ARTICLE AD BOX
ନୂଆଦିଲ୍ଲୀ: ପାକିସ୍ତାନର ରାଜନୀତିରେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଦୀର୍ଘ ଦିନ ଧରି ଜେଲରେ ଥିବା ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଉଠୁଥିବା ପ୍ରଶ୍ନ ମଧ୍ୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଅଧରାତିରେ ହସ୍ପିଟାଲକୁ ନିଆଯାଇଛି। ଏହି ଘଟଣା କେବଳ ପାକିସ୍ତାନରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି । ପାକିସ୍ତାନ ତେହେରିକ-ଏ-ଇନସାଫ୍ (PTI) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଇମ୍ରାନ ଖାନଙ୍କୁ ଆଡିଆଲା ଜେଲରୁ ଇସଲାମାବାଦର ପ୍ରସିଦ୍ଧ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୁପ୍ରିମକୋର୍ଟ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି। ତେବେ ପରୀକ୍ଷା ପରେ ତାଙ୍କୁ ପୁଣି ଜେଲକୁ ଫେରାଇ ନିଆଯିବ ନା ହସ୍ପିଟାଲରେ ଚିକିତ୍ସାଧୀନ ରଖାଯିବ, ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟତା ଆସିନାହିଁ ।
Peru Earthquake: ମାତ୍ର କିଛି ସେକେଣ୍ଡରେ ଥରିଲା ପେରୁ, ଭୂକମ୍ପରେ ଆତଙ୍କିତ ଲୋକେ
ଇମ୍ରାନଙ୍କ ପରିବାର ଏବଂ ତାଙ୍କ ଦଳ ବାରମ୍ବାର ଦାବି କରିଆସୁଛନ୍ତି ଯେ, ଜେଲରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁନାହିଁ। ବିଶେଷ କରି ତାଙ୍କ ଦୃଷ୍ଟିଶକ୍ତିକୁ ନେଇ ଚିନ୍ତା ବଢ଼ିଛି। ପରିବାର ପକ୍ଷରୁ ଦାବି କରାଯାଇଥିଲା ଯେ, ତାଙ୍କ ଡାହାଣ ଆଖିର ପ୍ରାୟ ୮୫ ପ୍ରତିଶତ ଦୃଷ୍ଟିଶକ୍ତି କ୍ଷତିଗ୍ରସ୍ତ ହୋଇଛି। ଯଦିଓ ସରକାର ଏହି ଦାବିକୁ ଖଣ୍ଡନ କରି କହିଥିଲେ ଯେ, ଚିକିତ୍ସା ପରେ ତାଙ୍କ ଅବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିଛି ।
ଏପଟେ ସରକାର ମଧ୍ୟ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପୂର୍ଣ୍ଣ ଭାବେ ପାଳନ କରାଯାଉଛି। ଆବଶ୍ୟକ ପଡ଼ିଲେ ଇମ୍ରାନଙ୍କୁ ବିଦେଶରେ ମଧ୍ୟ ଚିକିତ୍ସା ପାଇଁ ପଠାଇବା ନେଇ ବିଚାର କରାଯାଇପାରେ ବୋଲି ସରକାରୀ ମନ୍ତ୍ରୀ ସୂଚନା ଦେଇଛନ୍ତି ।ଏକଦା ପାକିସ୍ତାନ କ୍ରିକେଟର ତଥା ପୂର୍ବ ପିଏମ ଇମ୍ରାନ ଖାନ ୨୦୨୨ ମସିହାରେ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କ୍ଷମତା ହରାଇଥିଲେ। ଏହାପରେ ଦୁର୍ନୀତି ସମେତ ବିଭିନ୍ନ ମାମଲାରେ ଜଡ଼ିତ ହୋଇ ୨୦୨୩ ମସିହାରୁ ସେ ଜେଲରେ ଅଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚାଲିଥିବା ଏହି ନୂଆ ଅଧ୍ୟାୟ ପାକିସ୍ତାନର ରାଜନୀତିକ ମାହୋଲକୁ ପୁଣି ଥରେ ସରଗରମ କରିଦେଇଛି। ଏବେ ସମସ୍ତଙ୍କ ନଜର ରହିଛି ମେଡିକାଲ ବୋର୍ଡର ରିପୋର୍ଟ ଓ ତା’ପରେ ନିଆଯିବାକୁ ଥିବା ସରକାରୀ ନିଷ୍ପତ୍ତି ଉପରେ।

6 days ago
3


