ARTICLE AD BOX
କାଳିଆପାଣି (ରବି ନାରାୟଣ କର): ଜିଲ୍ଲା ଅବକାରୀ ସ୍କ୍ବାଡ୍ ଓ ବିଭାଗୀୟ ପୁଲିସ ପକ୍ଷରୁ ଆଜି ସୁକିନ୍ଦା ଥାନା ବ୍ରାହ୍ମଣୀ ନଦୀ ଅବବାହିକାର ହରିପୁର ଓ ମଙ୍ଗରାଜ ନଦୀପଠାର ୧୦ ରୁ ଅଧିକ ଚୋରା ମଦଭାଟିରେ ଚଢ଼ଉ କରାଯାଇଥିଲା। ମୋଟ୍ ୫୫୦ ଲିଟର ରନ୍ଧା ଦେଶୀ ମହୁଲି ମଦ ଓ ୫ ହଜାର ଲିଟରରୁ ଅଧିକ ମହୁଲ ପୋଚ ଜବତ କରାଯାଇଥିବା ବିଭାଗୀୟ ସୂଚନା ମିଳିଛି।
ସଡ଼କ ବ୍ୟବସ୍ଥା ନଥିବା ଜଙ୍ଗଲିଆ ପରିବେଶ ଓ ଆଖୁ କିଆରି ପାଖରେ ଜଳୁଥିଲା ବେଆଇନ ମଦ ଭାଟି। ହଜାର ଲିଟର କ୍ଷମତା ବିଶିଷ୍ଟ ବଡ଼ବଡ଼ ପ୍ଲାଷ୍ଟିକ୍ ଡ୍ରମ୍ରେ ମହୁଲ ପୋଚ ରଖାଯାଇଥିଲା। ୩୦ ରୁ ଅଧିକ ବ୍ୟକ୍ତି ମଦରନ୍ଧା କାର୍ଯ୍ୟରେ ନିୟୋଜିତ ଥିଲେ। ଅଧୀକ୍ଷକ ଅଜୟ କୁମାର ବେହେରାଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟ୍ ସୁକିନ୍ଦାର ଅତିରିକ୍ତ ତହସିଲଦାର ନିର୍ମଳ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସଙ୍କ ନେତୃତ୍ବରେ ମିଳିତ ପୁଲିସ ବାହିନୀ ୩ କିଲୋମିଟର ଚାଲିଚାଲି ଚଢ଼ଉ କରିଥିଲେ।
ମାଫିଆ ଓ ସହଯୋଗୀ ସୂଚନାପାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ବହୁ ପରିମାଣର ମଦ, ପୋଚ, ଆଲୁମିନିଅମ ଡେକ୍ଚି, ଭାଟି ସରଞ୍ଜାମ ଓ ଡ୍ରମ୍ ବୋହି ଆଣିବା କଷ୍ଟକର ଥିବାରୁ ବିଭାଗୀୟ ମୁଖ୍ୟଙ୍କ ନିର୍ଦ୍ଦେଶରେ ସେସବୁକୁ ସେହିଠାରେ ପୋଡ଼ାଯାଇ ଓ ଢଳାଯାଇ ନଷ୍ଟ କରାଯାଇଥିଲା। ଏସ୍ଆଇ ଅଜୟ ନାୟକ, ଡୋଲିପୁର ଥାନାର ଭାରପ୍ରାପ୍ତ ଅଧିକାରୀ ରାମେଶ୍ବର ମହାନ୍ତି, ସୁକିନ୍ଦା ଅବକାରୀ ଓ ଏପିଆର୍ ପୁଲିସ ବାହିନୀ ସାମିଲ ଥିଲେ।

2 hours ago
4


