Ethanol: ଇଥାନଲ୍‌ର ‘ଗଣିତ’ ନେଇ ପ୍ରଶ୍ନ: ଏଫ୍‌ସିଆଇ ଚାଉଳ କମ୍‌ ଦରରେ ଡିଷ୍ଟିଲରିକୁ ଦେଉଛନ୍ତି ସରକାର

3 days ago 3
ARTICLE AD BOX

ନୂଆଦିଲ୍ଲୀ: ପେଟ୍ରୋଲରେ ଇଥାନଲ୍‌ ମିଶ୍ରଣ ବଢ଼ାଇ ତୈଳ ଆମଦାନି ଉପରେ ନିର୍ଭରତା କମାଇବା ଲକ୍ଷ୍ୟରେ ଭାରତ ସରକାର ଇଥାନଲ୍‌ ବ୍ଲେଣ୍ଡେଡ୍‌ ପେଟ୍ରୋଲ୍‌ (ଇବିପି) କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇଛନ୍ତି। ତେବେ ଏହି ନୀତିର ଆର୍ଥିକ ଦିଗକୁ ନେଇ ଏବେ ପ୍ରଶ୍ନ ଉଠିଛି। ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)ର ଅତିରିକ୍ତ ଚାଉଳ ଇଥାନଲ୍‌ ଉତ୍ପାଦନକାରୀ ଡିଷ୍ଟିଲରିକୁ ତୁଳନାତ୍ମକ ଭାବେ କମ୍‌ ଦରରେ ଦିଆଯାଉଥିବା ନେଇ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୫-୨୬ରେ ଧାନ କିଣା, ସଂରକ୍ଷଣ, ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ଏଫ୍‌ସିଆଇକୁ ଚାଉଳର ମୂଲ୍ୟ କ୍ୱିଣ୍ଟାଲ୍‌ ପ୍ରତି ପ୍ରାୟ ୩,୮୮୯ ଟଙ୍କା ବା କିଲୋ ପ୍ରତି ବା ୩୮.୮୯ ଟଙ୍କା ପଡ଼ିଥିଲା। କିନ୍ତୁ ଇଥାନଲ୍‌ ଡିଷ୍ଟିଲରିକୁ ଏହି ଚାଉଳ ହାରାହାରି କିଲୋ ପ୍ରତି ପ୍ରାୟ ୨୩.୨୦ ଟଙ୍କା ଦରରେ ଦିଆଯାଇଛି। ଅର୍ଥାତ୍‌ ସରକାରଙ୍କ ଖର୍ଚ୍ଚ ଓ ବିକ୍ରି ମୂଲ୍ୟ ମଧ୍ୟରେ ପ୍ରତି କ୍ୱିଣ୍ଟାଲ୍‌ରେ ପ୍ରାୟ ୧,୬୦୦ ଟଙ୍କା ତଫାତ୍‌ ରହିଛି।

ଆହୁରି ପଢନ୍ତୁ: Puri Shock: ମା’କୁ ମାରି ରନ୍ଧାଘରେ ପୋତି ପୁଅ ଫେରାର୍‌!

ସରକାରଙ୍କ କହିବା ଅନୁସାରେ, ଡିଷ୍ଟିଲରିକୁ ଦିଆଯାଉଥିବା ଚାଉଳ ଅତିରିକ୍ତ, ଭଙ୍ଗା, ପୋକରା କିମ୍ବା ଖରାପ ମାନର ଏବଂ ମଣିଷ ଖାଇବା ଉପଯୋଗୀ ନୁହେଁ। ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ମଧ୍ୟ ଜୁଲାଇ ୩୧ରେ କହିଥିଲା ଯେ ଇଥାନଲ୍‌ କାର୍ଯ୍ୟକ୍ରମ ଦେଶର ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ପକାଇନାହିଁ। ତେବେ କୃଷି ବିଶେଷଜ୍ଞ ସୁଧୀର ପଂୱାରଙ୍କ ମତରେ, ଭଙ୍ଗା ଚାଉଳ ହେଲେ ତାହା ଖାଦ୍ୟ ଅନୁପଯୋଗୀ ହୋଇଯାଏ ନାହିଁ। ଭାରତର ଇଥାନଲ୍‌ ଉତ୍ପାଦନ କ୍ଷମତା ମଧ୍ୟ ଗତ ଏକ ଦଶନ୍ଧିରେ ଦ୍ରୁତ ବଢ଼ିଛି। ୨୦୧୪ରେ ପ୍ରାୟ ୪୨୧ କୋଟି ଲିଟର ଥିବା ଉତ୍ପାଦନ କ୍ଷମତା ୨୦୨୬ରେ ପ୍ରାୟ ୨,୦୦୦ କୋଟି ଲିଟରରେ ପହଞ୍ଚିଛି। ଏବେ ପ୍ରାୟ ୭୦୦ କୋଟି ଲିଟରର ଅତିରିକ୍ତ କ୍ଷମତା ରହିଛି। ଦେଶରେ ପ୍ରାୟ ୩୭୦ ଡିଷ୍ଟିଲରି କାର୍ଯ୍ୟକ୍ଷମ ଥିବାବେଳେ ଆଉ ୪୦ଟି ନିର୍ମାଣାଧୀନ ରହିଛି। ସେପଟେ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ୍‌ ପୁରୁଣା ଗାଡ଼ି ପାଇଁ ଇ-୧୦ ପେଟ୍ରୋଲ୍‌ ଉପଲବ୍ଧ ରଖିବା ସପକ୍ଷରେ ମତ ଦେଇଛନ୍ତି। ଖାଦ୍ୟଶସ୍ୟ, କୃଷି, ଇଥାନଲ୍‌ ଉତ୍ପାଦନ ଓ ଇନ୍ଧନ ନୀତି ମଧ୍ୟରେ ସନ୍ତୁଳନ ରଖିବା ଏବେ ସରକାରଙ୍କ ପାଇଁ ବଡ଼ ଆର୍ଥିକ ଓ ନୀତିଗତ ପ୍ରଶ୍ନ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.