ ସଂଗ୍ରାମ ବା ଯୁଦ୍ଧ ମଣିଷର ସହଜାତ। ଯେତେଯେତେ ଆବିଷ୍କାର ବା ଉଦ୍ଭାବନ ଅଛି ସେଥିରେ ଜଣେ ବା ଏକାଧିକ ବ୍ୟକ୍ତିଙ୍କର ବିଚାର-ମନ୍ଥନ ବା ସଂଗ୍ରାମ ନିଶ୍ଚିତ ଭାବରେ ନିହିତ।
ସମୂହର କଲ୍ୟାଣ ପାଇଁ ଯେତେଯେତେ ଯୁଦ୍ଧ ବା ସଂଘର୍ଷ ସେ ସବୁ ପୋଷଣକାରୀ ଯୁଦ୍ଧ ମାତ୍ର ଜଣେ ବ୍ୟକ୍ତି ବା ଗୋଟିଏ ଗୋଷ୍ଠୀର ଅହଂସିଦ୍ଧି ପାଇଁ ଯେତେ ଯେଉଁ ଲଢ଼େଇ ସେ ସବୁ ଶୋଷଣକାରୀ ଯୁଦ୍ଧ। ଯୁଦ୍ଧ ପୋଷଣକାରୀ କି ଶୋଷଣକାରୀ ତାହା ଏକ ନିରନ୍ତର ପ୍ରକ୍ରିୟା। ଯୁଦ୍ଧ ଚିରନ୍ତନ, ଇତିହାସଠାରୁ ପୁରୁଣା। ବିଚାର ବିଚାରରେ ଯୁଦ୍ଧ, ଆହରଣ ଆହରଣରେ ଯୁଦ୍ଧ, ଭୂମିରେ ଭୂମିରେ ଯୁଦ୍ଧ। ଯୁଦ୍ଧ କେଉଁଠି ନାହିଁ? ଯୁଦ୍ଧ କ’ଣ କେବଳ ଅସ୍ତ୍ରଶସ୍ତ୍ରରେ ହୁଏ? ଜଣେ ଜଣେ ବ୍ୟକ୍ତିଙ୍କର ବିଚାର ଆଉ ବିଚାରକୁ ଭୂଲୁଣ୍ଠିତ କରିବା ସକାଶେ କେତେ ଯେ ଯୁଦ୍ଧ ଭିଆଇଛି ତା’ର ଇୟତ୍ତା ନାହିଁ। ସାମ୍ୟବାଦର ବିଚାର ତ କହିଥିଲା- ସବୁ ଦିନେ ଲାଲ ହୋଇଯିବ।
ଆମେ ଅନେକ ସମୟରେ ଭାବୁ, ଯୁଦ୍ଧ ମୂଳତଃ ରାଜନୈତିକ ପରିସୀମାକୁ ନେଇ ସଂଘଟିତ। ସବୁ ଯୁଦ୍ଧ ରାଜନୈତିକ କାହିଁକି ହେବ?
ବ୍ରାହ୍ମଧର୍ମକୁ ଆସିବା। ଗୋଟାଏ ସମୟରେ ଏ ସଂପର୍କିତ ବିଚାର ପୂର୍ବ ଭାରତର ଗୋଟାଏ ବଡ଼ ଅଂଶକୁ ଖୁବ୍ ପ୍ରଭାବିତ କରିଥିଲା। ସେମିତି ଓଡ଼ିଶାରେ ଜାତ ମହିମାଧର୍ମ। ବିଚାର-ସଂଘାତ ମାଧ୍ୟମରେ ଆଜି ବି ଏ ମୂଲ୍ୟବୋଧ ତା’ର ସଂଗ୍ରାମ ଜାରି ରଖିଛି। ବର୍ନାଡ ବାରୁଚ୍‌ଙ୍କ ମତରେ ପାଞ୍ଚଗୋଟି ଉପାଦାନ ଭିତରୁ ଯେ କୌଣସି ଗୋଟିଏକୁ ନେଇ ଯୁଦ୍ଧ ହୋଇପାରେ। ସେ ପାଞ୍ଚଗୋଟି ହେଲା- ମଣିଷ, ଅର୍ଥ, ସାଧନ, ଖାଦ୍ୟ ଓ ମୂଲ୍ୟବୋଧ ବା ନୀତିବୋଧ। ଯୁଦ୍ଧକୁ ଚିରନ୍ତନ ବୋଲି କହି ‘ଆଗାମୀ ବିଶ୍ବ’ ସଂପର୍କରେ ସ୍ମେଡଲେ ବଟଲର୍‌ ଗୋଟେ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି- ଯୁଦ୍ଧକୁ ବାସନ୍ଦ କରି କିଛି ଲାଭ ନାହିଁ କାରଣ ସେମିତି କରିବା ଚରମ ବୋକାମି। ସବୁ ଅସ୍ତ୍ରଶସ୍ତ୍ର ହାତରୁ ଛଡ଼େଇ ନେଲେ ବି ଦେଖାଯିବ ମଣିଷଗୁଡ଼ା ହାତାହାତିରେ ମାତିଛନ୍ତି।
ଆଦିମ ମଣିଷ ଯେ ବଞ୍ଚିଥିଲା ତା’ ପଛରେ ଥିଲା ଲଢ଼େଇ। ଯେତେ ଆଦର୍ଶ, ବିଚାର, ମୂଲ୍ୟବୋଧ ବା ପରମ୍ପରା ସେ ସମସ୍ତ ପଛରେ ଥିଲା ଏକ ଯୁଦ୍ଧଂଦେହି ଡାକରା। ଭଲ ପାଇଁ ଯୁଦ୍ଧ, ମନ୍ଦ ପାଇଁ ଯୁଦ୍ଧ। 
ଯୁଦ୍ଧ ଯଦି ଅବଶ୍ୟମ୍ଭାବୀ ତେବେ ଆମେ କ’ଣ ଗ୍ରହଣ କରିନେବା ଯେ ସଂସାରରେ ଯେତେ ପ୍ରକାରର ଯୁଦ୍ଧ ହେଉଛି ସେଥିରେ ଆମର କିଛି କହିବାର ନାହିଁ?
ଅଧିକାଂଶ ଯୁଦ୍ଧ ବିନାଶକାରୀ। ଗୋଟିକର ବିନାଶରେ ଆଉ ଗୋଟିକର ବିକାଶ। ଅଧିକାଂଶ ଯୁଦ୍ଧ ଷଡ଼୍‌ଯନ୍ତ୍ର। ଏଥିରେ ଅଳ୍ପସଂଖ୍ୟକ ଲାଭ ପାଇଲାବେଳେ ବହୁସଂଖ୍ୟକ ତା’ର ମୂଲ୍ୟ ଦେଇଥାନ୍ତି। ଏ କଥାଟି ସୀମାଯୁଦ୍ଧ ପାଇଁ ‌େଯତିକି ସତ ଧର୍ମଯୁଦ୍ଧ ଲାଗି ତା’ଠାରୁ ଅଧିକ ସତ।
ଆଲୋଚନା ଆରମ୍ଭରୁ ଯୁଦ୍ଧକୁ ଏକ ଅବଧାରିତ ଜୀବନକ୍ରମ ଭାବରେ ଅଭିହିତ କରାଯାଇଛି। ମାତ୍ର ମୁଦ୍ରାର ଦୁଇଟି ପାର୍ଶ୍ବ ପରି ଏ ପ୍ରକ୍ରିୟା ଉଭୟ କ୍ଷତି ଓ ଲାଭର ପରିଚାୟକ। ମଣିଷ ଯୁଦ୍ଧ ମାଧ୍ୟମରେ ନିଜର, ସମୂହର ଓ ସଂସାରର ଯେତେ କ୍ଷତି କରେ ତା’ଠାରୁ ଲାଭ କରେ ଖୁବ୍ କମ୍। ସେଇଥିପାଇଁ ଶୋଷକ ଓ ପୋଷକ ଭେଦରେ ଯୁଦ୍ଧର ବିଚାର କରାଯାଇଛି।
ଆଜି ଯୁଦ୍ଧ କହିଲେ ଆମେ ଦେଶ ଦେଶ ଭିତରେ ଆକ୍ରୋଶ ଓ ଆକ୍ରମଣକୁ ବୁଝୁଛୁ। ରୁଷ ଓ ୟୁକ୍ରେନ, ଆମେରିକା-ଇରାନ, ଇଜ୍ରାଏଲ-ଇଜିପ୍‌ଟ, ପାଲେଷ୍ଟାଇନ, ଇଜ୍ରାଏଲ-ଲେବାନନ, ୟେମେନ ଓ ଲୋହିତ ସାଗର ସମସ୍ୟା ସହ ଭାରତ-ପାକିସ୍ତାନ, ଦକ୍ଷିଣ କୋରିଆ-ଉତ୍ତର କୋରିଆ, ଚୀନ-ତାଇୱାନ ଆଦି କ୍ଷେତ୍ରରେ ଯୁଦ୍ଧର ସ୍ଥିତି ଅବିରାମ। ନିରବରେ ବି ଯୁଦ୍ଧର ଷଡ଼୍‌ଯନ୍ତ୍ର ଚାଲିଛି। କୌଣସିଠାରେ ହଠାତ୍ ଯୁଦ୍ଧ ଦେଖାଦିଏ ନାହିଁ। ସେଥିପାଇଁ କୁହାଯାଏ- ଆଜି ଯେ ଗୁଳିଟି ଫୁଟିଲା ତା’ର ପରିକଳ୍ପନା ହୋଇଥିଲା ଦଶ ବର୍ଷ ତଳୁ।
ଅଦୃଶ୍ୟରେ ବି ଯୁଦ୍ଧ ଚାଲିଥାଏ। ତାହା ଯୁଦ୍ଧର ପରିଭାଷାକୁ ଆମ ଆଗରେ ଅଧିକ ବିସ୍ତାରିତ କରେ। ଯେତେବେଳେ ଗୋଟିଏ ଦେଶ କହେ ଯେ ମୁଁ ଏକ ନମ୍ବର ହେବି, ସେତିକିରୁ ବୁଝିନେଇ ହେବ- ସେ ଦେଶ ଯୁଦ୍ଧ ଘୋଷଣା କରୁଛି। ଅନ୍ୟ ଦେଶଗୁଡ଼ିକୁ ଶୋଷଣ ନ କଲେ ବା ପଦାନତ ନ କଲେ ତାହା ଏକ ନମ୍ବର ହେବ କେମିତି? ଜଣେ ବ୍ୟକ୍ତି ଯେତେବେଳେ କହେ- ମୁଁ ବିଶ୍ବର ଏକ ନମ୍ବର ଧନୀ ବୋଲାଇବି ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ବ୍ୟକ୍ତିଜଣକ ଯୁଦ୍ଧଂଦେହୀ ଡାକରା ଦେଉଛନ୍ତି।
ସୀମାଯୁଦ୍ଧ ଏକ ସାଧାରଣ କଥା। ଆଗରୁ ମଣିଷ ଭିତରେ ଥିଲା ଦ୍ବନ୍ଦ୍ବ ଯୁଦ୍ଧ। ଜଣଜଣକର ଅବାରିତ ଜିଗୀଷା ଡାକି ଆଣୁଥିଲା ଯୁଦ୍ଧ ପରେ ଯୁଦ୍ଧ। ଆଟିଲା ଦ ହୁନ୍‌ଙ୍କଠାରୁ, ଚେଙ୍ଗିଜ ଖାନ୍, ଆଲେକଜାଣ୍ଡର, ଅଶୋକ ଆଦି କେତେକେତେ ଯେ ଅର୍ବୁଦ ଅର୍ବୁଦ ମଣିଷ ମାରଣର ଯଜ୍ଞ କରିଥିଲେ ତହିଁରେ ଥିଲା ଜଣେ ମାତ୍ର ବ୍ୟକ୍ତିର ଜିଘାଂସା। ଏଥିରୁ କୌଣସିଟି ବି ଯୁଦ୍ଧ ଲୋକକଲ୍ୟାଣ ପାଇଁ ଉଦ୍ଦିଷ୍ଟ ନ ଥିଲା। ପରବର୍ତ୍ତୀ କାଳରେ ଧର୍ମକୁ ଆଧାର କରି ଯେତେ ଯୁଦ୍ଧ ହୋଇଛି ତା’ର ହିସାବ କଲେ ଇତିହାସର ପିଠି ବି ସେ ଭାରରେ ନତ ହୋଇଯିବ। ମୋ ଧର୍ମ ଶ୍ରେଷ୍ଠ ଓ ଅନ୍ୟ ଧର୍ମ ସଇତାନର ବାଣୀ ବୋଲି ଘୋଷଣା କରୁଥିବା ଧର୍ମଧ୍ବଜାଧାରୀମାନେ ପ୍ରକୃତରେ ଯୁଦ୍ଧ ଡାକରା ଦିଅନ୍ତି। ଧନ ବା ଭୂମି ଆହରଣ ସଂପର୍କିତ ଯୁଦ୍ଧଠାରୁ ଏ ଯୁଦ୍ଧ ବହୁ ଭାବରେ ଭୟାନକ। ଧର୍ମ ନାମରେ ଯେତେ ହତ୍ୟା, ଲୁଣ୍ଠନ, ଧର୍ଷଣ, ବଳାତ୍କାର ତାହା ଯୁଦ୍ଧକୁ କେବଳ ଶୋଷଣକାରୀ ଭାବରେ ପ୍ରତିପାଦିତ କରେ।
ଆଧୁନିକ ସମୟରେ ଆମେ ଏବେ ତିନିଗୋଟି ଅନ୍ତରୀଣ ଯୁଦ୍ଧ ଦ୍ବାରା କବଳିତ। ଏଥିରେ ଗୁଳିଗୋଳାର ଆବଶ୍ୟକତା ନାହିଁ। ତାହା ହେଉଛି ବାଣିଜ୍ୟ, ଜ୍ଞାନ ଓ ପ୍ରଯୁକ୍ତି। ବେଶ୍ ଦୂର ଅତୀତ କାଳରୁ ଇଉରୋପୀୟମାନେ ଚତୁରତାର ସହ ବାଣିଜ୍ୟ ଓ ଜ୍ଞାନ ଯୁଦ୍ଧରେ ପରାସ୍ତ କରି ସାରା ପୃଥିବୀକୁ ଉପନିବେଶରେ ପରିଣତ କରିଥିଲେ। ଗୁଳିଗୋଳା ଯେ ଫୁଟି ନ ଥିଲା ସେ କଥା ନୁହେଁ। ଅସଲ ଥିଲା ନିଜ ଶିକ୍ଷା, ସଂସ୍କୃତି, ଦର୍ଶନ, ପଦାର୍ଥ ଓ ଜ୍ଞାନକୁ ପୃଥିବୀସାରା ପରିବ୍ୟାପ୍ତ କରିବା। ସେ ଯୁଦ୍ଧରେ ଇଉରୋପ ଆଜି ତା’ର ସଫଳତା ଜାରି ରଖିଛି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆସିଛି ଆମେରିକା। ସୂର୍ଯ୍ୟକିରଣ ଯେଉଁଠି ପଡୁଛି ସେ ଯାଏ ଆମର ସାମ୍ରାଜ୍ୟ ବୋଲି ଇଂଲାଣ୍ଡ୍ ଯେଉଁ ସ୍ଲୋଗାନ ଦେଇଥିଲା ତା’ ସହିତ ଯୋଡ଼ାଥିଲା ସାରା ଇଉ‌େରାପ- ଜର୍ମାନୀ, ଫ୍ରାନ୍‌ସ, ସ୍ପେନ, ପର୍ତ୍ତୁଗାଲ, ଇଂଲାଣ୍ଡ୍, ଇଟାଲି, ଇଜିପ୍‌ଟ ଭଳି ଦେଶସମୂହ। ସେ ଯୁଦ୍ଧ ପଛରେ ଥିଲା ଅନ୍ୟ ଉପରେ ନିଜକୁ ସାବ୍ୟସ୍ତ କରିବାର ଦୁର୍ବାର ଶୋଷକୀୟ ଇଚ୍ଛା।
ଆମେରିକା ଆଜି ସାରା ବିଶ୍ବରେ ଟାରିଫ୍ ବା ‘କରବସାଣ’କୁ ନେଇ ନିତିନିତି ଘୋଷଣା ଚଳାଇଛି। ତାହା ନିରୁତା ଯୁଦ୍ଧ ଛଡ଼ା ଆଉ କିଛି ନୁହେଁ। ସେମିତି ସାରା ପୃଥିବୀର ଜ୍ଞାନ‌େବାଧକୁ କବଳିତ କରିବା ପାଇଁ କୃତ୍ରିମ ମେଧାଶକ୍ତି ସୃଷ୍ଟିକରି ଏବଂ ସେଥିରେ ଅକଳ୍ପନୀୟ ବିଶ୍ବାସ ଜନ୍ମାଇ ଏଲନ ରିଭ ମସ୍କ ଏକ ନୂଆ ଯୁଦ୍ଧର ପରିକଳ୍ପନା କରିଛନ୍ତି। ଆଜି ସେ ଯେଉଁ କେତେ ଟ୍ରିଲିୟନ ଡଲାରର ମାଲିକ ତାହା ବାଣିଜ୍ୟ ଯୁଦ୍ଧ, ଜ୍ଞାନଯୁଦ୍ଧ ଓ ପ୍ରଯୁକ୍ତି ଯୁଦ୍ଧ ମାଧ୍ୟମରେ ହିଁ ସମ୍ଭବ ହୋଇଛି।
ଭାରତ ଗୋଟିଏ ପୁରୁଣା ଦେଶ, ଗୋଟାଏ ପୁରାତନ ସଭ୍ୟତା। ବ୍ରିଟିଶ ଶାସନ ଅମଳରୁ ଭାରତୀୟଙ୍କୁ କୁହାଗଲା ଯେ ତୁମେମାନେ ବର୍ବର, ଆମେ ଆସିଛୁ ତୁମମାନଙ୍କୁ ସଭ୍ୟ କରିବା ପାଇଁ। ସଂପତ୍ତି ଓ ଭୂମି ହଡ଼ପ କରିବା ପାଇଁ ସେମାନଙ୍କୁ ଗୁଳିଗୋଳାର ସାହାଯ୍ୟ ନେବାକୁ ହୁଏତ ପଡ଼ିଥିଲା ମାତ୍ର ସମଗ୍ର ଭାରତୀୟତାକୁ ଜିଣିବା ପାଇଁ ଯେଉଁ ଯୁଦ୍ଧ ସେମାନେ ଚଳାଇଲେ ସେଥିରେ ସେମାନେ ସଫଳ ହେଲେ। ଭାଷାରେ, ବିଚାରରେ, ପୋଷାକରେ, ଖାଦ୍ୟରେ ଏପରିକି ଜ୍ଞାନଧାରାରେ ଆମେ କେହି ଆଉ ଭାରତୀୟ ହୋଇନାହୁଁ। ଇଂରେଜୀ ଭାଷା ପ୍ରତିଟି ଭାରତୀୟ ଶ୍ରେଷ୍ଠୀର ମାନ୍ୟଭାଷା, ପାଶ୍ଚାତ୍ୟ-ବିଚାରବୋଧ ସଙ୍ଗକୁ ଦେହରେ ସେମାନଙ୍କର ପୋଷାକ, ଖାଦ୍ୟରେ ସେମାନଙ୍କର ଖାଦ୍ୟ ଓ ପାଠପଢ଼ାରେ ସେମାନଙ୍କର ପୁସ୍ତକ ସୁଦ୍ଧା ଆଜି ଆମର ଶ୍ରେଷ୍ଠ ଅବଲମ୍ବନ ପାଲଟିଛି।
ଭାରତରେ ଏବେ ଭାରତୀୟ କମ୍ ଇଉରୋପୀୟ ଅଧିକ। ସଂଭ୍ରାନ୍ତ ମଣିଷର ପୋଷାକ, କୋର୍ଟସୁଟ୍; ଭାଷା ଇଂରେଜୀ; ଖାଦ୍ୟ କଣ୍ଟିନେଣ୍ଟାଲ; ପାଠ ସାହିତ୍ୟ ହେଉ କି ଦର୍ଶନ ଏପରିକି ବ୍ୟବହାର୍ଯ୍ୟ ସବୁ ପଦାର୍ଥ ସେମାନଙ୍କ ଢାଞ୍ଚାରେ ତିଆରି। ଘର ବି।
ଭୂମି ଜିଣିବା ପାଇଁ ଦିନେ ଯୁଦ୍ଧ ସଂଘଟିତ ହେଉଥିଲା।
ଆଜି ଭୂମି ଆପେ କବଳିତ କାରଣ ମସ୍ତିଷ୍କଗୁଡ଼ିକ ପ୍ରଯୁକ୍ତି ମାଧ୍ୟମରେ କବଳିତ ହୋଇସାରିଛି। ଯିଏ ସଞ୍ଚାରମାଧ୍ୟମ, କମ୍ପ୍ୟୁଟର, ନଭଜାଲ, କୃତ୍ରିମ ମେଧା ଆଦିର ଅସଲ ନିୟନ୍ତ୍ରକ ସେ ହିଁ ବିଶ୍ବବିଜୟୀ।
ଯୁଦ୍ଧ ଚାଲିଛି। ପ୍ରଯୁକ୍ତି-ସମ୍ରାଟ ପାଖରେ ସବୁ ମସ୍ତିଷ୍କ ମଥାନତ। ଶରୀରଗୁଡ଼ିକ ଆପେ ବିଜିତ-ମସ୍ତିଷ୍କ ଦ୍ବାରା ପରିଚାଳିତ। ଶୋଷଣ ଅବଶ୍ୟମ୍ଭାବୀ।
(ମତାମତ ଲେଖକଙ୍କ ନିଜସ୍ବ)
[email protected]

Read Entire Article
LEFT SIDEBAR AD

Hidden in mobile, Best for skyscrapers.