‘Murasu’: ମାଡ଼ିଆସୁଛି ‘ମୁରାସୁ’: ଆଜି ସକାଳେ ଭୀଷଣ ରୂପ ନେବ

1 hour ago 2
ARTICLE AD BOX

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ବାତ୍ୟା ‘ମୁରାସୁ’ ସୃଷ୍ଟି ହୋଇଛି। ଘଣ୍ଟା ପ୍ରତି ୨୭ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିବା  ‘ମୁରାସୁ’ ଆଜି ରାତି ସୁଦ୍ଧା ତାମିଲନାଡ଼ୁର ଚେନ୍ନାଇଠାରୁ ୨୬୦ କିମି, ଆନ୍ଧ୍ରପ୍ରଦେଶର ନେଲ୍ଲୋରଠାରୁ ୩୦୦ କିମି ଓ ବିଶାଖାପାଟଣାଠାରୁ ୬୧୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି। ସୋମବାର ସକାଳ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ୨ ତାରିଖ ମଧ୍ୟରାତିରୁ ୩ ତାରିଖ ଭୋର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଓ ନରସପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୀଷଣ ବାତ୍ୟା ଭାବେ ‘ମୁରାସୁ’ ସ୍ଥଳଭାଗକୁ ପ୍ରବେଶ କରିବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ରହିବ। ଝଟକା ପବନର ବେଗ ଘଣ୍ଟା ପ୍ରତି ୧୨୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି।

ଆଜି ସକାଳେ ଭୀଷଣ ରୂପ ନେବ
ନେଲ୍ଲୋର-ନରସପୁର ମଧ୍ୟରେ ମାଡ଼
୫ ଜିଲ୍ଲାକୁ ସତର୍କ କଲା ଆଇଏମ୍‌ଡି
ଆଜିଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା

‘ମୁରାସୁ’ର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡ଼ୁ ନ ଥିଲେ ମଧ୍ୟ ସୋମବାରଠାରୁ ଦକ୍ଷିଣ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବ। ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ନଭେମ୍ବର ୩ ଓ ୪ ତାରିଖ ଦକ୍ଷିଣ ଓଡ଼ିଶା ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ଏବଂ ଝଟକା ପବନ ୭୦ କିମି ହୋଇପାରେ। ତାହାକୁ ନଜରରେ ରଖି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋରଧା, ନୟାଗଡ଼ ଜିଲ୍ଲାର କେ‌ତେକ ସ୍ଥାନରେ ପ୍ରବଳ ବର୍ଷା ସହ ୪୦ରୁ ୬୦ କିମି ବେଗରେ ପବନ ହେବାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ୫ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ମୟୂରଭଞ୍ଜ, ଖୋର୍ଦ୍ଧା ଓ ନୟାଗଡ଼ରେ ବିଜୁଳି ଘଡ଼ଘଡ଼ି ସହ ପବନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ସୋମବାର ଅପରାହ୍ଣଠାରୁ ୪ ତାରିଖ ଅପରାହ୍ଣ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତରୁ ଅତିଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା ଉପକୂଳ ସଂଲଗ୍ନ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବାତ୍ୟା ‘ମୁରାସୁ’ ଶକ୍ତିଶାଳୀ ହୋଇ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରୁଛି। ସୋମବାର ଭୋର ସମୟରେ ପବନର ବେଗ ୧୨୦ରୁ ୧୪୦ କିମି ରହିବ ଏବଂ ଅପରାହ୍ଣ ବେଳକୁ ୧୩୦ରୁ ୧୫୦ କିମି ରହିପାରେ। ଆନ୍ଧ୍ରପ୍ରଦେଶର ନେଲ୍ଲୋର-କାଭାଲି-ଓଙ୍ଗୋଲ ଉପକୂଳରେ ସ୍ଥଳଭାଗ ଛୁଇଁବ। ନଭେମ୍ବର ୨ ତାରିଖ ରାତି ୧୧ଟାରୁ ୩ ତାରିଖ ଭୋର ୫ଟା୩୦ ମଧ୍ୟରେ ଅତିକ୍ରମ କରିବ। ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ୧୨୦ କିମି ରହିଥିବ। ୩ ତାରିଖ ଅପରାହ୍ଣ ୫ଟା ୩୦ ସୁଦ୍ଧା ଆନ୍ଧ୍ର ଭିତର ଅଞ୍ଚଳରେ ପବନର ବେଗ ୮୩ କିମି ରହିଥିବ। ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରଭାବ ପଡ଼ିବ। ବାତ୍ୟା ‘ମୁରାସୁ’ର ବାହାର ପାର୍ଶ୍ୱ ମେଘ ଓଡ଼ିଶା ଆଡ଼କୁ ବ୍ୟାପିଲେ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିପାରେ। ଦକ୍ଷିଣ ଓଡ଼ିଶା ଉପକୂଳରେ ଝଟକା ପବନ ଓ ସମୁଦ୍ରରେ ଉଚ୍ଚ ଢେଉ ହୋଇପାରେ ବୋଲି ସେ ଆକଳନ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.