Harishankar Peeth: ଆଜି ଶ୍ରାବଣ ଶେଷ ସୋମବାର, ହରିଶଙ୍କରେ ଭକ୍ତଙ୍କ ପ୍ରବଳ ଭିଡ଼

3 days ago 3
ARTICLE AD BOX

ଧଣ୍ଡାମୁଣ୍ଡା: ଶ୍ରାବଣ ମାସର ଶେଷ ସୋମବାର ଅବସରରେ ପ୍ରସିଦ୍ଧ ହରିଶଙ୍କର ପୀଠରେ ଦେଖିବାକୁ ମିଳିଛି ଭକ୍ତି ଓ ଆସ୍ଥାର ଅପୂର୍ବ ପରିବେଶ। ଭୋରୁ ଭୋରୁ ହଜାର ହଜାର ଶ୍ରଦ୍ଧାଳୁ ଓ ବୋଲବମ୍ ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ହୋଇଉଠିଥିଲା ସମଗ୍ର ପୀଠ। ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ହରିଶଙ୍କର ପରିସର। ଗତ ଶନିବାରଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ବୋଲବମ୍ ଭକ୍ତମାନେ ହରିଶଙ୍କର ପୀଠରେ ପହଞ୍ଚିଥିଲେ। ଶେଷ ସୋମବାର ଭୋର ସମୟରୁ ଭକ୍ତମାନେ ଝରଣାରେ ସ୍ନାନ କରି ପୂଜାର୍ଚ୍ଚନା କରିବା ପରେ ଜଳପୂର୍ଣ୍ଣ କଳସ ଧରି ମହାଦେବଙ୍କ ଦର୍ଶନ ଓ ଜଳଲାଗି ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ।

ଲମ୍ବା ଧାଡ଼ିରେ ଭକ୍ତ, ଜଳଲାଗି ପାଇଁ ଅପେକ୍ଷା

ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ମନ୍ଦିରରେ ଦର୍ଶନ ପାଇଁ ଅପେକ୍ଷା ସମୟ ବଢ଼ିଯାଇଥିଲା। ଫଳରେ କିଛି ଶ୍ରଦ୍ଧାଳୁ ମନ୍ଦିର ସଂଲଗ୍ନ ଶିବଲିଙ୍ଗ ଏବଂ ଝରଣା ନିକଟରେ ଥିବା ବୃକ୍ଷମୂଳରେ ପୂଜାର୍ଚ୍ଚନା କରୁଥିବା ଦେଖାଯାଇଥିଲା। ଭକ୍ତମାନଙ୍କ ମଧ୍ୟରେ ଛୋଟ ଛୋଟ ପିଲା, ମହିଳା ଓ ବୃଦ୍ଧମାନେ ମଧ୍ୟ ସାମିଲ ହୋଇଥିଲେ।

Lingaraj Temple: ଲିଙ୍ଗରାଜ ମନ୍ଦିରରେ ପୁଣି ନୀତି ବିଭ୍ରାଟ: ଶ୍ରାବଣର ପ୍ରଥମ ସୋମବାରରେ କାଉଡ଼ିଆ କଲବଲ, ବିନା ମଙ୍ଗଳ ଆଳତିରେ ଜଳଲାଗି

ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା। ଶ୍ରଦ୍ଧାଳୁମାନେ ଦୁଇଟି ଧାଡ଼ିରେ ମନ୍ଦିର ଭିତରକୁ ପ୍ରବେଶ କରି ଶୃଙ୍ଖଳିତ ଭାବେ ଦର୍ଶନ କରୁଥିଲେ।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବିପୁଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।ପୁଲିସ କର୍ମଚାରୀଙ୍କ ସହ ସଶସ୍ତ୍ର ସିଆରପିଏଫ୍ ଯବାନଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା। ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ସହ ଯାତାୟାତ ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖାଯାଇଥିଲା।ସୋମବାର ଶେଷ ହୋଇଥିଲେ ମଧ୍ୟ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ହରିଶଙ୍କର ପୀଠରେ ବୋଲବମ୍ ଭକ୍ତଙ୍କ ଭିଡ଼ ଜାରି ରହିବ ବୋଲି ସୂଚନା ମିଳିଛି।

ସେହିପରି କନ୍ଦରଭଟା ଜଳ ମହାଦେବଙ୍କ ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।ଶ୍ରାବଣ ଶେଷ ସୋମବାରରେ ଭକ୍ତମାନେ ମହାଦେବଙ୍କ ଦର୍ଶନ କରି ଜଳଲାଗି କରିବା ସହ ନିଜ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଶ୍ରାବଣ ଶେଷ ସୋମବାରରେ ହରିଶଙ୍କରଠାରୁ କନ୍ଦରଭଟା ପର୍ଯ୍ୟନ୍ତ ଶିବମୟ ହୋଇଉଠିଥିଲା ସମଗ୍ର ଅଞ୍ଚଳ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.