ARTICLE AD BOX
ନୂଆଦିଲ୍ଲୀ: ୨୦୨୨ରେ ଭୟଙ୍କର ଆର୍ଥିକ ସଙ୍କଟରେ ଫସିଥିବା ଶ୍ରୀଲଙ୍କାକୁ ଭାରତର ସହାୟତା କିପରି ମିଳିଥିଲା, ତାହାର ରୋଚକ ଖୁଲାସା କରିଛନ୍ତି ତତ୍କାଳୀନ ଶ୍ରୀଲଙ୍କା ଅର୍ଥମନ୍ତ୍ରୀ ଅଲି ସବ୍ରି। ତାଙ୍କ କହିବା ଅନୁସାରେ, ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ହସ୍ତକ୍ଷେପ ପରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ଶ୍ରୀଲଙ୍କା ପ୍ରତି ମନୋଭାବରେ ବଡ଼ ପରିବର୍ତ୍ତନ ଆସିଥିଲା। ଏକ ପଡ୍କାଷ୍ଟରେ ସେ କହିଛନ୍ତି ଯେ,୨୦୨୨ ଏପ୍ରିଲରେ ସେ ଶ୍ରୀଲଙ୍କା ପାଇଁ ଆଇଏମ୍ଏଫ୍ ସହ ଆଲୋଚନା କରିବାକୁ ୱାସିଂଟନ୍ ଯାଇଥିଲେ। ପ୍ରାରମ୍ଭିକ ଆଲୋଚନାରେ ଆଇଏମ୍ଏଫ୍ ଅଧିକାରୀମାନଙ୍କ ଆଭିମୁଖ୍ୟ ନକାରାତ୍ମକ ଥିଲା ଏବଂ ସେମାନେ ଶ୍ରୀଲଙ୍କାର ପରିସ୍ଥିତି ନେଇ ସନ୍ଦେହ ପ୍ରକାଶ କରିଥିଲେ। ଏହାପରେ ସବ୍ରି ନିର୍ମଳା ସୀତାରମଣଙ୍କ ସହ ଆଲୋଚନା କରିଥିଲେ।
ସବ୍ରିଙ୍କ ଅନୁସାରେ, ସୀତାରମଣ ତାଙ୍କୁ ଆଶ୍ୱାସନ ଦେଇ ଆଇଏମ୍ଏଫ୍ ପରିଚାଳନା ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭାଙ୍କ ସହ ତୁରନ୍ତ ଆଲୋଚନା କରିବେ ବୋଲି କହିଥିଲେ। ପରେ ଜର୍ଜିଭା ଓ ତତ୍କାଳୀନ ଆଇଏମ୍ଏଫ୍ର ପ୍ରଥମ ଉପ ପରିଚାଳନା ନିର୍ଦ୍ଦେଶିକା ଗୀତା ଗୋପୀନାଥଙ୍କ ସହ ବୈଠକ ସମୟରେ ପରିବେଶ ପୂର୍ବପେକ୍ଷା ଅଧିକ ସକାରାତ୍ମକ ଥିବା ସବ୍ରି ଜାଣିପାରିଥିଲେ। ଜର୍ଜିଭା ତାଙ୍କୁ କହିଥିଲେ ଯେ ଶ୍ରୀଲଙ୍କା ସଙ୍କଟ ବିଷୟରେ ତାଙ୍କ ସହ ସୀତାରମଣ ବହୁ ସମୟ ଆଲୋଚନା କରିଥିଲେ।
ଦେୟ ପରିଶୋଧକୁ ମଧ୍ୟ ଭାରତ ସ୍ଥଗିତ ରଖିଥିଲା
ଶ୍ରୀଲଙ୍କାର ସଙ୍କଟ ସମୟରେ ଭାରତ କେବଳ କୂଟନୈତିକ ସ୍ତରରେ ନୁହେଁ, ବ୍ୟାପକ ଆର୍ଥିକ ଓ ମାନବିକ ସହାୟତା ମଧ୍ୟ ଯୋଗାଇଥିଲା। ଭାରତ ପେଟ୍ରୋଲିୟମ୍ ଉତ୍ପାଦ ପାଇଁ ୫୦୦ ନିୟୁତ ଡଲାରର କ୍ରେଡିଟ୍ ଲାଇନ୍ ଏବଂ ଖାଦ୍ୟ, ଔଷଧ, ଇନ୍ଧନ ଓ ଶିଳ୍ପ କଞ୍ଚାମାଲ ପାଇଁ ୧ ବିଲିୟନ୍ ଡଲାରର ସହଜ ଋଣ ସୁବିଧା ଦେଇଥିଲା। ଏହା ବ୍ୟତୀତ ଭାରତୀୟ ରିଜର୍ଭ ବ୍ୟାଙ୍କ ଶ୍ରୀଲଙ୍କାକୁ ୪୦୦ ନିୟୁତ ଡଲାରର କରେନ୍ସି ସ୍ୱାପ୍ ସୁବିଧା ଦେଇଥିଲା। ପ୍ରାୟ ୨ ବିଲିୟନ୍ ଡଲାରର ଦେୟ ପରିଶୋଧକୁ ମଧ୍ୟ ଭାରତ ସ୍ଥଗିତ ରଖିଥିଲା। ପରେ ଭାରତ ଶ୍ରୀଲଙ୍କାର ଋଣ ପୁନର୍ଗଠନ ପାଇଁ ଆଇଏମ୍ଏଫ୍କୁ ଆର୍ଥିକ ଆଶ୍ୱାସନ ଦେଇଥିବା ପ୍ରଥମ ଦ୍ୱିପାକ୍ଷିକ ଋଣଦାତା ହୋଇଥିଲା। ଏହା ପରେ ୨୦୨୩ ମାର୍ଚ୍ଚରେ ଆଇଏମ୍ଏଫ୍ ଶ୍ରୀଲଙ୍କା ପାଇଁ ପ୍ରାୟ ୩ ବିଲିୟନ୍ ଡଲାରର ପାଣ୍ଠି ମଞ୍ଜୁର କରିଥିଲା।
ଯୁବବର୍ଗମାନଙ୍କ ମଧ୍ୟରେ ନୂତନ ଚିନ୍ତାଧାରା ଆସିବା ଉଚିତ୍: ଜେନ୍-ଜିଙ୍କ ସହ ଖେଲୋ ଇଣ୍ଡିଆ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

9 hours ago
4


