ARTICLE AD BOX
ରାଜେଶ ଅଗ୍ରୱାଲ୍
୧୯୧୨ ମସିହାର କଥା। ସମ୍ବଲପୁରର ଜଣେ ଛାତ୍ର ହଠାତ୍ ଆମେରିକାରେ ପାଠ ପଢ଼ିବାକୁ ମନ ବଳାଇଲେ। ସେ ସିଧା କଲିକତାରେ ପହଞ୍ଚିଲେ। ସେତେବେଳକୁ ତାଙ୍କ ହାତରେ ଥାଏ ମାତ୍ର ଦୁଇଟଙ୍କା ଓ କେତେଅଣା। ସମ୍ବଲପୁରଜିଲ୍ଲା ସ୍କୁଲ୍ର ପ୍ରଧାନଶିକ୍ଷକ ପଦରୁ ଅବସର ନେଇ କଲିକତାରେ ରହୁଥାନ୍ତି ଅମୃତଲାଲ୍ ଗୁପ୍ତା। ଏହି ୧୮ ବର୍ଷୀୟ ଛାତ୍ର ତାଙ୍କର ପୂର୍ବତନ ଶିକ୍ଷକ ଶ୍ରୀ ଗୁପ୍ତାଙ୍କୁ ସାକ୍ଷାତ କଲେ। ସେ ତାଙ୍କୁ ବୁଝାଇଲେ କି ଏତିକି ଟଙ୍କାରେ ଆମେରିକା ଯାଇହେବ ନାହିଁ। ଘରକୁ ଫୋନ୍ କରି ଟଙ୍କା ଆଣିବାକୁ ପରାମର୍ଶ ଦେଲେ। ମାତ୍ର ଛାତ୍ରଜଣକ ମାନିଲେ ନାହିଁ। ତାଙ୍କ ସାହସ ଦେଖି ଶିକ୍ଷକ ଗୁପ୍ତା ତାଙ୍କ ପ୍ରିୟ ଛାତ୍ର ହାତକୁ ବଢ଼ାଇ ଦେଲେ ଦଶ ଟଙ୍କିଆ ନୋଟ୍ଟିଏ। ଅଧିକ ସାହାଯ୍ୟ କରିବାକୁ ଶିକ୍ଷକଙ୍କର ସାମର୍ଥ୍ୟ ନ ଥିଲା।
Education: ‘ଏନ୍ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ
ଛାତ୍ରଜଣକ ୧୯୧୨ ମଇ ୧୧ ତାରିଖ ଦିନ ଜାପାନ ଅଭିମୁଖେ ଯାଉଥିବା ଏକ ଜାହାଜରେ ବସିଗଲେ। ସିଙ୍ଗାପୁର, ହଂକଂ ଦେଇ କୋଚ୍ ସହରରେ ପହଞ୍ଚିଗଲେ। ସେଠାରେ ଏକ ଆମେରିକାନ୍ ଜାହାଜର କ୍ୟାପ୍ଟେନ୍ଙ୍କୁ ଦେଖି ଆମେରିକା ନେଇଯିବାକୁ ଅନୁରୋଧ କଲେ। କ୍ୟାପ୍ଟେନ୍ ଛାତ୍ରଙ୍କ ଧର୍ମଜ୍ଞାନରେ ପ୍ରଭାବିତ ହୋଇ ଜାହାଜରେ କାମ କରି ଆମେରିକା ଯିବା ପାଇଁ ଆମନ୍ତ୍ରଣ କଲେ। କ୍ୟାପ୍ଟେନ୍ଜଣକ ହିନ୍ଦୁ ଧର୍ମ ଓ ଗୀତାର ତତ୍ତ୍ବଗୁଣ ଛାତ୍ରଙ୍କ ଠାରୁ ଶୁଣି ମୁଗ୍ଧ ହୋଇଯାଇଥିଲେ। ଓଡ଼ିଶାର ସାରଙ୍ଗଧର ଦାସ ସେତେବେଳେ ଜାହାଜରେ କାମ କରି ନିଃସ୍ବ ଭାବେ ଆମେରିକା ଯାଇ କାଲିଫର୍ଣ୍ଣିଆରେ ରହୁଥାଆନ୍ତି। ଛାତ୍ରଜଣକ ତାଙ୍କୁ ଚିଠି ଲେଖି ତାଙ୍କଠାରୁ ସାହାଯ୍ୟ ଆଶା ରଖିଥିଲେ। ମାତ୍ର ଜାହାଜ ସାନ୍ଫ୍ରାନ୍ସିସ୍କୋରେ ପହଞ୍ଚିବା ପରେ ଭାରତୀୟଙ୍କୁ ପ୍ରବେଶ ଅନୁମତି ମିଳିଲା ନାହିଁ। କାରଣ ସେତେବେଳେ ପଞ୍ଜାବୀମାନଙ୍କ ଗଦ୍ଦର ଆନ୍ଦୋଳନ ଚାଲିଥିଲା ଓ ଯୁକ୍ତରାଷ୍ଟ୍ରର ଲୋକେ ଭାରତୀୟମାନଙ୍କର ଆମେରିକାରେ ପ୍ରବେଶକୁ ବିରୋଧ କରୁଥିଲେ। ଛାତ୍ରଜଣକ ଭାରତ ଫେରିବାକୁ ସିଧା ଜାହାଜ ପାଇଲେ ନାହିଁ। ସେ ଅଷ୍ଟ୍ରେଲିଆ ଯାଇ ସେଠାରେ କିଛିଦିନ ରହି ଏକ ସୈନ୍ୟବାହିନୀ ଜାହାଜରେ ପୁଣି ଜାପାନ ଫେରି କୋଚ୍ ସହରରୁ କଲିକତାକୁ ଫେରିଆସିଲେ। ଏଇଭଳି ଭାବେ ଛାତ୍ରଙ୍କର ଆମେରିକା ଗସ୍ତ ଶେଷ ହୋଇଥିଲା।
ଏହି ଛାତ୍ରଜଣକ ହେଉଛନ୍ତି ଜନାର୍ଦ୍ଦନ ପୂଜାରୀ। ପରବର୍ତ୍ତୀ ସମୟରେ ସେ ଡାକ୍ତରୀ ବୃତ୍ତି ଆପଣାଇଥିଲେ ଏବଂ ସମ୍ବଲପୁରର ପ୍ରଥମ ଏଲୋପାଥିକ୍ ଡାକ୍ତର ଭାବେ ମାନ୍ୟତା ପାଇଥିଲେ। ଏହା ବ୍ୟତୀତ ସେ ଜଣେ ମହାନ୍ ଯୋଗୀ, ଶାସ୍ତ୍ର ବିଦ୍ବାନ୍ ଏବଂ ହୀରାକୁଦ ବନ୍ଧ ବିରୋଧୀ ଆନ୍ଦୋଳନର ଆଗଧାଡ଼ିର ନେତା ତଥା ସମାଜସେବୀ ଭାବେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ନାମରେ ଏବେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ହଷ୍ଟେଲ୍, ସମ୍ବଲପୁର ଗୋଲ୍ ବଜାରସ୍ଥିତ ସରକାରୀ ପ୍ରସୂତି କେନ୍ଦ୍ର ଓ ବହୁ ଅନୁଷ୍ଠାନ ନାମିତ ହୋଇଛି। ଡାକ୍ତର ଜନାର୍ଦ୍ଦନ ପୂଜାରୀଙ୍କ ପୂର୍ବପୁରୁଷ ‘ହୋତା’ ସଂଜ୍ଞାଧାରୀ ଥିଲେ। ସମ୍ବଲପୁର ରାଜା ଛତ୍ର ସାଏ (୧୬୯୯-୧୭୪୨) ହୋତାପଡ଼ାରେ ଏକ ଗୁଡ଼ି (ମନ୍ଦିର) ନିର୍ମାଣ କରି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ସ୍ଥାପନ କରିଥିଲେ। ଏଠାରେ ସେ ବିଷ୍ଣୁ ହୋତାଙ୍କୁ ପୂଜକ ଭାବେ ନିଯୁକ୍ତ କଲେ ଓ ସେହିଦିନରୁ ତାଙ୍କ ବଂଶର ସଂଜ୍ଞା ‘ପୂଜାରୀ’ ହୋଇଯାଇଥିଲା।
୧୮୯୩ ମସିହା ନଭେମ୍ବରରେ ପିତା ରାୟସାହେବ ଦାଶରଥୀ ପୂଜାରୀ ଓ ମାତା ଦେବକୀଙ୍କ କୋଳମଣ୍ଡନ କରିଥିଲେ ଜନାର୍ଦ୍ଦନ। ରେଢ଼ାଖୋଲ ରାଜ୍ୟର ରାଜଧାନୀ ରାମପୁରଠାରେ ଜନ୍ମ ନେଇଥିଲେ ସେ। ବାପା ଦାଶରଥୀ ଅଳ୍ପ ଇଂରାଜୀ ପାଠ ପଢ଼ିଥିଲେ ମଧ୍ୟ ବନ୍ଦୋବସ୍ତ ଅମିନ ଭାବରେ ସରକାରୀ ଚାକିରିରେ ପଶି ପଦୋନ୍ନତି ପାଇ ବରଗଡ଼ ସବ୍-କଲେକ୍ଟର୍ ଆନ୍ଦ୍ରୁ ଫ୍ରେଜର୍ (ସ୍ବାଧୀନତା ପୂର୍ବ ମଧ୍ୟପ୍ରଦେଶର ଚିଫ୍ କମିସନର୍, ଯାହାଙ୍କ ଉଦ୍ୟମରେ ସମ୍ବଲପୁରର ସରକାରୀ ଭାଷା ହିନ୍ଦୀରୁ ଓଡ଼ିଆ ହୋଇ ସମ୍ବଲପୁର ଓଡ଼ିଶା ଡିଭିଜନ୍ ସହ ମିଶିଥିଲା)ଙ୍କ ପେସ୍କାର ଏବଂ ପରେ ବରଗଡ଼ର ତହସିଲଦାର୍ ହୋଇଥିଲେ। ଏହାପରେ ସେ େରଢ଼ାଖୋଲର ଦେୱାନ୍ ମଧ୍ୟ ହୋଇଥିଲେ। ୧୯୦୪-୦୫ ମସିହା ବେଳକୁ ସେ ସମ୍ବଲପୁରରେ ଅବୈତନିକ ମାଜିଷ୍ଟ୍ରେଟ୍ ଥିବାବେଳେ କବି ଗଙ୍ଗାଧର ମେହେର ତାଙ୍କ ପେସ୍କାର୍ ଥିଲେ। ବରଗଡ଼ରେ ୧୮୭୭ରେ ଜନ୍ମିତ ଜନାର୍ଦ୍ଦନଙ୍କ ବଡ଼ଭାଇ ବୈକୁଣ୍ଠନାଥ ସମ୍ବଲପୁରର ପ୍ରଥମ ସ୍ନାତକ ଏକ୍ଷ୍ଟ୍ରା ଆସିଷ୍ଟାଣ୍ଟ୍-କମିସନର୍ (ଅନ୍ୟତ୍ର ଡେପୁଟି କମିସନର୍) ପଦରେ ମଧ୍ୟପ୍ରଦେଶରେ କାର୍ଯ୍ୟରତ ଥିବାବେଳେ ସମ୍ବଲପୁରକୁ ଓଡ଼ିଶାରେ ମିଶାଇବା ଦିଗରେ ତାଙ୍କର ବିଶେଷ ଉଦ୍ୟମ ରହିଥିଲା। ମାତ୍ର ୨୭ ବର୍ଷ ବୟସରେ ‘ଯକ୍ଷ୍ମାରୋଗ’ରେ ତାଙ୍କର ପରଲୋକ ହୋଇଥିଲା। ବଡ଼ଭଉଣୀ ରୁକ୍ମିଣୀ ସମ୍ବଲପୁରର ଦେଶସେବକ ଚନ୍ଦ୍ରଶେଖର ବେହେରାଙ୍କୁ ବିବାହ କରିଥିଲେ। ଜନାର୍ଦ୍ଦନଙ୍କ ଜଣେ ଭାଇ ପ୍ରସନ୍ନ କୁମାର ଗାଙ୍ଗପୁର ଓ ଖଣ୍ଡପଡ଼ାର ଦେୱାନ୍ ଥିବାବେଳେ ଅନ୍ୟ ଭାଇ ନୀଳକଣ୍ଠ ବି.ଏଲ୍. ପାସ୍ କରି ଅକାଳରେ ଚାଲିଗଲେ। ଅନ୍ୟ ଜଣେ ଭାଇ ବନମାଳୀ ସମ୍ବଲପୁରରେ ପଲିଟିକାଲ୍ ଏଜେଣ୍ଟ୍ଙ୍କ ଦପ୍ତରରେ କାର୍ଯ୍ୟ କରୁଥିଲେ। ଅନ୍ୟ ଜଣେ ଭଉଣୀ ସମ୍ବଲପୁରର ଆଦିନେତା ଧରଣୀଧର ମିଶ୍ରଙ୍କ ପୁତ୍ର ଡାକ୍ତର ରାମଚନ୍ଦ୍ର ମିଶ୍ରଙ୍କ ସହଧର୍ମିଣୀ।
Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା
ଜନାର୍ଦ୍ଦନ ପୂଜାରୀଙ୍କୁ ୧୫ ବର୍ଷ ହୋଇଥିବା ବେଳେ ବାପା ଚାଲିଗଲେ। ସ୍କୁଲ୍ରେ ପଢୁଥିବା ବେଳେ ‘ବାଉଁସେନ୍ ମୁରା’ର ଗୌନ୍ତିଆ କୃତ୍ତିବାସ ପାଣିଗ୍ରାହୀଙ୍କ କନ୍ୟା କମଳାଙ୍କୁ ବିବାହ କରିଥିଲେ। ପ୍ରଥମେ ସମ୍ବଲପୁର ଜିଲ୍ଲା ସ୍କୁଲ୍ ଓ ପରେ କଟକ କଲେଜିଏଟ୍ ସ୍କୁଲ୍ରେ ସେ ପଢ଼ିଥିଲେ। କଲିକତାରେ ଆଇ.ଏ. ପଢ଼ି ଡାକ୍ତରୀ ଶିକ୍ଷା ସମାପ୍ତ କରିଥିଲେ। ସେ ଜଣେ ସଫଳ ଅଭିନେତା ଥିଲେ। କଲିକତାରେ ଛାତ୍ର ଥିବାବେଳେ ଥରେ ଓଡ଼ିଶାର ପ୍ରତିଷ୍ଠିତ ‘ମାଷ୍ଟର୍ ମଣିଆ’ ନାଟକ ଦଳ ଅଭିନୟ ପାଇଁ ସେଠାକୁ ଯାଇଥିଲେ। ‘କଳାପାହାଡ଼’ ନାଟକ ମଞ୍ଚସ୍ଥ ହେବାର ଥିଲା। ମାତ୍ର କଳାପାହାଡ଼ ଭୂମିକା ନେଉଥିବା ଅଭିନେତା ହଠାତ୍ ନିମୋନିଆରେ ଅସୁସ୍ଥ ହୋଇପଡ଼ିବାରୁ ଶ୍ରୀ ପୂଜାରୀ ନିଜେ ସେ ଅଭିନୟ କରି ଦର୍ଶକଙ୍କୁ ଚମତ୍କୃତ କରିପାରିଥିଲେ। ସମ୍ବଲପୁରରେ ବହୁ ବର୍ଷ ପରେ ସେ ଏକ ସୌଖୀନ ନାଟ୍ୟସଂସ୍ଥା ଗଠନ କରିଥିଲେ। ସେ ସମ୍ବଲପୁରୀ ଭାଷାରେ ପ୍ରଥମ ନାଟକ ଲେଖିବା ସହ ଏହାକୁ ମଞ୍ଚସ୍ଥ କରାଇଥିଲେ।
ଜନମାନସରେ ‘ଡାକ୍ତର ବାବା’ ଭାବେ ସୁପରିଚିତ ଡାକ୍ତର ପୂଜାରୀ ୧୯୨୩ରେ ସମ୍ବଲପୁରରେ ଘରୋଇ ଭାବେ ଚିକିତ୍ସା ଆରମ୍ଭ କରିଥିଲେ। ଜଣେ ଏଲୋପାଥି ଡାକ୍ତର ହୋଇ ବି ସେ ଦେଶୀ ଜଡ଼ିବୁଟି ବ୍ୟବହାର ଲାଗି ରୋଗୀଙ୍କୁ ପରାମର୍ଶ ଦେଉଥିଲେ। ୧୯୫୮ରେ ସମ୍ବଲପୁର ଜିଲ୍ଲା ବୈଦ୍ୟ ସମ୍ମିଳନୀର ସେ ସଭାପତି ହୋଇଥିଲେ। ତା’ ପୂର୍ବରୁ ୧୯୨୮ରେ ମହାତ୍ମା ଗାନ୍ଧୀଙ୍କ ସମ୍ବଲପୁର ସଭାରେ ଦିଆଯାଇଥିବା ମାନପତ୍ର ପ୍ରସ୍ତୁତ କରି ସେ ପାଠ କରିଥିଲେ। ହୀରାକୁଦ ବନ୍ଧ ବିରୋଧୀ ଆନ୍ଦୋଳନରେ ଡା. ପୂଜାରୀ ନେତୃତ୍ବ ନେଇ ଗିରଫ ହୋଇ ଜେଲ୍ବରଣ କରିଥିଲେ। ଜେଲ୍ରେ ଥିବାବେଳେ ଧର୍ମପୁସ୍ତକ ‘ଗୀତାର୍ଥ ଦୀପିକା’ ରଚନା କରିଥିଲେ। କେତେକ ସମ୍ବାଦପତ୍ରରେ ସେ ନିୟମିତ ଲେଖୁଥିଲେ। ୧୯୩୫-୩୬ରେ ସେ ‘ଗୁଡ଼ିଆବାବା’ଙ୍କ ସହ କୈଳାସ ଓ ମାନସରୋବର ଯାତ୍ରା କରି ‘କୈଳାସ ଯାତ୍ରା’ ପୁସ୍ତକ ରଚନା କରିଥିଲେ। ଯୋଗ ସାଧନା ନିମନ୍ତେ ସେ କଲ୍ୟାଣ ଆଶ୍ରମ ଓ ଅନ୍ୟ କେତେ ଆଶ୍ରମ ପ୍ରତିଷ୍ଠା କରି ସେଠାରେ ଧର୍ମଚର୍ଚ୍ଚା, ପୂଜାପାଠ ଆଦି କରାଉଥିଲେ। ସତ ହେଉ କି ମିଛ, ସମ୍ବଲପୁରର ବହୁ ଲୋକଙ୍କ ଦୃଢ଼ ବିଶ୍ବାସ ଥିଲା ଯେ ଡାକ୍ତର ପୂଜାରୀ ଯୋଗମୁଦ୍ରାରେ ବସି ଆକାଶରେ ଉଡ଼ି ଉଡ଼ି ଯାଇପାରୁଥିଲେ। ୧୯୬୧ ଡିସେମ୍ବର ୫ ତାରିଖ ଦିନ ଡାକ୍ତର ପୂଜାରୀଙ୍କର ୬୮ ବର୍ଷ ବୟସରେ ବିୟୋଗ ହୋଇଥିଲା।
ଅତାବିରା, ବରଗଡ଼
ମୋ: ୯୪୩୮୨୧୪୮୭୮

4 days ago
3


