ARTICLE AD BOX
ଶେରଗଡ଼: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଉଜୁଡ଼ିଗଲା ଫସଲ। ଉଜୁଡ଼ା କ୍ଷେତ ଦେଖି କୀଟନାଶକ ପିଇ ଜୀବନ ହାରିଲେ ଚାଷୀ। ଗଞ୍ଜାମଜିଲ୍ଲା ଶେରଗଡ଼ ବ୍ଲକ୍ ଅଧୀନ ଡେଙ୍ଗାପଦର ପଞ୍ଚାୟତର ବାକିଲିକଣା ଗ୍ରାମରୁ ଆସିଛି ଏଭଳି ଦୁଃଖଦ ଖବର। ମୃତ ଚାଷୀ ହେଉଛନ୍ତି, ଅର୍ଜୁନ ପଣ୍ଡା (୬୨)। ଅର୍ଜୁନ ନିଜର ୧୨ ଏକର ଜମି ସହ ୨୫ ଏକର ଜମିରେ ଭାଗଚାଷ କରିଥିଲେ। ମୋଟ ୩୭ ଏକର ଜମିରେ ପନିପରିବା ଓ ଧାନଚାଷ କରିଥିଲେ। ବନ୍ୟାରେ ଫସଲ କ୍ଷତି ହେବା ଦେଖି ଅର୍ଜୁନ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଫଳରେ ଗତକାଲି ସନ୍ଧ୍ୟାରେ ନିଜ ଗୁହାଳରେ କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ହିଞ୍ଜିଳି ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ବର୍ଷା ଧୋଇନେଲା ୩୭ ଏକର ଜମିର ଫସଲ
ତେବେ ବିଳମ୍ବିତ ରାତିରେ ଅର୍ଜୁନଙ୍କ ମୃତ୍ୟୁ ଘଟିଥିଲା। ଆଜି ଅପରାହ୍ଣରେ ଗାଁରେ ତାଙ୍କର ଶବ ସତ୍କାର କରାଯାଇଛି। ତହସିଲଦାର ତ୍ରିଦେବ ରଥ ମୃତକଙ୍କ ପରିବାରବର୍ଗକୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଅର୍ଜୁନଙ୍କ ପୁଅ ସୁନୀଲ ପଣ୍ଡା କହିଛନ୍ତି, ବାପା ଚଳିତବର୍ଷ ସଞ୍ଚିତ ଅର୍ଥରେ ଚାଷ କରିବାକୁ ମନ ବଳାଇଥିଲେ। ଏଥିପାଇଁ ଉନ୍ନତମାନର ବିହନ ସହ ଖତ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ କିଣିଥିଲେ। ଏଥର ଭଲ ଅମଳ ପାଇଁ ଆଶା ରଖିଥିଲେ। ତେବେ ବନ୍ୟା ପାଇଁ ପ୍ରାୟ ୫ ଲକ୍ଷ ଟଙ୍କା କ୍ଷତି ହୋଇଥିଲା। ଉଜୁଡ଼ା ଫସଲ ଦେଖି ବାପା ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପ୍ରାକ୍ତନ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବାତ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ପାଇଁ ଏଭଳି କରୁଣ ପରିଣତି ଦେଖିବାକୁ ମିଳୁଛି ବୋଲି କହିଛନ୍ତି। ଜାତିସଂଘ ପୂର୍ବ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନୀତିକୁ ପ୍ରଶଂସା କରିବା ସହ ମଡେଲ ରୂପେ ବିବେଚନା କରିଛି। ଆଗାମୀ ଦିନରେ ପୂର୍ବ ସରକାରଙ୍କ ପକ୍ଷରୁ କରାଯାଉଥିବା ବାତ୍ୟା ପରିଚାଳନାକୁ ଆପଣାଇବାକୁ ଶ୍ରୀ ସାହୁ ଦାବି କରିଛନ୍ତି।

1 hour ago
2


