ARTICLE AD BOX
ନୂଆଦିଲ୍ଲୀ: ବେଙ୍ଗାଲୁରୁର ଜଣେ ଇଞ୍ଜିନିୟର ଶଶୀ କୁମାର ବହୁ ବର୍ଷର କର୍ପୋରେଟ୍ ଚାକିରି ଛାଡ଼ି କୃଷିକୁ ପେସା କରିବାର ନିଷ୍ପତ୍ତି ନେଇ ଏବେ ପ୍ରାୟ ୬୦୦ କୋଟି ଟଙ୍କାର ଉଦ୍ୟୋଗ ଗଢ଼ିଛନ୍ତି। ଟିପ୍ଟୁରର ମୂଳ ବାସିନ୍ଦା ଶଶୀ ବେଙ୍ଗାଲୁରୁ ୟୁନିଭର୍ସିଟିରୁ ୧୯୯୧ରୁ ୧୯୯୫ ମଧ୍ୟରେ ଇଞ୍ଜିନିୟରିଂ ପଢ଼ିବା ପରେ ଆମେରିକାର ଇଲିନଏସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ସିକାଗୋରୁ ସ୍ନାତକୋତ୍ତର ଶିକ୍ଷା ନେଇଥିଲେ। ପରେ ସେ ପ୍ରଯୁକ୍ତି କ୍ଷେତ୍ରରେ କାମ କରି ୱିପ୍ରୋରେ ୧୨ ବର୍ଷ ଲିଡ୍ ଆର୍କିଟେକ୍ଟ ଭାବେ କାର୍ଯ୍ୟ କରିଥିଲେ।
ତେବେ କଲେଜ୍ ସମୟରୁ ତାଙ୍କର କୃଷି ପ୍ରତି ଆଗ୍ରହ ଥିଲା। ୧୯୯୧ରେ ସେ ପରିବାରର ପୈତୃକ ଜମିରେ ଜୈବିକ କୃଷି କରିବାକୁ ବାପାଙ୍କୁ କହିଥିଲେ। କିନ୍ତୁ କୃଷକ ବାପା ତାଙ୍କୁ ସଫ୍ଟୱେର୍ କ୍ଷେତ୍ରରେ ଚାକିରି କରିବାକୁ କହିଥିଲେ। ଏହି ସମୟରେ ଉଡୁପି ନିକଟରେ ଜୈବିକ ଚାଷୀ ଚେରକାଡି ରାମଚନ୍ଦ୍ର ରାଓଙ୍କ ସହ ଶଶୀଙ୍କ ପରିଚୟ ହୋଇଥିଲା। ପ୍ରାୟ ଦୁଇ ଏକର ଜମିରେ ନଡିଆ, ଗୋଲମରିଚ, ଧାନ, ମାଣ୍ଡିଆ, ଆମ୍ବ ଓ ବିଭିନ୍ନ ପନିପରିବା ଚାଷ କରୁଥିବା ରାଓଙ୍କଠାରୁ ସେ କୃଷିର ଆର୍ଥିକ ଦିଗ ମଧ୍ୟ ଶିଖିଥିଲେ।
୨୦୧୦ରେ ଶଶୀ ୱିପ୍ରୋ ଚାକିରି ଛାଡ଼ି କୃଷିଭିତ୍ତିକ ବ୍ୟବସାୟ ଆରମ୍ଭ କରିଥିଲେ। ଏହାକୁ ନେଇ ବାପା ତାଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ ଏବଂ ଏହି ଦୂରତା ପ୍ରାୟ ୮ ବର୍ଷ ରହିଥିଲା। ଉଦ୍ୟୋଗ ଆରମ୍ଭରେ ଶଶୀ ପ୍ରାୟ ୯ ଥର ଦେବାଳିଆ ହେବା ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ତାଙ୍କ ପତ୍ନୀ ଶିଳ୍ପା ଜି. ନିଜ ସଞ୍ଚୟରୁ ୩୦ ଲକ୍ଷ ଟଙ୍କା ଏବଂ ମାମୁ ଡାକ୍ତର ମୁନି ରେଡ୍ଡୀ ୧୦ ଲକ୍ଷ ଟଙ୍କା ଦେଇଥିଲେ। ଏହି ୪୦ ଲକ୍ଷ ଟଙ୍କା ଉଦ୍ୟୋଗକୁ ବଞ୍ଚାଇ ରଖିଥିଲା ବୋଲି ଶଶୀ କହିଛନ୍ତି।
୨୦୧୦ରେ ସେ ‘ଅକ୍ଷୟକଳ୍ପ ଅର୍ଗାନିକ୍’ ପ୍ରତିଷ୍ଠା କରିଥିଲେ। ଯୁବପିଢ଼ି କାହିଁକି କୃଷି ଛାଡ଼ୁଛନ୍ତି, ତାହା ବୁଝିବା ତାଙ୍କର ପ୍ରାରମ୍ଭିକ ଲକ୍ଷ୍ୟ ଥିଲା। ତାଙ୍କ ମତରେ ଏହାର ମୁଖ୍ୟ କାରଣ ଆର୍ଥିକ। ନିୟମିତ ଆୟ ସୁନିଶ୍ଚିତ କରିବା ପାଇଁ ତାଙ୍କ କମ୍ପାନି ପ୍ରଥମେ ଦୁଗ୍ଧ ଚାଷ ଉପରେ ଗୁରୁତ୍ବ ଦେଇଥିଲା। ପରେ ମାଟି ପରିଚାଳନା, ମହୁଚାଷ, କୁକୁଡ଼ା ପାଳନ, କଦଳୀ ଚାଷ ଓ ଜୈବିକ ସାର ଉତ୍ପାଦନ ଭଳି କ୍ଷେତ୍ରକୁ ଏହା ବିସ୍ତାର କରିଛି। ବର୍ତ୍ତମାନ ଅକ୍ଷୟକଳ୍ପ ପ୍ରାୟ ୨,୮୦୦ ଗାଁର ୨,୮୦୦ ଚାଷୀଙ୍କ ସହ କାମ କରୁଛି। ଚାଷୀଙ୍କ ହାରାହାରି ବୟସ ପ୍ରାୟ ୩୨ ବର୍ଷ ଏବଂ ସେମାନଙ୍କ ମଧ୍ୟରେ ପ୍ରାୟ ୧,୨୦୦ ଜଣ ମହିଳା। ଗତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକ୍ରମରେ ସାମିଲ ଚାଷୀ ପରିବାରର ହାରାହାରି ମାସିକ ଆୟ ୧.୨୮ ଲକ୍ଷ ଟଙ୍କା ଥିବା ଶଶୀ କହିଛନ୍ତି। ଯୁବପିଢ଼ିଙ୍କୁ କୃଷି ପ୍ରତି ଆକୃଷ୍ଟ କରିବା ପାଇଁ ଏହାକୁ କେବଳ ଜୀବିକା ନୁହେଁ, ଲାଭଜନକ ଓ ସମ୍ମାନଜନକ ପେସାରେ ପରିଣତ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
Agriculture: ବାଜିରେ ଲାଗିଛି କୃଷି ଶ୍ରମିକଙ୍କ ଜୀବନ; ୧୦ ଘଣ୍ଟା କାମ କଲେ ମଜୁରି ମିଳେ ୨୫୦ ଟଙ୍କା

1 day ago
4


